ବିଦ୍ୟାଳୟରେ ପହଞ୍ଚିଲା ଖୁସି : ଖରିଦରେ ସ୍ୱଚ୍ଛତା ଓ ମାନ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭୁବନେଶ୍ୱର, (ଶାସକ ପ୍ରଶାସକ): ବିଦ୍ୟାଳୟରେ ଛଅରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବାଳିକା ମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ‘ଖୁସି’ ଯୋଜନାରେ ସେମାନଙ୍କୁ ସାନିଟାରୀ ନାପ୍‍କିନ୍‍ ଯୋଗାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ବଣ୍ଟନ ପାଇଁ ତାହା ଏବେ ବିଦ୍ୟାଳୟ ଗୁଡିକରେ ପହଞ୍ଚିଛି । ଖୁବ୍‍ଶୀଘ୍ର ଏହା ବାଳିକାମାନଙ୍କୁ ପ୍ରଦାନ କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଖୁସି ଯୋଜନାର ସମୀକ୍ଷା କରିଛନ୍ତି । ସମୀକ୍ଷାର ସୂଚନା ଅନୁଯାୟୀ ଏହି ଯୋଜନାରେ ବାଳିକାମାନଙ୍କୁ ପ୍ରତିମାସରେ ୧୮ଟି କରି ସାନିଟାରୀ ନାପ୍‍କିନ୍‍ ଯୋଗାଇ ଦିଆଯିବ । ୨୯,୫୫୭ଟି ବିଦ୍ୟାଳୟରେ ୧୬,୮୧,୬୯୦ଜଣ ବାଳିକାଙ୍କୁ ନାପ୍‍କିନ୍‍ ଯୋଗାଣର ଲକ୍ଷ୍ୟ ରହିଛି । ଓଡିଶା ମେଡିକାଲ କର୍ପୋରେସନ ପକ୍ଷରୁ ପ୍ରଥମ ତୈ୍ରମାସିକପାଇଁ ଗତ ଜାନୁୟାରୀ ମାସରେ ୯,୦୮.୧୮,୯୩୬ ପିସ୍‍ ସାନିଟରୀ ନାପ୍‍କିନ୍‍ ଖରିଦ କରାଯାଇଥିବାବେଳେ ଏଗୁଡିକୁ ବ୍ଲକ ଓ ପୌରସଂସ୍ଥାର ୩୧୯ଟି ସ୍ଥାନରେ ଥିବା ଗୋଦାମରେ ପହଞ୍ଚାଯାଇ ପାରିଛି । ସେହିଭଳି ଦ୍ୱିତୀୟ ତ୍ରୟମାସିକ ପାଇଁ ୯,୧୬,୩୨,୫୪୬ ପିସ୍‍ ନାପ୍‍କିନ୍‍ ଖରିଦ ପାଇଁ ବରାଦ ଦିଆଯାଇଛି ।
ଆଜି ସୁଦ୍ଧା ବ୍ରହ୍ମପୁର, ରାଉରକେଲା ମହାନଗର ନିଗମ ଓ ଜଗତ୍‍ସିଂହପୁରକୁ ବାଦ୍‍ଦେଳେ ଅନ୍ୟ ସମସ୍ତ ସ୍ଥାନରେ ଥିବା ଗୋଦାମରେ ଏହା ପହଞ୍ଚିଛି । ସେହିଭଳି ଏଠାରୁ ବିଦ୍ୟାଳୟ ଗୁଡିକୁ ନାପ୍‍କିନ୍‍ ପହଞ୍ଚାଇବା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସୁବର୍ଣ୍ଣପୁର, ମାଲକାନଗିରି, ନୟାଗଡ, ନବରଙ୍ଗପୁର, ଝାରସୁଗୁଡା ଏବଂ କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନାପ୍‍କିନ୍‍  ପହଞ୍ଚିଥିବା ସମୀକ୍ଷାରୁ ଜଣାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଖରିଦ ହୋଇଥିବା ନାପ୍‍କିନ୍‍ ମଧ୍ୟରୁ ଯୋଗାଣକାରୀମାନେ ଇତି ମଧ୍ୟରେ ବଲାଙ୍ଗିର, ବରଗଡ, କଟକ, ଗଞ୍ଜାମ, ଗଜପତି, ଯାଜପୁର, କଳାହାଣ୍ଡି, ରାୟଗଡା ଏବଂ ବ୍ରହ୍ମପୁର ମହାନଗର ନିଗମକୁ ଯୋଗାଣ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଖୁସି ଯୋଜନାରେ ୨୨,୨୩,୮୯,୯୦୭ କୋଟି ଟଙ୍କା ବ୍ୟୟ ହୋଇସାରିଲାଣି । ଏହି ଯୋଜନାରେ ନାପ୍‍କିନ୍‍ ଖରିଦରେ ସ୍ୱଚ୍ଛତା ଅବଲମ୍ବନ ଏବଂ ଗୁଣାତ୍ମକ ମାନ ପ୍ରତି ଦୃଷ୍ଟି ଦେବା ସହିତ  ଠିକଣା ଭାବେ ଏହାର ବିତରଣ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ  ଦେଇଛନ୍ତି । ଆଜିର ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା, ରାଜ୍ୟ ମେଡିକାଲ ନିଗମର ଏମ୍‍ଡି ୟାମିନୀ ଷଡଙ୍ଗୀ ଓ ଅନ୍ୟ ପ୍ରମୁଖ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault