ନାଲି ପାଣି କମାଲ, ଡାକ୍ତରଖାନା ସ୍ଥିତି ବେହାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଡ଼ାକ୍ତରଖାନାରେ ମଦ୍ୟପ ଯୁବକଙ୍କ ଉନ୍ମୋକ୍ତ କାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା(ଦିଲ୍ଲୀପ ମହାନ୍ତି )- ବିଳମ୍ବିତ ରାତିରେ ନିଶାଶକ୍ତ ଅବସ୍ଥାରେ ୩ ଜଣ ମଦ୍ୟପ ଯୁବକ ଉଦଳା ହସପିଟାଲରେ ପ୍ରବେଶ କରି ଆଉଟଡୋରରେ ଥିବା ଡ଼ାକ୍ତରଙ୍କୁ ଔଷଧ ମାଗିଥିଲେ, ଡ଼ାକ୍ତର ପ୍ରେସକ୍ରିପସନ ଲେଖିବା ସମୟରେ ନାମ ପଚାରିବା ପରେ ମଦ୍ୟପ ଯୁବକ ୩ଜଣ ଭିଆଇଥିଲେ ଲଙ୍କାକାଣ୍ଡ ।  ଡିଏଟିରେ ଥିବା ଡ଼ାକ୍ତର ସହ ଅନ୍ୟାନ୍ୟ ମେଡ଼ିକାଲ କର୍ମାଚାରୀ ଓ ସିକ୍ୟୁରିଟି ଗାର୍ଡକୁ ମାରଧର କରିବା ସହ ହସପିଟାଲର ଓଟି ଓ ୱାଡର଼୍ ଆଦିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଜାତୀୟ ସମ୍ପତ୍ତିକୁ ଭଙ୍ଗାରୁଜା କର ନଷ୍ଟ କରିଦେଇଥିବାର ଜଣାପଡ଼ିଛି । ହସପିଟାଲ ପରିସରରେ ଗଣ୍ଡଗୋଳ ହେଉଥିବାର ଦେଖି ସ୍ଥାନୀୟ ଜନସାଧାରଣ ପହଁଞ୍ଚି ଉଦଳା ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ବହୁ କଷ୍ଟରେ ମଦ୍ୟପ ଯୁବକକୁ କାବୁ କରିବା ପରେ ଉଦଳା ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲେ । ଅଭିଯୁକ୍ତ ଯୁବକମାନଙ୍କ ମଧ୍ୟରେ ହସପିଟାଲର ଜଣେ ଅସ୍ଥାୟୀ କର୍ମଚାରୀ ରହିଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଜୁଲାଇ ୨୦ ଶନିବାର ରାତି ପ୍ରାୟ ୧୧ଟା ପାଖାପାଖି ଚନ୍ଦନ ମୁଖୀ, ସୁରେଶ ନାୟକ ଓ ଚନ୍ଦନ ନାୟକ ନିଶାଶକ୍ତ ଅବସ୍ଥାରେ ଖଣ୍ଡିଆଖାବରା ହୋଇ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ପହଁଞ୍ଚିଥିଲେ । ଚିକିତ୍ସାଳୟରେ ସେମାନଙ୍କର ଶରୀରରେ ହୋଇଥିବା କ୍ଷତକୁ ପରିଷ୍କାର କରାଯାଇ ଔଷଧ ଲଗାଇ ବ୍ୟାଣ୍ଡେଜ କରାଯିବା ପରେ ଡ଼ାକ୍ତର ଔଷଧ ଲେଖିବା ଓ ରେଜିଷ୍ଟରରେ ନାମ ଏଣ୍ଟ୍ରି କରାଇବା ନିମନ୍ତେ ସେମାନଙ୍କର ନାମ ପଚାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଡ଼ାକ୍ତରଙ୍କ ଟେବୁଲକୁ ବିଧା ଓ ଗୋଇଁଠା ମାରି  ଭାଙ୍ଗି ଓଲଟାଇ ଦେବା ପରେ ଡ଼ାକ୍ତରଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀମାନେ ପହଁଞ୍ଚି ବାଧା ଦେବାରୁ ଆକ୍ରମଣକାରୀ ନିଶାସକ୍ତ ଯୁବକ ୩ଜଣଙ୍କ କବଳରୁ ବର୍ତ୍ତି ପାରିନଥିଲେ । ଏତିକିରେ ମନ ଶାନ୍ତ ପଡ଼ିନଥିଲା । ଆଉଟଡୋର, ଓଟି ଆଦିରେ ପ୍ରବେଶ କରି ସମ୍ମୁଖରେ ଯାହା ଆସିଥିଲା ସେଗୁଡ଼ିକୁ ଭଙ୍ଗାରୁଜା ଚଳାଇଥିଲେ । ଉକ୍ତ ଘଟଣାକୁ ନେଇ ଜୁଲାଇ ୨୧ ରବିବାର ସକାଳ ସମୟରେ ହସପିଟାଲର ଡ଼ାକ୍ତର ଓ  କର୍ମଚାରୀମାନେ ନିଜର ସୁରକ୍ଷା ସହ ଅଭିଯୁକ୍ତ ଯୁବକମାନଙ୍କୁ ଗିରଫ ଦାବିରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଫଳରେ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ରୋଗୀସେବା ଠପ୍ ହୋଇଯାଇଥିଲା । ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଏହି ପ୍ରକାରର ଘଟଣା ପ୍ରଥମ ନଥିଲା । ବିଭିନ୍ନ ସମୟରେ ଏବଂ ବାରମ୍ବାର ହସପିଟାଲରେ ଡ଼ାକ୍ତର ଓ ମେଡ଼ିକାଲ କର୍ମଚାରୀମାନଙ୍କ ଉପରେ ଆକ୍ରମଣ ହୋଇଆସୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ତେଣୁ, ଚିକିତ୍ସାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପୁଲିସ ମୁତୟନ ଦାବିରେ ଆନେ୍ଦାଳନ ଆରମ୍ଭ କରିଥିଲେ । ଖବରପାଇ ଉଦଳା ଥାନା ପୁଲିସ ଓ କପ୍ତିପଦା ଉପଜିଲ୍ଲାପାଳ ହସପିଟାଲରେ ପହଁଞ୍ଚି ଡ଼ାକ୍ତର ଓ ମେଡ଼ିକାଲ କର୍ମଚାରୀମାନଙ୍କ ସହ ଆଲୋଚନା କରି ହସପିଟାଲ ପରିସରରେ ପୁଲିସ ମୁତୟନ ଏବଂ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ଦିନ ୧୨.୧୫ ମିନିଟରେ ହସପିଟାଲରେ ରୋଗୀସେବା ସ୍ୱଭାବିକ ହୋଇଥିଲା । ଏଥି ସହିତ ଆକ୍ରମଣର ଶିକାର ହୋଇଥିବା ଡ଼ାକ୍ତରଙ୍କ ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ କରାଯାଇନଥିବାରୁ ଭଙ୍ଗାରୁଜା ଘଟଣାକୁ ନେଇ କୌଣସି ମାମଲା ରୁଜୁ ହୋଇନଥିବା ବିଷୟ ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି ।

0
0
0
s2sdefault