ହେଡଲାଇନସ୍:

ରାଫେଲ : ଅମ୍ବାନୀଙ୍କୁ ଅନୁକମ୍ପା - ସରକାରଙ୍କ ସ୍ୱଚ୍ଛତା ଓ ସାଧୁତା !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

||ବିଭୂତି ପତି||  

 ମୂଲ୍ୟ, ଅମ୍ବାନୀଙ୍କୁ ଅହେତୁକ ଅନୁକମ୍ପା ଏବଂ ପ୍ରିୟାପ୍ରିତି ତୋଷଣ - ଏହି ତିନୋଟି କଥା ରାଫେଲ ଯୁଦ୍ଧବିମାନ ଚୁକ୍ତିକୁ ବିବାଦ ଘେରକୁ ଟାଣିନେଇଛି ଏବଂ ବହୁ ସନ୍ଦେହର ଭାନୁମତି ପେଡ଼ି ଖୋଲି ଦେଇଛି । ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାକୁ ହାତେଇବା ତଥା ମୋଦୀଙ୍କ ବହୁ ଚର୍ଚ୍ଚିତ ଓ ପ୍ରଚାର ସର୍ବସ୍ୱ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ଆଗକୁ ବଢ଼ାଇବାରେ ଖୋଦ୍ ମୋଦି ସରକାର ବାଧକ ସାଜିଛନ୍ତି ବୋଲି ଅଭିଯୋଗର ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରି ବିରୋଧୀ ଦଳ ଓ କେତେକ ପ୍ରତିରକ୍ଷା ବିଶେଷଜ୍ଞ ରାଫେଲ ଯୁଦ୍ଧ ବିମାନ କ୍ରୟରେ ଦେଶର ସୁରକ୍ଷାକୁ ଅସୁରକ୍ଷିତ କରାଯାଇଛି ବୋଲି ଦାବୀ କରୁଛନ୍ତି । ଏହାକୁନେଇ ସଂସଦର ଚଳିତ ମୌସୁମୀ ଅଧିବେଶନ ଓ ଦିଲ୍ଲୀରେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରହିଛି  । 

ସର୍ବାଧିକ ପରିମାଣର ପାରମ୍ପରିକ ଅସ୍ତ୍ରର ଆମଦାନୀକାରୀ ରୂପେ ଭାରତର ପ୍ରସିଦ୍ଧି ଆଦୌ ଇର୍ଷାର ବିଷୟ ନୁହେଁ । କଲାମ କମିଟି ଦ୍ୱାରା ସୁପାରିଶ କରାଯାଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ଆମର ଆତ୍ମନିର୍ଭରଶୀଳତା ମାନକ ୩୦%ରୁ ୭୦%କୁ ବୃଦ୍ଧି କରାଯିବା କଥା । ସ୍ୱଦେଶୀକରଣ ଲକ୍ଷ୍ୟ ହାସଲ  ଦିଗରେ ଭାରତ  ବିଶେଷ ଅଗ୍ରଗତି କରିପାରିନାହିଁ, ଯଦିଓ ଭାରତରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ବହୁ ସରକାରୀ ଉଦ୍ୟୋଗ, ଅସ୍ତ୍ରଶସ୍ତ୍ର ତିଆରି କାରଖାନା ତଥା ଘରୋଇ କ୍ଷେତ୍ରର  କମ୍ପାନୀମାନ ରହିଛନ୍ତି । ମୋଦୀଙ୍କ ସ୍ୱପ୍ନର ‘ମେକ୍ ଇନ୍ ଇଣ୍ଡିଆ’ର ଲକ୍ଷ୍ୟ ହାସଲ ସକାଶେ ଏହାଠାରୁ ଭଲ ସମୟ  ଅନ୍ୟ କିଛି ହୋଇପାରି ନଥାନ୍ତା । କାରଣ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର କରିସ୍ମା ବଳରେ ଦେଶର କୋଟି କୋଟି ଟଙ୍କା ବ୍ୟୟକରି ବିଶ୍ୱର ବିଭିନ୍ନ ରାଷ୍ଟ୍ର ଗସ୍ତ କରୁଛନ୍ତି ଏବଂ ବିଭିନ୍ନ ରାଷ୍ଟ୍ରର ନେତାମାନଙ୍କ ଦ୍ୱାରା ସେମାନଙ୍କ ମୂଳ ଉପକରଣ ଉତ୍ପାଦନକାରୀମାନଙ୍କୁ ତଥା ଡ଼ିଜାଇନ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକୁ ଭାରତରେ ପୁଞ୍ଜି ବିନିଯୋଗ କରିବା ପାଇଁ ପ୍ରବର୍ତାଇ ପାରିବାର କ୍ଷମତା ରଖନ୍ତି ବୋଲି ଏନ୍.ଡ଼ି.ଏ ସରକାର ମତ ଦଉଛନ୍ତି  । ଏପରି ପୃଷ୍ଠଭୂମିରେ ମୋଦୀ ସରକାର ଭାରତରେ ୧୦୮ଟି ଯୁଦ୍ଧ ବିମାନ ନିର୍ମାଣ ପାଇଁ ହିନ୍ଦୁସ୍ଥାନ ଏରୋନଟିକସ୍ ଲିମିଟେଡ଼(ହାଲ)କୁ ପ୍ରଯୁକ୍ତିବିଦ୍ୟାର ହସ୍ତାନ୍ତରଣ ବଦଳରେ ଦାସାଲ୍ଟ ଏଭିଏସନଠାରୁ ସିଧାସଳଖ ୩୬ଟି ଉଡ଼ାଜାହାଜ(ରାଫେଲ) ଆମଦାନୀ କରିବା ଦୁର୍ଭାଗ୍ୟଜନକ । ୨୦୧୪ ମସିହାର ମିଡ଼ିୟମ୍  ମଲ୍ଟି - ରୋଲ କମ୍ବାଟ୍ ଏୟାରକ୍ରାଫ୍ଟ ଚୁକ୍ତିରେ ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତରଣ ହିଁ ମୁଖ୍ୟ ଆଧାର ଥିଲା । 

ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତିକୁ ତିନୋଟି ଦୃଷ୍ଟିଭଙ୍ଗୀରୁ ବିଚାର କରାଯାଇ ଏହାର ବିବାଦୀୟ ଏବଂ ଦୁର୍ନିତୀର ଦିଗକୁ ଦର୍ଶାଯାଇଛି - ମୂଲ୍ୟ, ପ୍ରତିଯୋଗିତା ଏବଂ ବନ୍ଧୁପ୍ରୀତି । ଏକଥା  ବେଶ ଜଣାଶୁଣା ଯେ ପାରଦର୍ଶୀ ଯୋଗ୍ୟତା ନିର୍ଦ୍ଧାରଣ ଏବଂ କଣ୍ଟ୍ରାକ୍ଟ ଚୂଡ଼ାନ୍ତ କରିବାର ମାନଦଣ୍ଡ ଭିତ୍ତିରେ ପ୍ରତିଯୋଗିତା ମୂଳକ  ପ୍ରକ୍ରିୟା ହିଁ ହେଉଛି ଯୁକ୍ତିଯୁକ୍ତ ମୂଲ୍ୟରେ ସାମଗ୍ରୀ କିଣିବାର ମୂଳ ଆଧାର । ଏମ୍.ଏମ୍.ଆର୍.ସି.ଏ. ହେଉଛି ସାମରିକ ସାମଗ୍ରୀ ଖରିଦ କରିବାର ପ୍ରକ୍ରିୟା ଯେଉଁ କ୍ଷେତ୍ରରେ ପ୍ରଥମ ଥର ସକାଶେ “ଜୀବନଚକ୍ର ଆଧାରରେ ମୂଲ୍ୟ ନିର୍ଦ୍ଧାରଣ”ର ନୀତି ଅବଲମ୍ବନ କରାଯାଇଥିଲା । ଏହି ପ୍ରକ୍ରିୟା ମାଧ୍ୟମରେ ୬ଟି ଆନ୍ତର୍ଜାତିକ ପ୍ରତିଯୋଗୀଙ୍କ  ମଧ୍ୟରୁ କେବଳ ଦୁଇଟି ମୂଳ ଉପକରଣ ଉତ୍ପାଦନକାରୀ-ରାଫେଲ ଓ ଟାଇଫୁନକୁ  ବଛା ଯାଇଥିଲା । ଉଭୟ ରାଫେଲ ଓ ଟାଇଫୁନ କମ୍ପାନୀ ଇଂଜିନ, ଏ.ଇ.ଏସ୍.ଏ. ରାଡ଼ାର ତଥା ରାଡ଼ାର ସୂଚନା ଗ୍ରହଣ ବ୍ୟବସ୍ଥାର ପ୍ରଯୁକ୍ତି ବିଦ୍ୟାର ୭୦% ପର୍ଯ୍ୟନ୍ତ ହାଲକୁ ହସ୍ତାନ୍ତର କରିବା ସକାଶେ ରାଜି ହୋଇଥିଲେ । ହାଲ୍ ଅତୀତରେ କେବଳ ରୁଷିଆଠାରୁ ପ୍ରଯୁକ୍ତି ବିଦ୍ୟା ହାସଲ କରୁଥିବାରୁ, ଉଚ୍ଚସ୍ତରୀୟ ବିକଳ୍ପ ପ୍ରଯୁକ୍ତି ବିଦ୍ୟା ସଂପର୍କରେ ଜାଣିବା ସକାଶେ ଏହା "ମେକ୍ ଇନ୍ ଇଣ୍ଡିଆ' ଯୋଜନାରେ ହାଲ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥାଆନ୍ତା । ଅସ୍ତ୍ରଶସ୍ତ୍ର (ଆକାଶରୁ ଆକାଶକୁ କ୍ଷେପଣାସ୍ତ୍ର), ସମ୍ବେଦୀ ଉପକରଣ (ସେନ୍ସର-ଏ.ଇ.ଏସ୍.ଏ. ରାଡ଼ାର) ଏବଂ ଇଂଜିନ (ସ୍ନେକମା ଇଂଜିନ) ସଂପର୍କରେ ରାଫେଲ କମ୍ପାନୀଠାରୁ ହାଲ୍ ଅନେକ କିଛି ପ୍ରଯୁକ୍ତି ବିଦ୍ୟା ହାସଲ କରି ପାରିଥାଆନ୍ତା । ଏହା ଦେଶର ସୁରକ୍ଷା ପାଇଁ ନିତାନ୍ତ ଜରୁରୀ  । ଏହାସହିତ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ  କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିଥାନ୍ତା  । ମୋଦି ସରକାରଙ୍କଠାରୁ ଦେଶବାସୀ ଏହାହିଁ ଆଶା କରୁଥିଲେ ମାତ୍ର ଏହା ସଫଳ ହୋଇପାରିନାହିଁ  । 

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ରାଫେଲ କମ୍ପାନୀ ହାଲ ସହିତ ଏକାଠି କାର୍ଯ୍ୟ କରିବା ତଥା ସଫଳ ପ୍ରଯୁକ୍ତି ବିଦ୍ୟା  ହସ୍ତାନ୍ତର ଦ୍ୱାରା ଭାରତରେ ୧୦୮ଟି ଯୁଦ୍ଧ ବିମାନ ନିର୍ମାଣ କରିବାର ପ୍ରତିଶ୍ରୁତି ଦେବାକୁ ଅସମ୍ଭବ ମନେକଲା । ଉଦାହରଣ ସ୍ୱରୂପ କାର୍ଯ୍ୟ ଦିବସ ହିସାବରେ ଦାସାଲ୍ଟ ଏଭିଏସନ୍ (ଡ଼ି.ଏ) ଏବଂ ହାଲ ମଧ୍ୟରେ ଗୁରୁତର ମତ ପାର୍ଥକ୍ୟ ଦେଖାଦେଲା । ପ୍ରତ୍ୟେକ ଯୁଦ୍ଧ ବିମାନ ନିର୍ମିାଣ କରିବାକୁ ତିନି କୋଟି ଘଣ୍ଟାର କାର୍ଯ୍ୟ ସମୟ ଆବଶ୍ୟକ ବୋଲି ଡ଼ି.ଏ. କହୁଥିବା ବେଳେ ଏଥିପାଇଁ ୯ କୋଟି ଘଣ୍ଟାା କାର୍ଯ୍ୟ ସମୟର ଆବଶ୍ୟକତା ରହିଛି ବୋଲି ହାଲ ପକ୍ଷରୁ ଆକଳନ କରାଗଲା । ହାଲ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟାକୁ ହଜମ କରିବାର କ୍ଷମତାକୁ ନେଇ ମଧ୍ୟ ଡ଼ି.ଏ. ସନେ୍ଦହ ପ୍ରକଟ କରିଥିଲା । ଏନ୍.ଡ଼ି.ଏ. ସରକାରରେ ଥିବା ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ମନୋହର  ପାରିକର ୨୦୧୫ ମସିହାରେ ଏହି ଚୁକ୍ତିକୁ ମୃତ କୁହାଯାଇପାରିବ ବୋଲି ମନ୍ତବ୍ୟ ଦେଇ ତାଙ୍କର ଦୂରଦୃଷ୍ଟିର ପରିଚୟ ଦେଇଥିଲେ ଏବଂ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା  । ଏହାର କାରଣ ହେଲା ଦୁଇ ଏକଜିଦିଆ ସହଯୋଗୀ କମ୍ପାନୀ ସନ୍ତୋଷଜନକ ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତର ସଂପର୍କରେ ଆଦୌ ନିଶ୍ଚିତ ନଥିଲେ । 

ମୂଲ୍ୟ ଦୃଷ୍ଟିରୁ ତୁଳନା କଲେ ୨୦୧୪ର ଚୁକ୍ତି ଅନୁଯାୟୀ ପ୍ରତ୍ୟେକ ଯୁଦ୍ଧ ବିମାନର ମୂଲ୍ୟ ୫୨୧ କୋଟି ଟଙ୍କା ହୋଇଥାଆନ୍ତା ଏବଂ ବର୍ତ୍ତମାନ ସେହି ଯୁଦ୍ଧବିମାନର ମୂଲ୍ୟ କୌଣସି ଅତିରିକ୍ତ ସରଞ୍ଜାମ ଖଞ୍ଜା ନ’ଯାଇ ୬୮୬ କୋଟି ଟଙ୍କା ହେବ । ଅତିରିକ୍ତ ଉପକରଣ ବାବଦକୁ ପ୍ରତି ବିମାନପିଛା ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ, ଯେଉଁଥିରେ ଏ.ଇ.ଏସ୍.ଏ. ରାଡ଼ାର, ରାଡ଼ାରର ସଂକେତ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ । ମୌଳିକ ଯୁଦ୍ଧ ବିମାନର ମୂଲ୍ୟ ନୂଆ ଚୁକ୍ତିରେ ପ୍ରାୟ ୩୦% ବୃଦ୍ଧି ପାଇଥିବା ବେଳେ ସମସ୍ତଙ୍କୁ ବିଚଳିତ ଓ ଆଶ୍ଚର୍ଯ୍ୟ କରିଦେବା ପରି କଥା ହେଉଛି ଯେ ଏହି ସବୁ ଅତିରକ୍ତ ସରଂଜାମଗୁଡ଼ିକର ଅଲଗା ଅଲଗା ମୂଲ୍ୟ କେତେ ଏବଂ ଏହାର ଗୁଣାତ୍ମକମାନ କ'ଣ ସେକଥା ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଜଣାଉନାହାନ୍ତି । ଏହାହିଁ ବର୍ତ୍ତମାନ ସବୁଠାରୁ ବିବାଦୀୟ ପ୍ରଶ୍ନ ଓ ସନ୍ଦେହର ବାତାବରଣ ସୃଷ୍ଟି କରିଛି  । ଭାରତ ଓ ଫ୍ରାନ୍ସ୍ସ ସରକାରଙ୍କ ମଧ୍ୟରେ ହୋଇଥିବା ଆନ୍ତଃ ସରକାର ଚୁକ୍ତିରେ ଥିବା ଗୋପନୀୟତାର ସର୍ତ୍ତ ଆଳରେ ସେ ମୂଲ୍ୟ ସଂପର୍କିତ ତଥ୍ୟକୁ ଗୋପନ ରଖୁଛନ୍ତି । ଆମ ଦେଶର ସୁରକ୍ଷା ସାମରିକ ସାମଗ୍ରୀ କିଣା ପ୍ରକ୍ରିୟାର ମୂଳନୀତି ପାରଦର୍ଶୀତା (ସ୍ୱଚ୍ଛତା) ହୋଇଥିବାରୁ ଏପରି ଗୋପନୀୟତାକୁ କୌଣସି ମତେ ଠିକ୍ ବୋଲି ବିଚାରି ହେବନାହିଁ । 

ଯେତେବେଳେ ଏନ୍.ଡ଼ି.ଏ ସରକାର ୬.୫ ସ୍କ୍ୱାଡ୍ରନର ଅଭାବକୁ ପୂରଣ କରିବା ସକାଶେ ଚୁକ୍ତିର ସର୍ତ୍ତକୁ “ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତର” ବଦଳରେ “ସିଧାସଳଖ ଆମଦାନୀ”କୁ ବଦଳାଇଲେ ସେତେବେଳେ ଟାଇଫୁନକୁ ମଧ୍ୟ ଏହାର ପ୍ରତିଯୋଗିତାମୂଳକ ମୂଲ୍ୟର ଡ଼ାକରା ଦେବାକୁ ସୁଯୋଗ ଦିଆଯିବା ଉଚିତ ଥିଲା । ଏହା ଦ୍ୱାରା ଏକଥା ମଧ୍ୟ ନିଶ୍ଚିତ କରାଯାଇ ପାରିଥାଆନ୍ତା ଯେ ରାଫେଲ ମଧ୍ୟ ତା’ର ସର୍ବନିମ୍ନ ମୂଲ୍ୟ ହାଙ୍କି ଥାଆନ୍ତା । ମାତ୍ର ରାଫେଲ କେବଳ ଏକମାତ୍ର ଟେଣ୍ଡରଧାରୀ ହିସାବରେ ଏକଚାଟିଆ ବ୍ୟବସାୟୀ ମୂଲ୍ୟ ହାଙ୍କିଛି । ତେଣୁ ଟାଇଫୁନ୍କୁ କାହିଁକି ପ୍ରତିଯୋଗିତାରେ ସାମିଲ କରାଗଲାନାହିଁ ତା'ର ସଠିକ୍ ଉତ୍ତର ମୋଦୀ ସରକାରଙ୍କର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେବାକୁ ଦାବୀ ହୋଇଛି  । ସୁରକ୍ଷା ସାମରିକ ସାମଗ୍ରୀର କିଣାବିକାରେ ଦୁଇ ସରକାରଙ୍କ ମଧ୍ୟର ଥିବା ଚୁକ୍ତିରେ ପ୍ରତିଯୋଗିତା, ପାରଦର୍ଶିତା ଏବଂ ଉତ୍ତର ଦାୟିତ୍ୱ ବଦଳରେ “ହାସଲ ହେବାକୁ ଥିବା ଆଞ୍ଚଳିକ ଗୁରୁତ୍ୱ”କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ (ସାମରିକ କ୍ରୟ ପ୍ରକ୍ରିୟା-୨୦୧୬ର ଅନୁଚ୍ଛେଦ ୧୦୪) । ଏକ ପ୍ରତିଯୋଗିତାମୂଳକ ମାଧ୍ୟମ ବଦଳରେ ଯୁଦ୍ଧବିମାନ କିଣିବା ସକାଶେ କାହିଁକି ଆନ୍ତଃ ସରକାର ଚୁକ୍ତିର ମାର୍ଗ ଅବଲମ୍ବନ କରାଗଲା ସେ ସମ୍ପର୍କରେ ଏନ୍.ଡ଼ି.ଏ ସରକାର ଦେଶବାସୀଙ୍କୁ ଜବାବ ଦେବା ଆବଶ୍ୟକ ।

ରାଫେଲ୍ ଚୁକ୍ତିର ବିଚଳିିତ କରୁଥିବା ଅନ୍ୟ ଦିଗଟି ହେଲା ବନ୍ଧୁ ଏବଂ ପ୍ରିୟାପ୍ରିତି ତୋଷଣ । ଏକଥା ଜଣାଶୁଣା ଯେ ଦାସାଲ୍ଟ ଏଭିଏସନର ଭାରତୀୟ ଭାଗିଦାର ହେବା ସକାଶେ ଅତ୍ୟନ୍ତ ତରବରିଆ ଭାବେ ରିଲାଏନ୍ସର ଏକ ନୂଆ କମ୍ପାନୀ ଗଢ଼ାଗଲା । ବିମାନ ନିର୍ମାଣରେ ରିଲାଏନ୍ସ କମ୍ପାନୀର କୌଣସି ପୂର୍ବ ଅଭିଜ୍ଞତା ନାହିଁ । ଏହା ସତ୍ତେ୍ୱ ଅତ୍ୟନ୍ତ ଉଚ୍ଚମାନର ପ୍ରତିରକ୍ଷା ସାମଗ୍ରୀ ସକାଶେ ଏହାକୁ ଲାଇସେନ୍ସ ପ୍ରଦାନ କରାଗଲା କିପରି ? ବର୍ତ୍ତମାନ ଆନ୍ତଃ ସରକାର ଚୁକ୍ତିରେ ରିଲାଏନ୍ସ କମ୍ପାନୀକୁ ଭାରତୀୟ ଅଫସେଟ୍ ପାର୍ଟନର (ଆଇ.ଓ.ପି.) ରୂପେ ୩୦,୦୦୦ କୋଟି ଟଙ୍କାର ଉତ୍ତରଦାୟିତ୍ୱ ଦିଆଯାଇଛି ।  ଏହା ପୂର୍ବର ଚୁକ୍ତିରେ ଅଫସେଟ୍ ଉତ୍ତରଦାୟିତ୍ୱର ୫୦% ହାଲକୁ ଏବଂ ଅବଶିଷ୍ଟକୁ ଟାଟା, ଏଲ୍.ଏନ୍. ଟି. ପରି ଘରୋଇ କମ୍ପାନୀମାନଙ୍କୁ ଦିଆଯାଇଥିଲା । ଏହା ଦେଶର ସୁରକ୍ଷାକୁ ଅସୁରକ୍ଷିତ କରିଦେବବୋଲି ଅଭିଯୋଗ ହେଉଛି  । 

ବଡ଼ ଧରଣର ଅସ୍ତ୍ରଶସ୍ତ୍ର ଖରିଦର ସୁଯୋଗ ନେଇ ଭାରତର ଅସ୍ତ୍ରଶସ୍ତ୍ର ଗବେଷଣା ଓ ବିକାଶ କ୍ଷମତା ବୃଦ୍ଧି କରିବା ଏବଂ ମୂଳ ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀମାନଙ୍କୁ ଭାରତୀୟ ସହଯୋଗୀ କମ୍ପାନୀମାନଙ୍କୁ ଉତ୍ପାଦନ  ଓ ଯନ୍ତାଂଶ ଯୋଡ଼ାଯୋଡ଼ି କାମ "ଆଉଟସୋର୍ସ' କରିବା ସକାଶେ ପ୍ରଲୁବ୍ଧ କରିବାକୁ ୨୦୦୫ ମସିହାରେ ପ୍ରତିରକ୍ଷା  ମନ୍ତ୍ରଣାଳୟ "ଅଫସେଟ ନୀତି'ଲାଗୁ କରିଥିଲା । ଏହି ନୀତି ଅନୁଯାୟୀ ମୂଳ ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀମାନେ ଅଫସେଟ ପାର୍ଟନର (ଭାରତୀୟ କମ୍ପାନୀ / ପ୍ରତିଷ୍ଠାନ) ନିର୍ଦ୍ଧାରଣ କରିବା ସକାଶେ ସ୍ୱାଧୀନତା ପାଇଛନ୍ତି । ତେବେ ଏପରି ସହଯୋଗୀ ପ୍ରତିରକ୍ଷା ମନ୍ତ୍ରଣାଳୟଦ୍ୱାରା କଳା ତାଲିକାଭୁକ୍ତ ହୋଇ ନଥିବା ଆବଶ୍ୟକ । ଏପରି ଅଫସେଟ ବ୍ୟବସ୍ଥାକୁ ଅନୁମୋଦନ କରିବା ସକାଶେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବୈଷୟିକ ପରିଚାଳକଙ୍କ ନେତୃତ୍ୱରେ ଏକ କମିଟି ରହିଛି ଯାହାକି ଭାରତୀୟ କମ୍ପାନୀ / ପ୍ରତିଷ୍ଠାନକୁ ଦିଆଯାଉଥିବା କାର୍ଯ୍ୟର ତର୍ଜ୍ଜମା କରିବ ଏବଂ ସେମାନଙ୍କୁ କେତେ ପରିମାଣର ଋଣ ପ୍ରଦାନ କରାଯାଇପାରିବ ସେକଥା ସ୍ଥିର କରିବ । ଅଫସେଟ ବ୍ୟବସ୍ଥା ଅନୁଯାୟୀ  ଅନ୍ୟକୁ କରିବାକୁ ଦିଆଯାଇଥିବା କାର୍ଯ୍ୟ, ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ବିନିଯୋଗ, ଯୋଗାଯାଉଥିବା ସେବା କିମ୍ବା ଗବେଷଣା ଓ ବିକାଶ ଇତ୍ୟାଦି ମାଧ୍ୟମରେ ଅଫ୍ସେଟ୍ ସହଯୋଗୀ(ମାନଙ୍କୁ) ଅନ୍ୟୁନ  ୩୦% ରାଶି ହସ୍ତାନ୍ତର କଲେ ଯାଇ ମୂଳ ଉପକରଣ ଉପôାଦନକାରୀ ଅଫ୍ସେଟ୍ ଚୁକ୍ତି ସ୍ୱାକ୍ଷର ପାଇଁ ଯୋଗ୍ୟ ବିବେଚିତ ହେବେ । 

ବିଡ଼ମ୍ବନାର ବିଷୟ ଯେ, ଫେବୃୟାରୀ ୭, ୨୦୧୮ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଦାସାଲ୍ଟ ଏଭିଏସନ୍ କୌଣସି ଅଫ୍ସେଟ ସହଯୋଗୀ ବାଛିନାହିଁ । ଯଦିଓ ୨୬ ଫେବୃୟାରୀ ୨୦୧୭ରେ ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍  ଲିମିଟେଡ଼ ବିଧିବଦ୍ଧ ଭାବେ ଅଫ୍ସେଟ୍ ସହଯୋଗୀ ହେଉଥିବା କଥା ସ୍ୱୀକାର କରିଥିଲା ଏବଂ ଡ଼ି.ଏ.ର ବାର୍ଷିକ ବିବରଣୀରେ ମଧ୍ୟ “ରାଫେଲ ଦ୍ୱାରା ଅଫ୍ସେଟ ସହଯୋଗୀ ମାଧ୍ୟମରେ କାର୍ଯ୍ୟ କରାଯିବ” ବୋଲି ଉଲ୍ଲେଖ କରାଯାଇଥିଲା । ଏକଥା ସ୍ପଷ୍ଟ ଯେ ବର୍ତମାନର କେନ୍ଦ୍ର ସରକାର ପରସ୍ପର ବିରୋଧୀ କଥା କହୁଛନ୍ତି ଏବଂ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀମତୀ ସୀତାରମଣ କେଉଁ କଥାଟି ଠିକ୍ ସେକଥା ସ୍ପଷ୍ଟ କରିବା ଆବଶ୍ୟକ । କାରଣ ଏବାବଦକୁ ଥିବା କମିଟିର ସୁପାରିଶ ପରେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ହିଁ ଏହା ଅନୁମୋଦନ କରିବାକୁ ପଡ଼ିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୧୫ ମସିହାରେ ପ୍ରତିରକ୍ଷା ସାମଗ୍ରୀ କ୍ରୟ ନୀତି ଘୋଷଣା କରିଥିଲା ଏବଂ ତା’ ପରେ ସମୟକ୍ରମେ ସେଥିରେ ସଂଶୋଧନମାନ କରାଯାଇଛି । ସଦ୍ୟତମ ପ୍ରତିରକ୍ଷା ସାମଗ୍ରୀ କ୍ରୟ ନୀତିରେ “ଉନ୍ନତ ମାନର ଏବଂ ଯୁକ୍ତିଯୁକ୍ତ ଦରରେ ସାମରିକ ସାମଗ୍ରୀର ତୁରନ୍ତ କ୍ରୟ” ର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏହି ଆବଶ୍ୟକତା “ସର୍ବୋଚ୍ଚ ମାନର ପାରଦର୍ଶିତା, ସାଧୁତା ଏବଂ ସର୍ବସାଧାରଣରେ ଉତ୍ତରଦାୟିତ୍ୱ”ର ନୀତି ସହିତ ପାଦମିଳାଇ ଚାଲିବା ଅପରିହାର୍ଯ୍ୟ । ସବୁବେଳେ ଦୁର୍ନିତୀ ମୁକ୍ତ ଓ ସ୍ୱଚ୍ଛତାର କଥା କହୁଥିବା କେନ୍ଦ୍ରର ମୋଦୀ ସରକାର, ରାଫେଲ ଯୁଦ୍ଧ ବିମାନ ଚୁକ୍ତିରେ ନିଜର ଦୁର୍ନିତୀମୁକ୍ତ ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରିବା ସହିତ, ବୋଫର୍ସ ଚୁକ୍ତିର ବିବାଦ ଠାରୁ ରାଫେଲ ଯୁଦ୍ଧ ବିମାନ ଚୁକ୍ତି କାହିଁ କେତେଗୁଣ ଅଧିକ ସନ୍ଦେହ  ପ୍ରକଟ କରୁଛି ବୋଲି କେତେକ ପ୍ରତିରକ୍ଷା ବିଶେଷଜ୍ଞ ଓ ବିରୋଧୀଦଳ ଅଭିଯୋଗ ଓ ମତ ରଖିଛନ୍ତି  । ବର୍ତମାନ ପରିପ୍ରେକ୍ଷୀରେ ଦେଶର ସୁରକ୍ଷା ପାଇଁ ରାଫେଲ ଯୁଦ୍ଧ ବିମାନ ଚୁକ୍ତିରେ କୌଣସି ପ୍ରକାରର ଅହେତୁକ ଅନୁକମ୍ପା କିମ୍ବା ପ୍ରିୟାପ୍ରିତିତୋଷଣ କରାନଯାଇ ଯଥେଷ୍ଟ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ କରାଯିବା ସହିତ ମୋଦୀ ସରକାର ନିଜ ସ୍ୱପ୍ନର "ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରୟାସ କରିବା ଏକାନ୍ତ ଆବଶ୍ୟକ  । 

 

0
0
0
s2sdefault