ଆଶଙ୍କିତ ସଂକଟରେ କ୍ଷୁଦ୍ର ମାଧ୍ୟମ ଖବର କାଗଜ : ସରକାର କରିବେ କି ନିଷ୍ପତ୍ତିର ପୁନର୍ବିଚାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନ୍ୟୁଜ  ପ୍ରିଣ୍ଟ୍ ଶୁଳ୍କ ବୃଦ୍ଧି : ପ୍ରଭାବିତ ହେବ ମୁଦ୍ରିତ ଗଣମାଧ୍ୟମ ଓ ସାମ୍ବାଦିକତା ବୃତ୍ତି!

ଭୁବନେଶ୍ୱର : କେନ୍ଦ୍ରର ପୂର୍ଣ୍ଣାଙ୍ଗ ବଜେଟ୍ ୨୦୧୯ରେ ବିଦେଶୀ ମୁଦ୍ରଣ କାଗଜ ବା ନ୍ୟୁଜ ପ୍ରିଣ୍ଟ ଆମଦାନୀ ଶୁଳ୍କ ବୃଦ୍ଧି ପ୍ରସ୍ତାବ ମୁଦ୍ରିତ ଗଣମାଧ୍ୟମ ଅଭିବୃଦ୍ଧିରେ ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି କରିଛି  । ଭାରତରେ ବାର୍ଷିକ ୨୫ ଲକ୍ଷ ଟନ୍  ନ୍ୟୁଜ ପ୍ରିଣ୍ଟ ବ୍ୟବହୃତ ହୋଇଥାଏ  । ଏଥି ମଧ୍ୟରୁ ମାତ୍ର ୧୦ଲକ୍ଷ ଟନ୍ ଦେଶରେ ପ୍ରତିଷ୍ଠିତ  କାଗଜକଳମାନେ ଉତ୍ପାଦନ କରିଥାନ୍ତି  । ଫଳରେ ବାର୍ଷିକ ୧୫ଲକ୍ଷ ଟନ୍ ନ୍ୟୁଜ ପ୍ରିଣ୍ଟ ବିଦେଶରୁ ଆମଦାନୀ କରିବାକୁ ପଡିଥାଏ  ।
ସାଧାରଣତଃ କାଠମଣ୍ଡ ନିଉଜପ୍ରିଣ୍ଟ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ  । ତେବେ ପୂର୍ବରୁ ବ୍ୟବହୃତ ଓ ପରିତ୍ୟକ୍ତ ରଦ୍ଧି କାଗଜକୁ ପୁନଃ ପ୍ରକ୍ରିୟାକରଣ ମାଧ୍ୟମରେରେ ନ୍ୟୁଜ ପ୍ରିଣ୍ଟ ପ୍ରସ୍ତୁତି ବୈଷୟିକ କୌଶଳ ମଧ୍ୟ ଉପଯୋଗ କରାଯାଇଥାଏ  । ବିଶ୍ୱବ୍ୟାପୀ ଜଙ୍ଗଲର ଆୟତନ କମି ଆସୁଥିବା ହେତୁ ରଦ୍ଧି କାଗଜ ପୁନଃପ୍ରକ୍ରିୟାକରଣ ଅପେକ୍ଷାକୃତ ଶସ୍ତା ଓ ଲୋକପ୍ରିୟ ହୋଇପାରିଛି  । ଚୀନ ଭଳି ରାଷ୍ଟ୍ରଗୁଡିକ ପୁନଃପ୍ରକ୍ରିୟାକରଣ ନିଉଜପ୍ରିଣ୍ଟ ନ୍ୟୁଜ ପ୍ରିଣ୍ଟରେ ଆଗୁଆ ରହିଛନ୍ତି  ।
ଆମ ଦେଶରେ ଇଂଲିଶ ଓ ଭାରତୀୟ ଭାଷାଗୁଡିକରେ ବହୁଳ ପ୍ରସାରିତ ନ୍ୟୁଜ  ପେପର୍ ଓ ପତ୍ରିକାଗୁଡିକ ମୁଖ୍ୟତଃ ବିଦେଶୀ ନ୍ୟୁଜ ପ୍ରିଣ୍ଟ ବ୍ୟବହାର କରିଥାନ୍ତି  । ଦେଶରେ ପ୍ରସ୍ତୁତ ନ୍ୟୁଜ ପ୍ରିଣ୍ଟ ବିଦେଶୀ ନ୍ୟୁଜ ପ୍ରିଣ୍ଟ ତୁଳନାରେ ନିମ୍ନମାନ  । ନ୍ୟୁଜ ପେପର୍ସ ଗୁଡିକ ଦୈନିକ ଭିତ୍ତିରେ ଅନ୍-କୋଟେଡ ନ୍ୟୁଜ ପ୍ରିଣ୍ଟ ବ୍ୟବହାର କରୁଥିବା ସ୍ଥଳେ ରବିବାରସ୍ତରୀୟ ପତ୍ରିକାରେ ଗ୍ଳେଜେଡ଼ ନିଉଜପ୍ରିଣ୍ଟ ବ୍ୟବହୃତ ହୋଇଥାଏ  । ପତ୍ରିକାଗୁଡିକ କମ ଓଜନର କୋଟେଡ ନିଉଜପ୍ରିଣ୍ଟ ବ୍ୟବହାର କରିଥାନ୍ତି । ସାମଗ୍ରିକଭାବେ ନ୍ୟୁଜ ପେପର ମୁଦ୍ରଣ ନିମନ୍ତେ ସର୍ବଦା ବିଦେଶୀ ନ୍ୟୁଜ ପ୍ରିଣ୍ଟର ଚାହିଦା ରହିଥାଏ  ।
ଆନ୍ତର୍ଜାତିକସ୍ତରରେ ଅଶୋଧିତ ତୈଳ ଦର ଭଳି ନ୍ୟୁଜ ପ୍ରିଣ୍ଟ ଦର ବଢି ଚାଲିଥାଏ  । ଫଳରେ ଭାରତରେ ନ୍ୟୁଜ ପ୍ରିଣ୍ଟ ଦର ବୃଦ୍ଧି ଅପରିହାର୍ଯ୍ୟ ହୋଇପଡେ  । ଆମ ଦେଶକୁ ଚୀନରୁ ପର୍ଯ୍ୟାପ୍ତ ପରିମାଣରେ ନ୍ୟୁଜ ପ୍ରିଣ୍ଟ ଆମଦାନୀ କରାଯାଏ  । ଚୀନରେ ମୁଖ୍ୟତଃ ରଦ୍ଧି କାଗଜରୁ ପ୍ରସ୍ତୁତ ଅନ-କୋଟେଡ଼ ଓ କୋଟେଡ଼ ନିଉଜପ୍ରିଣ୍ଟ ସୁଲଭ ମୂଲ୍ୟରେ ମିଳିପାରୁଥିବା ସ୍ଥଳେ ଗତ କିଛି ବର୍ଷରୁ ଚୀନରେ ନିଉଜପ୍ରିଣ୍ଟ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି  । ପୂର୍ବରୁ ବିଦେଶରୁ ପର୍ଯ୍ୟାପ୍ତ ପରିମାଣରେ ରଦ୍ଧି କାଗଜ ଚୀନ ପୁନଃପ୍ରକ୍ରିୟାକରଣ ନିମନ୍ତେ ଆମଦାନୀ କରୁଥିବା ସ୍ଥଳେ ଏଭଳି ସମାଗ୍ରୀ ଆମଦାନୀ ଓ ଉତ୍ପାଦନରେ ପରିବେଶ ପ୍ରଦୂଷଣ ହେତୁ ସେଠାକାର ସରକାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି  ।
ଆନ୍ତର୍ଜାତିକ ସ୍ତରରେ ଶସ୍ତା ପୁନଃ ପ୍ରକ୍ରିୟାକରଣ ନିଉଜପ୍ରିଣ୍ଟ ଉତ୍ପାଦନରେ ଚୀନ ଅଗ୍ରଣୀ  । ଚୀନ ପେପର ଏସୋସିଏସନର ହିସାବ ଅନୁଯାୟୀ ସେଠାରେ ୨୦୧୬ ବେଳକୁ ବାର୍ଷିକ ୬କୋଟି ୩୩ ଲକ୍ଷ ଟନ ପୁନଃପ୍ରକ୍ରିୟାକରଣ ନିଉଜପ୍ରିଣ୍ଟ ଉତ୍ପାଦନ  ହୋଇଥିଲା  । ଏଥି ମଧ୍ୟରୁ ୨୪ ପ୍ରତିଶତ ବିଦେଶରୁ ଆମଦାନୀ କରାଯାଇଥିବା ବ୍ୟବହୃତ ରଦ୍ଧି କାଗଜରୁ ନିଉଜପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାଯାଏ  । ତେବେ ଚୀନ ସରକାର ବ୍ୟବହୃତ ରଦ୍ଧି କାଗଜ ସମେତ ୨୪ଗୋଟି ରଦ୍ଧି ସାମଗ୍ରୀ ଆମଦାନୀ ବନ୍ଦ କରିଦେଇଛନ୍ତି  । ଏହାଦ୍ୱାରା ଚୀନରୁ ଶସ୍ତା ନ୍ୟୁଜ ପ୍ରିଣ୍ଟ ଆମଦାନୀ କରୁଥିବା ଭାରତ ଭଳି ରାଷ୍ଟ୍ରର ଉପଭୋକ୍ତାମାନେ ପ୍ରଭାବିତ ହୋଇଛନ୍ତି  ।
ଆମଦେଶରେ ନ୍ୟୁଜ ପ୍ରିଣ୍ଟ ଦର ୨୦୧୬-୧୭ରୁ ବଢି ଚାଲିଥିବା ସ୍ଥଳେ କେନ୍ଦ୍ରର ୨୦୧୯ ପୂର୍ଣ୍ଣାଙ୍ଗ ବଜେଟରେ  ୧୦ ପ୍ରତିଶତ ଆମଦାନୀ ଶୁଳ୍କ ବୃଦ୍ଧି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ନିଉଜପ୍ରିଣ୍ଟ ଦର ଆହୁରି ବଢିଯିବ  । ଏହାର ସୁଯୋଗ ନେଇ ସ୍ଥାନୀୟ ଉତ୍ପାଦକମାନେ ମଧ୍ୟ ଦେଶୀୟ ନିଉଜପ୍ରିଣ୍ଟ ଦର ବୃଦ୍ଧି କରିବା ସ୍ୱାଭାବିକ । ଫଳରେ ନ୍ୟୁଜ ପେପର ଉତ୍ପାଦନ ବ୍ୟୟ ମଧ୍ୟ ଆନୁପାତିକଭାବେ ବଢିଯିବ  ।
ମୁଦ୍ରିତ ନ୍ୟୁଜ ପେପର ଶିଳ୍ପ ଓ ବ୍ୟବସାୟରେ ନ୍ୟୁଜ ପ୍ରିଣ୍ଟ ସର୍ବାଧିକ ଖର୍ଚ୍ଚ ଦାବୀ କରିଥାଏ  । ନ୍ୟୁଜ ପ୍ରିଣ୍ଟ ଦର ବଢିଲେ ବ୍ୟୟଭାର ଭରଣା କରିବା ନିମନ୍ତେ ନ୍ୟୁଜ ପେପର ଶିଳ୍ପ ସଂସ୍ଥା ଓ ବ୍ୟବସାୟୀ ଅନୁଷ୍ଠାନ ,ପୃଷ୍ଠା  ସଂଖ୍ୟା କମାଇ ଦେବା, ସହିତ ବିଜ୍ଞାପନ ପ୍ରକାଶନ ଦର ବୃଦ୍ଧି ଓ ନ୍ୟୁଜ ପେପର ଓ ପତ୍ର ପତ୍ରିକା  ବିକ୍ରୀଦର ବୃଦ୍ଧି କରିବାକୁ ବାଧ୍ୟ ହେବେ  । ଅପରପକ୍ଷରେ କର୍ମଚାରୀଙ୍କ ମାସିକ ବେତନ ତଥା ପ୍ରସାର ଉନ୍ନୟନ "ମାର୍କେଟିଂ' ପାଇଁ ଖର୍ଚ୍ଚ କାଟ ଇତ୍ୟାଦି ମଧ୍ୟ କରାଯିବ  ।
ଭାରତରେ ନ୍ୟୁଜ  ପେପର୍ ଗ୍ରାହକ ଚାନ୍ଦା ସର୍ବନିମ୍ନସ୍ତରରେ ରହିଛି । ଏପରିକି ପଡୋଶୀ ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କାରେ ଦୈନିକ ଇଂରାଜୀ ନ୍ୟୁଜ  ପେପରର ଖଣ୍ଡପିଚ୍ଛା ଦର ପ୍ରାୟ ଭାରତୀୟ ମୁଦ୍ରାରେ ପନ୍ଦର ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ, ଭାରତରେ ନ୍ୟୁଜ ପେପରଗୁଡିକ ପ୍ରାୟତଃ ପାଞ୍ଚଟଙ୍କା ମଧ୍ୟରେ ସୀମିତ ରହିଛି  । ଅତୀତରେ ବହୁଳ ପ୍ରସାରିତ ନ୍ୟୁଜପେପରଗୁଡ଼ିକ ଖର୍ଚ୍ଚର ପ୍ରାୟ ୯୦ ପ୍ରତିଶତ ବିଜ୍ଞାପନ ଆୟରୁ ଭରଣା ହେଉଥିବା ସ୍ଥଳେ "ଫେଡେ଼ରେସନ୍ ଅଫ୍ ଚାମ୍ବର ଅଫ କମର୍ସ ଆଣ୍ଡ୍ ଇଣ୍ଡାଷ୍ଟ୍ରୀଜ' ର ହିସାବ ଅନୁଯାୟୀ ମୁଦ୍ରଣ ଗଣମାଧ୍ୟମରେ ୨୦୧୮ ବେଳକୁ ହାରାହାରି ଭାବେ ବିଜ୍ଞାପନ ଆୟ ୭୧ ପ୍ରତିଶତକୁ ଖସି ଆସିଥିବା ସ୍ଥଳେ ଗ୍ରାହକଚାନ୍ଦା ୨୯ ପ୍ରତିଶତ ଆୟ ଦାବୀ କରୁଛି  । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯ ଜୁଲାଇ ମାସରେ ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣରେ ଏହି ତଥ୍ୟ ପ୍ରତିଫଳିତ ହୋଇଥିଲା  ।
ଡ଼ିଜିଟାଲ ମଞ୍ଚର ଲୋକପ୍ରିୟତା ବଢି ଚାଲିଥିବା ଅବସରରେ ମୁଦ୍ରିତ ନ୍ୟୁଜ ପେପରଗୁଡିକର ବିଜ୍ଞାପନ ଆୟ କ୍ରମଶଃ କମି ଆସିବା ସୁନିଶ୍ଚିତ  । ଏପରିକି କେନ୍ଦ୍ର ସରକାରଙ୍କପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଓ ଟେଣ୍ଡର ନୋଟିସ ଇତ୍ୟାଦି ମୁଦ୍ରଣ ବ୍ୟତିରେକେ ଡ଼ିଜିଟାଲ ମଞ୍ଚରେ ପ୍ରକାଶନ ନିମନ୍ତେ ପଦକ୍ଷେପ ନିଆଯାଇଛି  । ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର ଓ ମଧ୍ୟମ ପ୍ରକାଶିତ ଓ ପ୍ରସାରିତ ନ୍ୟୁଜ  ପେପର ତଥା ପତ୍ର ପତ୍ରିକାଗୁଡିକ ପକ୍ଷେ ବିଜ୍ଞାପନ ଦର ବୃଦ୍ଧି ବିପଦପୂର୍ଣ୍ଣ  ।
ଭାରତରେ ବିଗତ ଶତାବ୍ଦୀ ର ଅଷ୍ଟମ ଦଶକରେ ଦେଶର କେତେକ ଅଗ୍ରଣୀ ଗଣମାଧ୍ୟମ ନ୍ୟୁଜ  ପେପର ଓ ବ୍ୟବସାୟୀ ଶିଳ୍ପ ସଂସ୍ଥା ପକ୍ଷରୁ ପ୍ରସାର ଓ ପାଠକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଅତି କମ ଦର "ଇନଭିଟେସନ ପ୍ରାଇସ' ଅଭିଯାନ ପ୍ରଚଳନ କରାଯାଇଥିଲା  । ଏହାର ମୁକାବିଲା କରିବା ନିମନ୍ତେ ଅନ୍ୟମାନେ ମଧ୍ୟ ସେଭଳି ଅଭିଯାନରେ ଯୋଗ ଦେଇଥିଲେ  । ଫଳରେ ଦେଶବ୍ୟାପୀ ତାହାର ପ୍ରଭାବ ପଡିଥିଲା ଏବଂ ବର୍ତ୍ତମାନ ଯାଏଁ ଜାରୀ ରହିଛି  । କେବଳ ଇଂଲିଶ ଦୈନିକ ହିନ୍ଦୁ ଛଡା ଅନ୍ୟ କୌଣସି ନ୍ୟୁଜ ପେପର ଗ୍ରାହକ ଚାନ୍ଦା ଉଚ୍ଚସ୍ତରକୁ ବଢାଇବାକୁ ସାହାସ କରିନାହାନ୍ତି  ।
ନୁ୍ୟଜ୍ ପେପର ପୃଷ୍ଠା  ହ୍ରାସ, ସାମ୍ବାଦିକ ନିଯୁକ୍ତି ସଂକୋଚନ ନୀତି ତଥା ପ୍ରସାରବୃଦ୍ଧି ଅଭିଯାନରୁ କ୍ଷାନ୍ତ ରହିବା ଭଳି ପଦକ୍ଷେପ ଗଣମାଧ୍ୟମ ଶିଳ୍ପ ଓ ବ୍ୟବସାୟ ସହିତ ସାମ୍ବାଦିକ ବୃତ୍ତିକୁ ଯଥେଷ୍ଟ ପ୍ରଭାବିତ କରିଥାଏ  । ଅର୍ଥାତ ସାମ୍ବାଦିକତାର ମାନ ହ୍ରାସ ପାଏ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ସୁରକ୍ଷାରେ ମୁଦ୍ରିତ ନ୍ୟୁଜ ପେପରଗୁଡିକର ଭୂମିକା ଗୌଣ ହୋଇପଡେ  । ଏହିଭଳି ପରିବେଶ ପାଠକୀୟ ସଚେତନତା କିମ୍ବା ସାମାଜିକ ବିକାଶ ନିମନ୍ତେ ଶୁଭଙ୍କର ନୁହେଁ   । ଆମ ଦେଶରେ "ରେଜିଷ୍ଟର ଅଫ ନିଉଜପେପରର୍ସ ଫର ଇଣ୍ଡିଆ'ର ହିସାବ ଅନୁଯାୟୀ ମାର୍ଚ୍ଚ ୨୦୧୮ ସୁଦ୍ଧା ୧ ଲକ୍ଷ ୧୮ ହଜାର ୨୩୯ଗୋଟି ନ୍ୟୁଜ  ପେପର ଓ ପତ୍ରପ୍ରତିକା ପଞ୍ଜିକୃତ ହୋଇଥିଲା  । ଏଥିମଧ୍ୟରୁ କ୍ଷୁଦ୍ର ପ୍ରକାଶନ ସଂଖ୍ୟା ଅଧିକ  । ଏଭଳି ପ୍ରକାଶନଗୁଡିକ ତୃଣମୂଳସ୍ତରରେ ଗଣତାନ୍ତ୍ରିକ ବିଚାର ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି  । କ୍ଷୁଦ୍ର ଓ ମଧ୍ୟମ ନୁ୍ୟଜ୍ ପେପରର ଆନୁସଙ୍ଗିକ ବ୍ୟୟ ନଗଣ୍ୟ ଥିôବାସ୍ଥଳେ ନିଉଜପ୍ରିଣ୍ଟ ଦରବୃଦ୍ଧି ଅବସରରେ ସେମାନଙ୍କ ପାଇଁ ପୃଷ୍ଠା ଓ ପ୍ରସାର ସଂଖ୍ୟା କମାଇବା ହିଁ ଏକମାତ୍ର ରାସ୍ତା  । ଏହାଦ୍ୱାରା ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ଖର୍ବ ହୋଇଥାଏ  ।
ସରକାରୀକଳର ସପକ୍ଷକାରୀମାନଙ୍କ ମତରେ ବିଦେଶୀ ନ୍ୟୁଜ ପ୍ରିଣ୍ଟର ଆମଦାନୀ ଶୁଳ୍କ ବୃଦ୍ଧି ମୁଦ୍ରିତ ନ୍ୟୁଜ ପେପର ଶିଳ୍ପ ପକ୍ଷେ ଏକ ବଡ ପ୍ରସଙ୍ଗ ହୋଇ ନ ପାରେ  । ସମୟକ୍ରମେ ଏହାର ମୁକାବିଲା ମଧ୍ୟ ସମ୍ଭବପର । ଗତ ସାଧାରଣ ନିର୍ବାଚନରେ ଭାରତୀୟ ମୁଦ୍ରିତ ସମ୍ବାଦପତ୍ରଗୁଡିକ ଶାସକ ଦଳର ବିଶେଷ ସମାଲୋଚନା କରିନଥିଲେ  । ପ୍ରକାରନ୍ତେ ଘନ ଘନ ବିଜ୍ଞାପନ ଛାପି ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ  । ତେଣୁ ଏଭଳି ପରିପ୍ରେକ୍ଷୀରେ ସରକାର ନ୍ୟୁଜ ପେପର ଶିଳ୍ପ ସଂସ୍ଥାମାନଙ୍କ ଉପରେ କ୍ଷୁବ୍ଧ ହେବାର କାରଣ ନାହିଁ କିମ୍ବା କୌଣସି ମନ୍ଦ ଉଦ୍ଦେଶ୍ୟରେ ଏଭଳି ମୂଲ୍ୟ ବୃଦ୍ଧି କରିନାହାନ୍ତି  ।
ତେବେ ଜାତୀୟ ଉତ୍ପାଦନକୁ ପ୍ରୋତ୍ସାହନ  ନୀତି ତଥା ସ୍ଥାନୀୟ କାଗଜଶିଳ୍ପ ଚାପରେ ଆମଦାନୀ ଶୁଳ୍କ ବୃଦ୍ଧିର ମୂଳକାରଣ ରୂପେ ଚିହ୍ନଟ କରାଯାଇପାରେ  । ବିଦେଶୀ ନିଉଜପ୍ରିଣ୍ଟରେ ଆମଦାନୀ ଶୁଳ୍କ ବୃଦ୍ଧିକୁ ଇଣ୍ଡିଆନ ନିଉଜପେପର ସୋସାଇଟି ଆସୋସିଏସନ ଫର ଇଣ୍ଡିଆନ ମେଗାଜିନ୍ସ ଭଳି ସଂସ୍ଥାଗୁଡିକ ପକ୍ଷରୁ ବିରୋଧ କରାଯାଇ ପୁନଃବିଚାର ପାଇଁ ନିବେଦନ କରାଯାଇଛି  । କେତେକଙ୍କ ମତରେ କେନ୍ଦ୍ର ସରକାରଙ୍କ ଏ କ୍ଷେତ୍ରରେ ପୁନଃବିଚାର ଦୃଷ୍ଟାନ୍ତ ରହିଛି ଏବଂ ସଂଭବତଃ ବିଜେପି ସରକାର ବିଦେଶୀ ନ୍ୟୁଜ ପ୍ରିଣ୍ଟ ୧୦% ଆମଦାନୀ ଶୁଳ୍କ ବୃଦ୍ଧିକୁ ଖୁବ୍ ଶୀଘ୍ର ବିଚାର କରି ସଂଶୋଧିତ ପଦକ୍ଷେପ ଗ୍ରହଣ କରିବେ  ।

0
0
0
s2sdefault