ଧାର୍ଯ୍ୟ ସମୟ ଭିତରେ ସ୍ୱଚ୍ଛତାର ସହ କାର୍ଯ୍ୟକ୍ରମ ରୂପାୟନ ପାଇଁ ବିଧାୟକଙ୍କ ନିର୍ଦ୍ଦେଶ
(ଆଠମଲ୍ଲିକ/ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ ସଭାଘର ଠାରେ ଆଠମଲ୍ଲିକପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ଆଠମଲ୍ଲିକ ବିଧାୟକ ମାନ୍ୟବର ରମେଶ ଚନ୍ଦ୍ର ସାଏ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଭିନ୍ନ ପ୍ରକାର ଭତା,ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନା ଆଦି ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସଠିକ ସମୟରେ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ କାର୍ଯ୍ୟକରିବା ପାଇଁ ନିର୍ଦେଶ ଦେଇଥିଲେ I ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ଦଳେଇ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଆଠମଲ୍ଲିକ ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟ ସ୍ବାଗତ ଭାଷଣ ଓ ପ୍ରାରମ୍ଭକ ସୂଚନା ପ୍ରଦାନ କରି ସରକାରୀ କର୍ମଚାରୀ ମାନେ ଜନପ୍ରତିନିଧି ମାନଙ୍କ ସହିତ ଉତ୍ତମ ସମନ୍ଵୟ ରକ୍ଷାକରି କାର୍ଯ୍ୟ କଲେ ସରକାରଙ୍କର ବିଭିନ୍ନ ଲୋକହିତକର ଯୋଜନା ଲୋକମାନଙ୍କ ପାଖରେ ପହଂଚି ପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ I ଏହି ବୈଠକରେ ସମ୍ମାନୀତ ଅତିଥି ଭାବରେ ମାନ୍ୟବର ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ପରେଶ ଚନ୍ଦ୍ର ଦେଓ, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ କର୍ଣ୍ଣ, ଜିଲ୍ଲା ପରିଷଦ ସଦସ୍ୟା ବୈଜୟନ୍ତି ଦେହୁରୀ ଆଦି ଉପସ୍ଥିତ ଥିଲେ I ଏହି ବୈଠକରେ ବିଭିନ୍ନ ବିଭାଗ ଯଥା କୃଷି,ଜଙ୍ଗଲ, ଉଦ୍ୟାନକୃଷି, ସ୍ୱାସ୍ଥ୍ୟ, ଉଠାଜଳ ସେଚନ, କ୍ଷୁଦ୍ର ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ, ପ୍ରାଣୀଧନ ଚିକିତ୍ସା,ଶିକ୍ଷା ଆଦି ବିଭାଗର ଅଧିକାରୀ ଗଣ ଯୋଗଦାନ କରିଥିଲେ I ଏହି ଅବସରରେ ମାନ୍ୟବର ବିଧାୟକ ତାଳମଳିହା ଗ୍ରାମର ଭିନ୍ନକ୍ଷମ ଭୀମସେଠିଙ୍କୁ ଏକ ତିନିଚକିଆ ସାଇକେଲ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମ ରେ ବ୍ଲକର ସମସ୍ତ ଯନ୍ତ୍ରୀ, ତ୍ରୀସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ଜନପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭାସ୍କର ଚନ୍ଦ୍ର ବେହେରା, ପ୍ରଗତି ସହାୟକ ବିଜୟ କୁମାର ନାୟକ, ଉପସ୍ଥିତ ଥିବାବେଳେ ଶେଷରେ ବ୍ଲକ ସହକାରୀ ଯନ୍ତ୍ରୀ ଅଞ୍ଜନ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ I