ସ୍ଥାଣୁ ପାଲଟିଛି ଜିଲ୍ଲା ଯୋଗାଣ ବିଭାଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାଉଗାଁ-ରୋହିଆ ହିତାଧିକାରିଙ୍କୁ ୧୪କି.ମି ଯିବାକୁ ପଡୁଛି ପି. ଡି.ଏସ୍ ସାମଗ୍ରୀ ପାଇଁ
୩ମାସ ହେଲାଣି ମିଳୁନି ରାସନ,ଆନ୍ଦୋଳନ ପାଇଁ ସଜବାଜ

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାର କେତେକ ବ୍ଲକରେ ବ୍ଲକ ଯୋଗାଣ ଅଧିକାରୀ (ଏମ୍ ଆଇ)ମାନେ କେତେକ ବ୍ଳକ ଛାମୁଆ ନେତାଙ୍କ ଇଶାରାରେ ନିଜର ମନମାନୀ ଚଳାଉଥିବା କୁହାଯାଉଛି।ଏପରି ଅନେକ ଘଟଣା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଦୃଷ୍ଟି ଗୋଚର ହେବାପରେ ମଧ୍ୟ ଜିଲ୍ଲା ଯୋଗାଣ ବିଭାଗ କ'ଣ ପାଇଁ ସ୍ଥାଣୁ ପାଲଟିଛି ଏନେଇ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।ଏପରିକି କିଛିଦିନ ହେବ ତିର୍ତ୍ତୋଲ ବ୍ଲକ ଯୋଗାଣ ଅଧିକାରୀ (ଏମ୍ ଆଇ)ଙ୍କ କାରନାମା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇ ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ବେଳେ ଏବେ ପୁଣି ଏହି ଜିଲ୍ଲାର ନାଉଗାଁ ବ୍ଲକରେ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।ସୂଚନାନୁଯାୟୀ ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ଗ୍ରାମପଞ୍ଚାୟତର ହିତାଧିକାରୀଙ୍କୁ ରାସନ(ପି.ଡି.ଏସ) ସାମଗ୍ରୀ ଆଣିବା ପାଇଁ ୧୪କି.ମି ଯିବାକୁ ପଡୁଥିବା ବେଳେ ୩ମାସ ହେବ ଉକ୍ତ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳୁନଥିବା ଜଣାପଡିଛି।ଏନେଇ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି।ଉକ୍ତ ରୋହିଆ ଗ୍ରାମ ପଞ୍ଚାୟତରେ ଆଜକୁ ୧୦ ବର୍ଷ ଧରି ପି.ଡି.ଏସ ଚାଉଳ ବଣ୍ଟନର ଦାଇତ୍ୱ ନିର୍ବାହ କରୁଥିଲେ ପଞ୍ଚାୟତ କର୍ତ୍ତୃପକ୍ଷ।କିନ୍ତୁ ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନ ଶାସକ ଦଳର କିଛି ମୁଷ୍ଟିମେୟ କାର୍ଯ୍ୟକର୍ତାଙ୍କ ଇଙ୍ଗିତରେ ଦୀର୍ଘ ୩ ମାସ ଧରି ହିତାଧିକାରୀ ମାନେ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି।ବର୍ତ୍ତମାନ ଦୀର୍ଘ ୧୪ କିଲୋମିଟର ଦୂର ଏକ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହି ପି.ଡି.ଏସ ସାମଗ୍ରୀ ବଣ୍ଟନ କରାଯାଉଥିବା ବେଳେ ହିତାଧିକାରୀଙ୍କ ପକ୍ଷେ ଏତେ ଦୂର ଯାଇ ଜିନିଷ ଆଣିବା ଏକ ପ୍ରକାର କଷ୍ଟସାଧ୍ୟ ବ୍ୟାପାର।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀ ବି.ଡି.ଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଏ ସମ୍ପର୍କରେ ଗ୍ରାମବାସୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ସେ ଏ ଘଟଣା ସମ୍ପର୍କରେ ଅବଗତ ନଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।ଏପରିକି ଉକ୍ତ ପଞ୍ଚାୟତର ହିତାଧିକାରୀଙ୍କୁ ବଣ୍ଟନ ନିମିତ୍ତ ଆସୁଥିବା ଖାଉଟି ସାମଗ୍ରୀକୁ ପଞ୍ଚାୟତର କୌଣସି ନିରପେକ୍ଷ ସ୍ଥାନରେ ରଖାନଯାଇ ଏକ ନିର୍ଦିଷ୍ଟ ରାଜନୈତିକ ଦଳର ସଭାପତିଙ୍କ ଘରେ ରଖାଯିବାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଉଥିବା ଜଣାପଡିଛି।ଉକ୍ତ ପଞ୍ଚାୟତର ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସଭାପତିଙ୍କ ପ୍ରତି ବିଡିଓ ଙ୍କର ଏ ଅହେତୁକ ଅନୁକମ୍ପା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସ୍ଥାନୀୟ ଜନ ପ୍ରତିନିଧି ଏବଂ ହିତାଧିକାରୀଙ୍କ ପକ୍ଷରୁ ଜଣାପଡିଛି |

0
0
0
s2sdefault