ବାଲେଶ୍ୱର,(ଉଜ୍ଜ୍ୱଳ କର): ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ୭ମ ଅର୍ଥନୈତିକ ଗଣନାର ପ୍ରଥମ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ୭ମ ଅର୍ଥନୈତିକ ଗଣନା ଲାଗି କରାଯାଇଥିବା ପ୍ରସ୍ତୁତି ଏବଂ ଏଥିରେ ଅନୁସୃତ ହେବାକୁ ଥିବା ପଦ୍ଧତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅର୍ଥନୈତିକ ଗଣନାରେ ସଠିକ ତଥ୍ୟ ସଂଗ୍ରହ ଏବଂ ଏଥିରେ ନିୟୋଜିତ ସୁପରଭାଇଜର ଓ ଗଣନାକାରୀଙ୍କ ଉପଯୁକ୍ତ ପ୍ରଶିକ୍ଷଣ ଉପରେ ଜିଲ୍ଲାପାଳ ଶ୍ରୀ ରାଉତ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଓ ବ୍ଲକସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରି ଉପଯୁକ୍ତ ଭାବେ ତାଲିମ ପ୍ରଦାନ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପନିଦେ୍ର୍ଧଶକ ଶ୍ରୀ ସବ୍ୟସାଚୀ ଦତ ୭ମ ଅର୍ଥନୈତିକ ଗଣନାର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ଉଦ୍ୟୋଗ ଗୁଡିକର ସଂପୂର୍ଣ୍ଣ ଗଣନାକୁ ଅର୍ଥନୈତିକ ଗଣନା କୁହାଯାଏ । ଅର୍ଥନୈତିକ ଗଣନା ଦ୍ୱାରା ସଂଗ୍ରହ କରାଯାଉଥିବା ତଥ୍ୟ ଦେଶର ଯୋଜନା ପ୍ରଣୟନ ଓ ଉଦ୍ୟୋଗ ଗୁଡିକର ବିଭିନ୍ନ ଅର୍ଥନୈତିକ ଅବଦାନକୁ ଆକଳନ କରିବା ପାଇଁ ଆବଶ୍ୟକ ହୋଇଥାଏ । ପ୍ରଥମ ଥର ପାଇଁ ୧୯୭୭ ମସିହାରେ ଭାରତ ସରକାରଙ୍କ ଅଧିନସ୍ଥ କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥା ଏବଂ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ସଂସ୍ଥା ଦ୍ୱାରା ଅର୍ଥନୈତିକ ଗଣନା କାର୍ଯ୍ୟ କରାଯାଇଥିଲା । ସେବେ ଠାରୁ ଆରମ୍ଭ କରି ବର୍ତମାନ ପର୍ଯ୍ୟନ୍ତ ଛଅଟି ଅର୍ଥନୈତିକ ଗଣନା ଶେଷ ହୋଇଅଛି । ୨୦୧୩ ମସିହାରେ ଅନୁଷ୍ଠିତ ୬ଷ୍ଠ ଅର୍ଥନୈତିକ ଗଣନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାରେ ମୋଟ ୧ଲକ୍ଷ ୩ହଜାର ୯୬୭ଟି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଉଦ୍ୟୋଗ ରହିଥିବା ଜଣାପଡିଛି ।
୭ମ ଅର୍ଥନୈତିକ ଗଣନା କାର୍ଯ୍ୟ ସାରା ଭାରତ ତଥା ଓଡିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେଉଅଛି । ଏହି ଗଣନା କାର୍ଯ୍ୟ ମଧ୍ୟ ବାଲେଶ୍ୱରର ସମସ୍ତ ଗ୍ରାମ ତଥା ସହରାଂଚଳରେ କାର୍ଯ୍ୟକାରୀ ହେଉଅଛି । ଏହି ଗଣନା କାର୍ଯ୍ୟ ପାଇଁ ସର୍ବମୋଟ ୬୪୬ ସୁପରଭାଇଜର ଏବଂ ୨୨୮୦ ଜଣ ଗଣନାକାରୀ ନିୟୋଜିତ ହୋଇଅଛନ୍ତି । ଏଥର ଗଣନା କାର୍ଯ୍ୟ କମନ ସର୍ଭିସ୍ ସେଂଟର( ଇ ଗଭର୍ଣ୍ଣାନ୍ସ ସର୍ଭିସେସ) ଇଣ୍ଡିଆ ଲିମିଟେଡ୍ ଦ୍ୱାରା ସଂପାଦନ କରାଯାଉଅଛି । ଜୁଲାଇ ମାସରେ ଆରମ୍ଭ ହେବାକୁ ଥିବା ଏହି ଗଣନା କାର୍ଯ୍ୟ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଅଛି । ପ୍ରଥମ ଥର ପାଇଁ ୭ମ ଅର୍ଥନୈତିକ ଗଣନା କାର୍ଯ୍ୟ ଇଲେକ୍ଟେ୍ରାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମାଧ୍ୟମରେ ପରିଚାଳନା କରାଯାଉଅଛି । ଏହି ଗଣନା କାର୍ଯ୍ୟ କରିବା ପାଇଁ ଗଣନାକାରୀ ଜିଲ୍ଲାର ସମସ୍ତ ଗ୍ରାମାଂଚଳ ଓ ସହରାଂଚଳରେ ଥିବା ପ୍ରତ୍ୟେକ ପରିବାର ଓ ବ୍ୟବସାୟିକ ଅନୁଷ୍ଠାନମାନଙ୍କୁ ଯାଇ ତଥ୍ୟ ସଂଗ୍ରହ କରିବେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଏମ, ଡିଆଇସି ଶ୍ରୀ ହରିହର ଜେନା, ଏଡି(ପ୍ଲାନିଂ) ଶ୍ରୀ ଅକ୍ଷୟ କୁମାର ଓତା, ଏସଡିଆଇପିଆରଓ ଦୀପକ କୁମାର ସାହୁ, ଡିପିଏମୟୁ ଏସଓ ଶ୍ରୀ ମହେନ୍ଦ୍ର କୁମାର ସିଂ, ଏଏସଓ ଶ୍ରୀ ବନମାଳି ମହାପାତ୍ର, ସିଏସସି ଜିଲ୍ଲା ମ୍ୟାନେଜର ଶ୍ରୀ ଅରୂପ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ
୭ମ ଅର୍ଥନୈତିକ ଗଣନା : ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ପ୍ରଥମ ବୈଠକ
- Hits: 752