ହେଡଲାଇନସ୍:

ହଟିଲା ପ୍ରତିବନ୍ଧକ : ଆଲବନ ପାଇବ ଭିନ୍ନକ୍ଷମ ଭତ୍ତା, ଲାଗିବ କୃତ୍ରିମ ଗୋଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ଗୁରଣ୍ଡିଆ ବ୍ଳକ୍ କୁଚେଇତା ପଞ୍ଚାୟତ ଅନ୍ତର୍ଗତ ବଣପାହାଡ ଘେରା ଗାଁ କେନ୍ଦୁଘାଟିର ଦୁଖିନି ବିଧବା ମା ହାନା ଟପ୍ନୋ(56) ଙ୍କ ଭିନ୍ନକ୍ଷମ ପୁଅ ଆଲବନ ଟପ୍ନୋ(13) କୁ ମିଳିବ ଭିନ୍ନକ୍ଷମ ଭତ୍ତା ଓ ଛାତ୍ର ବୃତ୍ତି। ଏବଂ ତା କଟା ଗୋଡରେ ଲାଗିବ ଏକ କୃତ୍ରିମ ଗୋଡ। ଏସବୁ ସରକାରୀ ସହାୟତା ମିଳିବାରେ ସାଜିଥିବା ପ୍ରତିବନ୍ଧକ ଆଜି ଦୁରହୋଇଛି। ଆଲବନକୁ ମିଳିଛି ଭିନ୍ନକ୍ଷମ ପ୍ରମାଣପତ୍ର। ଦୀର୍ଘ ଆଠ ମାସ ପୁର୍ବରୁ ଏକ ସଡକ ଦୁର୍ଘଟଣାରେ ଆଲବନ ସମ୍ପୂର୍ଣ୍ଣ ରୁପେ ଗୋଟିଏ ଗୋଡ ହରାଇଥିଲେ ମଧ୍ୟ ସେ ଭିନ୍ନକ୍ଷମ ଭତ୍ତା ଓ ଛାତ୍ର ବୃତ୍ତି ପାଇବାରୁ ବଞ୍ଚିତ ହୋଇଥିଲେ। ଆଲବନ ସାମାଜିକ ସୁରକ୍ଷା ଯୋଜନାରେ ସରକାରୀ ସହାୟତା ପାଇବା ପାଇଁ ଆବଶ୍ୟକ ହେଉଥିଲା ଭିନ୍ନକ୍ଷମ ପ୍ରମାଣପତ୍ର। ହେଲେ ବିଧବା ମା ହାନା ପୁଅର ଭିନ୍ନକ୍ଷମ ପ୍ରମାଣପତ୍ର କରିବା ପାଇଁ ମଧ୍ୟ ଅକ୍ଷମ ଥିଲେ। ଏକ ଅପହଞ୍ଚ  ଗାଁର ଦୁର୍ଗମ ପାହାଡ ଉପରେ ରହିଥିବା ହାନାକୁ ଏ ମଧ୍ୟ ଜଣାନାହି ଯେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ କେଉଁଠି ଯିବାକୁ ହୁଏ। ତେଣୁ ଆଜି ସମାଜସେବୀ ଶାନ୍ତନୁ କୁସୁମ ମା ପୁଅଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ଆଣି ସଙ୍ଗେସଙ୍ଗେ ଆଲବନକୁ ଭିନ୍ନକ୍ଷମ ପ୍ରମାଣପତ୍ର ଉପଲବ୍ଧ କରାଇଥିଲେ। ତାସହିତ ସମାଜସେବୀ ଶ୍ରୀ କୁସୁମ ମା ପୁଅଙ୍କୁ ସିଭିଲ୍ ଟାଉନସିପ mm-24 ରେ ଅବସ୍ଥିତ ଆଞ୍ଚଳିକ ପୁନର୍ବାସ ଏବଂ ଗବେଷଣା କେନ୍ଦ୍ରକୁ ନେଇ ଆଲବନର କଟା ଗୋଡରେ ଏକ କୃତ୍ରିମ ଗୋଡ ଲଗାଇବା ପାଇଁ ମାପ ଦେଇଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ଆଜି ଆଲବନ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଲାପରେ ସବୁ ପ୍ରତିବନ୍ଧକ ଦୁରହୋଇଛି। ଆଉ ଅଳ୍ପ ଦିନ ମଧ୍ୟରେ ଆଲବନକୁ ଭିନ୍ନକ୍ଷମ ଭତ୍ତା ଓ ଛାତ୍ର ବୃତ୍ତି ମିଳିବା ସହିତ ତା କଟା ଗୋଡରେ ଏକ କୃତ୍ରିମ ଗୋଡ ଲଗାଯିବ। ତତ୍ ସଙ୍ଗେସଙ୍ଗେ ବିଧବା ମା ହାନାକୁ ମଧ୍ୟ ବିଧବା ଭତ୍ତା ମିଳିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ 29 ଦିନ ସମାଜସେବୀ ଶ୍ରୀ କୁସୁମ ବିଧବା ହାନା ଓ ଭିନ୍ନକ୍ଷମ ଆଲବନର ଦୁଖ କାହାଣୀ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତଣ୍ଡିଆଙ୍କୁ ଜଣାଇବା ସହିତ ହାନାକୁ ବିଧବା ଭତ୍ତା ଓ ଆଲବନକୁ ଭିନ୍ନକ୍ଷମ ଭତ୍ତା, ଆଶାବାଡି ପ୍ରଦାନ କରିବା ପାଇଁ ଦାବି କରିଥିଲେ। ଏହାପରେ ମା ପୁଅଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ହେଲେ ଆଲବନର ଭିନ୍ନକ୍ଷମ ପ୍ରମାଣପତ୍ର ସାଜିଥିଲା ପ୍ରତିବନ୍ଧକ। ହେଲେ ଆଜି ଆଲବନକୁ ଭିନ୍ନକ୍ଷମ ପ୍ରମାଣପତ୍ର ଉପଲବ୍ଧ ହେବାରୁ ସରକାରୀ ସହାୟତା ମିଳିବାର ରାସ୍ତା ପ୍ରସସ୍ତ ହୋଇଛି।

0
0
0
s2sdefault