ଶ୍ରୀରଘୁନାଥ ଜିଉଙ୍କ ଝୁଲଣ ଯାତ୍ରା ଆରମ୍ଭ: ପୁତ୍ରଦା ଏକାଦଶୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ଶ୍ରାବଣ ଶୁକ୍ଲପକ୍ଷ ପୁତ୍ରଦା ଏକାଦଶୀ ତିଥି ତଥା ଆଜିଠାରୁ ଓଡଗାଁ ଶ୍ରୀରଘୁନାଥ ଜିଉଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ସନ୍ଧ୍ୟାରେ ନୀତିକାନ୍ତି ସହ ଶ୍ରୀଜିଉମାନଙ୍କୁ କର୍ପୁର ଆଳତୀ ଓ ମହାଆଳତୀ ଲାଗି କରାଯିବା ପରେ ଏକାଦଶୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ପରେ ଶ୍ରୀଜିଉମାନଙ୍କ ବିଜେ ପ୍ରତିମା ଆଜ୍ଞାମାଳ ପାଇଁ ମଣି ବିମାନରେ ବିଜେ ହୋଇ ଏକ ସ୍ୱତନ୍ତ୍ର ପଟୁଆରରେ ବେଢା ପରିକ୍ରମା କରିଥିଲେ । ଏହି ସମୟରେ ବେଢାରେ ଥିବା ସୂର୍ଯ୍ୟ ମନ୍ଦିର ନିକଟରେ ଏକାଦଶୀ ଗୀତ ଗାୟନ ଓ ସଂକୀର୍ତନ ନୀତି କରାଯାଇ ନାଟ୍ୟମଣ୍ଡପରେ ଏକାଦଶୀ ଖଟୁଲିରେ ବିଜେ  ହୋଇ ବିଶ୍ୱର କଲ୍ୟାଣ ପାଇଁ ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ଷୋଡଶ ଉପଚାର, ରାଜଭୋଗ ନୈବେଦ୍ୟ ଅର୍ପଣ, ବନ୍ଦାପନା ଓ ଆଳତୀ ପରେ ରତ୍ନବେଦୀକୁ ବିଜେ ହୋଇ ଦକ୍ଷିଣୀ ମୁହାଁ ଆମ୍ଲାନ କରିଥିଲେ  । ଅନ୍ନଧୂପ ସହ ଚତୁଃଶମ, ଗୀତ ଗୋବିନ୍ଦ ନୀତି କରାଯାଇ ରନôବେଦୀରେ ପୂଜିତ ଶ୍ରୀକୃଷ୍ଣ ଓ ରାଧାଙ୍କୁ ରୈାପ୍ୟ ଖଟୁଲିରେ ବିଜେ ଓ ବେଶ ଲାଗି  କରାଯାଇ ସ୍ୱତନ୍ତ୍ର ପଟୁଆରରେ ଦକ୍ଷିଣ ଦ୍ୱାରରେ ଥିବା ଝୁଲଣ ମଣ୍ଡପକୁ ବିଜେ କରାଯାଇଥିଲା । ଝୁଲା ଚଉଦୋଳରେ ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ଶ୍ରୀଜିଉଙ୍କୁ  ଆରୋହଣ କରା ଯାଇଥିଲା । ଏଠାରେ ରାଜଭୋଗ ସହ ଆଳତୀ ସମର୍ପଣ କରାଯାଇ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ଝୁଲଣନୀତି ଅନୁଷ୍ଠିତ ହୋଇଥିଲା । ପାଇକସାହି କଳାକାରମାନଙ୍କ ଦ୍ୱାରା ସଂକୀର୍ତନ ପରିବେଷଣ କରାଯାଇଥିଲା । ରାତି ସାଢେ ୧୦ଟାରେ ବିଜେ ପ୍ରତିମା ରତ୍ନବେଦୀକୁ ଫେରିଥିଲେ ।  ଏହି ଝୁଲଣ ଯାତ୍ରା ଗହ୍ମାପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲୁ ରହିବ । ଆଜିର ପାଳିଆପଣ୍ଡା ଅଶୋକ କୁମାର ନନ୍ଦ, ପୂଜକ ପରିଷଦର ସମସ୍ତ କର୍ମକର୍ତା, ମନ୍ଦିର ପରିଛା ହରିବନ୍ଧୁ ଷଡଙ୍ଗୀ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଆଜିର ସମସ୍ତ ନୀତିକାନ୍ତି ପରିଚାଳନା କରିଥିଲେ । ଶ୍ରୀଜିଉଙ୍କ ଦର୍ଶନ ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

0
0
0
s2sdefault