ହେଡଲାଇନସ୍:

ମୟୂରଭଞ୍ଜରୁ ବିମାନ ଉଡ଼ାଣ ଏବେ ଏକ ପ୍ରଶ୍ନବାଚୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିମାନ ସେବା ଫାଇଲରେ ଲାଗିଯାଇଛି କି ଅଳନ୍ଧୁ !!!!!!

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରୁ ବିଭିନ୍ନ ସହରକୁ ବିମାନ ସେବା କେବେ ଶୁଭାରମ୍ଭ ହେବ ତାହା ଏବେ ପ୍ରଶ୍ନବାଚୀ ହୋଇଯାଇଛି । ଭୂବନେଶ୍ୱରରେ ଗତ ୨୦୧୫ ନଭେମ୍ବର ୨୦ ଶୁକ୍ରବାର ଅନୁଷ୍ଠିତ  ହୋଇଥିବା ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ମୟୂରଭଞ୍ଜ ଜିଲାରୁ ବିମାନ ଉଡ଼ାଣ ଉପରେ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ମୟୂରଭଞ୍ଜରୁ ୨୦୧୬ ସୁଦ୍ଧା ବିମାନ ସେବା ଉପଲବ୍ଧ ହେବାର ଘୋଷଣା କରିଥିଲେ । ଏଥି ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଜିଲା ବିଜଦର ଯୁବ, ଛାତ୍ର ଓ ମହିଳା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା । ମାତ୍ର ଏହା ମଧ୍ୟରେ ତିନି ବର୍ଷ ଅତିକ୍ରମ ହୋଇ ସାରିଥିଲେ ମଧ୍ୟ ମୟୂରଭଞ୍ଜ ଜିଲାରୁ ବିମାନ ଉଡ଼ାଣର କୌଣସି ପ୍ରସ୍ତୁୁତି ଆରମ୍ଭ ହୋଇପାରିଲା ନାହିଁ । ସୂଚନା ଯୋଗ୍ୟ ଯେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିଚାଳିତ ଏନ୍ଡ଼ିଏ ସରକାରର ପ୍ରଥମ ପାଳି ଆରମ୍ଭର ଏକ ବର୍ଷ ପରେ ସରକାରଙ୍କ ଅଧୀନରେ ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ବେସାମରିକ ବିମାନ ଉଡ଼ାଣ ନିମନ୍ତେ ନୂତନ ଜାତୀୟ ନୀତିର ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା । ଏଥିରେ ସୁଲଭ ମୂଲ୍ୟରେ ଅର୍ଥାତ୍ ସର୍ବାଧିକ ୨୫୦୦ ଟଙ୍କା ଭଡ଼ା ମଧ୍ୟରେ ଛୋଟ ଛୋଟ ସହରଗୁଡ଼ିକୁ ବିମାନ ସେବାର ଶୁଭାରମ୍ଭ, ବିଦେଶରେ ଘରୋଇ ବିମାନ ସେବା ଆରମ୍ଭ କରିବା ପାଇଁ ନିୟମକୁ କୋହଳ କରିବା ସଂଗେ ସଂଗେ ବନ୍ଦ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏୟାର ଷ୍ଟ୍ରିପଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଇବାର ପ୍ରସ୍ତାବକୁ ୨୦୧୫ ଶେଷ ସୁଦ୍ଧା ଚୂଡ଼ାନ୍ତ ରୂପରେଖ ଦିଆଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପି. ଅଶୋକ ଗଣପତି ରାଜୁ ଗତ ୨୦୧୫ ଅକ୍ଟୋବର ୩୦ରେ ନୂଆ ଚିଠା ଆଗତ କରିଥିଲେ । ଏଥି ସହିତ ବେସାମରିକ ବିମାନ ଚଳାଚଳ ସଚିବ ଆର୍ ଏନ୍ ଚୌବେଙ୍କ ଘୋଷଣା ଅନୁସାରେ ମହାନଗର ଓ ଛୋଟ ଛୋଟ ସହର ମଧ୍ୟରେ ସ୍ୱଳ୍ପ ସମୟ ମଧ୍ୟରେ ଯାତାୟତ ନିମନ୍ତେ ଏକ ଘଣ୍ଟାର ଉଡ଼ାଣ ନିମନ୍ତେ  ଯାତ୍ରୀମାନଙ୍କୁ ସର୍ବାଧିକ ୨୫୦୦ ମଧ୍ୟରେ ଭଡ଼ା ଦେବାକୁ ପଡ଼ିବ । ଉକ୍ତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଗଲେ ଯେଉଁ କ୍ଷତି ହେବ ତାର ଭରଣା ବାସ୍ତବିକ ମୂଲ୍ୟ ଓ ଭଡ଼ାର ଅନ୍ତର ପାଣ୍ଠି ଭିଜିଏଫ୍ରୁ ଭରଣା କରାଯିବ । ଭିଜିଏଫରୁ ୮୦ ପ୍ରତିଶତ ଅର୍ଥ କେନ୍ଦ୍ର ଯୋଗାଇ ଦେଉଥିବା ସମୟରେ ଅବଶିଷ୍ଟ ୨୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଯୋଗାଇ ଦେବ ବୋଲି କୁହାଯାଇଥିଲା । ଏଥି ସହିତ  ଭାରତର ବିଭିନ୍ନ ସହରମାନଙ୍କରେ ୪୩୦ରୁ ଅଧିକ ବିମାନ ବନ୍ଦର ରହିଥିବା ସମୟରେ ଏହା ମଧ୍ୟରୁ ପ୍ରାୟ ୯୦ ଗୋଟି ସଂଚାଳନ ଉପଯୋଗି ରହିଅଛି । ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବିମାନ ବନ୍ଦରଗୁଡ଼ିକୁ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ଉନ୍ନତି କରଣ କରାଯିବାର ପ୍ରସ୍ତାବ ରହିଥିଲା ।
 ବ୍ରିଟିଶ ଶାସନ ସମୟରେ ୫ ଶହ ଏକରରୁ ଅଧିକ ଅଂଚଳ ଏବଂ ୫ କିଲୋମିଟର ରନୱେକୁ ନେଇ ନିର୍ମିତ ରାସଗୋବିନ୍ଦପୁର ଏୟାର ଷ୍ଟ୍ରିଫ ସାମରିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରିଥିଲା । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟିଶ ସରକାର ଉକ୍ତ ବିମାନ ଘାଟିକୁ ତାର ସାମରିକ ଘାଟି ଭାବେ ବ୍ୟବହାର କରୁଥିଲା । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଦାଣ୍ଡପୋଷ, ରଜାବସା ଆଦି ବିମାନ ଘାଟି ରହିଛି । ଏହି ସମସ୍ତ ପରିତ୍ୟକ୍ତ ବିମାନ ଘାଟି ପୁର୍ନଉଦ୍ଧାର କରାଯାଇପାରିଲେ ଜିଲ୍ଲାକୁ ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶ ଭିତରୁ ମଧ୍ୟ ପର୍ଯ୍ୟଟମାନେ ମୟୂରଭଞ୍ଜ ଭ୍ରମଣର ସୁବିଧା ସୁଯୋଗ ପାଇପାରନ୍ତେ ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆଗତ ଚିଠା ପ୍ରସ୍ତାବ ଅନୁସାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲାର ଜନସାଧାରଣଙ୍କୁ ବିମାନ ସେବା ଯୋଗାଇ ଦେବା ନିମନ୍ତେ ଆଗେଇ ଆସିଥିଲେ । କିନ୍ତୁ ରାଜ୍ୟର ଝାରସୁଗୁଡ଼ା ସହରରୁ ବିମାନ ଉଡ଼ାଣ ଆରମ୍ଭ ହୋଇସାରିଥିବା ସମୟରେ ମୟୂରଭଞ୍ଜ ଜିଲାରୁ ଦେଶ ଭିତରେ ବିଭିନ୍ନ ସହରକୁ ବିମାନ ସେବା ଫାଇଲରେ ଅଳନ୍ଧୁ ଲାଗିଯାଇଛି। ଏହାକୁ ତୀବ୍ର ଭାବେ ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଯୁଗେଶ ଅଗ୍ରୱାଲ ଓ ଭଞ୍ଜସେନାର କାର୍ଯ୍ୟକାରୀ ସଭାପତି ରାକେଶ ସିଂ। ପିସିସି ସାଧାରଣ ସମ୍ପାଦକ ଶ୍ରୀ ଅଗ୍ରୱାଲାଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ଯାହା କୁହନ୍ତି ତାହା କାର୍ଯ୍ୟରେ ପରିଣତ କରନ୍ତି ନାହିଁ । ଓଡ଼ିଶାରେ ୨୦ ବର୍ଷର ଶାସନରେ କେବଳ ମିଥ୍ୟା ପ୍ରତିଶ୍ରୁତିର ମରିଚିକା ମଧ୍ୟରେ ରାଜ୍ୟବାସୀଙ୍କୁ ପ୍ରତାରିତ କରିଚାଲିଛନ୍ତି ବୋଲି କହିଥିବା ବେଳେ ଭଞ୍ଜସେନାର କାର୍ଯ୍ୟକାରୀ ସଭାପତି ଶ୍ରୀସିଂ ମୁଖ୍ୟମନ୍ତ୍ରୀ ନବୀନ କାମରେ ନୁହେଁ କାବଳ କଥାରେ ବିଶ୍ୱାସ ରଖନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶାସନରେ ମୟୂରଭଞ୍ଜ ଜିଲ୍ଲା ବିଶେଷ ଭାବେ ଉପେକ୍ଷିତ ହୋଇଆସୁଛି । ଜିଲ୍ଲାରେ ବିକାଶ ନାମରେ କୋଟି କୋଟି ଟଙ୍କା ହରିଲୁଟ ହେଉଛି ବୋଲି କହିଛନ୍ତି ।

0
0
0
s2sdefault