ପର୍ଯ୍ୟଟନ-ପର୍ବ ପାଳନ ଉପଲକ୍ଷେ  ଜିଲ୍ଲା ସ୍ତରୀୟ  ବକ୍ତୃତା ପ୍ରତିଯୋଗିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପର୍ଯ୍ୟଟନ-ପର୍ବ  ଆସନ୍ତା ଅକ୍ଟୋବର ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବା ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭା ଗୃହ ଠାରେ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଏକ ଜିଲ୍ଲା-ସ୍ତରୀୟ ବକ୍ତୃତା ପ୍ରତିଯୋଗିତା  ଅନୁଷ୍ଠିତ ହୋଇ ଯାଇଛି ।

    ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତିଯୋଗିତାର ମୁଖ୍ୟ ବିଷୟ ବସ୍ତୁ "ଦେଶର ଅର୍ଥନୈତିକ ବିକାଶରେ ପର୍ଯ୍ୟଟନର ଭୂମିକା" ଶୀର୍ଷକ ଉପରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଚିତ୍ତାକର୍ଷକ ବକ୍ତୃତା ପ୍ରଦାନ କରିଥିଲେ ।  ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଇସାନ ଚାନ୍ଦ ଓଁକାର ଏବଂ ବରିଷ୍ଠ ଶିକ୍ଷୟତ୍ରୀ ସୁଲତା ପ୍ରିୟଦର୍ଶନୀ ଯୋଗ ଦେଇଥିଲେ ।

   ପରେ  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇଙ୍କ  ଅଧ୍ୟକ୍ଷତା ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ  ସଂଯୋଜନା କରି ପର୍ଯ୍ୟଟନ -ପର୍ବ ପାଳନର ଆଭିମୁଖ୍ୟ ସମ୍ପର୍କରେ କହି ଜିଲ୍ଲାର ପର୍ଯ୍ୟଟନ ସ୍ଥଳିର ଚିହ୍ନଟ କରଣ କରାଯିବା ସହ ଲୁକାୟୀତ  ରହିଥିବା ପର୍ଯ୍ୟଟନ ସ୍ଥଳି  ଗୁଡ଼ିକ ଉପରେ  ଜାଣିପାରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

    ବରିଷ୍ଠ ଶିକ୍ଷୟତ୍ରୀ ସୁଲତା ପ୍ରିୟଦର୍ଶନୀ ମଞ୍ଚାସୀନ ରହି ପର୍ଯ୍ୟଟନ ସ୍ଥଳିର ବିକାଶ ହେଲେ  ତାହା ଦ୍ବାରା ଅଞ୍ଚଳର ଓ ଅଞ୍ଚଳବାସୀଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କିଭଳି ଅଭିବୃଦ୍ଧି ଘଟିଥାଏ , ପର୍ଯ୍ୟଟନ ସ୍ଥଳୀର ବିକାଶ କିଭଳି ହେବା ଦରକାର ସେ ସବୁର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

       ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିବା ବେଳେ ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ   ଶିଶୁ ବିଦ୍ୟା ମନ୍ଦିରର ସ୍ମୃତି ରଞ୍ଜନ ଅଧିକାରୀ ପ୍ରଥମ ସ୍ଥାନ,   ସୁସ୍ମିତା ପଣ୍ଡା  ଦ୍ବିତୀୟ ସ୍ଥାନ ଓ ପ୍ରତୀକ୍ଷା ରଥ ତୃତୀୟ ସ୍ଥାନ   ଅଧିକାର କରିଥିଲେ।

     ସମସ୍ତ କାର୍ଯ୍ୟକ୍ରମକୁ  ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦୁର୍ଗା ମାଧବ ପାଢ଼ୀ ଏବଂ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault