ରାୟଗଡା ବ୍ଲକ ତରଫରୁ ଆବାସ ମେଳା : ୪୬୩ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରାୟଗଡା (ସରୋଜ ସାହୁ ) – ରାୟଗଡା ବ୍ଲକ ତରଫରୁ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆବାସ ମେଳା ଅନୁଷ୍ଠିତ  ହୋଇଯାଇଅଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ରୂପେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡା ବ୍ଲକ ଅଧ୍ୟକ୍ଷ ରାମୁଲୁ ପେଦେଂଟି, ଉପାଧ୍ୟକ୍ଷ ମିନତୀ ବାଚେଲି, ଜିଲ୍ଲା ପରିଷଦ ସଭ୍ୟ ପି.ଗୌରୀ ଶଙ୍କର, ଅମ୍ବିକା ବିଡିକା ଓ ଗଙ୍ଗାଧର ପୁଆଲା  ଯୋଗ ଦେଇଥିଲେ । ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସରକାରୀ ସୁବିଧା ସଂପର୍କରେ  ଆଲୋକପାତ କରିଥିଲେ । ସରକାରଙ୍କ ତରଫରୁ ଘର ନିର୍ମାଣ କରିବା ନିମନ୍ତେ ୧ ଲକ୍ଷ ୩୦ ହଜାର ଟଙ୍କା ଦିଆଯାଉଛି । ଚାରି ମାସ ମଧ୍ୟରେ ଗୃହ ନିର୍ମାଣ କାମ ସଂପୂର୍ଣ୍ଣ କଲେ ସରକାରଙ୍କ ତରଫରୁ ପ୍ରୋତ୍ସାହନ  ରାଶି ୨୦ ହଜାର ଟଙ୍କା ଏବଂ ୬ ମାସ ମଧ୍ୟରେ ଘର କାମ ସଂପୂର୍ଣ୍ଣ କଲେ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଗ୍ରାମାଚଂଳରେ ପ୍ରତିଟି ଘର ପକ୍କା ହେବା ସହ ନିର୍ଧାରିତ ସମୟ ମଧ୍ୟରେ ଗୃହ  କାମ ସାରିବାକୁ ମନ୍ତ୍ରୀ ଜଗନ୍ନାଥ ସାରକା ହିତାଧକାରୀ ମାନଙ୍କୁ ଅନୁରୋଧ କରିଥିଲେ । ସରକାରଙ୍କ ଯୋଜନା କିପରି ଲୋକାଭିମୁଖୀ ହେବା ସେଥିପାଇଁ ସମସ୍ତଙ୍କ ସହ ଯୋଗ କାମନା କରିଥିଲେ । ରାୟଗଡା ବ୍ଲକର ୨୮ ଗୋଟି ଗ୍ରାମ ପଂଚାୟତର ୪୬୩ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ୧୭ ଜଣଙ୍କୁ ଇନ୍ଦିରାଗାନ୍ଧୀ ଜାତୀୟ ପେନସନ, ୩୩ ଜଣଙ୍କୁ ଇନ୍ଦିରାଗାନ୍ଧୀ ବିଧବା ପେନସନ ଓ ୨୫୯ ଜଣଙ୍କୁ ମଧୁବାବୁ ପେନସନ ଯୋଜନାର ଭତ୍ତା ବଂଟନ କରାଯାଇଥିଲା । ମୋଟ ୩୦୯ ଜଣଙ୍କୁ ୪ ଲକ୍ଷ ୬୩ ହଜାର ୫ ଶହ ଟଙ୍କା ଭତ୍ତା ବଂଟନ କରାଯାଇଥିଲା । ରାୟଗଡା ତହସିଲ କାର୍ଯ୍ୟାଳୟ ତରଫରୁ ତହସିଲଦାରଙ୍କ ଉପସ୍ଥିତିରେ ଅତିଥି ମାନେ ୧୧୨ ଜଣ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ବଂଟନ କରିଥିଲେ । ଏଥି ସହ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ତିନି ଚକିଆ ଯାନ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ  ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷକ ନିଳାଚଂଳ ମିଶ୍ର ସହଯୋଗ କରିଥିଲେ  ।


0
0
0
s2sdefault