ଓଡଗାଁ/ ଶ୍ରୀକାନ୍ତ ମିଶ୍ର : ଓଡିଶାର ଅନନ୍ୟ ବିଷ୍ଣୁ କ୍ଷେତ୍ର ତଥା ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ ପ୍ରସିଦ୍ଧଲାଭ କରିଛି ଓଡଗାଁ ପ୍ରଭୁ ଶୀରଘୁନାଥଙ୍କ ପିଠ । ଆଜକୁ ପ୍ରାୟ୫ଶହ ବର୍ଷ ହେବ ଶାନ୍ତ କାନ୍ତ କୋମଳ ଭକ୍ତ ବତ୍ସଳ ପ୍ରଭୁ ଶ୍ରୀରାମଚନ୍ଦ୍ର, ମା’ତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ନବକଳେବର ରହିତ ଦାରୁ ବିଗ୍ରହ ରତ୍ନ ବେଦୀରେ ବିରାଜିତ । ପ୍ରଭୁଙ୍କ ଶାନ୍ତ ଶ୍ୟାମଳ ମୂର୍ତ୍ତୀ ଦର୍ଶନରେ ଅଟକିଯାଏ ଭକ୍ତର ନୟନ ଯୁଗଳ । ମନରେ ସ୍ୱତଃ ଜାଗ୍ରତ ହୁଏ ଭକ୍ତିଭାବ । ଏବଂ ଭକ୍ତ ସମର୍ପିତ କରିଦିଏ ତାର ସମସ୍ତ ସତ୍ତାକୁ ସେଇ ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ପାଦ ପଦ୍ମରେ ।
ଭୈାଗଳିକ ଦୃଷ୍ଟିରେ ଦକ୍ଷୀଣ ପାର୍ଶ୍ୱରେ ଗୟଳସିଂ ଏବଂ ଉତ୍ତର ପାର୍ଶ୍ୱରେ ଶୁଳିଆ ପାହାଡର ସବୁଜିମା ବଳୟ ମଧ୍ୟରେ ଓଡଗ୍ରାମରେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରଟି ଅବସ୍ଥିତ । ୧୨ମାସରେ୧୩ପରବ କ୍ରମରେ ଲାଗିରହିଥାଏ ଯାନିଯାତ୍ରା । ଏହାର ପୂର୍ବ ପାଶ୍ୱରେ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପିଠ ବାବା ଲଡୁକେଶ ମହାଦେବ ଏବଂ ଉତ୍ତର ପଶ୍ଚିମ ପାର୍ଶ୍ୱରେ ବାବା ଦୁତୀକେଶ୍ୱର ମହାଦେବଙ୍କ ଅବସ୍ଥିତି ଯୋଗୁଁ ଆମ ରାଜ୍ୟ ତଥା ଦେଶର ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ମାନଙ୍କ ସମାଗମ ଏଠାରେ ଦେଖିବାକୁ ମିଳିଥାଏ ।
ଐତିହାସିକ ପ୍ରମାଣ ସ୍ୱରୁପ ଜଣାଯାଏ ପ୍ରାୟ୫ଶହବର୍ଷ ପୂର୍ବେ ଅଚ୍ୟୁତାନନ୍ଦଙ୍କ ମାଳିକାର ୧୦୩ ଜନ୍ମ ସରଣରେ ବର୍ଣ୍ଣିତ “ଓଡଗ୍ରାମ ଧାମେ ଛତିଶ ଆଙ୍ଗୁଳ ଏକଇ ରାମ ମୂରତୀ, ଲାବଣ୍ୟ ପ୍ରତିମା ଶୁଦ୍ଧ ସୁବର୍ଣ୍ଣରେ କୃଷି କ୍ଷେତ୍ରରେ ଉତ୍ପତି” । କିମ୍ବଦନ୍ତୀ ଅନୁସାରେ ତତ୍କାଳୀନ ନୟାଗଡ ରାଜାଙ୍କୁ ସ୍ୱପ୍ନାଦେଶ ହେବାରୁ ଦେଓାନୀ ବୈରାଗୀ ଚରଣ ପଟ୍ଟନାୟକଙ୍କ ଦ୍ୱାରା ପୁଜିତ ହେଉଥିବା ଲିମ୍ବ କାଠର ଶ୍ରୀରଘୁୁନାଥ ଜିଉଙ୍କ ଦାରୁବିଗ୍ରହଙ୍କୁ ଓଡଗାଁ ଠାରେ ଥିବା ମୁନୀ ଆଶ୍ରମରେ୧୭୬୩ରେ ସ୍ଥାପନା କରାଯାଇଥିବା ଜଣାଯାଏ । ଦାରୁ ବିଗ୍ରହ ମାନଙ୍କୁ ପ୍ରଥମେ ମୁନୀମାନଙ୍କ ଯଜ୍ଞ ମଣ୍ଡପ ଚାଳ କୁଡିଆରେ ସ୍ଥାପନ କରାଯାଇ ସେବାନିତୀ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ନୟାଗଡ, ଦଶପଲ୍ଲା , ଗଞ୍ଜାମ ଏପରିକି ଆନ୍ଧ୍ରପ୍ରଦେଶର ବିଭିନ୍ନ ଭକ୍ତଙ୍କ ପ୍ରୋତ୍ସାହନରେ ଗଞ୍ଜାମ ଜିଲ୍ଲାର ଆଠଗଡ, ମଥୁରା, ସ୍ଥାନୀୟ ଓଡଗାଁ ଏବଂ ମସାବାରୀର ମହାରଣା ଶିଳ୍ପୀମାନଙ୍କ ଦ୍ୱାରା ଆଜିର ଭବ୍ୟ ମନ୍ଦିର ନିର୍ମାଣ ହୋଇଥିଲା ।
ବିଶେଷତ୍ୱ :- ପୂର୍ବ ଆକାଶ ସୂର୍ଯ୍ୟଙ୍କର ଉଦୟ କିରଣ ରତ୍ନ ବେଦିରେ ଶ୍ରୀ ଜିଉମାନଙ୍କ ଉପରେ ପଡିଥାଏ । ଏହାର ପୂର୍ବ ସିଂହଦ୍ୱାର ବା ମୁଖ ଶାଳାରେ ଦୁଇଗୋଟି ବିଶାଳକାୟ ସିଂଘ ମୂର୍ତ୍ତୀ ସ୍ଥାନୀତ ହୋଇଥିବା ବେଳେ ଏହି ଦ୍ୱାରର ରକ୍ଷକ ରୁପେ ଅନନ୍ତ ବାସୁଦେବ ରହିଥାନ୍ତି । ଏହାର ଦକ୍ଷୀଣରେ ଥିବା ବ୍ୟାଘ୍ରଦ୍ୱାର ଦେଇ ସାଧାରଣତଃ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ପ୍ରବେଶ କରିଥାନ୍ତି । ରକ୍ଷକ ତକ୍ଷକ ଏବଂ କର୍କଟ ଏହି ଦ୍ୱାରର ରକ୍ଷକ ଅଟନ୍ତି । ସେହିପରି ଉତ୍ତର ପାଖ ହାତି ଦ୍ୱାରର ରକ୍ଷକ ହେଉଛନ୍ତି ଶଙ୍ଖ ନାଗ ଏବଂ କୁଳିକ ଏବଂ ପଶ୍ଚିମରେ ଥିବା ଘୋଡା ଦ୍ୱାରର ରକ୍ଷକ ପଦ୍ମ ମହାପଦ୍ମ ।
ମନ୍ଦିର ପ୍ରଥମ ଭାଗରେ ରହିଛି ନାଟ୍ୟ ବା ଭଦ୍ର ମଣ୍ଡପ, ପରେ ଜଗମୋହନରେ ଜୋଡ ହସ୍ତରେ ଭକ୍ତ ହନୁମାନ ରତ୍ନ ବେଦୀରେ ବିରାଜିତ ପ୍ରଭୁଙ୍କୁ ଚାହିଁରହିଛନ୍ତି । ଶେଷରେ ଗର୍ଭଗୃହ, ଯେଉଁଠି ରତ୍ନ ବେଦିରେ ୩ ଠାକୁର ବିରାଜମାନ କରିଥାନ୍ତି । ତିନିମନ୍ଦିର ଶିର୍ଷରେ ସ୍ଥାପିତ ସୁବର୍ଣ୍ଣ କଳସର ସ୍ୱତନ୍ତ୍ରତା ରହିଛି ସାରା ଓଡିଶାରେ । ଖରା ବର୍ଷା ଶୀତରେ ଶହଶହ ବର୍ଷ ଆକାଶକୁ ଚାହିଁ ରହିଥିବା ପରେ ତାହା ଏବେବି ରହିଛି ଅମଳିନ । ବହୁଦୁରରୁ ଅସୁଥିବା ଭକ୍ତ ସ୍ୱର୍ଣ୍ଣକଳସରୁ ତାର ପ୍ରଥମ ଦର୍ଶନ ଆରମ୍ଭ କରିଥାଏ । ପୂର୍ବ ଦ୍ୱାର ଗୁମୁଟ ମଧ୍ୟ ଦେଇ ମନ୍ଦିରକୁ ପ୍ରବେଶ କଲେ ବାମ ପାଶ୍ୱର୍ରେ ହନୁମାନ ଏବଂ ଦକ୍ଷୀଣରେ ମାତା ବିରଜା ପରେ ମନ୍ଦିର ବେଢାରେ ରାମେଶ୍ୱର, ଚିତ୍ରକୂଟ ପର୍ବତ, ରାମାୟଣ କଥାବସ୍ତୁର କଳାକୁଞ୍ଜ, ଗମ୍ଭିରା ଗୃହ, ମା ସରସ୍ୱତୀ, ଲକ୍ଷ୍ମୀ, କାଳୀ, ଗାୟତ୍ରୀ, ନବଗ୍ରହ, ବିମଳାଙ୍କ ମନ୍ଦିର, ରୋଷଘର, ଋଷୀମୁନୀ, ସୁର୍ଯ୍ୟ ଦେବଙ୍କ ପରେ ପଂଚଦେବ ଓ ନିତାଇଗୈାରୀଙ୍କୁ ଦେଖିବାକୁ ମିଳିଥାଏ ।
ମୁଖ୍ୟ ପର୍ବପର୍ବାଣୀ :- ପୁରୀ ଶ୍ରୀମନ୍ଦିର ପରି ଏଠାରେ ଋତୁଚକ୍ରର କ୍ରମ ଅନୁଶାରେ ପୋଷାକ ପରିଧାନର ପରିବର୍ତ୍ତନ ହେବା ସହ ମନ୍ଦିରର ନିତୀ ଅନୁସାରେ ପର୍ବପର୍ବାଣୀ ପାଳିତ ହୋଇଥାଏ । ମୁଖ୍ୟ ପର୍ବ ଶ୍ରୀରାମ ନବମୀରେ ଶ୍ରୀରାମ ଜନ୍ମ ଠାରୁ (ଗୁରୁବାରକୁ ଛାଡି ) ଅଭିଷେକ ପଯର୍ୟନ୍ତ ୧୦ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥାଏ । ରାମାୟଣ କଥା ବସ୍ତୁର ୧୦ଟି ମୁହୂର୍ତ୍ତର ଦୃଶ୍ୟକୁ ସାନ୍ଧ୍ୟ ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ସୈାଭାଗ୍ୟ ଅର୍ଜନ କରିଥାନ୍ତି । ଦୃଶ୍ୟ ମାନଙ୍କ ମଧ୍ୟରୁ ସୀତା ବିବାହ, ରାବଣ ପୋଡି ଓ ଅଭିଷେକ ବେଶ ଗୁରୁତ୍ୱ ବହନ କରିଥାଏ । ଏଥି ସହିତ କାର୍ତ୍ତିକ ମାସର ପଂଚୁକରେ ଶ୍ରୀଜିଉ ମାନେ ସ୍ୱତନ୍ତ୍ର ବେଶ ହୋଇଥିବା ବେଳେ ଭେଉଁରୀ ଯାତ୍ରାରେ ଗ୍ରାମ ପରିକ୍ରମା କରି ଭୋଗ ଖାଇଥାନ୍ତି । ବର୍ଷସାରା ପର୍ବପର୍ବାଣୀ ଏଠାରେ ଲାଗିରହିଥାଏ ।
ମହିଁମା :- ଜନସୃତି ଅନୁସାରେ ଉପେନ୍ଦ୍ରଭଞ୍ଜ ରାମତାରକ ମନ୍ତ୍ର ଜପକରି ସିଦ୍ଧି ଲାଭକରି କବି ସମ୍ରାଟ ହୋଇପାରିଥିଲେ ବୋଲି ଜଣାଯାଏ । ଏହା ଏକ ବିଷ୍ଣୁ ମନ୍ଦିର ହୋଇଥିଲେ ମଧ୍ୟ ଏଠାରେ ପୂର୍ବରୁ ଭକ୍ତମାନେ ଗୁହାରିଆ ପଡୁଥିବା ବେଳେ ବହୁ ଭକ୍ତ ମାନଙ୍କ ମାନସିକ ପୂର୍ଣ୍ଣ ହୋଇଥିବା ଭକ୍ତମାନେ କହିଥାନ୍ତି । ଏପରିକି ଶ୍ରୀଜିଉଙ୍କ ଶରଣରେ ଆସି ଅନେକ ମାତୃତ୍ୱ ଲାଭ କରିଥିବାର ମଧ୍ୟ ଜଣାଯାଏ ।
ଯୋଗାଯୋଗ :-ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ଭଞ୍ଜନଗର ରାଜ୍ୟ ସଡକ ପଥର ନୟାଗଡ ଜିଲ୍ଲା ସଦର ମହକୁମା ଠାରୁ ୨୭ କି.ମି. ଅତିକ୍ରମ କଲାପରେ ଓଡଗାଁରେ ପହଁଚି ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରୁ ଆସ୍କା ବୁଗୁଡା ଦେଇ ୧୦୫କି.ମି. ଅତିକ୍ରମ କଲେ ଶ୍ରୀରଘୁନାଥଙ୍କ ପିଠରେ ପହଁଚି ପାରିଥାନ୍ତି ଶ୍ରଦ୍ଧାଳୁ ।