ହେଡଲାଇନସ୍:

ଅଚାନକ ଜିଲ୍ଲା ଡାକ୍ତରଖାନାକୁ ସରପ୍ରାଇଜ ଭିଜିଟରେ ଗଲେ ଗ୍ରାମ୍ୟଉନ୍ନୟନ ପ୍ରମୁଖ ସଚିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି କଲେ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଅଭାବ ପୂରଣ ପାଇଁ ସରକାରୀ ସ୍ତରରେ ଉଦ୍ୟମର ପ୍ରତିଶ୍ରୁତି ଦେଲେ, 

ତ୍ରୁଟି ସଜାଡ଼ିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ମାସେ ସମୟ ଦେଲେ, 

ସ୍ଥିତିରେ କେତେ ଉନ୍ନତି ହୋଇଛି, ମାସେ ପରେ ପୁଣି କରିବେ ସମୀକ୍ଷା 

ଜଗତସିଂହପୁର (ରମେଶ ମହାନ୍ତି): ଏବେ ୫-ଟି ସଚିବ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଧାର୍ଯ୍ୟ ଗସ୍ତ ସୂଚୀ ଅନୁଯାୟୀ ହେଲିକପ୍ଟର ଯୋଗେ ତୋଫାନି ଗସ୍ତ କରି ଜିଲ୍ଲା ଡାକ୍ତରଖାନା ସ୍ଥିତି ପରଖୁ ଥିବା ବେଳେ  ଜଗତସିଂପୁର ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ବିନା କୌଣସି କାର୍ଯ୍ୟକ୍ରମରେ ବୁଧବାର ଅପରାହ୍ନରେ ଅଚାନକ ଭାବେ ପଶି ଯାଇଥିଲେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରରଖାନା ଭିତରକୁ | ଅଚାନକ ଭାବେ ଡାକ୍ତରଖାନାରେ ପଶିଯାଇଥିବା ଯୋଗୁ ଅନେକ ସମସ୍ୟା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବାସ୍ତବ ସ୍ଥିତି ତାଙ୍କ ନଜରକୁ ଆସିଥିଲା | ଅପ୍ର ତ୍ୟାଶିତ ଭାବେ ପ୍ରମୁଖ ଶାସନ ସଚିବଙ୍କ ଗସ୍ତରେ ଡାକ୍ତରଖାନା ଷ୍ଟାଫଙ୍କ ଇତଃସ୍ତତଃ ହୋଇପଡିଥିବା ବେଳେ ଶ୍ରୀ ଜେନା ଡାକ୍ତରଖାନା ପରିସର ବୁଲି ସ୍ଥିତି ଓ ଭିତ୍ତିଭୂମି ଯାଞ୍ଚ କରିବା ସହ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ | ଜିଲାସ୍ତରୀୟ ଡାକ୍ତରଖାନା ହୋଇ ବି ଯେତିକି ସୁବିଧା ସୁଯୋଗ ରହିବ କଥା ତାହା ନଥିବା ଅନୁଭବ କରିଥିଲେ | ପ୍ରମୁଖ ଶାସନ ସଚିବ ଶ୍ରୀ ଜେନା ପରିଲକ୍ଷିତ କରିଥିବା କେତେକ ସମସ୍ୟା ସମାଧାନ ପାଇଁ  ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା ସହ ଅନ୍ୟ କେତେକ ଅଭାବ ଅସୁବିଧା ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ |  

 ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଥିବା ବରିଷ୍ଠ ଆଇଏଏସ ଅଫିସର  ଶ୍ରୀ ଜେନା ୨ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବ୍ଲକରେ ଉନ୍ନୟନ ପ୍ରକଳ୍ପ  ପରିଦର୍ଶନ କରିବା ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ୧୩ଟି ଫ୍ଲାଗସିପ ପ୍ରୋଗ୍ରାମ ଯଥା ମମତା ଯୋଜନା,ଭତା ଯୋଜନା,ନିରାମୟ ଯୋଜନା,ସମଗ୍ର ଶିକ୍ଷା,ରୁରାଲ୍ ହାଉସିଂ,ଇତ୍ୟାଦି କେମିତି କାର୍ଯ୍ୟ କରୁଛି କ’ଣ କ’ଣ ସୁବିଧା ଅସୁବିଧା ରହୁଛି ବିଭାଗୀୟ ଶାସନ ସଚିବଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ  ବୋଲି କହିଥିଲେ । ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ପାଇବା ପରେ ପ୍ରଥମ ଥର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନକୁ ତୋଫାନି ଗସ୍ତ କରିଥିଲେ | ଅଧିକାରୀ, ଜନସାଧାରଣ , ହିତାଧିକାରୀଙ୍କ ସହିତ ସେମାନଙ୍କ ଭଲ ମନ୍ଦ ଆଲୋଚନା କରିବା ସହ ସ୍କୁଲ ଗସ୍ତ କରି ଶ୍ରେଣୀଗୃହ ଭିତରେ ପିଲା ମାନଙ୍କୁ ବୌଦ୍ଧିକ ପ୍ରଶ୍ନ ପଚାରିଥିଲେ | ଏ ଗସ୍ତ ସମୟରେ ପ୍ରମୁଖ ସଚିବ ଶ୍ରୀ ଜେନାଙ୍କ ଦୃଷ୍ଟିକୁ  କିଛି ଅବ୍ୟବସ୍ଥା ଆସିଥିବା ବେଳେ ତାକୁ ମାସକ ଭିତରେ ସଜାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ଆଉ ସରକାରୀସ୍ତରରେ ଯାହା ଆବଶ୍ୟକ ସେ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ | 

ଏରସମା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉତ୍ସର୍ଗୀକୃତ ବିଦ୍ୟୁତଯୋଗାଣ,ଜିଲ୍ଲାର ଏରସମା ଭଳି କଷ୍ଟସାଧ୍ୟ ଅଂଚଳରେ ରୋଗୀମାନଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଣ,ନିରାମୟ ଯୋଜନାରେ ସମସ୍ତ ରୋଗୀଙ୍କୁ ମାଗଣାରେ ସବୁ ଔଷଧ ବିତରଣ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ତଥା ଉନ୍ନତ କରିବା  ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ  ନିର୍ଦ୍ଦେଶ  ଦେଇଥିଲେ । ନିରାମୟ ଯୋଜନାରେ ଭଲ ଔଷଧ  ମାଗଣାରେ ମିଳୁଥିବା ସଂପର୍କରେ ଏଲ୍.ଇ.ଡି.ଟି.ଭି ପ୍ରଦର୍ଶନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ  । ଏହି ସମୀକ୍ଷା ବୈଠକରେ କୃଷି,ଉଦ୍ୟାନ କୃଷି,ମତ୍ସ୍ୟ ଚାଷ ସଂପର୍କରେ ଆଲୋଚନା ହୋଇଥିଲା । ଚାଷୀମାନଙ୍କୁ ସାର ଓ କୀଟନାଶକ ଯୋଗାଣ,ଫନୀକ୍ଷତି ଗ୍ରସ୍ତ ନଡିଆଚାଷୀଙ୍କୁ କ୍ଷତି ପୂରଣ,ଚାଷୀଙ୍କୁ ଅଧିକ ନଡିଆ ଚାରା ବଣ୍ଟନ ,ମତ୍ସ୍ୟଚାଷ କରୁଥିବା ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଠିକ ଭାବେ ଗାଇଡ୍ କରିବା,ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୧ମ ଓ ୨ୟ କିସ୍ତି ପ୍ରୋତ୍ସାହନ  ରାଶି ପ୍ରଦାନ ଓ ଏହାର ପ୍ରକୃତ ଉପଯୋଗ, ଅଙ୍ଗନବାଡୀ କର୍ମୀ ଓ ହେଲ୍ପରଙ୍କୁ ପ୍ରୋତ୍ସାହନ ପ୍ରଦାନ,ଗ୍ରାମ୍ୟ ଗୃହ ନିର୍ମାଣ,ଉଠା ଜଳ ସେଚନ ଦ୍ୱାରା  ଅଗଭୀର ନଳକୂପ ଖନନ,ମିଶନ ଶକ୍ତି,ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସୁରକ୍ଷା ଉପକରଣ ଓ ପ୍ରୋତ୍ସାହନ  ରାଶି ପ୍ରଦାନ, ଗ୍ରାମ୍ୟ ପାନୀୟ,ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ବିଦ୍ୟୁତ କରଣ ଯୋଜନା, ସାଧାରଣ ବଣନ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା, ଏସ୍.ସି-ଏସ୍.ଟି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଶାସନ ସଚିବଙ୍କ ସହିତ କ୍ଷେତ୍ର ପରିଦର୍ଶନ ଓ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜନ କଲ୍ୟାଣ ଯୋଜନା ଗୁଡିକର ଅଗ୍ରଗତି ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଲା  ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ଯଥା ଯୁଗ୍ମ ଜନ ଅଭିଯୋଗ ଶିବିରକୁ ୫୦୦ରୁ ଉର୍ଦ୍ଧ ଆବେଦନକାରୀ ଆସିବା ସେମାନଙ୍କ ପାଇଁ ଟେଣ୍ଟ, ପାନୀୟ ଜଳ,ବସିବା ପାଇଁ ଚେୟାର ଇତ୍ୟାଦି  ଅଭିଯୋଗ ଗୁଡିକ ଡିଜିଟାଇଜେସନ୍,ବ୍ଲକ, ତହସିଲ, ରେଜିଷ୍ଟ୍ରୀ ଅଫିସ, ଆଂଚଳିକ ପରିବହନ କାର୍ଯ୍ୟାଳୟ, ଡାକ୍ତରଖାନା, ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମାନଙ୍କରେ ଫିଡ଼ ବ୍ୟାକ ନିମନ୍ତେ ମତାମତ ବାକ୍ସ ସ୍ଥାପନ, ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମର  ପୁନଃରୁଦ୍ଧାର, ୧୦୦ କେ.ଭିର ଟ୍ରାନ୍ସଫର୍ମର ସ୍ଥାପନ, ଆଥଲେଟ ମାନଙ୍କୁ ସୁବିଧା ସୁଯୋଗ, ମା’ଶାରଳା ମନ୍ଦିରର ସୈାନ୍ଦର୍ଯ୍ୟକରଣ, ସିସିଟିଭି ସ୍ଥାପନ, ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ, ୫-ଟି ସଂପର୍କରେ ଅଧିକାରୀମାନଙ୍କ ସହିତ ସମୀକ୍ଷା ପ୍ରତିମାସ ୪ର୍ଥ ଶନିବାର, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ସାପ୍ତାହିକ ସମୀକ୍ଷା ବୈଠକ,ଜଗତସିଂହପୁର ଓ ପାରାଦ୍ୱୀପ ମୟୁନିସିପାଲିଟି ୱେବ  ପୋର୍ଟାଲ,ଜିଲ୍ଲା କାର୍ଯ୍ୟାଳୟରେ ଇ-ଅପିସ ଓ ଇ-ଡେଶପାଚ ବ୍ୟବସ୍ଥା,,ଅପ୍ରତ୍ୟାଶିତ ବିଭିନ୍ନ କାର୍ଯ୍ୟାଳୟ ପରିଭ୍ରମଣ ଓ ତଦାରଖ ସଂପର୍କରେ ପ୍ରମୁଖ ଶାସନ ସଚିବ ସଚିବଙ୍କୁ ଅବଗତ କରାଇଥିଲେ । ବୁଧବାର  ପ୍ରମୁଖ ଶାସନ ସଚିବ ପ୍ରଥମେ ଜଗତସିଂହପୁର ବ୍ଲକର ଶାଳଜଙ୍ଗଠାରେ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ତଦାରଖ,ବିଦ୍ୟାଳୟ କାନ୍ଥରେ କଳାତ୍ମକ ଚିତ୍ର ଅଙ୍କନ ଉପରେ ଗୁରୁତ୍ୱ,ଉନ୍ନତ ମାନର ଶିକ୍ଷାଦାନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ପରେ ଶାସନ ସଚିବ ବାଲିକୁଦା ବ୍ଲକ ଗସ୍ତରେ ଯାଇ କୃଷ୍ଣଦାସପୁର ପଂଚାୟତର ଜୟ ଜଗନ୍ନାଥ ନାରୀକେଳ ଉତ୍ପାଦକ ସଂଘର କର୍ମକର୍ତାଙ୍କ ସହ ଆଲୋଚନା  କରିବା ସହ ,ନଡିଆ ତେଲ ପ୍ରସ୍ତୁତି ପ୍ରଣାଳୀ, ଉତ୍ପାଦନ ବୃଦ୍ଧି କରି ମାର୍କେଟିଙ୍ଗ ମାଧ୍ୟମରେ ମହିଳା  କର୍ମକର୍ତା କିି ଲାଭବାନ୍ ହୋଇପାରିବେ ସେଥିପାଇଁ ବିଜିନେସ୍ ପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଖାଙ୍କରପୁର ପ୍ରାଥମିକ ବିଦ୍ୟାଳୟରେ ପହଚିଂ ବିଦ୍ୟାଳୟର ପରିବେଶ ଓ ସ୍ୱଛତା ଅନୁଧ୍ୟାନ କରିଥିଲେ । ଖାଙ୍କରପୁର ଅଙ୍ଗନବାଡୀ କେନ୍ଦ୍ର ପରିଦର୍ଶନ କରି କୁନି ପିଲାଙ୍କ ସହିତ ଭାବ ବିନିମୟ କରିଥିଲେ । ପରେ ଗୁମୁଟିଆ ପଂଚାୟତରେ ମା’ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଛ ପୋଖରୀ ପରିଦର୍ଶନ କରି ମହିଳାମାନେ କିପରି ଓବ୍ବତ ପ୍ରଣାଳୀରେ ମାଛଚାଷ କରି ଳାଭବାନ୍ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ ସଚିବ ଗୋଡା ପଂଚାୟତର ବିଭିନ୍ନ ସମସ୍ୟା ସଂପର୍କରେ ସରପଂଚଙ୍କ ସହ ଆଲୋଚନା,ଏରସମା ବ୍ଲକ ସୋମପୁର ପଂଚାୟତ ହଂସୁଆ ନଦୀ ବ୍ରିଜ ପରିଦର୍ଶନ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ରାସ୍ତାର ଅବସ୍ଥା ଅନୁଧ୍ୟାନ କରିଥିଲେ । ସୋମପୁର ପଂଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ଓ ପ୍ରଗତି କାଇଁଚ ଉତ୍ପାଦକ ଗୋଷ୍ଠୀ  ଦ୍ୱାରା ନିର୍ମିତ ହସ୍ତଶିଳ୍ପ ପଦାର୍ଥ ପରିଦର୍ଶନ କରିବା ସହିତ ସୁଲଭ ମୂଲ୍ୟରେ ବିକ୍ରୟ ବ୍ୟବସ୍ଥା,ଏରସମା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ, ଡାକ୍ତଖାନାର ବିଭିନ୍ନ ସମସ୍ୟା ନିରୀକ୍ଷଣ କରି ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ  । 

 ପ୍ରମୁଖ ଶାସନ ସଚିବଙ୍କ ସହ,ଗ୍ରାମ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଅନୁପ ପାଣିଗ୍ରାହୀ,ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି,ନିର୍ବାହୀ ଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ, ଜିଲ୍ଲା୍ର ଶ୍ରମ ଅଧିକାରୀ ବାବା ଆନନ୍ଦ ଦାସ, ଓରମାସ ଉପ କାର୍ଯ୍ୟାଧିକାରା ସତ୍ୟସୁନ୍ଦର ଶିବରାମ ପାଇଟାଳ, ଏରସମା ବି.ଡି.ଓ କୈଳାସ ଚନ୍ଦ୍ର ବେହେରା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସ୍ୱର୍ଣ୍ଣ ମଂଜରୀ ନାୟକ, ବାଲିକୁଦା ବିଡିଓ କଲ୍ୟାଣୀ ପଟ୍ଟନାୟକ, ସିଡିପିଓ ସରଳା ଦେଈ,ଜିଲ୍ଲ୍ା ଶିକ୍ଷା ଅଧିକାରିଣୀ ପ୍ରତିଭା ମଂଜରୀ ଦାସ ପ୍ରମୁଖ କ୍ଷେତ୍ର ପରିଦର୍ଶନରେ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ,ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି,ଜିଲ୍ଲାସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ,ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

0
0
0
s2sdefault