ହେଡଲାଇନସ୍:

 ‘ସ୍ପଞ୍ଜ ଏବଂ ଲୌହ କାରଖାନାରେ ବୃତ୍ତିଗତ ସୁରକ୍ଷା ଓ ସ୍ୱାସ୍ଥ୍ୟ’ ସନ୍ଦର୍ଭରେ ମଣ୍ଡଳ ସ୍ତରୀୟ ସୁରକ୍ଷା କର୍ମଶାଳା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ROURKELA/SUSANTA BEHERA : ‘ସ୍ପଞ୍ଜ ଏବଂ ଲୌହ କାରଖାନାରେ ବୃତ୍ତିଗତ ସୁରକ୍ଷା ଓ ସ୍ୱାସ୍ଥ୍ୟ’ ସନ୍ଦର୍ଭରେ ଏକ ଦିନିକିଆ ମଣ୍ଡଳ ସ୍ତରୀୟ ସୁରକ୍ଷା କର୍ମଶାଳା ଜାନୁଆରୀ ୧୭ ତାରିଖରେ ସିଭିକ ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି । ଉକ୍ତ କର୍ମଶାଳା ଓଡିଶା ରାଜ୍ୟ ସରକାରଙ୍କ ଫେକ୍ଟୋରି ଓ ବୟଲର ନିର୍ଦ୍ଦେଶାଳୟ, ରାଉରକେଲା ମଣ୍ଡଳ ଦ୍ଵାରା ରାଉରକେଲା ଇସ୍ପାତ କାରଖାନାର ସହଯୋଗରେ ଆୟୋଜିତ ହୋଇଥିଲା। ଉକ୍ତ କର୍ମଶାଳାରେ ଓଡିଶା ସରକାରଙ୍କ ଫେକ୍ଟୋରି ଓ ବୟଲର ବିଭାଗର ନିର୍ଦ୍ଦେଶକ, ଶ୍ରୀ କମଳେନ୍ଦୁ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଗୌତମ ବାନାର୍ଜୀ, ଓଡିଶା ସରକାରଙ୍କ ପୂର୍ବତନ ଫେକ୍ଟୋରି ଓ ବୟଲର ବିଭାଗର ମୁଖ୍ୟ ନିରୀକ୍ଷକ, ଶ୍ରୀ ଏନ କର, ଫେକ୍ଟୋରି ଓ ବୟଲର ବିଭାଗର ପୂର୍ବତନ ନିର୍ଦ୍ଦେଶକ, ଶ୍ରୀ ଏଚ ଏସ ମହାନ୍ତି,  ଫେକ୍ଟୋରି ଓ ବୟଲର ବିଭାଗର ଉପ ନିର୍ଦ୍ଦେଶକ, ଡକ୍ଟର ମଳୟ କୁମାର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।  ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି କର୍ମଶାଳାର ଶୁଭାରମ୍ଭ କରିଥିଲେ। 

ନିଜର ଉଦଘାଟନୀ ଅଭିଭାଷଣରେ ଶ୍ରୀ କମଳେନ୍ଦୁ ମହାପାତ୍ର ଶିଳ୍ପ ଉଦ୍ୟୋଗରେ ବିଶେଷତଃ ଲୌହ ଓ ଇସ୍ପାତ ଉଦ୍ୟୋଗରେ ତିଷ୍ଠିରହିବା ନିମନ୍ତେ ସୁରକ୍ଷାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଏମ.ଏସ.ଏମ.ଇ.ଗୁଡିକରେ ସୁରକ୍ଷାକୁ ସୁଦୃଢ କରିବା ନିମନ୍ତେ ପାରିପାର୍ଶ୍ଵିକ ବୃହତ ଶିଳ୍ପଗୁଡିକର ଭୂମିକା ଉପରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । 

ନିଜର ବକ୍ତବ୍ୟରେ ଶ୍ରୀ ଗୌତମ ବାନାର୍ଜୀ ଦେଶରେ ଦୃତ ଶିଳ୍ପାୟନ ପରିପ୍ରେକ୍ଷୀରେ ଅଧିକ ସମ୍ଭାବ୍ୟ ଦୁର୍ଘଟଣା ଓ ହାଜାର୍ଡ଼ ଗୁଡିକୁ ଦୃଷ୍ଟିରେ ରଖି ସୁରକ୍ଷାର ଗୁରୁତ୍ଵ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ଏକ ନିପୁଣ ସୁରକ୍ଷା ସଂସ୍କୃତିର ପ୍ରୋତ୍ସାହନ ନିମନ୍ତେ ସେ ପ୍ରତ୍ୟେକ ବ୍ୟକ୍ତିବିଶେଷ, ଶିଳ୍ପୋଦ୍ୟୋଗ ଓ ସରକାରଙ୍କ ଭୂମିକା ଉପରେ ଜୋରଦେଇଥିଲେ ।

ଶ୍ରୀ ଏନ କର ନିଜର ଅଭିଭାଷଣରେ ଆରଏସପିକୁ ଭାରତରେ ସୁରକ୍ଷା ଅଭିଯାନର ପୁରୋଧା ରୂପେ ଅଭିହିତ କରିବା ସହିତ ସମସ୍ତ ଏମଏସଏମଇଙ୍କୁ ଏହି କାରଖାନାରେ କାର୍ଯ୍ୟ କରୁଥିବା ଅନୁରୂପ ସୁଦୃଢ ସୁରକ୍ଷା ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ଅନୁପ୍ରେରିତ କରିଥିଲେ।   

ଶ୍ରୀ ଏଚ ଏସ ମହାନ୍ତି ନିଜର ବକ୍ତବ୍ୟରେ ଜରୁରୀକାଳୀନ ସ୍ଥିତି ନିମନ୍ତେ ସର୍ବଦା ପ୍ରସ୍ତୁତ ରହିବା ଉପରେ ଗୁରୁତ୍ଵାରୋପ କରିଥିଲେ ଏବଂ ଯେକୌଣସି ବାସ୍ତବ ସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ନିମନ୍ତେ ସମସ୍ତ ଉଦ୍ୟୋଗଙ୍କୁ ମକ ଡ୍ରିଲ ଏବଂ ଅନୁରୂପ ଅନ୍ୟାନ୍ୟ ପ୍ରସ୍ତୁତିମୂଳକ କାର୍ଯ୍ୟଧାରା ଜାରିରଖିବା ପାଇଁ ଆହ୍ଵାନ ଜଣାଇଥିଲେ।  

ଡକ୍ଟର ପ୍ରଧାନ ନିଜର ସାରମର୍ମୀ ବକ୍ତବ୍ୟରେ ରାଜ୍ୟରେ ‘ଭିଜନ ଶୂନ୍ୟ’ ଲକ୍ଷ୍ୟ ହାସଲ ସମ୍ପର୍କରେ ଉଲ୍ଲେଖ କରିଥିଲେ ଯାହା ସମଗ୍ର ରାଜ୍ୟରେ ଉଦ୍ୟୋଗଗୁଡିକରେ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁହାର ହାସଲ ଉପରେ ଆଧାରିତ ଅଟେ । ରାଉରକେଲା ଓ ଏହାର ଆଖପାଖର ଉଦ୍ୟୋଗଗୁଡିକର ପ୍ରତିନିଧିମାନେ ଅଂଶଗ୍ରହଣ କରୁଥିବା ଏହି ବୃହତ କର୍ମଶାଳାର ଆୟୋଜନ ନିମନ୍ତେ ସହଯୋଗ ଯୋଗାଇଦେଇଥିବା ଯୋଗୁଁ ସେ ଆରଏସପିକୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଅତିଥିମାନେ ବିଭିନ୍ନ ସୁରକ୍ଷା ପ୍ରୟାସ ନିମନ୍ତେ ଭିନ୍ନଭିନ୍ନ ଶିଳ୍ପର କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏକ ସୁରକ୍ଷା ମଗାଜିନ ଉଦଘାଟନୀ ସମାରୋହରେ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। 

ପ୍ରାରମ୍ଭରେ  ଫେକ୍ଟୋରି ଓ ବୟଲର ନିର୍ଦ୍ଦେଶାଳୟ, ରାଉରକେଲା ମଣ୍ଡଳର ଉପନିର୍ଦ୍ଦେଶକ, ଶ୍ରୀ ସତ୍ୟ ନାରାୟଣ ସେଠି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସିଂହାରୀ କଳା ନିକେତନର କଳାକାରମାନଙ୍କ ଦ୍ଵାରା ଆବାହନୀ ସଙ୍ଗୀତ ପରିବେଷଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଫେକ୍ଟୋରି ଓ ବୟଲର ନିର୍ଦ୍ଦେଶାଳୟ, ରାଉରକେଲା ମଣ୍ଡଳର ସହକାରୀ ନିର୍ଦ୍ଦେଶକ, ଶ୍ରୀ ମନୋଜ କୁମାର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। 

ପରେପରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ଇସ୍ପାତ, ସ୍ପଞ୍ଜ ଆଇରନ ଓ ପାୱାର ପ୍ଳାଣ୍ଟରେ ବିଭିନ୍ନ ସୁରକ୍ଷା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏନ.ଡ଼ି.ଆର.ଏଫ. ମୁଣ୍ଡୁଳି ଦ୍ଵାରା ଉପସ୍ଥାପିତ ଏକ ପ୍ରାଥମିକ ଚିକିତ୍ସା ଲାଇଭ ପ୍ରଦର୍ଶନ ଏବଂ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ପ୍ରସ୍ତୁତ ଏକ ଅଗ୍ନିଶମ ଉଦ୍ଧାର କାର୍ଯ୍ୟର ପ୍ରଦର୍ଶନ କର୍ମଶାଳାର ଅନ୍ୟତମ ଆକର୍ଷଣ ରହିଥିଲା।  

 

0
0
0
s2sdefault