ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ-୨୦୧୯ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ  ପାରଳାଖେମୁଣ୍ଡି ସ୍ଥିତ  ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ-୨୦୧୯ ପାଳନ ଅବସରରେ  ପାରଳା ପୌର-ପରିଷଦ ପକ୍ଷରୁ  ବିଜୁ  କଲ୍ୟାଣ ମଣ୍ଡପ ପରିସରରେ ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ ଯୋଗଦେଇ ଯୋଗ , ପ୍ରାଣାୟାମ୍ , ଆସନ କଣ ଏବଂ ଏ ସବୁର ନିୟମିତ ଅଭ୍ୟାସ ଜାରୀ ରଖିବା ଦ୍ବାରା  ମନ କିଭଳି ସ୍ଥିର ରହିବା ସହ ଶରୀର ସୁସ୍ଥ ରହି ନିରାମୟ ଜୀବନ ଯାପନ ଶୈଳୀରେ କିଭଳି ତାହା ସହାୟକ ହୋଇଥାଏ ତାର ବିଭିନ୍ନ ଦିଗ ଉପରେ ବୁଝାଇ ଥିଲେ ।

    ଯୋଗ-ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ ଶିବିରରେ ମୁଖ୍ୟତଃ କେଉଁ ରୋଗ ପାଇଁ କେଉଁ ଯୋଗ ଓ ପ୍ରାଣାୟାମ୍ କଲେ ସମ୍ପୃକ୍ତ ରୋଗର ଉପଶମ ମିଳିଥାଏ , ତାହା ବୁଝାଇ ଯୋଗ ଅଭ୍ୟାସ କରାଇ ଥିଲେ । ଏଥିରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଓ ଯୁବ-ଗୋଷ୍ଠୀ ଯୋଗ ଦେଇଥିଲେ। 

ଏହା ପରେ ପରେ ବିଜୁ କଲ୍ୟାଣ ମଣ୍ଡପ ପରିସରରେ  ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି  ମେଗା ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟର ଏଡିଏମଓ ଡାଃ ଭି.ଲୋକନାଥ ରାଜୁ ଏବଂ ଔଷଧ ବିଶେଷଜ୍ଞ ଡାଃ ରବୀନ୍ଦ୍ର ନାଥ ମିଶ୍ରଙ୍କ ସମେତ ଫାର୍ମାସିଷ୍ଟ  ଏସ. କୋଟେଶ୍ୱର୍ ରାଓ  ଓ ଅଜୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି  ରକ୍ତଚାପ , ସୁଗାର୍ , ଡାଇବେଟିସ୍ ,ହାଡ-ବ୍ୟଥା , ବିଭିନ୍ନ ଯନ୍ତ୍ରଣା ଓ କଷ୍ଟ ପ୍ରଭୃତି ରୋଗର ଚିକିତ୍ସା ଓ ପରୀକ୍ଷା କରି ମାଗଣାରେ ଦରକାରୀ ଔଷଧ ସବୁ ଦେଇଥିଲେ ।

    ପୂର୍ବାହ୍ନରେ କଲ୍ୟାଣ ମଣ୍ଡପ ଠାରେ  ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପାରଳା ପୌର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ।

      ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁକୈଳାସ ପଟ୍ଟନାୟକ ଓ ସାଥୀ "ବନ୍ଦେ ଉତ୍କଳ ଜନନୀ " ସଙ୍ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ପାରଳା ପୌର ପରିଷଦର ପ୍ରଶାସକ ଅନୁପମ ଶାହା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିର ଯୁବପିଢିଙ୍କୁ ଆଗାମୀ ଦିନ ମାନଙ୍କରେ ନିଜର ପିତାମାତା ଓ ବୟସ୍କ ମାନଙ୍କ ପ୍ରତି  କିଭଳି ଉଚିତ ସମ୍ମାନ ଓ ଭକ୍ତିର ଆଚାର ବ୍ୟବହାର ମିଳିପାରିବ ସେଥିପାଇଁ  ନିଜ ଘରେ ସେମାନଙ୍କ ମଧ୍ୟରେ ମୂଲ୍ୟବୋଧ ଭିତ୍ତିକ ସଂସ୍କାର ଅଣାଯିବା ଉପରେ ବିଶେଷ ଗୁରୁତ୍ଵାରୋପ କରିଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂ , ପ୍ରକଳ୍ପ ନିର୍ଦେଶକ ,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଚଞ୍ଚଳ ରାଣା , ବରିଷ୍ଠ ଆଇନଜିବୀ ରାମନାଥ ମିଶ୍ର ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼ଃ ଜିତେନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ବୟସ୍କ ମାନଙ୍କ ଯତ୍ନ , ସୁରକ୍ଷା , ଆଇନ , ସରକାରୀ ଯୋଜନା ଓ ସହାୟତା ପ୍ରଭୃତିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରି ଯୁବପିଢ଼ି ଛୋଟ ପିଲା ସମୟରେ କିଭଳି ମା'ବାପାଙ୍କ ଲାଳନ ପାଳନରେ  ଆଜି ବଡ଼ ହୋଇଛନ୍ତି , ତାହା ନିଜେ ମନେପକାଇ  ସଚେତନ ହୋଇପାରିଲେ ହିଁ ଘର ଭିତରେ ବୟସ୍କ ମାନଙ୍କୁ ଉଚିତ ସମ୍ମାନ ଓ ଭକ୍ତି ରହିବା ସହ ଅବହେଳା ଓ ହିଂସାର ମାତ୍ରା ହ୍ରାସ ପାଇବା ନିଶ୍ଚିତ ବୋଲି କହିଥିଲେ ।

    ଏହି ଅବସରରେ ୪ ଜଣ ବରିଷ୍ଠ ନାଗରିକ ଯୋଗ-ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ , ଦେବରାଜ ପଟ୍ଟନାୟକ, ହରି ମୋହନ ପଟ୍ଟନାୟକ ଏବଂ ବରିଷ୍ଠ ଆଇନଜିବୀ ବଟକୃଷ୍ଣ ପାତ୍ରଙ୍କୁ ମାନପତ୍ର ଓ ଉପ-ଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

    ଏହି ଅବସରରେ  ବରିଷ୍ଠ ନାଗରିକ ଓ ଯୁବପିଢୀଙ୍କ ପାଇଁ ପ୍ରଫୁଲ୍ଲ ବେହେରା   "ଜେଇସେ କରନି ୱେଇସେ ଭରନି" ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ପୌର ପରିଷଦର  କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

    ସମସ୍ତ କାର୍ଯ୍ୟକ୍ରମକୁ  ପୌର ପରିଷଦର ପୌର-ଯନ୍ତ୍ରୀ ବି. ଭେଙ୍କେଟ ରମଣ,  ସହକାରୀ ଯନ୍ତ୍ରୀ ସଂଜୀବ ଚମ୍ପତ୍ତି ,କନିଷ୍ଠ ଯନ୍ତ୍ରୀ ଡି.ଯୁଧିଷ୍ଠିର , କନିଷ୍ଠ ଯନ୍ତ୍ରୀ ବିନୋଦ କୁମାର କିଷାନ ଏବଂ ବିରଞ୍ଚି ମିଶ୍ର , ଘନଶ୍ୟାମ ବେହେରା ,ମହାନ୍ତି ବାବୁ, ପ୍ରଦୀପ କୁମାର ଲିମା , ଇନ୍ଦିରା ଗୌଡ , ଉଜଲତା ସ୍ୱାଲସିଂ ଏବଂ ରଶ୍ମିତା ନାୟକ  ପ୍ରମୁଖ ପରିଚଳନା କରିଥିଲେ।

0
0
0
s2sdefault