ହେଡଲାଇନସ୍:

"ମୋ ବାପା ଜଣେ ରାଷ୍ଟ୍ରନୀତିଜ୍ଞ ଥିଲେ, ହେଲେ ମୁଁ ଜଣେ ରାଜନୈତିକ ମହିଳା "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜରୁରୀକାଳୀନ ପରିସ୍ଥିତିର ୪୩ ବର୍ଷ :ଏକ ସମସାମୟିକ ଆହ୍ୱାନ !

ଜରୁରୀକାଳୀନ ପରିସ୍ଥିତି ଘୋଷଣାର ୪୩ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ସହଯୋଗୀମାନେ ଇନ୍ଦିରା ଗାନ୍ଧୀଙ୍କୁ ଯେପରି ଭାବରେ ଚିତ୍ରଣ କରି ତାଙ୍କୁ ହିଟଲରଙ୍କ ସହିତ ତୁଳନା କରାଯାଇ ଯେତେ ସମାଲୋଚନା କଲେ ମଧ୍ୟ  ଇନ୍ଦିରା ଭାରତର ସବୁଠାରୁ ଲୋକପ୍ରିୟ ନେତ୍ରୀ ଅଟନ୍ତି  । ଯେପରି ଦଳମତ ନିର୍ବିଶେଷରେ ଜନମାନସରେ ଅଟଳ ବିହାରୀ ବାଜପେୟୀ ପ୍ରିୟ ନେତା, ଇନ୍ଦିରା ମଧ୍ୟ  ଠିକ୍ ସେହିପରି ଆଜି ବି ସମସ୍ତଙ୍କର ଆଦରଣୀୟା । ଯଦି ବି.ଜେ.ପି. ନେତାମାନେ ବିଚାରୁଥାନ୍ତି ଯେ ସେମାନେ ଜରୁରୀକାଳୀନ ପରିସ୍ଥିତିକୁ ସ୍ମରଣ କରାଇଦେଇ, ଏବଂ ଦେଶର ଗଣତନ୍ତ୍ରକୁ ବଂଶବାଦୀ କରିବା ସକାଶେ ଇନ୍ଦିରା ଗାନ୍ଧୀ ଦାୟୀ ବୋଲି ଅଭିଯୋଗକରି ଭୋଟ ପାଇବେବୋଲି, ତେବେ ସେମାନେ ଭୁଲ ଭାବୁଛନ୍ତି  । ମୋଦି କଂଗ୍ରେସ ଉପରେ ପ୍ରତି ଆକ୍ରମଣ ସକାଶେ ଜରୁରୀକାଳୀନ ପରିସ୍ଥିିତିକୁ ହିଁ ମୁଖ୍ୟ ଅସ୍ତ୍ର କରିଛନ୍ତି  । ସେ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି, “”ତମ ଜେଜେମା ହିଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ, ଆଉ ତମର ମତେ ଏକଚ୍ଛତ୍ରବାଦୀ ବୋଲି କହିବାର ସାହସ କେଉଁଠୁ ହେଲା ?’’

ବର୍ତ୍ତମାନ ବିଜେପି ଓ ମୋଦିଙ୍କର ଲୋକପ୍ରିୟତା କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି  । ୨୦୧୪ ସାଧାରଣ ନିିର୍ବାଚନ ପୂର୍ବ ସମୟରେ ଜନସାଧାରଣଙ୍କୁ ପ୍ରଭାବିତ କରିବାର ଯେଉଁ କ୍ଷମତା ଥିଲା, ଏବେ ମୋଦିଙ୍କର ସେହି କ୍ଷମତା ଦୁର୍ବଳ ହୋଇଛି । ଚାରିବର୍ଷର ଶାସନ କାଳରେ ବି.ଜେ.ପି. ସେପରି କିଛି ଆଖିଦୃଶିଆ ଫଳ ଦେଇପାରିନାହିଁ ଏବଂ ଆଉ ବର୍ଷକରୁ କମ ସମୟ ମଧ୍ୟରେ  ଏହାକୁ ପୁଣିଥରେ ଲୋକମାନଙ୍କ ପାଖକୁ ଯିବାକୁ ପଡ଼ିବ  । ରାଜନୈତିକ ବିଶେଷଜ୍ଞଙ୍କ ମତରେ ବି.ଜେ.ପି. ନିର୍ବାଚନରେ ସଫଳ ହେବାର ସମ୍ଭାବନା ଖୁବ୍ ଉଜ୍ଜ୍ୱଳ ବୋଲି ମନେହେଉନାହିଁ  । ଅରୁଣ ଜେଟଲୀ  ଜରୁରୀକାଳୀନ ସମୟର କଳାଦିବସ, ବ୍ୟକ୍ତିଗତ ସ୍ୱାଧୀନତାକୁ ପଦଦଳିତ କରାଯିବା, କରାଯାଇଥିବା ଅତ୍ୟାଚାର, ଜରୁରୀକାଳୀନ ପରିସ୍ଥିତି କିପରି ଆମର ସାମ୍ବିଧାନିକ ଆଦର୍ଶ ଉପରେ ପ୍ରତ୍ୟକ୍ଷ ଆକ୍ରମଣ ଥିଲା ଇତ୍ୟାଦି ସମ୍ପର୍କରେ ଲେଖୁଥିବାବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇନ୍ଦିରା ଗାନ୍ଧୀ ଓ ଜରୁରୀ କାଳର ସେହି ଭୟଙ୍କର ଦିନଗୁଡ଼ିକୁ ଆହୁରି କଡ଼ାକଡ଼ି ଭାବେ ସମାଲେଚାନ କରୁଛନ୍ତି  । “”ଶ୍ରୀମତୀ ଗାନ୍ଧୀ ଧାରା ୩୫୨ ଅନୁଯାୟୀ ଜରୁରୀକାଳୀନ ପରିସ୍ଥିତି ଜାରିକଲେ, ଧାରା ୩୫୯ ଅନୁଯାୟୀ ନାଗରିକମାନଙ୍କର ମୌଳିକ ଅଧିକାରକୁ ସ୍ଥଗିତ ରଖିଦେଲେ ଏବଂ ଏକା ସଙ୍ଗରେ ଇନ୍ଦିରା ଏକଥା ମଧ୍ୟ  ଦାବୀ କଲେ, ବିରୋଧୀ ଦଳମାନେ ସେ ସମୟରେ ଦେଶରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି  । ପ୍ରତିରକ୍ଷା ବାହିନୀକୁ ବେଆଇନ ନିର୍ଦ୍ଦେଶଗୁଡ଼ିକୁ  ମାନବାକୁ ବାଧ୍ୟ  କରାଯାଉଛି ଏବଂ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଭାରତ ଏକ ଅଧିକ ଶୃଙ୍ଖଳିତ ଗଣତନ୍ତ୍ର ହେବା ଆବଶ୍ୟକ ବୋଲି ଶ୍ରୀମତୀ ଗାନ୍ଧୀଙ୍କୁ ଉଦ୍ଧାର କରି ଶ୍ରୀ ଜେଟଲୀ  ଲେଖିଛନ୍ତି  ।

ବି.ଜେ.ପି. କୁ ପ୍ରତି ଆକ୍ରମଣ କରି କଂଗ୍ରେସ ଦଳ କହିଛି, କୌଣସି ପ୍ରସଙ୍ଗ ନଥିବାରୁ ମୋଦି ସରକାର ୪୩ବର୍ଷ ପରେ ଜରୁରୀକାଳୀନ ପରିସ୍ଥିତି କଥା ଉଠାଉଛି  । ବି.ଜେ.ପି. ଏକଥା କହିବାକୁ ଭୁଲିଯାଉଛି ଯେ ପରବର୍ତ୍ତୀ କାଳରେ ଇନ୍ଦିରା ଗାନ୍ଧୀହିଁ ଜରୁରୀକାଳୀନ ପରିସ୍ଥିତି ଉଠାଇ ଦେଇ ଦେଶରେ ନିର୍ବାଚନ କରାଇଥିଲେ  । ଏହା ତାଙ୍କର ଗଣତନ୍ତ୍ର ପ୍ରତି ଥିଲା ମହାନ ସମ୍ମାନ  । ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ପୂର୍ବ ସମୟର କଥା ସ୍ମରଣ କରାଯିବା ପ୍ରଣିଧାନଯୋଗ୍ୟ  । ୧୯୭୫ ମସିହା ଜୁନ୍ ୧୨ତାରିଖ ଦିନ ଆହ୍ଲାବାଦ ହାଇକୋର୍ଟଙ୍କର ଏକ ଐତିହାସିକ ରାୟ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଜୀବନରେ ଯନ୍ତ୍ରଣା ଭରିଦେଇଥିଲା  । ଇନ୍ଦିରା ଗାନ୍ଧୀ ୧୯୭୧ମସିହା ସାଧାରଣ ନିର୍ବାଚନରେ ରାୟବରେଲି ଲୋକସଭା ଆସନରୁ ବିଜୟୀ ହୋଇଥିଲେ  । ଇନ୍ଦିରା ଗାନ୍ଧୀ ସୁପରିଚିତ ସୋଶିଆଲିଷ୍ଟ ଲିଡ଼ର ରାଜ ନାରାୟଣଙ୍କୁ ପରାଜିତ କରିଥିଲେ  । କିନ୍ତୁ ଇନ୍ଦିରାଙ୍କ ବିଜୟକୁ ଚାଲେଞ୍ଜ କରି ରାଜ ନାରାୟଣ ଆହ୍ଲାବାଦ ହାଇକୋର୍ଟରେ ଏକ କେଶ ଦାୟର କରି ଦର୍ଶାଇଥିଲେ “”ଜନସାଧାରଣଙ୍କ ଧାରା ୧୯୫୧କୁ ଅବମାନନା କରି ଏବଂ ଅନୈତିକ ଉପାୟ ଅବଲମ୍ବନ ମାଧ୍ୟମରେ  ଇନ୍ଦିରା ନିର୍ବାଚନରେ ବିଜୟୀ ହୋଇଛନ୍ତି  । ‘’ ଏହା ସହିତ ପୁନଶ୍ଚ ଅଭିଯୋଗ ଦର୍ଶାଗଲା ଇନ୍ଦିରାଙ୍କ “”ଇଲେକ୍ସନ୍ ଏଜେଣ୍ଟ୍’’ ଯଶପାଲ କାପୁର ହେଉଛନ୍ତି ଜଣେ ସରକାରୀ କର୍ମଚାରୀ ଏବଂ ଇନ୍ଦିରା ଜଣେ ବରିଷ୍ଠ  ସରକାରୀ କର୍ମଚାରୀ ଶ୍ରୀ କାପୁରଙ୍କୁ ବୁଝି ବିଚାରି ଭୋଟରଙ୍କୁ ପ୍ରଲୋଭିତ କରିବାକୁ  ଏବଂ ପ୍ରଲୋଭନ ଦେଖାଇ ଇନ୍ଦିରା ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ତଥା ନିର୍ବାଚନରେ ବିଜୟୀ ହେବାକୁ, ଶ୍ରୀ କାପୁରଙ୍କୁ ଇଲେକ୍ସନ ଏଜେଣ୍ଟ୍ ଭାବେ ବ୍ୟବହାର କରିଛନ୍ତି  । ଏହାଦ୍ୱାରା ଇନ୍ଦିରା ନିର୍ବାଚନ ସଂହିତା ଏବଂ ଆଚରଣ ବିଧିକୁ ଗୁରୁତରଭାବେ ଉଲ୍ଲଘଂନ କରିଛନ୍ତି  ।’’ 

ଆହ୍ଲାବାଦ ହାଇକୋର୍ଟର ତତ୍କାଳୀନ ବିଚାରପତି ଜଗମୋହନଲାଲ ସିହ୍ନା ଏହି ଅପିଲର  ଶୁଣାଣି କରୁଥିଲେ  । ବିଚାରପତି ସିହ୍ନା ଏହି ଅପିଲର ଶୁଣାଣି କରି ନିଜ ରାୟ ଦେଇଥିଲେ ଯେ , “”ଇନ୍ଦିରାଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରିବା ସହିତ ଦୀର୍ଘ ୬ବର୍ଷ ପର୍ଯ୍ୟନ୍ତ ସେ କୌଣସି ରାଜନୈତିକ ପଦପଦବୀରେ ରହିପାରିବେ ନାହିଁ ବୋଲି ଉଲ୍ଲେଖ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଖୋଦ୍ ଇନ୍ଦିରା ଗାନ୍ଧୀ ସେଦିନ ନିଜେ ବିଚାରପତି ସିହ୍ନାଙ୍କ କୋର୍ଟରେ ଉପସ୍ଥିତଥିଲେ  । ବିଚାରପତି ସିହ୍ନା ନିଜର ସରଳ-ଅମାୟିକ ସ୍ୱଭାବ ସ୍ୱରରେ ନିର୍ଦ୍ଦେଶ ଦେଇ ଇନ୍ଦିରାଙ୍କୁ ସ୍ତବ୍ଧ କରିଦେଇଥିଲେ  । 

“”The Respondent No. 1 (Indira Gandhi) was thus guilty of a corrupt practice under section 123(7) of the Act..... Accordingly stands disqulaifying for a period of six years from the date of this order........ ‘’ଇନ୍ଦିରା ଗାନ୍ଧୀ ନିର୍ବାଚନରେ ବିଜୟୀ ହେବାକୁ ଅନୈତିକ ଉପାୟ ଅବଲମ୍ବନ କରିଥିବାରୁ ଆଇନର ଧାରା ୧୨୩(୭) ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଉଛନ୍ତି...... ସେଥିପାଇଁ ଆଗାମୀ ଛଅ ବର୍ଷ ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧୀ କୌଣସି ରାଜନୈତିକ ପଦପଦବୀର କ୍ଷମତାରେ ରହିପାରିବେ ନାହିଁ.....  । 

ସେଦିନ ବିଚାରପତି ସିହ୍ନାଙ୍କର ଉପରୋକ୍ତ ରାୟ ହିଁ ଭାରତର ଗଣତନ୍ତ୍ର ଇତିହାସରେ ଏକ ଅଲିଭା ସ୍ମୃତି ଆଙ୍କି ଦେଇଥିଲା ଏବଂ ଇନ୍ଦିରାଙ୍କୁ ୨୫ ଜୁନ୍ ୧୯୭୫ର ସେହି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ଦିଗଆଡ଼କୁ ନେଇଯାଇଥିଲା  । ଏହି ରାୟ ୧୯୭୭ରେ ଆଉ ଏକ ନିର୍ବାଚନ ଆଣି ଇନ୍ଦିରାଙ୍କୁ କ୍ଷମତାରୁ ବଂଚିତ  କରିଥିଲା  । କିନ୍ତୁ ପ୍ରତିଟି ସମୟରେ ଇନ୍ଦିରା ଗଣତନ୍ତ୍ରକୁ ସମ୍ମାନ ଦେଇଛନ୍ତି  । କେଶର ରାୟ ପ୍ରକାଶ ପାଇବାପରେ ଇନ୍ଦିରା ବିରୋଧୀ ରାଜନୈତିକ ନେତୃମଣ୍ଡଳୀ, ତାଙ୍କ ବିରୋଧରେ ଜୋରଦାରଭାବେ ଶକ୍ତିଶାଳୀ ହୋଇ ମାତିଉଠିବାକୁ ସକ୍ଷମ ହୋଇଥିଲେ  । ମାତ୍ର ଇନ୍ଦିରାଙ୍କ କୂଟନୀତିର ପଶାପାଲିରେ ବେଶିଦିନ ତିଷ୍ଠି  ନପାରି ନିଷ୍କ୍ରିୟ ହୋଇଯାଇଥିଲେ  । 

ଇନ୍ଦିରା ଗାନ୍ଧୀ ୨୪ଜୁନ୍ ୧୯୭୫ଦିନ ସୁପ୍ରିମ କୋର୍ଟର ଅବକାଶକାଳୀନ ବିଚାରପତି ଭି.ଆର.କ୍ରିଷ୍ଣାଆୟାରଙ୍କ କୋର୍ଟରେ ଜଷ୍ଟିସ୍ ସିହ୍ନାଙ୍କ ରାୟକୁ ଚାଲେଞ୍ଜ କରି ଅପିଲ୍ କରିଥିଲେ  । ବିଚାରପତି ଆୟାର ନିଜର ରାୟରେ ଜଷ୍ଟିସ୍ ସିହ୍ନା ଦେଇଥିବା ନିର୍ଦ୍ଦେଶକୁ ସର୍ତ୍ତମୂଳକଭାବେ ରହିତାଦେଶ ପ୍ରଦାନ କରିବା ସହିତ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ରହିବେ କିନ୍ତୁ ସଂସଦର ସଂସଦୀୟ କାର୍ଯ୍ୟପରିଚାଳନାରେ ଭାଗନେବାକୁ ନିଷେଧ କରିଥିଲେ ଏବଂ ପ୍ରଧାନମନ୍ତ୍ରୀର ମାସିକ ବେତନ ନନେଇ ଇନ୍ଦିରା ସାଂସଦର ମାସିକ ବେତନ ପାଇବାକୁ ନିର୍ଦ୍ଦେଶ  ଦେଇଥିଲେ  ।

ଅତି ଆଶ୍ଚର୍ଯ୍ୟଜନକଭାବେ ୨୫ ଜୁନ୍ ୧୯୭୫ ଦିନ ଇନ୍ଦିରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ  ।  ସେହି ସମୟରେ ରାଜ ନାରାୟଣଙ୍କ ଓକିଲଭାବେ ଓକିଲାତି କରୁଥିବା ବରିଷ୍ଠ  ଆଇନୀଜିବୀ ଶାନ୍ତି ଭୂଷଣ କୁହନ୍ତି “”ବିଚାରପତି ସିହ୍ନାଙ୍କ ରାୟହିଁ ଇନ୍ଦିରାଙ୍କୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବାକୁ ବାଧ୍ୟ  କରିଥିଲା  ।’’

ସେଦିନର ଏହି ପ୍ରସଙ୍ଗକୁ ନେଇ ଏକ ଇଂରାଜୀ ଦୈନିକ ଖବରକାଗଜ  “”The court verdict that prompted Indira Gandhi to declare Emergency. ‘’ ଶୀର୍ଷକରେ ଯେଉଁ ଖବର ପ୍ରକାଶ କଲା ତାହା ପ୍ରତ୍ୟେକ ଭାରତୀୟଙ୍କୁ ହତବାକ୍ କରିଦେଇଥିଲା   । ଇନ୍ଦିରାଙ୍କ ରାଜନୈତିକ ଅଭିଯୋଗ ଶୁଣାଣିର ରାୟ ପ୍ରକାଶ ପୂର୍ବଦିନ ଆହ୍ଲାବାଦ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଡ଼ି.ଏସ୍.ମାଥୁର ସପତ୍ନିକ ସର୍ବପ୍ରଥମଥର ପାଇଁ ବିଚାରପତି ଜଗମୋହନଲାଲ ସିହ୍ନାଙ୍କ ଘରକୁ ରାତିରେ ଯାଇଥିଲେ, ଏବଂ ବିଚାରପତି ସିହ୍ନାଙ୍କୁ କହିଥିଲେ, ମୋର ଜୈନିକ ବନ୍ଧୁ ଡ଼ାକ୍ତର ମାଥୁର (ଯିଏକି ଇନ୍ଦିରା ଗାନ୍ଧୀଙ୍କର ବ୍ୟକ୍ତିଗତ ଡ଼ାକ୍ତର) ମୋତେ ସୂଚନା ଦେଇଛନ୍ତି ରାଜ ନାରାୟଣ କେଶର ରାୟ ପ୍ରକାଶ ପାଇବା ପରେ ଇନ୍ଦିରା ଗାନ୍ଧୀ ଆପଣଙ୍କ ନାମ ସୁପ୍ରିମ୍ କୋର୍ଟର ବିଚାରପତି ପଦବୀ ପାଇଁ ସୁପାରିଶ କରିବେ  ।  ଏହା ଗଲ୍ଫ ଖେଳିବା ସମୟରେ ଜଣେ ପୂର୍ବତନ ଆଇନମନ୍ତ୍ରୀଙ୍କୁ ବିଚାରପତି ସିହ୍ନା ଏହା କହିଥିଲେ ବୋଲି ଉପରୋକ୍ତ ନିଉଜରେ  ଉଲ୍ଲେଖ ରହିଛି  । 

ଜୁନ୍ ୧୨, ୧୯୭୫ମସିହାର ସେହି ନିର୍ଣ୍ଣାୟକ ଦିନରେ ମନେ ହେଉଥିଲା ଯେ ସ୍ୱଳ୍ପକାଳ ପାଇଁ ଇନ୍ଦିରା ଗାନ୍ଧୀ ତାଙ୍କ ପଦବୀ ପରିତ୍ୟାଗ କରିବା ସକାଶେ ପ୍ରସ୍ତୁତ ଥିଲେ  । ତାଙ୍କ ଆସନରେ ସେ ଯୋଗ୍ୟ ଅଥଚ ଉଚ୍ଚାଭିଳାଷ ନଥିବା ସ୍ୱରଣ ସିଂହଙ୍କୁୁ ବସାଇବାକୁ ଚାହୁଁଥିଲେ  । ଇନ୍ଦିରାଙ୍କର ଆବେଦନକୁ ମାନ୍ୟବର ସୁପ୍ରିମକୋର୍ଟ ଗ୍ରହଣ କରିନେବା ପରେ ତଥା ତାଙ୍କର ସମ୍ମାନ ଫେରି ପାଇବା ପରେ ଇନ୍ଦିରା ଗାନ୍ଧୀ ତାଙ୍କର ପଦବୀକୁ ଫେରି  ଆସିଥାଆନ୍ତେ  । ଇନ୍ଦିରା ଗାନ୍ଧୀଙ୍କର ଏପରି ଆଚରଣ କେବଳ ଛଳନା ମାତ୍ର ଥିଲା ବୋଲି ଯେଉଁମାନେ ସମାଲୋଚନା କରୁଛନ୍ତି ଏବଂ ଅତୀତର ପର୍ଯ୍ୟାଲୋଚନା କରି ଏକଥା  ବେଶ ସ୍ପଷ୍ଟ ହୋଇ ଯାଉଛି ଯେ ଗୋଟିଏ ମିନିଟ ପାଇଁ ହେଲେ ମଧ୍ୟ ଇନ୍ଦିରା ଗାନ୍ଧୀ  ନିଜ ପଦବୀ ଛାଡିବାକୁ ଚାହୁଁ ନଥିଲେ ବୋଲି ଅଭିଯୋଗ କରୁଛନ୍ତି, ସେମାନେ ବାସ୍ତବତା ଠାରୁ ଦୂରରେ ରହୁଛନ୍ତି  । ଏ ସଂପର୍କିତ ସବୁଠାରୁ  ନିର୍ଣ୍ଣାୟକ  ପ୍ରମାଣ ମିଳିଲା  ଖୋଦ୍ ତାଙ୍କରି ଠାରୁ  । ସେ କ୍ଷମତା ଠାରୁ ଦୂରରେ ଥିବାବେଳେ ବହୁବର୍ଷ ପରେ ଏହା ବୁଝାପଡ଼ିଲା  । ଏହି ପ୍ରସଙ୍ଗକୁ ନେଇ ତାଙ୍କର ଅଭ୍ୟାସଗତ ନୀରବତା ଭଙ୍ଗ କରି ସେ ଡମ୍  ମୋରେସଙ୍କୁ (ତାଙ୍କ ବହୁ ଜୀବନୀ ଲେଖକମାନଙ୍କ ମଧ୍ୟରୁ  ଜଣେ) କହିଥିଲେ ଯେ ଆଲ୍ଲାହାବାଦ୍ ହାଇକୋର୍ଟଙ୍କ ରାୟ ପରେ କ୍ଷମତାରେ ରହିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା  । କାରଣ ସେତେବେଳେ ଭାରତ ଉଭୟ ବାହ୍ୟ ଶତ୍ରୁ ଓ ଆଭ୍ୟନ୍ତରୀଣ ରାଜନୈତିକ ବିଶୃଙ୍ଖଳା ଯୋଗୁ ବିପଦପୂର୍ଣ୍ଣ ଅବସ୍ଥାରେ ଥିଲା ଏବଂ ଏପରି ଗୁରୁତର ବିପଦର ମୁକାବିଲା କରିବା ସକାଶେ ଆଉ କେହି ନଥିଲେ  । ଏକଥା ବେଶ୍ ସ୍ପଷ୍ଟ ଯେ ତାଙ୍କର ଅପରିହାର୍ଯ୍ୟତାକୁ ନେଇ ତାଙ୍କ ମନରେ ଥିବା ଧାରଣା ଆଦୌ ବଦଳି ନଥିଲା  । ତେବେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟ ପରେ ସେ ଅସ୍ଥାୟୀ ଭାବରେ କ୍ଷମତାରୁ ଦୂରରେ ରହିବା ସଂପର୍କରେ ଆଲୋଚନାର ସମ୍ଭାବନାକୁ ଉନ୍ମୁକ୍ତ ରଖିଥିଲେ  ।

ଇନ୍ଦିରାଙ୍କର ବନ୍ଧୁ ଓ ଶୁଭଚିନ୍ତକମାନଙ୍କ ମଧ୍ୟରେ ଏପରି ଅନେକ ଥିଲେ ଯେଉଁମାନେ ହୃଦବୋଧ   କରୁଥିଲେ ଯେ ସୁପ୍ରିମ୍ କୋର୍ଟ ତାଙ୍କର ଆବେଦନର ଶୁଣାଣି କରିବା ପର୍ଯ୍ୟନ୍ତ ସେ କ୍ଷମତା ପରିହାର କରିବା ଉଭୟ ତାଙ୍କ ପାଇଁ ତଥା ଦେଶପାଇଁ ହିତକର ହେବ  । ମାତ୍ର ଏପରି ବ୍ୟକ୍ତିମାନେ ଚୁପ୍ ରହୁଥିଲେ ଅଥବା ଅତ୍ୟନ୍ତ ସତର୍କତାର ସହ ସେମାନଙ୍କର ମତବ୍ୟକ୍ତ କରୁଥିଲେ  । ଅନ୍ୟ ପକ୍ଷରେ ଯେଉଁ ତୋଷାମୋଦକାରୀ ଲୋକମାନେ ଯୁକ୍ତି ବାଢୁଥିଲେ, ପଦବୀ ତ୍ୟାଗ କରିବା କଥା ଚିନ୍ତା ମଧ୍ୟ  କରିବା ଅନୁଚିତ ବୋଲି ସେମାନଙ୍କର ସ୍ୱରଥିଲା କଠୋର ଓ ଉଚ୍ଚ  । ସେମାନେ କହୁଥିଲେ ଯେ ଦେଶର ଶତ୍ରୁମାନେ ହିଁ ଚାହାଁନ୍ତି ଇନ୍ଦିରାଗାନ୍ଧୀ କ୍ଷମତାରୁ ଦୂରେଇ ଯାଆନ୍ତୁ  । ତତ୍କାଳୀନ  ଅଧିକାଂଶ କ୍ୟାବିନେଟ ମନ୍ତ୍ରୀ, ପ୍ରାୟ ସମସ୍ତ କଂଗ୍ରେସ ମୁଖ୍ୟମନ୍ତ୍ରୀ ଏବଂ ବହୁ ସଂଖ୍ୟକ କଂଗ୍ରେସ ସାଂସଦ ଏହି ସମବେତ ସ୍ୱର ସହିତ ସ୍ୱର ମିଳାଉଥିଲେ  । ଇନ୍ଦିରାଙ୍କ ପ୍ରତି ସେମାନଙ୍କର ଆନୁଗତ୍ୟ ପ୍ରଦର୍ଶନ ପାଇଁ ସେମାନେ ବ୍ୟାକୁଳ ଥିଲେ  । ମାତ୍ର ସେମାନଙ୍କର ମୁଖ୍ୟ ଚିନ୍ତା ଥିଲା ଇନ୍ଦିରାକୃତ କ୍ଷମତା ଢାଞ୍ଚାରେ ନିଜର ସ୍ଥିତିକୁ ସୁରକ୍ଷିତ ରଖିବା ଏବଂ କ୍ଷମତା ପାଇଁ ନିଜର ସ୍ୱାର୍ଥ ସାଧନ କରିବା । ସେମାନଙ୍କର ଭୟଥିଲା ଯେ ଅସ୍ଥାୟୀ ଭାବରେ ହେଲେ ମଧ୍ୟ  ଇନ୍ଦିରା ଯଦି କ୍ଷମତାରୁ ଦୂରେଇ ରହନ୍ତି, ତେବେ ସେମାନଙ୍କର କ୍ଷମତା ଢାଞ୍ଚା ଭୁଷୁଡି ପଡିବ  । 

ଇନ୍ଦିରା କ୍ଷମତାରୁ ଓହରିଯିବାର ସମ୍ଭାବନା ସଂପର୍କରେ ବିଚାର କରାଯାଇ ତାହାକୁ ପ୍ରତ୍ୟାଖ୍ୟାନ କରିବା ସକାଶେ ଯେଉଁ ଅଳ୍ପ କେଇଘଣ୍ଟା ସମୟ ଲାଗିଲା, ସେତିକି ସମୟ ଭିତରେ ଯଦି ଇନ୍ଦିରା ପଦତ୍ୟାଗ କରିବେ ତେବେ ଯେଉଁ ଯେଉଁ ବିପତ୍ତିମାନ ଦେଶ ସମ୍ମୁଖରେ ଏବଂ ସରକାରରେ ତଥା କଂଗ୍ରେସ ଦଳରେ ଦେଖାଦେବ ସେକଥା ସ୍ପଷ୍ଟ ହୋଇଗଲା  । ଦଳରେ ଏକ ଘରକିଆ ହୋଇଯାଇଥିବା ରକ୍ଷାମନ୍ତ୍ରୀ ଜଗଜ୍ଜୀବନ ରାମ ଇନ୍ଦିରାଙ୍କ ଅଧୀନରେ ଖୁସିରେ ଏବଂ ବିଶ୍ୱସନୀୟ ଭାବରେ କାର୍ଯ୍ୟ କରୁଥିଲେ  । ମାତ୍ର ଇନ୍ଦିରା ଗାନ୍ଧୀ କ୍ଷମତାରୁ ଅପସରି ଯାଇ ଅସ୍ଥାୟୀ ଭାବରେ ସ୍ୱରଣ ସିଂହକୁ ପ୍ରଧାନମନ୍ତ୍ରୀ କରିବା କଥା ଚିନ୍ତା କରିଥିଲେ  । ଇନ୍ଦିରା ନିଶ୍ଚତ ଥିଲେ ଅସ୍ଥାୟୀ ଭାବରେ ହେଲେ ମଧ୍ୟ ଜଗଜ୍ଜୀବନ ନିଜର ଅଧିକ ଯୋଗ୍ୟତା ଓ ଦକ୍ଷତା ରହିଛି ବୋଲି ଦାବୀ କରି ସ୍ୱରଣ ସିଂହ ପରିବର୍ତ୍ତେ ନିଜେ ପ୍ରଧାନମନ୍ତ୍ରୀ ହେବେ ବୋଲି ଯୁକ୍ତି ବାଢ଼ିବେ ଏବଂ ଏହାକୁ ନେଇ ତାଙ୍କ ଦଳରେ ବିଶୃଙ୍ଖଳା ହେବ । 

ମାତ୍ର ସୁପ୍ରିମ୍ କୋର୍ଟ ବିଚାରପତି କ୍ରିଷ୍ଣା ଆୟରଙ୍କର ରାୟ ପ୍ରକାଶ ପାଇବା ପରେ ଅତ୍ୟଧିକ ଆନନ୍ଦିତ ହୋଇ ଜୟପ୍ରକାଶ ନାରାୟଣ ସମସ୍ତ ବିରୋଧୀଦଳ ତର‘ରୁ ଘୋଷଣା କଲେ ଯେ ଇନ୍ଦିରାଙ୍କୁ ଇସ୍ତଫା  ଦେବାପାଇଁ ବାଧ୍ୟ  କରିବା ସକାଶେ ସେମାନେ ଦେଶବ୍ୟାପୀ ଆନ୍ଦୋଳନ ଚଳାଇବାର ନିଷ୍ପତ୍ତି ନେଇଛନ୍ତି  । ଦିଲ୍ଲୀର ରାମଲୀଳା ପଡିଆରେ ଏକ ବିଶାଳ ରାଲୀରେ ସେ ତା ପରଦିନର ଆଦ୍ୟ ସନ୍ଧ୍ୟାରେ ହେବାକୁଥିବା ତାଙ୍କ ଯୋଜନାର ଏକ ବିସ୍ତୃତ ବିବରଣୀ ମଧ୍ୟ  ଘୋଷଣା କରି ପକାଇଲେ  । ଏହି ରାଲୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଥିଲା ଇନ୍ଦିରାଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ପ୍ରତ୍ୟାଖ୍ୟାନ କରିବା ଏବଂ ତା ବଦଳରେ ଦେଶର ସମ୍ବିଧାନକୁ ମାନି ଚଳାଇବା ସକାଶେ ଜୟପ୍ରକାଶ ନାରାୟଣଙ୍କର ଦେଶର ସୈନ୍ୟବାହିନୀ, ପୋଲିସ୍, ଓ ଅମଲାତନ୍ତ୍ରକୁ ଆବେଦନ  । 

ଜୁନ ୨୪ ତାରିଖର ରାତି ୧୧ ଟା ବେଳେ ଭାରତର ପ୍ରଧାନ ବିଚାର ପତି ଏ.ଏନ୍.ରାୟଙ୍କୁ ସାଙ୍ଗରେ ଧରି ଇନ୍ଦିରା ଗାନ୍ଧୀ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ‘କିରଉଦ୍ଧିନ୍ ଅଲ୍ଲୀ ଅହମଦଙ୍କୁ ଜଣାଇଲେ ଯେ ତାଙ୍କ ସରକାର ଆଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତି ଜାରି କରିବା ପାଇଁ ନିଷ୍ପତି ଗ୍ରହଣ କରିଛି  । ପ୍ରାୟତଃ ସଙ୍ଗେ ସଙ୍ଗେ ଭାରତ ଜରୁରୀ କାଳୀନ ଶାସନକୁ ଚାଲିଗଲା ଏବଂ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଭାରତ ବର୍ଷ ଏକଚ୍ଛତ୍ରବାଦୀ ରାଷ୍ଟ୍ର ହୋଇଗଲା  । ସେତେବେଳେ ଅନେକ ଲୋକ କହିଥିଲେ ଏବଂ କେତେକ ଆଜି ପର୍ଯ୍ୟନ୍ତ କହୁଛନ୍ତି ଯେ ଇନ୍ଦିରା ଗାନ୍ଧୀ ତାଙ୍କର ପୂର୍ବ ଆନୁଗତ୍ୟ ଦାବି କରିବାର ପ୍ରବୃତ୍ତି ସକାଶେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ କାରଣ ସେ ଶାସକ ଦଳର ମତଭେଦ ଏବଂ ଏକ ଶକ୍ତିଶାଳୀ ବିରୋଧ ଦଳ ଯୋଗୁ ଅତିଷ୍ଠ  ହୋଇସାରିଥିଲେ ଏବଂ ଏକଚ୍ଛତ୍ରବାଦୀ କ୍ଷମତା ହାସଲ କରିବାକୁ ଭଲ ପାଉଥିଲେ  । ମାତ୍ର ଏହା ଏକ ସଠିକ୍ ଆକଳନ ନୁହେଁ, ଯଦିଓ ଏହାକୁ ମାନିବାକୁ ପଡିବ ଯେ, ବେଳେ ବେଳେ ଇନ୍ଦିରା ଗାନ୍ଧୀ ରାଜାଙ୍କ ପରି ଆଚରଣ ପ୍ରଦର୍ଶନ କରୁଥିଲେ ମାତ୍ର ଇନ୍ଦିରା କେବଳ ଗୋଟିଏ ପଦକ୍ଷେପ ବଳରେ  ଏହି ଅଭିଯୋଗକୁ ମିଥ୍ୟା ବୋଲି ପ୍ରମାଣିତ କରୁଛନ୍ତି  । ତାହା ହେଲା ସ୍ୱୟଂ, ଇନ୍ଦିରା ନିଜେ କୌଣସି ପ୍ରକାରର ଚାପରେ ନଥାଇ ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ୧୯ମାସ ପରେ ସାନି ନିର୍ବାଚନ ପାଇଁ ଅନୁମୋଦନ କରିଥିଲେ  । ଏହା ବ୍ୟତୀତ ଏକମାତ୍ର ଜୀବନୀ ଲେଖକ ହିସାବରେ ଇନ୍ଦିରାଙ୍କ ରାଜନୈତିକ ତଥା ମନୋବୈଜ୍ଞାନିକ ବିଶ୍ଲେଷଣ କରି ତାଙ୍କର ଆତ୍ମଜୀବନୀ ଉପରେ ପୁସ୍ତକ ରଚନା କରିଥିବା ଏକମାତ୍ର ଲେଖିକା ମ୍ୟାରି କାରାସ୍ ଏହି ନିଷ୍କର୍ସରେ ପହଂଚି  ଲେଖିଛନ୍ତି, “”ଇନ୍ଦିରା ଗାନ୍ଧୀ ନିଜର ସ୍ୱଭାବ ଏବଂ କାର୍ଯ୍ୟ ଶୈଳୀରେ ଯେପରି ଗଣତାନ୍ତ୍ରିକ ଥିଲେ ଠିକ୍ ସେହିପରି ତାଙ୍କର ଭାବମୂର୍ତ୍ତି ମଧ୍ୟ  ଜଣେ ଗଣତନ୍ତ୍ର ସପକ୍ଷବାଦୀଙ୍କର ଥିଲା  । ଏକଥା ସର୍ବଜନବିଦିତ ଯେ ଜନତାଦଳ ତାର ନିଜସ୍ୱ ବିବାଦ ଯୋଗୁ କ୍ଷମତାକୁ ଆସିବାର ୧୯ମାସ ମଧ୍ୟରେ ରେ ଭାଙ୍ଗିଗଲା ଏବଂ ଇନ୍ଦିରାଗାନ୍ଧୀ ପୁଣିଥରେ ଶାସନ କ୍ଷମତାକୁ ଫେରିଲେ  । ଏହାହିଁ ଇନ୍ଦିରାଙ୍କ ଗଣତନ୍ତ୍ର ପ୍ରତି ରହିଥିବା ସମ୍ମାନକୁ ପ୍ରମାଣ କରେ  ।”

ଜୁରୁରୀକାଳୀନ ପରିସ୍ଥିତିର ୪୩ ବର୍ଷ ପରେ ଏବେ ଚର୍ଚ୍ଚା ହେଉଛି ରାଜନୈତିକ ଦଳଗୁଡିକର ମେଣ୍ଟ କ’ଣ ନିର୍ବାଚନରେ ବିଜୟୀ ହୋଇପାରିବେ? ଏକଥା ତର୍ଜମା କରୁଥିବା ଅଧିକାଂଶ ବିଶ୍ଲେଷକ ଯର୍ଥାଥ ଭାବରେ ୧୯୭୭ମସିହା ଉପରେ ସେମାନଙ୍କର ଧ୍ୟାନକେନ୍ଦ୍ରିତ କରନ୍ତି | କାରଣ ୧୯୫୨ ମସିହା ପରଠାରୁ ଶାସକ ଦଳ ସମସ୍ତ ନିର୍ବାଚନରେ ବିଜୟୀ ହୋଇଥିଲା, ତେଣୁ ୧୯୭୭ ରେ ଶାସକ ଦଳର ପ୍ରଥମ ପରାଜୟ ଥିଲା ଅସାଧାରଣ  । କିନ୍ତୁ କଂଗ୍ରେସ ଦଳ ସେତେବେଳେ ଯାଇ ପରାଜିତ ହେଲା ଯେତେବେଳେ ଏହାର ସମସ୍ତ ପ୍ରତିପକ୍ଷ ଦଳଗୁଡ଼ିକ ଜନତା ଦଳ ପତାକା ତଳେ ଏକଜୁଟ ହେଲେ  ।

ମାତ୍ର ଏହାସତ୍ୱେ ଆମେ ଆହୁରି ଗୋଟିଏ ଦୃଷ୍ଟାନ୍ତକୁ ଭୁଲିଯାଉ ଯେ ଭିନ୍ନ ଏକ ଅବସରରେ ରାଜନୈତିକ ଦଳଗୁଡିକର ଗୋଟିଏ ମେଣ୍ଟ ବିଜୟୀ ହୋଇଥିଲା  । ଏକ ସର୍ବଭାରତୀୟ ଦଳ (ଜନତାଦଳ)ମଙ୍ଗୁଆଳ ସାଜିଥିଲା ଏବଂ ଏହା ବାଛିଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗୀମାନେ ସେମାନଙ୍କର ସାମର୍ଥ୍ୟଠାରୁ ଯଥେଷ୍ଟ ଅଧିକ ସଫଳତା ହାସଲ କରିଥିଲେ  । ବିଜୟ ସକାଶେ ଏହି ମେଣ୍ଟ ଆସନ ବୁଝାମଣା ଏବଂ ଏକ ସାଧାରଣ ଲକ୍ଷ୍ୟର ସାହାଯ୍ୟ ନେଇଥିଲା  । ନେତା ଥିଲେ ଇନ୍ଦିରାଗାନ୍ଧୀ, ବର୍ଷ ୧୯୭୧ ସହଯୋଗୀ ଥିଲେ କମୁନିଷ୍ଟ ପାର୍ଟି  ଅଫ ଇଣ୍ଡିଆ ( ସି.ପି.ଆଇ) କିନ୍ତୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଥିଲେ ତାମିଲନାଡୁର ଡି.ଏମ୍.କେ.ଦଳ  । ଶାସକଦଳ ୫୨୧ ଜଣ ସଦସ୍ୟ ବିଶିଷ୍ଟ ଗୃହରେ ୩୫୨ ଆସନ ଅଧିକାର କରି ସ୍ପଷ୍ଟ ବହୁମତ ହାସଲ କରିଥିଲେ  । ଚାରିବର୍ଷ ପୂର୍ବେ ଏହା ହାସଲ କରିଥିବା ୨୮୩ଟି ଆସନଠାରୁ ଯଥେଷ୍ଟ ଅଧିକ ଥିଲା  । ମାତ୍ର ୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଏହି ବିଜୟ କେବଳ “ଗରିବି ହଟାଓ’ ସ୍ଲୋଗାନ ଉପରେ ପର୍ଯ୍ୟବସିତ ନଥିଲା, ବରଂ ଭୋଟରଙ୍କ ସ୍ତରରେ ମଧ୍ୟ  ସହଯୋଗୀ ଦଳମାନଙ୍କ ସହ ଯୋଡ଼ିହୋଇଥିଲା  । 

ଏହି ସହଯୋଗୀ ଦଳଗୁଡ଼ିକ ମଧ୍ୟରୁ  ସି.ପି.ଆଇ. ଥିଲା ବେଶ୍ ପରିଚିତ କାରଣ, ଏହି ଦଳର ଶ୍ରୀମତୀ ଗାନ୍ଧୀଙ୍କ ଦଳ ସହିତ ଦେଶବ୍ୟାପୀ ମେଣ୍ଟ ଥିଲା  । ସି.ପି.ଆଇ ଦଳ ୧୯୬୯ ମସିହାଠାରୁ କଂଗ୍ରେସ ଦଳକୁ ସମର୍ଥନ କରିବାକୁ ସ୍ଥିର କରିଥିଲା  । ଏଥିପାଇଁ କଂଗ୍ରେସ ବିହାର ସମେତ ବହୁ ରାଜ୍ୟରେ ଯେଉଁଠି ଯେଉଁଠି ନିଜର ପ୍ରାର୍ଥୀ ଠିଆ କରାଇ ନଥିଲା ସେହି ଆସନଗୁଡ଼ିକୁ ସି.ପି.ଆଇ.କୁ ଦେଇଥିଲା  । ପଞ୍ଜାବରେ ଏହି ମେଣ୍ଟ ଯୋଗୁଁ ସି.ପି.ଆଇ. ଛୋଟ ଦଳ ହୋଇଥିବା ସତ୍ତେ୍ୱ ସଙ୍ଗରୁର୍ ଓ ଭତିଣ୍ଡା ଆସନରେ ବିଜୟୀ ହୋଇଥିଲେ  । 

ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା କଂଗ୍ରେସର ଡ଼ି.ଏମ୍.କେ ଦଳସହ ମେଣ୍ଟ  । ଯେଉଁ ବର୍ଷ କଂଗ୍ରେସର ବିଭାଜନ ହେଲା ସେହି ବର୍ଷ ହିଁ ୧୯୬୯ ମସିହାରେ ଏହାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ  । ନିଜର ଫାଇଦା ସକାଶେ ଡ଼ି.ଏମ୍.କେ ରାଜ୍ୟ ସ୍ତରରେ କଂଗ୍ରେସ ସହ ଏକ ବୁଝାମଣା କଲା  । ୧୯୭୧ ମସିହାରେ ମାର୍ଚ୍ଚ ନିର୍ବାଚନବେଳେ ଡ଼ି.ଏମ୍.କେ କଂଗ୍ରେସ-କମ୍ୟୁନିଷ୍ଟ  ମେଣ୍ଟକୁ ସମର୍ଥନ ଦେଲା  । ଏହାର ବର୍ଷକ ପରେ ବିଧାନ ସଭା ନିର୍ବାଚନରେ କଂଗ୍ରେସ (ଆର) କରୁଣାନିଧିଙ୍କ ଦଳକୁ ସମର୍ଥନ ଦେଲା  । ତେବେ ଦୁଇଦଳ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଗଲା ଏବଂ ୧୯୭୬ ମସିହାରେ କରୁଣାନିଧିଙ୍କ ସରକାର ବରଖାସ୍ତ ହୋଇଗଲା  ।

ସେହି ସମୟରେ ଅଣ କମ୍ୟୁନିଷ୍ଟ  ଦଳଗୁଡ଼ିକର ଏକ ବିଶାଳ ମେଣ୍ଟର ସମ୍ମୁଖୀନ ହେଲାବେଳେ ଇନ୍ଦିରା ଗାନ୍ଧୀ ତାମିଲନାଡ଼ୁରୁ ଅପସରି ଯିବାକୁ ଉଚିତ ମଣିଲେ  । ସେ ସେଠାକାର ଆଞ୍ଚଳିକ ଦଳଗୁଡ଼ିକୁ ତାମିଲନାଡ଼ୁକୁ ଛାଡ଼ିଦେଇ ଅନ୍ୟତ୍ର ସଂଗ୍ରାମର ସମ୍ମୁଖୀନ ହେବା ପାଇଁ ଶକ୍ତି ସଞ୍ଚୟ କଲେ  । ତାଙ୍କ ଦଳର ଇତିହାସରେ ମାନ୍ଦ୍ରାଜ ଅଞ୍ଚଳର ଦୀର୍ଘ ଓ ଗଭୀର ସମ୍ପର୍କର ପ୍ରଭୂତ ଗରୁତ୍ୱ ରହିଥିବା ସତ୍ତ୍ୱେ ସେ ଏପରି କରିବାକୁ ଶ୍ରେୟସ୍କର ମନେକଲେ  । ଏହା ପ୍ରତୀକାତ୍ମକ ହୋଇଥାଇପାରେ, ମାତ୍ର ଏହି ରଣକୌଶଳର ଜଣେ ପ୍ରତ୍ୟକ୍ଷ ବିଜେତା ହେଲେ ପୁଡ଼ୁଚେରୀ ଲୋକସଭା ସଦସ୍ୟ - କଂଗ୍ରେସ ଦଳର ବାମପନ୍ଥୀ ବିଚାରଧାରର ମୋହନ କୁମାର ମଙ୍ଗଳମ, ଯିଏ କି ପୂର୍ବେ କମ୍ୟୁନିଷ୍ଟବାଦୀ ଓକିଲ ଥିଲେ  । 

ଏହା ଏକ ସହଜସାଧ୍ୟ  ମାର୍ଗ ନଥିଲା  । ଏହା ଫଳରେ ଇନ୍ଦିରାଙ୍କୁ ଦଳରେ ଏକ ବିଭାଜନର ଆଶଙ୍କାର ସମ୍ମୁଖୀନ ହେବାକୁ ପଡ଼ିଥିଲା  । ଏହାଥିଲା ଗୋଟିଏ ଜୁଆ କିନ୍ତୁ ଏହା ସଫଳ ହେଲା  । ଠିକ୍ ଚାରିବର୍ଷ ପୂର୍ବେ ପଶ୍ଚିମ ବଙ୍ଗର ଡ଼ାଏମଣ୍ଡ ହାରବରରୁ ୱାଘା ସୀମା ପର୍ଯ୍ୟନ୍ତ ଜଣେ ହେଲେ କଂଗ୍ରେସ ସାଂସଦଙ୍କର ଲୋକସଭା ନର୍ବାଚନ ମଣ୍ଡଳୀ ଅତିକ୍ରମ ନକରି ଯିବା ସମ୍ଭବ ଥିଲା  । 

କଂଗ୍ରେସର ନେତା ଇନ୍ଦିରାଗାନ୍ଧୀଙ୍କୁ ଏକ ବ୍ୟକ୍ତି କୈନ୍ଦ୍ରିକ ଗୋଟିଏ ଦଳର ଶାସନ ତଥା କେନ୍ଦ୍ରୀକରଣ ହୋଇଥିବା ଶାସନ ପ୍ରଚଳନର ବିନ୍ଧାଣୀ ରୂପେ ବିଚାର କରାଯାଉଥିଲା  । ସେ ମଧ୍ୟ  ଏକ ଆଞ୍ଚଳିକ ଦଳସହିତ ମେଣ୍ଟର ଆରମ୍ଭ କରିଥିଲେ  ।

ତାମିଲନାଡ଼ୁରେ ହୋଇଥିବା ୧୯୬୭ ନର୍ବାଚନ ସମ୍ପର୍କରେ ଇନ୍ଦିରାଙ୍କ କୂଟନୀତି ଏବଂ କରିଥିବା ପୂର୍ବାନୁମାନ ସଫଳ ହେଲା  । ସେ ଏକ ରାଜ୍ୟରେ ଆଞ୍ଚଳିକ ରାଜନୈତିକ ଦଳର ପ୍ରାଧାନ୍ୟକୁ ମାନି ନେଇଥିଲେ  । ଏହାଦ୍ୱାରା ସେ କାମରାଜ ନାଦରଙ୍କୁ ଗୌଣ କରିବାରେ ସହାୟକ ହୋଇପାରିଥିଲେ  ।  କାମରାଜ ନାଦର ୧୯୬୬ ମସିହାରେ ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ କରିବା ସକାଶେ ସମସ୍ତ ବୁଝାମଣା କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ ନାଦର ଇନ୍ଦିରଙ୍କୁ ଧୋକା ଦେଇ ତାଙ୍କଠାରୁ ଅଲଗା ହୋଇଯାଇଥିଲେ । ଏହା ସତ୍ତ୍ୱେ  ନୂଆଦିଲ୍ଲୀରେ ନିଜର ପ୍ରାଧାନ୍ୟ ବଢ଼ାଇବା ସକାଶେ ଗୋଟିଏ ଅଞ୍ଚଳରୁ ଓହରି ଆସିବାର ନିଷ୍ପତ୍ତି କେବଳ ଇନ୍ଦିରା ହିଁ ନିଜ କୂଟନୈତିକ ବୁଦ୍ଧିରେ ନେଇପାରିଥିଲେ  । ଏହାଥିଲା ନିର୍ବାଚନ ରଣାଙ୍ଗନାରେ ବାସ୍ତବ ରାଜନୀତି କ୍ଷେତ୍ରରେ ଇନ୍ଦିରାଙ୍କ ରାଜନୈତିକ ଗୋଟିଚାଳନାର ଦୂରଦୃଷ୍ଟି  ।

ସେହପରି, ନିଜ ଦଳ ଭିତରେ ମଧ୍ୟ  ସେ ତାଙ୍କର ଭିତ୍ତି ବଦଳାଇ ଦେଇଥିଲେ  । ଏପରିକି ଦଳ ବିଭାଜନ ପୂର୍ବରୁ ହିଁ ସେ କଂଗ୍ରେସରେ ଥିବା ପ୍ରାକ୍ତନ ସୋଶିଆଲିଷ୍ଟ ନେତାମାଙ୍କର ପ୍ରିୟଭାଜନ ହେବା ସହିତ ସେମାନଙ୍କ ସହ ମିଳିମିଶି କାର୍ଯ୍ୟକରିବା ଆରମ୍ଭ କରିଥିଲେ  । ଏହି ସୋଶିଆଲିଷ୍ଟମାନଙ୍କ ମଧ୍ୟରେ ଗରୁତ୍ୱପୂର୍ଣ୍ଣ ଥିଲେ ଚନ୍ଦ୍ର ଶେଖର । ଯେଉଁ ଆଞ୍ଚଳିକ ଶକ୍ତିଶାଳୀ ନେତାମାନେ ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ସାହାଯ୍ୟ କରିଥିଲେ ସେମାନଙ୍କୁ ଦୂରେଇ ରଖିବା ସକାଶେ ସେ ଚନ୍ଦ୍ରଶେଖରଙ୍କୁ ଆୟୁଧ କରିଥିଲେ  । ତାଙ୍କର ଆଶଙ୍କା ଥିଲା ଯେ ଏହି ଆଞ୍ଚଳିକ ମୁଖ୍ୟମାନେ ତାଙ୍କୁ ନିୟନ୍ତ୍ରଣ କରିପାରନ୍ତି  । ଏପରି କରିବା ଫଳରେ ସେ ନିଜର ଛବିକୁ ବାମପନ୍ଥୀ ରଙ୍ଗ ଦେବାରେ ସଫଳ ହୋଇଥିଲେ  ।

ଇନ୍ଦିରା ବେଶ୍ faଳପ୍ରଦ ଭାବରେ ଏକ ନୂତନ ସାମାଜିକ ଓ ରାଜନୈତିକ ଭିତ୍ତିକୁ ବଜାୟ ରଖିବା ସଙ୍ଗେ ସଙ୍ଗେ ପୃଷ୍ଠପୋଷକତାକୁ ଯୋଡ଼ିପାରିଥିଲେ  । ୧୯୭୧ ନିର୍ବାଚନର ଫଳାଫଳକୁ ଠିକ୍ ଭାବରେ ତର୍ଜ୍ଜମା କଲେ ଏକଥା ସ୍ପଷ୍ଟ ହୋଇଯାଉଛି  । ଭାରତର ସବୁଠାରୁ ଦଳିତ ସାମାଜିକ ଗୋଷ୍ଠୀ ହେଲେ ଅନୁସୂଚିତ ଜନଜାତି ଏବଂ ସେହି ଗୁରୁତ୍ୱପୂର୍ଣ୍ଣ ସାଧାରଣ ନିର୍ବାଚନ ବେଳେ ସେମାନେ ଇନ୍ଦିରାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇଥିଲେ  । 

ଇହଧାମ ତ୍ୟାଗ କରିଥିବା ସ୍ୱନାମଧନ୍ୟ ପ୍ରଫେସର  ଲୟଡ଼୍ ରୁଡେ଼ାଲ ଏବଂ ସୁସାନ ରୁଡେ଼ାଲ ସେମାନଙ୍କର ପ୍ରସିଦ୍ଧ ପୁସ୍ତକ “”ଦି ପରସୁଟ୍ ଅଫ ଲକ୍ଷ୍ମୀ” (ଲକ୍ଷ୍ମୀଙ୍କ ସନ୍ଧାନରେ) ରେ ଏକଥା ଦର୍ଶାଇଛନ୍ତି, “”କିପରି ବ୍ୟାଙ୍କ୍ ଜାତୀୟକରଣ ଫଳରେ ଅଭ୍ୟୁଦୟ  ହେଉଥିବା ମଧ୍ୟବିତ୍ତ ଶ୍ରେଣୀ ସମେତ କୃଷିକ୍ଷେତ୍ରରେ କୃଷକମାନେ ସହଜରେ ଋଣ ପାଇପାରିଲେ ଏବଂ ଉତ୍ପାଦନ  ବୃଦ୍ଧି କରି ନିଜର ରୋଜଗାର ବଢ଼ାଇ ପାରିଲେ  । ଏହାଦ୍ୱାରା ଆଦିବାସୀମାନଙ୍କ ସହିତ କୃଷକମାନେ ମଧ୍ୟ  କଂଗ୍ରେସକୁ ଏକ ଅଜେୟ ଶକ୍ତିରୂପେ ଗଢ଼ିତୋଳିଲେ  ।” 

ଏହି ଗୋଷ୍ଠୀ  ମାନେ ହିଁ ରାଜନୀତିରେ ପରିବର୍ତ୍ତନକୁ ଅନୁଭବ କରିପାରିଲେ ଏବଂ ଏପରି ଏକ ଶାସକ ଦଳକୁ ଭୋଟ ଦେଲେ ଯାହା ତାହାର ପ୍ରତିପକ୍ଷଙ୍କଠାରୁ ପରିବର୍ତ୍ତନର ସ୍ଲୋଗାନ ଚୋରାଇ ନେଇଥିଲେ  । କିନ୍ତୁ ଏଥିପାଇଁ ସବୁଠାରୁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ମେଣ୍ଟ  । ସର୍ବଭାରତୀୟ ସ୍ତରରେ କମ୍ୟୁନିଷ୍ଟ  ଦଳ ସହିତ ମେଣ୍ଟ କରିବା ଲାଭଜନକ ଥିଲା  । କାରଣ ଏହି ଦଳକୁ ଏକ ଆଦର୍ଶବାଦୀ ଦଳରୂପେ ବିବେଚନା କରାଯାଉଥିଲା ଏବଂ କେବଳ କେରଳକୁ ଛାଡ଼ିଦେଲେ ଆଉ ଅନ୍ୟ କେଉଁଠି ଏହା ଦୀର୍ଘକାଳୀନ ଭିତ୍ତିରେ କ୍ଷମତାକୁ ଆସିନଥିଲା  ।

୧୯୬୨ ମସିହା ପରଠାରୁ କୌଣସି ସର୍ବଭାରତୀୟ ଦଳ ବିଧାନସଭା ନିର୍ବାଚନ ଜିତି ନଥିଲା  । ୧୯୭୨ ମସିହାରେ କଂଗ୍ରେସ ଦଳ ନୂଆକରି ସୃଷ୍ଟି ହୋଇଥିବା ଏ.ଆଇ.ଏ.ଡ଼ି.ଏମ୍.କେ.ର ଏମ୍.ଜି. ରାମଚନ୍ଦ୍ରନଙ୍କ ସହ ମେଣ୍ଟ କରି ସମସ୍ତ ଲୋକସଭା ଆସନରେ ବିଜୟ ଲାଭ କଲା  । ମୋଟାମୋଟି ଭାବରେ ସାରା ଦେଶରେ କଂଗ୍ରେସ ପରାଜୟ ବରଣ କରିଥିଲେ ମଧ୍ୟ  କେରଳରେ ଏହା ଶିରୋନ୍ନତ କରି ଠିଆହେଲା  । ସେହି ନିର୍ବାଚନଠାରୁ ଆଞ୍ଚଳିକବାଦ ଦଳଗୁଡ଼ିକ ନୂଆଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛନ୍ତି ବିଶେଷ କରି ୧୯୯୯ ରୁ ୨୦୧୪ମଧ୍ୟରେ  ।

ଏଥିରୁ ପ୍ରଶ୍ନ ଉଠୁଛି ବର୍ତ୍ତମାନ ନିଜକୁ ଯଥେଷ୍ଟ ଶକ୍ତିଶାଳୀ ଭାବୁଥିବା ବିଜେପି ଏବଂ ଅପେକ୍ଷାକୃତ ଭାବେ ଦୁର୍ବଳ କଂଗ୍ରେସ ଦଳ ପାଇଁ ୨୦୧୯ ନିର୍ବାଚନ ଉପଲକ୍ଷେ ଏକ ସୁଯୋଗ ସୃଷ୍ଟି କରୁନାହିଁ ତ ? ୨୦୧୪ ମସିହାରେ କଂଗ୍ରେସ ଦଳ ଏହାର ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା  । ଯୁକ୍ତି ଆଧାରରେ ବିଚାର କଲେ, ବର୍ତ୍ତମାନର ପରିସ୍ଥିତିରେ କଂଗ୍ରେସ ଦଳ ବିଭିନ୍ନ ପ୍ରକାରର ଅଧିକ ସଂଖ୍ୟକ ଦଳଗୁଡ଼ିକ ସହିତ ମେଣ୍ଟ କରିପାରିବ  । ଅନେକ କ୍ଷେତ୍ରରେ ଏହି ବୁଝାମଣା ଗୁଡ଼ିକ କଂଗ୍ରେସ ଅନ୍ୟ ସ୍ଥାନୀୟ ଦଳ ସହିତ ସମାନ ସ୍ତରରେ ରହି କରିପାରିବ ନାହିଁ  । କିନ୍ତୁ ଏହା ସତ୍ତ୍ୱେ କଂଗ୍ରେସ ଏପରି ଶକ୍ତିଗୁଡ଼ିକୁ ପରସ୍ପର ସହ ଯୋଡ଼ିବା ସକାଶେ ଏକ ସୂତାର ଭୂମିକା ତୁଲାଇବାର ପ୍ରଚେଷ୍ଟା କରପାରିବ  । ଏହାର କାରଣ ବେଶ୍ ସରଳ  । ଦୁର୍ବଳ ହୋଇଯାଇଥିବା ସତ୍ତ୍ୱେ କଂଗ୍ରେସ ଦଳ ମୋଦିଜୀଙ୍କ ଦଳ ସହିତ ଅଧିକ ସଂଖ୍ୟକ ଆସନ ଓ ରାଜ୍ୟରେ ନିର୍ବାଚନ ଲଢ଼ିପାରିବ, ଯାହାକି ଆଉ କେହି କରିପାରିବେ ନାହିଁ  । ଏ କଥାକୁ ଜରୁରୀକାଳୀନ ପରିସ୍ଥିତିର ୪୩ ବର୍ଷ ପରେ ପ୍ରତିଟି ବିରୋଧୀଦଳଗୁଡ଼ିକ ବୁଝିବା ଦରକାର । ଏହା ସହିତ ୪୩ ବର୍ଷ ତଳର ଅତୀତ ଅଭିଜ୍ଞତାକୁ ପାଥେୟ କରି କଂଗ୍ରେସ ନେତୃମଣ୍ଡଳୀ ୨୦୧୯ ନର୍ବାଚନର ପ୍ରସ୍ତୁତି ଆରମ୍ଭ କରିବା ଦରକାର । କିନ୍ତୁ କଂଗ୍ରେସ ପାଇଁ ଏହି ଲଢେ଼ଇ ଯଥେଷ୍ଟ କଷ୍ଟକର ବ୍ୟାପାର  । କାରଣ ତାମିଲନାଡ଼ୁ, ବିହାର, ଉତ୍ତରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗରେ କଂଗ୍ରେସ ପ୍ରାୟତଃ ଅନୁପସ୍ଥିତ  । ପ୍ରଧାନମନ୍ତ୍ରୀ ପଦକୁ ନେଇ ଉତ୍ତର ପ୍ରଦେଶରେ ଆଞ୍ଚଳିକ ଦଳସହିତ କଂଗ୍ରେସର ବିଭେଦ ନିଶ୍ଚିତ ଉପୁଜିବ, ଏହାର ସୂଚନା ମଧ୍ୟ ମିଳିଲାଣି  । ୨୦୧୪ ମସିହାରେ ଏହା ଦିଲ୍ଲୀ, ସିକ୍କିମ୍, ଓଡ଼ିଶା, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗରେ ତୃତୀୟ ସ୍ଥାନ କିମ୍ବା ତା'ଠାରୁ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲା  । ଏସବୁକୁ ମିଶାଇଦେଲେ, ଲୋକସଭା ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ଅଦେ୍ର୍ଧକ  । 

ଇନ୍ଦିରା କଂଗ୍ରେସରେ ୧୯୭୧ ମସିହାର ତାମିଲନାଡ଼ୁ ଫର୍ମୁଲା ଥିଲା ବେଶ ସରଳ : ରାଜ୍ୟରେ ଶାସନ କରିବାର ଇଚ୍ଛା ପରିହାର କର ଏବଂ ଦେଶ ପାଇଁ ଲଢ଼  । କିନ୍ତୁ କଂଗ୍ରେସ ଦଳ ଯଦି ମୋଟ ଲୋକସଭା ଆସନର ଅର୍ଧେକ  ଥିବା ରାଜ୍ୟଗୁଡ଼ିକରେ ମେଣ୍ଟର ଗୌଣ ଦଳ ହୋଇ ରୁହେ ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦଳ ହୋଇ ଉଭା ହେବ ନା' ବହୁ ଦଳଗୁଡ଼ିକ ମଧ୍ୟରେ ଗୋଟିଏ ହୋଇ ରହିଯିବ ? ଏହି ପ୍ରଶ୍ନର କୌଣସି ସହଜ ଉତ୍ତର ଜରୁରୀକାଳୀନ ପରିସ୍ଥିତିର ୪୩ବର୍ଷ ପରେ ମଧ୍ୟ ମିଳୁନାହିଁ  । ତେବେ ଆଗାମୀ ଦିନରେ ଯେଉଁ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି, ତାହା ହେଲା ସର୍ବଭାରତୀୟ ସ୍ତରରେ ହେବାକୁ ଯାଉଥିବା କ୍ଷମତା ସମୀକରଣରେ ଆଞ୍ଚଳିକ ଦଳଗୁଡ଼ିକ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ  ।

ମାତ୍ର କଂଗ୍ରେସ ଦଳର ଇତିହାସକୁ ଭଲଭାବରେ ତର୍ଜ୍ଜମା କଲେ ଚରମ ବିରୋଧାଭାସର ସୂଚନା ମିଳେ  । ବାମପନ୍ଥୀ ଏବଂ ଆଞ୍ଚଳିକ ଦଳଗୁଡ଼ିକ ସହ ମେଣ୍ଟ ଦ୍ୱାରା ଇନ୍ଦିରା ଓ କଂଗ୍ରେସ କ୍ଷମତାକୁ ଆସିଲେ ଏବଂ ସେଥିରେ ଇନ୍ଦିରା ଯେପରି ତାଙ୍କର ପ୍ରଭୁତ୍ୱର ମୋହର ମାରିଲେ, ସେତେବେଳେ ଆଞ୍ଚଳିକ ସହଯୋଗୀମାନେ କଂଗ୍ରେସକୁ କ୍ଷମତାର ଚାବିକାଠି ଯେପରି ଦେଇଥିଲେ ଆଜିର ଦିନରେ ସେହିପରି ଦେବେ ତ ? ଏବେ ଆଞ୍ଚଳିକ ଦଳମାନେ ନିଜର ପ୍ରଭୁତ୍ୱ ଓ ଗୁରୁତ୍ୱକୁ ବୁଝିପାରିବା ପରେ କଂଗ୍ରେସକୁ କ୍ଷମତାର ଅଳିନ୍ଦ ଭିତରକୁ ପ୍ରବେଶ କରିବାକୁ କ'ଣ ଦେବେ ?

ଅସଂଗତ ମନହେଲେ ମଧ୍ୟ ୧୯୭୧ର ରଣକୌଶଳ, ଇନ୍ଦିରାଙ୍କ ଦ୍ୱାରା ସୃଷ୍ଟ ଇତିହାସଠାରୁ ଆଗକୁ ଯାଇ ଏକ ବିବିଧତା ପୂର୍ଣ୍ଣ ସଂଘୀୟ ମେଣ୍ଟ ଗଠନ କରିବାର ଚାବିକାଠି । ଏହା ହେବ ବୋଲି ମନରୁ ଡ଼ାକରା ନଆସିଲେ ମଧ୍ୟ, ଏକଥା ବି ଅସ୍ୱୀକାର କରାଯାଇପାରିବ ନାହିଁ ଯେ ପ୍ରତିକୂଳ ପରିସ୍ଥିତିରେ ସାଧାରଣ ନିର୍ବାଚନରେ ଇନ୍ଦିରା ମେଣ୍ଟର ପ୍ରଥମ ବିଜୟ ହାସଲ କରିଥିଲେ  । ବିଜେପିର ଲୋକପ୍ରିୟତା ଯେପରି ଦୂରେଇ ଯାଉଛି, ତେଣୁ ୨୦୧୯ ନିର୍ବାଚନରେ ଇତିହାସର ପୁନରାବୃତ୍ତି ଘଟିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଅସ୍ୱୀକାର ଏବେଠାରୁ କରିହେବ ନାହିଁ  । ଜରୁରୀକାଳୀନ ପରିସ୍ଥିତିର ଅତୀତର ଅଭିଜ୍ଞତା ଓ ମେଣ୍ଟ ରାଜନୀତି ଆଜିର ଅଘୋଷିତ ଜରୁରୀକାଳୀନ ପରିସ୍ଥିତିରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏକ ନୂଆ ଗଣତନ୍ତ୍ରର ଧାରା ସୃଷ୍ଟି କରିବାର ସୂଚନା ଦେଲାଣି  । ଏହାକୁ ପ୍ରତିଟି ଦଳ ଏବେଠାରୁ ବୁଝିବା ଦରକାର  ।

ବିଭୂତି ପତି

ସଫଦରଜଙ୍ଗ ଏନକ୍ଳେଭ , ନୂଆଦିଲ୍ଲୀ 

୯୯୧୦୭୪୦୮୩୯

This email address is being protected from spambots. You need JavaScript enabled to view it.

0
0
0
s2sdefault