ଦଇବ ସାଧିଲା ଏମିତି ଦାଉ..... ଆତ୍ମହତ୍ୟା ଉଦ୍ୟମ ଛଡା କିଛି ଉପାୟ ନଥିଲା ଆଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଆତ୍ମହତ୍ୟା କରିବାକୁ ଯାଉଥିବା ୨ନାବାଳିକା ଭଉଣୀ ଉଦ୍ଧାର

ଓଡ଼ଗାଁ/ଶ୍ରୀକାନ୍ତ ମିଶ୍ର  : ଓଡଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ମାଙ୍କଡା ପଥରଖଣିକୁ ଡେଇଁ  ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ୨ ନାବାଳିକା ଭଉଣୀଙ୍କୁ ରୋହିବାଙ୍କ ଗ୍ରାମବାସୀ ଉଦ୍ଧାର କରି ପୋଲିସ ଜିମା ଦେଇଛନ୍ତି । ସେ ୨ ଭଉଣୀ ଯଥାକ୍ରମେ ଦଶମ ଓ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାଯାଏ ସେମାନଙ୍କ ଘର ନୟାଗଡ ମେଡିକାଲ ନିକଟରେ । ବାପା ମାଆଙ୍କ ସହିତ ସେମାନେ ମାମୁଁ ଭଗବାନ ମହାଙ୍କୁଡଙ୍କ ଘରେ ରହୁଥିଲେ । ଦଇବ ଏମିତି ଦାଉ ସାଧିଲା ଯେ,  ଅଳ୍ପ ସମୟ ଅନ୍ତରରେ ବାପା ମା ଉଭୟଙ୍କର ମୃତ୍ୟୁ ଘଟିଥିଲା । ମାମୁଁ ପିଲାମାନଙ୍କର ଜଞ୍ଜାଳରୁ ମୁକ୍ତି ପାଇଁ ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମର ଜାଗର ନୟକଙ୍କୁ ବଡଝିଅକୁ ଦେଇଥିଲେ ଏବଂ ନରସିଂହ ନୟକଙ୍କୁ ସାନଝିଅକୁ ଲାଳନ ପାଳନ ପାଇଁ ଦେଇଥିଲେ । ଛୁଆ ନଥିବା ଏହି ୨ଟି ପରିବରେ୨ଝିଅ ବଢିବାକୁ ଲାଗିଲେ । ପାଠପଢା ସମୟ ଆସିବାରୁ ପାଳିତ ବାପା ମାଙ୍କ ପରିଚୟରେ ବିଦ୍ୟାଳୟରେ ନାମ ଲେଖାହେଲା । ପଛୁଆ ବର୍ଗ ହିସାବରେ ସରକାରୀ ସହାୟତା ପାଇ ୨ ଝିଅ ପାଠ ପଢିଲେ । ବର୍ତମାନ ବଡଝିଅଟି କୋମଣ୍ଡ ହାଇସ୍କୁଲରେ ୧୦ମ ଏବଂ ସାନଝିଅଟି ୯ମ ଶ୍ରେଣୀରେ ପାଠ ପଢୁଛନ୍ତି । ଇତିମଧ୍ୟରେ ବଡଝିଅର ପାଳିତମାତା ତାଙ୍କର ୩ଟି ସନ୍ତାନକୁ ଛାଡି ଆରପାରିକୁ ଚାଲିଯିବା ପରେ ପାଳିତ ଆଈ୪ଜଣଯାକ ଛୁଆର ଦାୟିତ୍ୱ ନେଲେ । ପାଳିତ ବାପା ପୁନଃ ବିବାହ କରି ଅନ୍ୟତ୍ର ଚାଲିଯିବା ପରେ ପରିବାରର ଦୁଃଖ ଦୁର୍ଦଶା ବଢି ଯାଇଥିଲା । ପାଳିତା କନ୍ୟା ପରିବାର ପାଇଁ ଅଲୋଡା ହୋଇଥିଲା । ସାନ ଭଉଣୀର ପାଳିତ ବାପା ବଡଭଉଣୀ ସହିତ କଥାବାର୍ତା ହେବାକୁ ଆକଟ କରିଥିଲେ । ତେବେ କେବେ ସୁଯୋଗ ପାଇଲେ ପରବାରର ଆଢୁଆଳରେ ବଡଭଉଣୀ ଆଣୀଦେଇଥିବା ମୋବାଇଲ ଯୋଗେ କଥାବାର୍ତା ହୁଅନ୍ତି । ଏ ଘଟଣା ଆଜି ଜଣା ପଡିବା ପରେ ସାନଭଉଣୀଙ୍କୁ ମାଡ ମରାଯିବା ସହିତ ତା ହାତକୁ ଗରମ ପାଣିରେ ବୁଡାଇ ଦିଆଯାଇଥିଲା । ଫଳରେ ଡାହାଣ ହାତ ପାପୁଲିର ଉପରିପାଖର ଚମଡା ସିଝି ଯାଇଥିଲା । ଉକ୍ତ ଘଟଣା ସମ୍ପର୍କରେ ୨ଭଉଣୀ ଆଲୋଚନା କରିବା ପରେ ୨ଜଣଙ୍କର ଦୁଃଖରୁ ମୁକ୍ତି ପାଇଁ ଆତ୍ମହତ୍ୟା ଏକମାତ୍ର ଉପାୟ ସ୍ଥିରକରି ପରିବାରର ଅଜଣାତରେ ଘରୁ ଚାଲିଯାଇଥିଲେ । ମାଙ୍କଡା ପଥର ଖାତକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ସେଇ ବାଟଦେଇ ଜମିରୁ କାମସାରି ଫେରୁଥିବା ଲୋକମାନେ ଝିଅ ୨ଜଣଙ୍କୁ ସାଙ୍ଗରେ ନେଇ ବଝା ସୁଝା କରି ଖାଇବାକୁ ଦେଇଥିଲେ । ତାଙ୍କଠାରୁ ସମସ୍ତ ତଥ୍ୟ ଶୁଣି ସାରିବା ପରେ ଓଡଗାଁ ପୋଲିସକୁ ହସ୍ତାନ୍ତର କରିଥିଲେ । ଘଟଣାର ଗୁରୁତ୍ୱକୁ ଉପଲବ୍ଧିକରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶିଶୁ ସୁରକ୍ଷା ମଂଚ ନୟାଗଡ ଘଟଣା ସ୍ଥଳରେ ପହଁଚି ୨ ନାବାଳିକାକୁ ପଚରା ଉଚରା କରିବା ସହିତ ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ତଦନ୍ତ ପରେ ସଠିକ୍ ତଥ୍ୟ ମିଳିଲେ ଥାନାରେ ମାମଲା ରୁଜୁ କରାଜିବ ବୋଲି ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡାଙ୍କ ଠାରୁ ପ୍ରକାଶ ।

0
0
0
s2sdefault