ବନ୍ୟା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତିର ସୁପରିଚାଳନା ପାଈଁ ଜିଲ୍ଲାପାଳଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ  ଅଞ୍ଚଳରେ  ଗତ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବହୁ ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ହୋଇଛି ।ଏହାକୁ ଦୃଷ୍ଟିରେ ରଖି  ଏହାର ତୁରନ୍ତ ମରାମତି , ଥଇଥାନ , ପୁନଃଉଦ୍ଧାର ଓ ସହାୟତାର ସୁପରିଚାଳନା ପାଇଁ  ବିଭିନ୍ନ ବିଭାଗର ଜିଲ୍ଲାସ୍ତର ଅଧିକାରୀ ମାନଙ୍କୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା  ନିର୍ଦ୍ଦେଶ ଦେଇଛନ୍ତି ।
       ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଶାହା ଏକ ପ୍ରେସ୍ ବିବୃତିରେ ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି ଯେ , ଗଜପତି ଜିଲ୍ଲାରେ ଗତ ଲଗାଣ ବର୍ଷାର ୭ ତାରିଖ ଦିନ ହାରାହାରି ୮୮.୨୦  ମିଲିମିଟର ବର୍ଷା ହୋଇଥିବା ବେଳେ ୮ ତାରିଖ ଦିନ ହାରାହାରି ୬୭.୪୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି ।
     ଏହି ଲଗାଣ ବର୍ଷା ଫଳରେ ଜିଲ୍ଲାର କାଶୀନଗର  ବ୍ଲକ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି ,ଏହାର କାରଣ  ହେଲା ଯେ ,ଗୁଣପୁର ସ୍ଥିତ ବଂଶଧାରା ନଦୀରୁ ତଳ ମୁଣ୍ଡକୁ ଅତ୍ୟଧିକ  ବନ୍ୟାଜଳ ଆସିଯିବା ଯୋଗୁଁ ।
      ବର୍ତ୍ତମାନ କାଶୀନଗର ଠାରେ ବଂଶଧାରା ନଦୀର ଜଳ ସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ  ୫୪-୬୦ ମିଟର ଥିବାବେଳେ ଜଳସ୍ତର ୫୪-୮୬ ମିଟର  ଉଚ୍ଚତାରେ ପ୍ରବାହିତ ହେଉଛି ।
      କାଶୀନଗର ବ୍ଲକର ୪ଟା ପଞ୍ଚାୟତର ୧୩ ଗୋଟି ଗ୍ରାମ ଏବଂ କାଶୀନଗର ଏନଏସି ର ୫ ନ: ୱାର୍ଡ ଏହି ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ।
ଏଥିପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ୧୪ ଗୋଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟର ସୁବ୍ୟବସ୍ଥା କରି  ସେଠାରେ ମୋଟ ୧୦୬୫ ଜଣ ଲୋକଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ଅଣାଯାଇ  ଆଶ୍ରୟ ସ୍ଥଳରେ ରଖି  ରନ୍ଧାଖାଦ୍ୟ ଦିଆଯାଉଛି ।
    ଅନ୍ୟପକ୍ଷରେ ବନ୍ୟା ପରିସ୍ଥିତିର ଏବଂ ପ୍ରଭାବିତ ଅଞ୍ଚଳରେ  ଏହାର ଉଚିତ ମୁକାବିଲା କରିବା ପାଈଁ ତଥା ଲୋକଙ୍କ ଧନଜୀବନ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ  ପ୍ରଭାବିତ ଅଞ୍ଚଳରେ ଗୋଟିଏ ଓଡ୍ରାଫ ଦଳ(୨୩ ଜଣିଆ) ଓ  ୨ ଟି  ଅଗ୍ନିଶମ ଦଳ ସମେତ ୨ ଟି ଡ଼ଙ୍ଗା ନିୟୋଜିତ କରାଯାଇଛି ।
       ଏତଦ୍ ବ୍ୟତିତ  ପ୍ରଭାବିତ ଅଞ୍ଚଳର  ଲୋକଙ୍କୁ ସ୍ବାସ୍ଥ୍ୟ ଚିକିତ୍ସ୍ୟା ପାଈଁ ୩ ଟି ଡାକ୍ତରୀ ଦଳ ଏବଂ ଗୋଟିଏ ପଶୁ-ସମ୍ପଦ  ଚିକିତ୍ସ୍ୟା ଦଳକୁ ମଧ୍ୟ ସ୍ବାସ୍ଥ୍ୟଚିକିତ୍ସ୍ୟା ଯୋଗାଇଦେବା ଉଦ୍ଦେଶରେ ନିୟୋଜିତ କରାଯାଇଛି । ଜରୁରୀ-କାଳୀନ ସ୍ଥିତିରେ ୬ ଜଣ ଗର୍ଭବତୀ ମହିଳାଙ୍କୁ କାଶୀନଗର ସ୍ଥିତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ  ସ୍ଥାନାନ୍ତରିତ କରାଯାଇଛି ।
   ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ  ଲଗାଣ ବର୍ଷରେ ବନ୍ୟା ପ୍ରଭାବିତ  ଅଞ୍ଚଳର    କ୍ଷୟକ୍ଷତି ପରିସ୍ଥିତିର ଅନୁଧ୍ୟାନ ଓ ସଠିକ    ଆକଳନ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
      ମୁଖ୍ୟତଃ ଲଗାଣ ବର୍ଷାରେ ଜିଲ୍ଲାରେ  ନଷ୍ଟ ହୋଇ ଯାଇଥିବା ରାସ୍ତା ଗୁଡ଼ିକ ହେଲା  ରା:ଉଦୟଗିରି ବ୍ଲକର ବସ୍ତ୍ରୀଗୁଡା-ତାଣ୍ଡିଗୁଡା  ରାସ୍ତା , ମୋହନା ବ୍ଲକର ବାଲିପଙ୍କା ଅସ୍ଥାୟୀ ଡାଇଭରସନ ରାସ୍ତା , ରାୟଗଡ଼ ବ୍ଲକର କଇଁପୁର-କଳିଙ୍ଗ ,ଜିରାଙ୍ଗ-କଇଁପୁର , ମାଡା଼ , ରାଇସିଙ୍ଗ ଓ  ସିନ୍ଦଲିଂ  ରାସ୍ତା ଏବଂ କାଶୀନଗର ବ୍ଲକର କାଶୀନଗର-କିଡ଼ୀଗାଂ ପ୍ରଭୃତି ରାସ୍ତା ଗୁଡ଼ିକ ପ୍ରଭାବିତ ହୋଇଥିବା ଜଣାଯାଇଛି ।
   ସେହିଭଳି  ଲଗାଣ ବର୍ଷାରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବା ରାସ୍ତା ଗୁଡ଼ିକ ହେଲା:-ମୋହନା-ଖାରିଗୁଡା଼ , ରାୟଗଡ଼ ବ୍ଲକର ଡାକସାହି-ଗଙ୍ଗାବାଡ଼ , କାଶୀନଗର ବ୍ଲକର କାଶୀନଗର-ବାଡ଼ୀଗାଂ ରାସ୍ତା ପ୍ରଭୃତି  ।
          ବର୍ଷା ଜଳରେ ପ୍ରଭାବିତ ହୋଇ ନଷ୍ଟ ହୋଇ ଯାଇଥିବା ରାସ୍ତା ଗୁଡ଼ିକର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସୁଗମ କରିବା ପାଈଁ ଯୁଦ୍ଧ-କାଳୀନ ଭିତ୍ତିରେ  ସମ୍ପୃକ୍ତ ନିର୍ବାହୀଯନ୍ତ୍ରୀ ମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ପ୍ରେସ-ବିବୃତିରେ ଜଣାଇଛନ୍ତି ।

0
0
0
s2sdefault