ହେଡଲାଇନସ୍:

୩୫ ବର୍ଷରେ ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧୬ କିଲୋ ସୁନା ଓ ୭୦୬୮ ଲକ୍ଷ  ଟଙ୍କା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ସ୍ଥାପନ ହେବାଠାରୁ ଏ ଯାବତ ୩୫ ବର୍ଷ ମଧ୍ୟରେ  ଭକ୍ତମାନେ ଦାନ ସୂତ୍ରରେ  ୧୬ କିଲୋରୁ ଅଧିକ ସୁନା ଓ ପ୍ରାୟ ୭୦୬୮ ଲକ୍ଷ ଟଙ୍କା ମିଳିଛି | ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ବିସ୍ତୃତ ସୂଚନାରୁ ଏହା ଜଣାପଡ଼ିଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୮୩ ମସିହା ଅଗଷ୍ଟ ୨୩ ତାରିଖରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ହୁଣ୍ଡି ସ୍ଥାପନ କରାଯାଇଥିଲା । ସେବେଠାରୁ ଗତ ଜୁଲାଇ ଶେଷ ସୁଦ୍ଧା ଶ୍ରଦ୍ଧାଳୁମାନେ ହୁଣ୍ଡିରେ ୭୦୬୭ ଲକ୍ଷ ୯୨ ହଜାର ୭୭୫ ଟଙ୍କା ୮୫ ପଇସା ଦାନ ଦେଇଛନ୍ତି । ଏହାଛଡ଼ା ଏହି ବର୍ଷଗୁଡ଼ିକ ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିରକୁ ମୋଟ୍ ୧୬ କିଲୋ ୧୫ ଗ୍ରାମ୍ ଓଜନର ସୁନା ଗତ ଅଗଷ୍ଟ ଶେଷ ସୁଦ୍ଧା ମିଳିଛି । ଏଥିରୁ ୧୪ କିଲୋ ୫୬୦ ଗ୍ରାମ୍ ସୁନା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଲକର୍ରେ ରଖାଯାଇଛି ।  ତେବେ ଦାନ ଓ ହୁଣ୍ଡିରୁ ମିଳିଥିବା ରୁପା ସାମଗ୍ରୀ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ ଚାଲିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । 

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ଘଟଣା କେବେ ସରକାରଙ୍କ ନଜରକୁ ଆସିଲା ଏବଂ ଏହାପରେ ରତ୍ନଭଣ୍ଡାରରେ ଥିବା ଶ୍ରୀଜୀଉଙ୍କର ମୂଲ୍ୟବାନ ସମ୍ପତ୍ତିର ସର୍ଜମିନ୍ ଅନୁଧ୍ୟାନ ସହ ତାଲିକା ପ୍ରସ୍ତୁତ ଲାଗି କି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସର୍ବଶେଷ ହିସାବ ଅନୁଯାୟୀ ରତ୍ନଭଣ୍ଡାରରେ କେତେ ପରିମାଣର ମୂଲ୍ୟବାନ ସାମଗ୍ରୀ ରହିଛି ଓ ତାହାର ମୂଲ୍ୟ କେତେ ହେବ ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ସରକାରଙ୍କ ଠାରୁ ଉତ୍ତର ଚାହିଁଥିଲେ । ଏହାଛଡ଼ା ଶ୍ରୀମନ୍ଦିରକୁ ଦାନ ଆକାରରେ ଓ ହୁଣ୍ଡିରୁ କେତେ ଅର୍ଥ ଓ ସୁନା ରୁପା ଆଦି ସାମଗ୍ରୀ ମିଳିଛି ତାହାର ତଥ୍ୟ ପ୍ରଦାନ ଲାଗି ମଧ୍ୟ କହିଥିଲେ । 

ଏହାର ଉତ୍ତରରେ ଆଇନ୍ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରତ୍ନଭଣ୍ଡାର ଚାବି ନ ମିଳିବା ଘଟଣା ୨୦୧୮ ଏପ୍ରିଲ୍ ୪ ତାରିଖ ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଥିଲା । ଏ ସଂକ୍ରାନ୍ତରେ ଚାଲିଥିବା ତଦନ୍ତ କମିଶନଙ୍କ ତଦନ୍ତ ଶେଷ ହେବା ପରେ ଭଣ୍ଡାର ସମ୍ପତ୍ତିର ସର୍ଜମିନ୍ ଅନୁଧ୍ୟାନ କରାଯିବ । ୧୯୭୮ ମସିହାରେ ଭିତର ଓ ବାହାର ରତ୍ନଭଣ୍ଡାରରେ ରଖାଯାଇଥିବା ଅଳଙ୍କାରର ହିସାବ କରାଯାଇଥିଲା । ସେତେବେଳେ ଶ୍ରୀମନ୍ଦିରରେ ୧୨,୮୩୮ ଭରି ଏକଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଏବଂ ୨୨,୧୫୩ ଭରି ଓଜନର ମୂଲ୍ୟବାନ ପଥର ସହିତ ରୁପା ବାସନ ଓ ପୂଜା ସାମଗ୍ରୀ ଆଦି ଥିଲା । ଏହାଛଡ଼ା ସେତେବେଳେ ୧୪ଟି ସୁନା ଓ ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ କରାଯାଇପାରିନଥିଲା । ବିଶେଷଜ୍ଞମାନଙ୍କ ଦ୍ୱାରା ରତ୍ନଭଣ୍ଡାରର ସାମଗ୍ରୀଗୁଡ଼ିକର ମୂଲ୍ୟାୟନ କରାଯିବା ପରେ ଏହାର ମୂଲ୍ୟ ନିରୁପଣ ହେବ । 

ଶ୍ରୀମନ୍ଦିର ସହିତ ଓଡ଼ିଆ ଜାତିର ଭାବାବେଗ ଜଡ଼ିତ ଥିବା ପରିପ୍ରେକ୍ଷୀରେ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସନେ୍ଦହ ଉପୁଯିବା ସ୍ୱାଭାବିକ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ କମିଶନ ଚାବି ହଜିବାର କାରଣ ଖୋଜୁଥିବା ବେଳେ ସରକାର ଓ ପରିଚାଳନା କମିଟି ଶ୍ରୀମନ୍ଦିରର ପ୍ରଥା ଓ ଆଇନ୍ଗତ ବ୍ୟବସ୍ଥା ଅନୁଯାୟୀ ଇନ୍ଭେଣ୍ଟ୍ରି କରାଇ ପ୍ରକୃତରେ ଏବେ ରତ୍ନଭଣ୍ଡାରରେ କେତେ ପରିମାଣର ମୂଲ୍ୟବାନ ସାମଗ୍ରୀ ରହିଛି ଓ ତାହାର ମୂଲ୍ୟ କେତେ ତାହା ତୁରନ୍ତ ନିରୁପଣ କରିବା ଆବଶ୍ୟକ । ଏ ପରିପ୍ରେକ୍ଷୀରେ ନିକଟରେ ମନ୍ଦିରର ଧନସମ୍ପତ୍ତି ସମ୍ପର୍କରେ ସର୍ବୋଚ୍ଚ ଅଦାଲତ  ଦେଇଥିବା ନିର୍ଦ୍ଦେଶନାମାକୁ ଅବିଳମ୍ବେ ଅନୁପାଳନ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । 

0
0
0
s2sdefault