ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ - ଏକ ସଡକ ଦୁର୍ଘଟଣାର ଶିକାର ହୋଇ ସମ୍ପୁର୍ଣ୍ଣ ରୁପେ ଗୋଟିଏ ଗୋଡ ହରାଇଥିବା ଗୁରୁଣ୍ଡିଆ ବ୍ଳକ୍ କୁଚେଇତା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଟି ଗ୍ରାମର ବିଧବା ହାନା ଟପ୍ନୋଙ୍କ ଗୋଟିଏ ବୋଲି ପୁଅ ଆଲବନ ଟପ୍ନୋ(୧୩) ମିଳିଛି ଆଶାବାଡି। ଆଶାବାଡି ମିଳିଲା ପରେ ଦୀର୍ଘ ଦିନ ଧରି ବିଦ୍ୟାଳୟରୁ ଦୁରେଇ ରହିଥିବା ଆଲବନ ପୁଣି ଥରେ ବିଦ୍ୟାଳୟକୁ ପାଠ ପଢିବାକୁ ଯିବାର ବାଟ ଫିଟିଛି।୨୦୧୮ ମସିହା ନଭେମ୍ବର-୧୧ ଅପରାହ୍ନ ୩ ଟାରେ ଗୁରୁଣ୍ଡିଆ ବ୍ଳକ୍ କୁଚେଇତା ପଞ୍ଚାୟତ ଅନ୍ତର୍ଗତ ଅପହଞ୍ଚ ଗାଁ କେନ୍ଦୁଘାଟିର ହାନା ଟପ୍ନୋ(୫୬)ଙ୍କ ମୁଣ୍ଡରେ ସତେ ଯେମିତି ପଡିଥିଲା ଚଡକ। ସ୍ବାମୀ ବାଲତୁଷ ଟପ୍ନୋ ଓ ପୁଅ ଆଲବନ ବଜାର କରିବାକୁ ଯାଇ ଲାଠିକଟା ଯାଇ ଘରକୁ ଫେରୁଥିବା ବେଳେ ଗୋପାଳପୁର ଠାରେ ଏକ ଟ୍ରକ ଚକ ତଳେ ଚାପି ହୋଇ ଯାଇଥିଲେ। ଘଟଣା ସ୍ଥଳରେ ବାଲତୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଆଲବନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୋଟିଏ ପଟେ ଜୀବନସାଥିକୁ ହରାଇଥିବାର ଦୁଃଖ ହେଲେ ଅନ୍ୟପଟେ ଏକମାତ୍ର ସନ୍ତାନକୁ ବଞ୍ଚାଇବାକୁ ସଙ୍ଗେସଙ୍ଗେ ମୋଟା ଅଙ୍କର ଅର୍ଥ ଯୋଗାଡ ଦାୟିତ୍ୱ। ଏମିତି ଅବସ୍ଥାରେ ନିରୁପାୟ ହୋଇ ପଡିଥିଲେ ହାନା। କଣ କରିବେ କଣ ନାହିଁ କିଛି ନିର୍ଣ୍ଣୟ କରି ପାରୁନଥିଲେ ସେ। ଯେତେ ଚେଷ୍ଟା କଲେ ମଧ୍ୟ ଆଖିର ଲୁହ ଓ ମନର କୋହକୁ ଚାପି ପାରୁନଥିଲେ। ତେବେ ଏଭଳି ବିପଦ ସମୟରେ ହାନାଙ୍କ ପାଖରେ ଛିଡ଼ା ହୋଇଥିଲେ ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ। ଗୁରୁତର ଆଲବନକୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ବ୍ୟବସ୍ଥା କରିବା ସହିତ ପରବର୍ତ୍ତୀ ମୁହୁର୍ତ୍ତରେ କଟକ ବଡ ମେଡିକାଲ ଅଧିକ୍ଷକ ପ୍ରଫେସର ପ୍ରସନ୍ନ ଦେବତାଙ୍କୁ ସାକ୍ଷାତ କରି ଆଲବନର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ କୁସୁମ। ତାପରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବିମା ଯୋଜନାରେ ଆରମ୍ଭ ହୋଇଥିଲା ଆଲବନଙ୍କ ଚିକିତ୍ସା। ଉଭୟ ଗୋଡର କରାଯାଇଥିଲା ଅସ୍ତ୍ରୋପଚାର। ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଆଲବନଙ୍କୁ ହରାଇବାକୁ ପଡିଥିଲା ଡାହାଣ ଗୋଡ। ଏହାକୁ ଜଙ୍ଘ ପାଖରୁ କଟାଯାଇଛି। ଏଥିପାଇଁ ତାଙ୍କୁ କଟକ ବଡ ମେଡିକାଲରେ ୪୦ ଦିନ ଯାଏ ରହିବାକୁ ପଡିଥିଲା। ହେଲେ ସୁସ୍ଥ ହୋଇ ଘରକୁ ଫେରିଲା ପରେ ଆଲବନ କିନ୍ତୁ ଆଉ ବିଦ୍ୟାଳୟକୁ ଯାଇ ପାରିନଥିଲା। କୌଣସି ମତେ ଚଳପ୍ରଚଳ କରି ପାରୁନଥିବା ଆଲବନ ଦଦରା କୁଡିଆ ଭିତରେ ପଡି ରହିଥିଲା। ଗାଁ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଥିବା ଆଲବନ ନିଜ ସହପାଠୀ ମାନେ ବିଦ୍ୟାଳୟକୁ ଯାଉଥିବାର ଦେଖିଲେ ଫୁଲି ଫୁଲି କାନ୍ଦେ। ବିଦ୍ୟାଳୟକୁ ନେଇ ଦେବା ପାଇଁ ବିଧବା ମା ହାନାକୁ ଅଳି କରେ। ଅଳ୍ପ ବୟସରେ ସଡକ ଦୁର୍ଘଟଣାର ଶିକାର ହୋଇ ଅପାରଗ ହୋଇଯାଇଥିବା ଆଲବନଙ୍କ ମନରେ ଖୁନ୍ଦି ହୋଇଛି ଅନେକ ଆଶା। ଭଲ ପାଠ ପଢିବେ, ଆଗକୁ ବଢିବେ, ବିଧବା ମା ର ବୋଝକୁ ହାଲୁକା କରିବେ। ଆଲବନର ଏଭଳି ପାଠ ପଢିବାର ଇଛା ବିଷୟରେ ଅବଗତ ହେଲାପରେ ସମାଜସେବୀ ଶ୍ରୀ କୁସୁମ ଗତ ୨୯ ତାରିଖ ଦିନ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତଣ୍ଡିଆଙ୍କ ସହିତ ଆଲୋଚନା କରିବା ସହିତ ଆଲବନକୁ ଆଶାବାଡି ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ। ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ଆଜି ଆଲବନକୁ ଆଶାବାଡି ପ୍ରଦାନ କରାଯାଇଥିବା ବେଳେ ଅଳ୍ପ ଦିନ ମଧ୍ୟରେ ତାକୁ ଛାତ୍ର ବୃତ୍ତି ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି।
ରାଜ୍ୟ
କୁସୁମଙ୍କ ହସ୍ତକ୍ଷେପ ପରେ ମିଳିଲା ଆଶାବାଡି : ଏବେ ବିଦ୍ୟାଳୟକୁ ପାଠ ପଢିବାକୁ ଯିବ ଆଲବନ
- Hits: 524