ହେଡଲାଇନସ୍:

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା : ଜନ୍ମବେଦୀରେ ପହଁଞ୍ଚିଲେ ଚତୁର୍ଦ୍ଧାମୂର୍ତ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାରିପଦା (ଦିଲ୍ଲୀପ ମହାନ୍ତି/ ଅରବିନ୍ଦ ଦାସ )- ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ବିଶ୍ୱ ପ୍ରସିଦ୍ଧ । ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ମହାପ୍ରଭୂଙ୍କର ସାନ୍ନିଧ୍ୟ ଲାଭ ବଡ଼ଦାଣ୍ଡରେ ହିଁ ସମସ୍ତ ଭକ୍ତଙ୍କୁ ମିଳିଥାଏ, ଯାହା ଶ୍ରୀମନ୍ଦିର ମଧ୍ୟରେ ସମ୍ଭବ ହୋଇ ପାରି ନଥାଏ । ଭକ୍ତମାନେ ବଡ଼ଦାଣ୍ଡରେ  ରଥ ଉପରେ ଯେଉଁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି, ସେ ହେଉଛନ୍ତି ବାମନରୂପୀ ଲୀଳାମୟ ସ୍ୱୟଂ ନାରାୟଣ । ଯାହାଙ୍କୁ ଦର୍ଶନ କଲେ ପୁନ ର୍ଜନ୍ମ ଲାଭ ନ ହୋଇ ମୋକ୍ଷ ପ୍ରାପ୍ତି ହେଉଥିବାର ଶାସ୍ତ୍ରରେ ଉଲ୍ଲେଖ ରହିଛି । “ ଦୋଳେ ଚ ଦୋଳ ଗୋବିନ୍ଦଂ, ଚାପେ ଚ ମଧୁସୂଦନମ୍ । ରଥେତୁ ବାମନଂ ଦୃଷ୍ଟବା  ପୁନର୍ଜନ୍ମଂ ନ ବିଦ୍ୟତେ” | ଓଡ଼ିଶାର ସଂସ୍କୃତି କହିଲେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ବୁଝାଇଥାଏ । ସଂସ୍କୃତିର ମୂଳଧାର ମଧ୍ୟ  ସ୍ୱୟଂ ମହାପ୍ରଭୂ ଶ୍ରୀଜଗନ୍ନାଥ । ମହାପ୍ରଭୂ ହେଉଛନ୍ତି ମାନବବାଦର ପ୍ରତୀକ । ସମଗ୍ର ହିନ୍ଦୁ ଜନତାଙ୍କର ଶ୍ରେଷ୍ଠ ଦେବତା ହେଉଛନ୍ତି ମହାପ୍ରଭୂ ଶ୍ରୀଜଗନ୍ନାଥ । ମା ସୁଭଦ୍ରା ହେଉଛନ୍ତି ବ୍ରହ୍ମମୟୀ, ଶକ୍ତିମୟୀ, ତତ୍ୱମୟୀ ଓ କ୍ରିୟାମୟୀ ରୂପରେ ପ୍ରମାଣିତା ହୋଇ ଜୀବାତ୍ମାର ଗତି ନିୟନ୍ତ୍ରିକା ଭାବରେ ସ୍ୃଷ୍ଟି, ସ୍ଥିତି, ପାଳନ ଓ ବିଲୟର ସମସ୍ତ ଭାର ବହନ କରିଥାନ୍ତି । ଭାରତର ଚାରିଧାମ ମଧ୍ୟରୁ ଜଗନ୍ନାଥ ଧାମ ସର୍ବଶ୍ରେଷ୍ଠ  । ମହାପ୍ରଭୂଙ୍କ ନିକଟରେ ଜାତିଭେଦ ନଥାଏ । ଶୈବ, ଶାକ୍ତ, ଗାଣପତ୍ୟ, ସୌର, ବୈଷ୍ଣବ, ଜୈନ, ବୁଦ୍ଧ, ନାନକ, ଆର୍ଯ୍ୟ ଅନାର୍ଯ୍ୟ ସମସ୍ତଙ୍କର ଆରାଧ୍ୟ ଦେବତା ଅଟନ୍ତି । ରଥାରୂଢ଼ ଶ୍ରୀଜଗନ୍ନାଥଙ୍କର ଦର୍ଶନ ଭକ୍ତମାନଙ୍କ ପ୍ରାଣରେ ଆନନ୍ଦର ଲହରୀ ଖେଳାଇ  ଦେଇଥାଏ । ବଡ଼ଦାଣ୍ଡରେ ତାଙ୍କର ନନ୍ଦିଘୋଷ ରଥକୁ ଟାଣିବା ପାଇଁ ଭକ୍ତମାନେ କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ଖ୍ୟାତିଲାଭ କରିଥିବା ବାରିପଦାକୁ । ଯେଉଁ ଆଡେ ଦେଖିବ କେବଳ ଜଗନ୍ନାଥମୟ । ସମଗ୍ର ବଡ଼ଦାଣ୍ଡ ପାଲଟି ଯାଇଛି ଜନସମୂଦ୍ର । ବଡଦାଣ୍ଡରେ ଚକାଡୋଳାକୁ ଦର୍ଶନ କରି ଭକ୍ତ ହୋଇ ଉଠିଥିଲେ ଭାବ ବିହ୍ୱଳ । ଖୋଳ, ମୃଦଙ୍ଗ, ଘଣ୍ଟା, ଘଣ୍ଟା, କାହାଳୀ ନାଦ ସହିତ ସଂକୀର୍ତ୍ତନରେ କମ୍ପି ଉଠିଥିଲା ବଡ଼ଦାଣ୍ଡ । ରତ୍ନ ସିଂହାସନ ଛାଡ଼ି ନବ ଦିନ ଲାଗି ଜନ୍ନବେଦୀକୁ ଯାତ୍ରାରେ ବାହାରିବେ ମହାପ୍ରଭୂ ଶ୍ରୀଜଗନ୍ନାଥ । ସମସ୍ତେ ସେହି ବ୍ରହ୍ମମୁହୂର୍ତ୍ତକୁ ଉକ୍ରଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ।
              ରଥର ନିତି ନିର୍ଘଣ୍ଟ ଅନୁସାରେ ଠିକ୍ ଅପରାହ୍ନ ୨.୩୦ମିନିଟ ସମୟରେ ବଡ଼ଦାଣ୍ଡର ମଧ୍ୟସ୍ଥଳି ଟାଉନ ଥାନା ସମ୍ମୁଖରେ ଅଟକି ରହିଥିବା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଉପରୁୁ ଭକ୍ତମାନଙ୍କ ଉପରକୁ ଗୁଡ଼ଲଡ଼ୁ ଫିଙ୍ଗା ଯିବା ପରେ ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରସ୍ତୁତ ହୋଇ ରହିଥିବା ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିଟାଣି ମାଉସୀ ମା ମନ୍ଦିର ନିକଟରେ ପହଁଚାଇବା ପରେ ମନ୍ଦିର ବେଢ଼ା ନିକଟରୁ ଅପରାହ୍ନ ୪.୨୦ରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇ ୫ରେ ମାଉସୀ ମା ମନ୍ଦିର ନିକଟରେ ପହଁଞ୍ଚଥିଲା । ପ୍ରତିକୂଳ ପାଗ ସହିତ ଝିପିଝିପି ବର୍ଷାରେ ସତ୍ୱେ ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତି ଓ ଆନନ୍ଦ ଉଲ୍ଲାସରେ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା । ତିନି ଠାକୁର ମାଉସୀ ମା ମନ୍ଦିର ନିକଟରେ ପହଁଞ୍ଚିବା ପରେ ଶ୍ରୀଶ୍ରୀ ହରିବଳଦେବ ଜୀଉ ମହାପ୍ରଭୂଙ୍କର ରଥ ଯାତ୍ରାର କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ରାତ୍ରି ୧୧ରେ ରଥାରୂଢ ମହାପ୍ରଭୂମାନେ ଗୁଣ୍ଡିଚା(ଆଡ଼ପ) ମଣ୍ଡପକୁ ପହଣ୍ଡି ବିଜେ କରିବେ । ଏଥି ସହିତ ଜୁଲାଇ ୭ ରବିବାରଠାରୁ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ମତ୍ସ୍ୟ-କଚ୍ଛପ ବେଶ, ହରିହର ବ୍ରହ୍ମା(ହେରାପଞ୍ଚମୀ), ନୃସିଂହ ଓ ବରାହ, ବାମନ ଓ ପର୍ଶୁରାମ, କାଞ୍ଚି ଅଭିଯାନ, ଦ୍ୱାରିକାବେଶ(ସୁନାବେଶ) ଆଦି ବିଭିନ୍ନବେଶ ଧାରଣ ପୂର୍ବକ ଭକ୍ତମାନଙ୍କୁ ଦର୍ଶନ ଦେବେ ।
       ଆଜିର ଏହି ରଥଟଣାରେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ବଡ଼ସାହି ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲାପାଳ ବିନୀତ ଭରଦ୍ୱାଜ, ଜିଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର, ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ, ବାରିପଦା ଉପଜିଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ ପ୍ରମୁଖଯୋଗ ଦେଇଥିଲେ ।


ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ ମୁହାଁମୁହିଁ-

ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କରଞ୍ଜିଆ ଏସଡ଼ିପିଓ ନାରାୟଣ ନାୟକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରଥ ପ୍ରସ୍ତୁତି ବୈଠକରେ ରଥ ଟଣା ସମୟରେ ଉନାର କଡର଼୍ନ ମଧ୍ୟରେ କେବଳ ଭିଆଇପି ପାଶଧାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ପ୍ରବେଶକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଥିବା ବେଳେ ନନ୍ଦିଘୋଷ ରଥ ଟଣା ସମୟରେ ଏହାର ବ୍ୟତୀକ୍ରମ ଦେଖାଦେଇଥିଲା । କେତେକ ବିନାପାଶଧାରୀ ବ୍ୟକ୍ତିଙ୍କ କଡର଼୍ନ ଭିତରେ ଥିବାର ଦେଖିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଏହା ଉପରେ ପ୍ରଶ୍ନ ଉଠାଇବାରୁ ଏହାକୁ ନେଇ କରଞ୍ଜିଆ ଏସଡ଼ିପିଓ ଶ୍ରୀନାୟକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ କଥାକଟାକଟି ଆରମ୍ଭ ହୋଇଯାଇଥିଲା । ଫଳରେ ରଥଟଣା ପ୍ରାୟ ୧୫ ମିନିଟ ବିଳମ୍ବ ହୋଇଥିଲା ।
ଶ୍ରୀଶ୍ରୀ ସାନ ଜଗନ୍ନାଥ ମହାପ୍ରଭୂଙ୍କର ରଥ ଯାତ୍ରା ଶେଷ –
ମୟୂରଭଞ୍ଜ ମହାରାଜାଙ୍କ ସମୟରୁ ଚାଲିଆସିଥିବା ବାରିପଦା ସହରର ଲାଲବଜାରସ୍ଥିତ ସାନ ଜଗନ୍ନାଥ ମହାପ୍ରଭୂଙ୍କର ରଥକୁ ଆଜି ପୂର୍ବାହ୍ନ ୯ଟା ସମୟରେ ୧୪ ବର୍ଷରୁ କମ୍ ବାଳକବାଳିକାମାନେ ଟାଣିଟାଣି ମାଉସୀ ମା ମନ୍ଦିର ନିକଟରେ ପହଁଞ୍ଚାଇଛନ୍ତି । ଏହାପରେ ରଥ ଉପରୁ ଭକ୍ତମାନଙ୍କ ମଧ୍ୟକୁ ଶ୍ରଦ୍ଧାଲଡ଼ୁ ଫିଙ୍ଗା ଯାଇଥିଲା । ଉକ୍ତ ଲଡ଼ୁକୁ ଶୂନ୍ୟରେ ଧରିବା ନିମନ୍ତେ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।  ମହାପ୍ରଭୂଙ୍କର ଏହି ଶ୍ରୀଗୁଣ୍ଡିୁଚା ଯାତ୍ରାରେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ବାରିପଦା ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି  ପ୍ରମୁଖଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ପ୍ରମୁଖ ବହୁ ମାଣ୍ୟଗନ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

0
0
0
s2sdefault