ଲୋକାୟୁକ୍ତଙ୍କ ପାଖରେ ପହଂଚିଲାଣି ୬୫୭ଟି ଦୁର୍ନୀତି ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶା ଲୋକାୟୁକ୍ତ ଆକ୍ଟ-୨୦୧୪ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ‘ସଙ୍କଳ୍ପ’ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଲୋକାୟୁକ୍ତର ଚେୟାର ପରସନ ତଥା ଗୌହାଟୀ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାର ପତି ଅଜିତ ସିଂହ ଓଡ଼ିଶା ଲୋକାୟୁକ୍ତ ଆକ୍ଟ-୨୦୧୪ର ଆଭିମୁଖ୍ୟ ଉପରେ ଉପସ୍ଥିତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ବିଶଦ ଭାବେ ଅବଗତ କରାଇଥିଲେ । ଏହି ଅବସରରେ ଶ୍ରୀସିଂହ ମଧ୍ୟ ଲୋକାୟୁକ୍ତ ଆକ୍ଟ ୨୦୧୪ ବିଷୟରେ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାରେ ଲୋକପାଳର ବିଲୋପ ଘଟି ନୂଆ କଳେବର ନେଇ ୨୦୧୮ ଜୁଲାଇ ୭ରେ ଲୋକାୟୁକ୍ତ  ଜନ୍ମ ନେଇଥିଲା । ଏହାର ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ୨୦୧୯ ଫେବୃଆରୀ ୨୮ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଲୋକାୟୁକ୍ତ ଗଠନ ପ୍ରକ୍ରିୟା ଆରମ୍ଭ ହେଲା ଏବଂ ବୋଡର଼୍ରେ ଜଣେ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅଥବା ଅବସର ପ୍ରାପ୍ତ ବିଚାରପତିଙ୍କୁ ଚେୟାର ପରସନ ଭାବେ ଓ ୫ ଜଣ ସଦସ୍ୟ ମଧ୍ୟରୁ ୨ ଜଣ ଅବସର ପ୍ରାପ୍ତ ବିଚାର ବିଭାଗୀୟ ପଦାଧିକାରୀଙ୍କୁ ନିଯୁକ୍ତି ଦେବାକୁ ନେଇ  ଲୋକାୟୁକ୍ତ ଆକ୍ଟ-୨୦୧୪ରେ ରହିଥିବା ଆଇନ ଅନୁସାରେ ସରକାର ଚେୟାର ପରସନ ଭାବେ ଗୌହାଟୀ କାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଶ୍ରୀ ସିଂହଙ୍କୁ ୨୦୧୯ ମାର୍ଚ୍ଚ ୨୯ରେ ନିଯୁକ୍ତି ଦେବା ସହିତ ଓଡ଼ିଶା ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ବି କେ ନାୟକଙ୍କୁ ଗତ ମାର୍ଚ୍ଚ ୩୧ରେ  ଓ ଇଣ୍ଡିଆନ ଫରେଷ୍ଟ ସର୍ଭିସ ତଥା ଫରେଷ୍ଟ ଫୋର୍ସର ମୁଖ୍ୟ ଡ଼ଃ ଦେବବ୍ରତ ସ୍ୱାଇଁଙ୍କୁ ଗତ ଏପ୍ରିଲ ୪ରେ ନିଯୁକ୍ତି ପ୍ରଦାନ କରାଯାଇଛି । ଓଡ଼ିଶା ଲୋକାୟୁକ୍ତ ଓଡ଼ିଶାରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଅଧିକାରୀ, ପଦାଧିକାରୀ(ପିଅନଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ) ପର୍ଯ୍ୟନ୍ତ ଏବଂ ୱାଡ଼ଙ ମେମ୍ବରଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତ ନିର୍ବାଚିତ ଲୋକପ୍ରତିନିଧିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ଲୋକାୟୁକ୍ତ ପକ୍ଷରୁ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରାଯିବ । ଲୋକାୟୁକ୍ତ ସ୍ୱୟଂ ପରିଚାଳିତ ରାଜ୍ୟସ୍ତରୀୟ ଏଣ୍ଟି କରପସନ ବୋଡର଼୍ ହୋଇଥିବାରୁ ସରକାରୀ କର୍ମଚାରୀ, ଅଧିକାରୀ ଓ ପଦାଧିକାରୀ ପ୍ରମୁଖଙ୍କ ବିରୋଧରେ ତଦନ୍ତ କରିବା ସମୟରେ ବିଭାଗୀୟ ଉଚ୍ଚପଦାଧିକାରୀଙ୍କ ନିକଟରୁ ଅନୁମତି ନେବାର ବ୍ୟବସ୍ଥା ନାହିଁ । ସ୍ୱାଧୀନ ଭାବେ ତଦନ୍ତ କରିବା କ୍ଷେତ୍ରରେ ଅଖଣ୍ଡ କ୍ଷମତା ରହିଛି । ଲୋକାୟୁକ୍ତର ଏଣ୍ଟି-କରପସନ ଶାଖା ପକ୍ଷରୁ ଆସିଥିବା ଦୁର୍ନୀତିର ଅଭିଯୋଗ ଉପରେ ତଦନ୍ତ ହେବା ପରେ ଦୁର୍ନୀତି କରିଥିବାର କୌଣସି ପ୍ରମାଣ ମିଳିବା ପରେ ସମ୍ପୃକ୍ତ ସରକାରୀ କର୍ମଚାରୀ ଅଥବା ନିର୍ବାଚିତ ଲୋକପ୍ରତିନିଧିଙ୍କ ବିରୋଧରେ ସ୍ୱତନ୍ତ୍ର କୋର୍ଟରେ ବିଚାର ଆରମ୍ଭ ହୋଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲୋକାୟୁକ୍ତର ଏଣ୍ଟି-କରପସନ ଶାଖାକୁ ୬୦ ଦିନ ମଧ୍ୟରେ ତଦନ୍ତ ପ୍ରକ୍ରିୟା ସମାପ୍ତ କରି ରିପୋର୍ଟ ଦାଖଲ କରିବାକୁ ଆଇନରେ ନିର୍ଦ୍ଦେଶ ରହିଛି । ସେହିପରି ଲୋକାୟୁକ୍ତ ଆଇନ ଉପଧାରା -୪ରେ ରହିଥିବା ଧାରା ୪୪ ଅନୁଯାୟୀ ପ୍ରତ୍ୟେକ ସରକାରୀ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେବାର ୩୦ ଦିନ ମଧ୍ୟରେ ନିଜ ସହ ପରିବାରର ସଦସ୍ୟମାନଙ୍କର ସମ୍ପତ୍ତି ତାଲିକା କାର୍ଯ୍ୟାଳୟର ଉଚ୍ଚ ପଦାଧିକାରୀଙ୍କ ନିକଟରେ ସତ୍ୟପାଠ ଜରିଆରେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦାଖଲ କରିବା ପରେ ବିଭାଗୀୟ ପଦାଧିକାରୀ ଉକ୍ତ ସମ୍ପତ୍ତି ତାଲିକାକୁ  କାର୍ଯ୍ୟାଳୟର ୱେବ  ସାଇଟରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ୩୧ ମଧ୍ୟରେ ଅପଲୋଡ଼ କରାଇବେ । ପୁଣି ଧାରା ୪୫ ଅନୁଯାୟୀ ଯଦି କୌଣସି ସରକାରୀ କର୍ମଚାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ କରିବାରେ କୌଣସି କାରଣରୁ ଅସମର୍ଥ ହୁଅନ୍ତି ଅଥବା ଭୂଲ ତଥ୍ୟ ଦାଖଲ କରିଥାନ୍ତି ଏବଂ ପରବର୍ତ୍ତି ସମୟରେ ଦାଖଲ କରିଥାନ୍ତି ତେବେ ଉକ୍ତ ସମୟସୀମା ମଧ୍ୟରେ ଆୟ ଉପାର୍ଜନ କରିଥିବା ସମସ୍ତ ସମ୍ପତ୍ତିକୁ କର୍ମଚାରୀଙ୍କ ଅସାଧୁ ଉପାର୍ଜନ  ବୋଲି ଗ୍ରହଣ କରାଯିବ । ସେହିପରି ଜଣେ ଚାକରୀରୁ ଅବସର ନେଇଥିଲେ ମଧ୍ୟ ତାଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଥିଲେ ଲୋକାୟୁକ୍ତର ଆଇନ ପରିସରଭୁକ୍ତରେ ଆସୁଥିଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହବେ । ଯଦି କୌଣସି ବ୍ୟକ୍ତି ଆଣିଥିବା ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୁଏ, ତେବେ ସେହି ବ୍ୟକ୍ତଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଲୋକାୟୁକ୍ତର କ୍ଷମତା ପରିସରଭୁକ୍ତ ରହିଛି । ବର୍ତ୍ତମାନ ଓଡ଼ିଶା ଲୋକାୟୁକ୍ତ  ଭୂବନେଶ୍ୱର ସତ୍ୟନଗରସ୍ଥିତ ତୋଷାଳୀ ଭବନ ପରିସରରେ ତାର କାର୍ଯ୍ୟ ଆରମ୍ଭ କରିବା ସହ ମୋଟ ୬୫୭ଟି ଦୁର୍ନୀତି ଅଭିଯୋଗ ଗ୍ରହଣ କରିଛି । ଏହା ମଧ୍ୟରୁ ୧୧୯ଟି ଅଭିଯୋଗ ଗ୍ରହଣ ଯୋଗ୍ୟ ହୋଇନଥିବା କାରଣରୁ ତାକୁ ଖାରଜ କରିଦିଆଯାଇଥିବା ସମୟରେ କୌଣସି ବ୍ୟକ୍ତିଗତ ସମସ୍ୟା ଜନିତ ଅଭିଯୋଗକୁ  ଆୟୁକ୍ତ ଗ୍ରହଣ କରୁନଥିବାରୁ  ୪୯୬ଟି ବ୍ୟକ୍ତିଗତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ଆୟୁକ୍ତ ପରିସର ଭୂକ୍ତ ଥିବା ୮୨ଟି ଅଭିଯୋଗ ଉପରେ ତଦନ୍ତ ଚାଲୁ ରହିଛି ବୋଲି ଲୋକାୟୁକ୍ତର ଚେୟାର ପରସନ ତଥା ଗୌହାଟୀ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଶ୍ରୀସିଂହ ଆଜିର ଖବରଦାତା ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।  ଏହି ସମୟରେ ଲୋକାୟୁକ୍ତର ଦୁଇ ସଦସ୍ୟ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଶ୍ରୀ ନାୟକ ଓ ଇଣ୍ଡିଆନ ଫରେଷ୍ଟ ସର୍ଭିସ୍ ତଥା ଫରେଷ୍ଟ ଫୋର୍ସ ମୁଖ୍ୟ ଶ୍ରୀ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଉପସ୍ଥିତ ରହିଥିଲେ ।

0
0
0
s2sdefault