ଦୁଃଖ ଦେଇଗଲେ ଗଲେ ଦୟାନିଧି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୯୪ ବର୍ଷ ବୟସରେ ଆଖି ବୁଜିଦେଲେ ସ୍ୱାଧିନତା ସଂଗ୍ରାମୀ ଦୟାନିଧି ନାୟକ
ଶ୍ରଦ୍ଧା ସୁମନ ଅର୍ପଣ କଲେ ମନ୍ତ୍ରୀ ଶୁଶାନ୍ତ ସିଂ, ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦାୟୀ ଗାର୍ଡ ଅଫ ଅନର


ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ସଂଗ୍ରାମୀପୀଠ ପାଣିମୋରା ଗା୍ରମର ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକ(୯୪)ଙ୍କ ଆଜି ପରଲୋକ ହୋଇ ଯାଇଛି । ଆଜି ଭୋରରୁ ତାଙ୍କର ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବରଗଡର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ପାଣିମୋରାସ୍ଥିତ ସଂଗ୍ରାମୀଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ସ୍ୱାଧୀନତା ଆନେ୍ଦାଳନରେ ପାଣିମୋରା ଗ୍ରାମର ୩୨ଜଣ ଯୁବକ ଯୋଗଦେଇ କାରାବରଣ କରିଥିଲେ । ଓଡିଶାରେ ଏକକାଳୀନ ୩୨ଜଣ ଯୁବକ ସ୍ୱାଧୀନତା ଆନେ୍ଦାଳନରେ ଭାଗ ନେଇ କାରାବରଣ କରିବା ବିରଳ ଦୃଷ୍ଟାନ୍ତ ଅଟେ । ସେମାନଙ୍କ ମଧ୍ୟରୁ ୩୦ଜଣ ଆରପାରିକୁ ଚାଲିଗଲେଣି । ଜୀବିତ ଥିବା ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ଆଜି ପରଲୋକ ହୋଇଯାଇଛି । ଏବେ ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ଜୀତେନ୍ଦ୍ରୀୟ ପଧାନ ଜୀବିତ ଅଛନ୍ତି ।

ଏଠାରେ ସୁଚନା ଯୋଗ୍ୟ ଯେ ସ୍ୱାଧୀନତା ଆନ୍ଦୋଳନରେ ୧୯୪୨ ମସିହାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ପାଣିମୋରା ଗ୍ରାମରୁ ୪୨ଜଣ ଯୁବକ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାକୁ ଚାଲିଚାଲି ବରଗଡକୁ ଯାଇଥିଲେ । ସେଠାରେ ବାଲିଜୁରୀ ହାଟପଦାରେ ପିକେଟିଂ,ଇଂରେଜ ସରକାର ଦ୍ୱାରା ବ୍ୟାଜ୍ୟାପ୍ତ ହୋଇଥିବା  କଂଗ୍ରେସ ଅଫିସର ତାଲା ଭାଙ୍ଗିବା ସହିତ ଏସଡିଓ ଅଫିସର ଚୌକି ଦଖଲ କରିବା ଅଭିଯୋଗରେ ପୋଲିସ ୪୨ଜଣଙ୍କୁ ଗିରଫ କରିଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ କମ ବୟସ ହୋଇଥିବାରୁ ସେମାନଙ୍କୁ ଛାଡି ଦେଇ ବାକି ୩୨ଜଣଙ୍କୁ ପୋଲିସ ଗିରଫ କରିଥିଲେ । ସଂଗ୍ରାମୀ  ଦୟାନିଧି ନାୟକ ବଜାର ପିକେଟିଂ କରି ଗିରଫ ହୋଇ ୯ମାସ ସମ୍ବଲପୁର ଜେଲରେ କାରାବରଣ କରିଥିଲେ । ପାଣିମୋରା ଗ୍ରାମର ପିତା ଟିମନ ନାୟକ ଓ ମାତା ପାର୍ବତୀ ନାୟକଙ୍କ ସନ୍ତାନ ଦୟାନିଧି ୧୯୨୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଦୟାନିଧି ଜଣେ  ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ଦୁର୍ନିତୀକୁ ସେ ଆଦୌ ପ୍ରଶ୍ରୟ ଦେଉ ନଥିଲେ । ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍କାଳୀନ  ରାଷ୍ଟ୍ରପତି ପ୍ରତିଭା ଦେବୀସିଂ ପାଟିଲଙ୍କ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଚଂଳରେ ଶୋକର ଛାଇ ଖେଳିଯାଇଛି । ଖବର ପାଇବା କ୍ଷଣି ରାଜ୍ୟ ସରକାରଙ୍କ ତରଫରୁ ଜିଲାପାଲ ଇନ୍ଦ୍ରମଣୀ ତ୍ରିପାଠୀ, ଜିଲା ପ୍ରକଳ୍ପ ଅଧିକାରୀ କୃତୀବାସ ରାଉତ, ପଦ୍ମପୁର ଉପଜିଲାପାଲ ତନ୍ମୟ କୁମାର ଦରୱାନ, ସୋହେଲା ଥାନା ଆଇଆଇସି ନିର୍ମଲ କୁମାର ମହାପାତ୍ର, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ମିଶ୍ର,  ଅତିରିକ୍ତ ତହସିଲଦାର ମାନସ ରଂଜନ ସ୍ୱାଇଁ, ଭାରପ୍ରାପ୍ତ ବିଡିଓ ତଥା ସହକାରୀ ଯନ୍ତ୍ରୀ ନରେଶ ଅଗ୍ରୱାଲ ପ୍ରମୁଖ ଅଧିକାରୀ ତଥା ପଶ୍ଚିମ ଓଡିଶା ସ୍ୱାଧୀନତା ସଂଗ୍ରାମୀ ସ୍ମୃତି କମିଟୀର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ଡାକ୍ତର ଶିଶିର କୁମାର ସାହୁ, ଟେକଚାନ୍ଦ ଦୁଆନ, ସୁଧିର ଦେବତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଭ୍ୟ ସୁବ୍ରତ ବେହେରା, ସୁଶାନ୍ତ ମିଶ୍ର, ଦେଶବନ୍ଧୁ ପଧାନ,ମୁକ୍ତେଶ୍ୱର ପଧାନ, ଉପେନ୍ଦ୍ର ମହାପାତ୍ର, କୁଂଜ ଦୁଆନ, କୁଳମଣୀ ଦେୱାନ, ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ଗ୍ରାମବାସୀ ବାସଭବନକୁ ଯାଇ ଶେଷ ଦର୍ଶନ ସହିତ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ, ବରଗଡ ଓୟୁଜେ ସାମ୍ବାଦିକ ସଂଘ ତରଫରୁ କ୍ଷମାନିଧି ନାୟକ, ରଂଜନ କୁମାର ଦେବତା, ସତ୍ୟଜିତ ପଧାନ, ଗଣଇସ୍ତାହାର ତରଫରୁ ଉମେଶଚନ୍ଦ୍ର ବିଶ୍ୱାଲ ପ୍ରମୁଖ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।  ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ରାମଧୁନ ଗାନକରି ଗ୍ରାମ ପରିକ୍ରମା କରିବା ପରେ ଛକରେ ଥିବା ସ୍ୱାଧିନତା ସଂଗ୍ରାମୀ ସ୍ମୃତିପୀଠକୁ ଅଣାଯାଇଥିଲା । ସେଠାରେ ପାଣିମୋରା ହାଇସ୍କୁଲ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ସଂଗ୍ରାମୀଙ୍କ ପାର୍ଥିକ ଶରୀରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଂଜଳୀ ଜ୍ଞାପନ କରିବା ପରେ ତାଙ୍କ ମରଶରୀରରକୁ ଅନ୍ତେ୍ୟଷ୍ଟି ପାଇଁ ତାଙ୍କ ଖଳାକୁ ନେଇଥିଲେ । ସେଠାରେ ପୋଲିସ ପ୍ରଶାସନ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରା ଯାଇଥିଲା । ତାଙ୍କ ନାତି କମ୍ବୁ ନାୟକ ମୁଖାଗ୍ନୀ ଦେଇଥିଲେ । ଆଜି ତାଙ୍କ ବିୟୋଗରେ ପାଣିମୋରା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଶେଷଦେବ ମେହେରଙ୍କ ସଭାପତିତ୍ୱରେ ଏକ ଶୋକ ସଭା କରାଯାଇଥିଲା । ମୃତ୍ୟୁ  ପର୍ଯ୍ୟନ୍ତ ସେ ଚଳ ଚଂଚଳ ଥିଲେ ।

0
0
0
s2sdefault