ରାସ୍ତା ଉପରେ ବେଆଇନ୍ ପାର୍କିଂ କଲେ ପଡ଼ିବ ଜୋରିମାନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟ୍ରାଫିକ୍ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ  ବୈଠକ

ଡିଡିଏମଙ୍କ  କାର୍ଯ୍ୟାଳୟରେ କାର୍ଯ୍ୟକ୍ଷମ ହେବ  ଟୋଲ୍ ଫ୍ରି ନମ୍ବର

ଚମ୍ପୁଆ,(ଶାସକ ପ୍ରଶାସକ) :  ଲୌହପଥର ଚାଲାଣ କରୁଥିବା ଗାଡ଼ି ଚାଳକ ଏଣିକି ସାବଧାନ । କାରଣ ରାସ୍ତା ଉପରେ ବେଆଇନ୍ ପାର୍କିଂ କରୁଥିବା ଟ୍ରକ୍/ଟ୍ରଲର ଠାରୁ  ଆଦାୟ କରାଯିବ ଜୋରିମାନା  । କେବଳ ସେତିକି ନୁହଁ ଗାଡ଼ି ଚାଳକଙ୍କ ସମେତ ଗାଡ଼ି ମାଲିକ ଏବଂ ଟ୍ରକ ମାଲିକ ସଙ୍ଗଠନଙ୍କୁ ମଧ୍ୟ ଥାନାକୁ ଡକାଯାଇ ଆନୁଷ୍ଠାନିକ ଭାବେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ମତବ୍ୟକ୍ତ କରିଛନ୍ତି । ଆଜି ଅପରାହ୍ନରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ  ଏକ ବୈଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଠାକରେ ଯୋଡ଼ା, ବଡ଼ବିଲ ଆଦି ଅଂଚଳରେ ଦୈନନ୍ଦିନ ଘଟୁଥିବା ଗୁରୁତର ଟ୍ରାଫିକ୍ ସମସ୍ୟା ସଂକ୍ରାନ୍ତରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ କହିଥିଲେ ଯେ, ଯୋଡ଼ା, ବଡ଼ବିଲ, ରୁଗୁଡ଼ି, ବଡ଼କାଳିମାଟି, ବିଲେଇପଦା, ଦୁବୁନା ଆଦି ଅଂଚଳରେ ଗତ କିଛିଦିନ ଧରି ଟ୍ରାଫିକ ସମସ୍ୟା ଗୁରୁତର ପ୍ରଭାବିତ ହୋଇଛି । ଯାହାଫଳରେ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସମସ୍ୟାକୁ ପ୍ରତିହତ କରିବାକୁ ଜିଲ୍ଲାପାଳ ପୋଲିସ୍ ଏବଂ ଆରଟିଓ  ଅଧିକାରୀଙ୍କ ସହଯୋଗ ଲୋଡ଼ିଥିଲେ । ବିଭିନ୍ନ ସମୟରେ ଗାଡ଼ି ଚାଳକମାନେ ରାସ୍ତା ଉପରେ ଟ୍ରଲର୍/ଟ୍ରକ୍ ଆଦି ପାର୍କିଂ କରି ଖାଇବାକୁ ଯାଉଥିବା ବେଳେ ଅନ୍ୟ ସମୟରେ ରାସ୍ତା କଡ଼ରେ ବିକ୍ରି ହେଉଥିବା ମାଦକଦ୍ରବ୍ୟ ସେବନ କରିବାକୁ ଯାଉଛନ୍ତି । ଫଳରେ ବହୁ ସଂଖ୍ୟାରେ ଟ୍ରକ୍/ଟ୍ରଲର୍ ଧାଡ଼ି ବାନ୍ଧି ଛିଡ଼ା ହୋଇ ରହୁଥିବାର ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତି ଦେଖିଲେ ତୁରନ୍ତ ଉକ୍ତ ସ୍ଥାନରେ ପହଁଚି ଟ୍ରକ୍ ଚାଳକକୁ ଧରିବା ସହ ବିପୁଳ ପରିମାଣର ଜୋରିମାନା ଆଦାୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହଁ ଗାଡ଼ି ମାଲିକ ଏବଂ ଟ୍ରକ୍ ମାଲିକ ସଂଘକୁ ମଧ୍ୟ ନୋଟିସ୍ ଦିଆଯାଇ ଥାନାକୁ ଡକାଇବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହାବାଦ୍ ଟ୍ରାଫିକ୍ ସମସ୍ୟାକୁ ପ୍ରତିହତ କରିବାକୁ କମ୍ପାନୀମାନେ ନିଜ ନିଜର ପାର୍କିଂ ସ୍ଥାନ ତୁରନ୍ତ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ କମ୍ପାନୀକୁ ଲୌହପଥର ପାଇଁ ଆସୁଥିବା ଗାଡ଼ିଗୁଡ଼ିକ ଉକ୍ତ ସ୍ଥାନରେ ପାର୍କିଂ କରାଯିବ । ଏହାସହ ସେଠାରେ କମ୍ପାନୀର ନିଜସ୍ୱ ସୁରକ୍ଷା କର୍ମୀ ମୁତୟନ କରାଯିବ । ଏହାବାଦ୍ କମ୍ପାନୀ ପକ୍ଷରୁ ପାଟ୍ରୋଲିଂ ଗାଡ଼ି ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଛି । ପାଟ୍ରୋଲିଂ ଗାଡ଼ିରେ ପୋଲିସ ଅଧିକାରୀଙ୍କ ସହ କମ୍ପାନୀ ପକ୍ଷରୁ ପ୍ରଦତ ସୁରକ୍ଷା କର୍ମୀ ମୁତୟନ କରାଯିବ । ଉକ୍ତ ପାଟ୍ରୋଲିଂ ଗାଡ଼ିଟି ସବୁସ୍ଥାନରେ ପଇଁତରା ମାରିବ ।  ଯଦି କୌଣସି ସ୍ଥାନରେ ଗାଡ଼ିର ବ୍ରେକ୍ ଡାଉନ୍ ହୁଏ ତେବେ ତୁରନ୍ତ ଉକ୍ତ ସ୍ଥାନକୁ କ୍ରେନ୍ ପଠାଇବାର ବ୍ୟବସ୍ଥା କରିବାକୁ କମ୍ପାନୀଗୁଡ଼ିକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୁନିସିପାଲିଟି, ପିଡବ୍ଲୁ୍ୟଡି ଏବଂ ଜାତୀୟ ରାଜପଥ ଉପରେ ଗାଡ଼ିର ବେଗ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି  ଗ୍ରହଣ କରାଯାଇଛି । ଦୃତଗତିରେ ଗାଡ଼ି ଚଳାଉଥିବା ଚାଳକ ଏବଂ ବେଆଇନ୍ ପାର୍କିଂ କରୁଥିବା ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଯୋଡ଼ା ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏକ ଟୋଲ ଫ୍ରି  ନମ୍ବର ବ୍ୟବସ୍ଥା କରିବାକୁ ଯୋଡ଼ା ଡିଡିଏମଙ୍କୁ  ଜିଲ୍ଲାପାଳ ନିର୍ଦ୍ଦେଶ  ଦେଇଛନ୍ତି । ଯଦି କୌଣସି ସ୍ଥାନରେ ଟ୍ରକ୍/ଟ୍ରଲର୍ ବ୍ରେକ୍ ଡାଉନ୍ ହୋଇଥାଏ କିମ୍ବା ବେଆଇନ୍ ପାର୍କିଂ ହୋଇଥିବାର ଦେଖିବାକୁ ମିଳେ ତେବେ ସ୍ଥାନୀୟ ଲୋକମାନେ ତୁରନ୍ତ ଉକ୍ତ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ । ଯାହାଦ୍ୱାରା ପ୍ରଶାସନ ଏବଂ କମ୍ପାନୀର ମିଳିତ ସହଯୋଗରେ ଟ୍ରାଫିକ୍ ସମସ୍ୟାକୁ କିଛି ମାତ୍ରାରେ ପ୍ରତିହତ କରାଯାଇପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଉକ୍ତ ବୈଠକରେ ଉପଜିଲ୍ଲାପାଳ ପାରୁଲ ପଟାୱରୀଙ୍କ ସମେତ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ଏସଡିପିଓ  ଦିଲୀପ କୁମାର ବାଗଙ୍କ  ସମେତ ଚମ୍ପୁଆ ଉପଖଣ୍ଡ ଅଧୀନରେ ଥିବା ସମସ୍ତ ଥାନା ଅଧିକାରୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault