କାନାଡାରୁ ବିଶ୍ୱକୁ ସମ୍ବୋଧିତ କଲେ ସାଲିନୀ
ଦେଲେ ବାଲ୍ୟ ବିବାହ ଉପରେ ସଚେତନତାର ବାର୍ତ୍ତା
ନୂଆପଡ଼ା,(Amit Purohit): ଗୁଣ, ଦକ୍ଷତ ଥିଲେ ବିଶ୍ୱ ବିଜୟୀ ହେବାକୁ କେହି ରୋକି ପାରିବେ ନାହିଁ । ପଙ୍କରୁ ପଦ୍ମ ଫୁଟିବା ଭଳି ସଦର ବ୍ଲକ ବୁଢିପାଲି ପଞ୍ଚାୟତ ଜେଂଜରା ଭଳି ଗାଉଁଳି ଗାଁର ଚାଷୀ ପରିବାରର ଝିଅ ସାଲିନୀ ସାହୁ କାନାଡାରୁ ବିଶ୍ୱବାସୀଙ୍କୁ ସମ୍ବୋଧିତ କରିବାରେ ସାମର୍ଥ ହୋଇଛନ୍ତି । ଗତ କାଳି ଆର୍ନ୍ତ ଜାତୀୟ ମହିଳା ସମ୍ମିଳନୀ ‘ଓମେନସ୍ ଡେଲିଭର କନଫରେନ୍ସ ୨୦୧୯’ ରେ ଯୋଗ ଦେଇ ଯୌନ ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର, ବାଲ୍ୟ ବିବାହ, ଋତୁ ଶ୍ରାବ ସ୍ୱଚ୍ଛତା ଭଳି ବିଭିନ୍ନ କାର୍ଯ୍ୟ କଳାପକୁ ପ୍ରଦର୍ଶନ କରି ବିଶ୍ୱାବାସୀଙ୍କୁ ସଚେତନତା ବର୍ତ୍ତା ଦେଇ ପ୍ରଂଶସାର ପାତ୍ର ହୋଇଛନ୍ତି ।
ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ୨୦ କିମି ଦୂରତା ଜେଂଜରା ଗାଁର ଚାଷୀ ଖେମରାଜ ସାହୁଙ୍କ ଝିଅ ଶାଲିନୀ । ୨୦୧୬ ପାଠ ପଢିବା ସହ ମହିଳା ମାନଙ୍କ ସେବା ଓ ସଚେତନ କରିବା ପାଇଁ ଆଗେଇ ଆସିଥିଲେ । ଆଶା ଓଡିଶା ଓ ସେଭ ଦି ଚିଲଡ୍ରେନର ମିଳିତ ଆନୁକୂଲ୍ୟରେ ଚାଳିଥିବା ଅନନ୍ୟା ବାହାଘର ନୁହେଁ ପିଲା ଖେଳ ପ୍ରକଳ୍ପରେ ଯୋଡି ହୋଇଥିଲେ । ୨୦୧୭ରେ ପ୍ରକଳ୍ପର ଚର୍ଚ୍ଚା ନେତ୍ରୀ ଭାବେ ‘ଲଲିତା ଓ ବାବୁ ଜୀବନ କୌଶଳ’ ଓ ‘ଯୌନ ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର’ ତାଲିମ ନେଇ ଥିଲେ । ପରେ ଗାଁର ଯୁବତୀ ମାନଙ୍କୁ ନେଇ ଏକ ସଂଘ ଗଠନ କରି ସେ ନେଇଥିବା ତାଲିମକୁ କିଶୋରୀ ମାନଙ୍କୁ ଦେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ମାନଙ୍କୁ ଜୀବନ କୌଶଳ ଶିକ୍ଷା, ଆର୍ଥିକ ଯୋଜନାରେ କିଶୋରୀଙ୍କୁ ସାମିଲ, ଜୌନ ପ୍ରଜନନ ସ୍ୱାସ୍ଥ୍ୟ, ପାଠ ଛାଡୁଥିବା କିଶୋରୀଙ୍କୁ ଶିକ୍ଷାରେ ପୁନଃ ଦାଖଳ, ଗର୍ଭବତୀ, ପ୍ରସୂତୀ, କିଶୋରୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା, ଗୃହ ପରିଦର୍ଶନ ମାଧ୍ୟମରେ ମହିଳାଙ୍କୁ ସଚେତନ କରିଥାନ୍ତି । ସେହିପରି କିଶୋରୀ ମହାସଂଘ ଓ ସ୍ୱଂୟ ସହାୟକ ଗୋଷ୍ଠୀ ଜରିଆରେ ମାସିକ ଋତୁ ଶ୍ରାବର ପରିଚାଳନା, ବାଲ୍ୟ ବିବାହ, ଭୃଣ ହତ୍ୟା, ଶିଶୁ ଅଧିକାର ଉପରେ ଶୋଭାଯାତ୍ରା, ପଥପ୍ରାନ୍ତ ନାଟକ, ସଭା ସମିତି କରି ମହିଳା ମାନଙ୍କୁ ସଚେତନତା କରିଥିଲେ । ସେ ପ୍ରକଳ୍ପର ସଦର ବ୍ଲକ କିଶୋରୀ ମହାସଂଘ ତଥା ବୁଢିପାଲି ପଞ୍ଚାୟତ ମଦର ଟେରେସା କିଶୋରୀ ମହାସଂଘ ସଭାନେତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ବ୍ଲକ ସ୍ତରୀୟ ଅନନ୍ୟା ବାଳିକା ମହା ସଂଘର ସଂଯୋଜନା ସମ୍ପାଦକ ରହିଥିବା ବେଳେ ତାଙ୍କ ନେତୃତ୍ୱରେ ଏବେ ସଦର ବ୍ଲକର ବିଭିନ୍ନ ଗାଁରେ ଶତାଧିକ କିଶୋରୀ ଏହି ସଚେତନତା କାମ କରୁଛନ୍ତି । ତାଙ୍କ ନେତୃତ୍ୱରେ ପ୍ରତ୍ୟକ୍ଷ ଭାବେ ୨ଟି ବାଲ୍ୟ ବିବାହକୁ ସିଧା ସଳଖ ଓ ୧୦ରୁ ଉର୍ଦ୍ଧ ପରୋକ୍ଷ ଭାବେ ରୋକିବାରେ ସଫଳ ହୋଇଛନ୍ତି । ଏଥି ପାଇଁ ଗତ ଡିସେମ୍ବର ୫ ତାରିଖରେ ଦିଲ୍ଲୀରେ ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ ଖେଳ ମନ୍ତ୍ରଣାଳୟ ଦ୍ୱାର ଆୟୋଜିତ ୟୁନାଇଟେଡ ନେସନ ଭଲେଣ୍ଟିୟର(ୟୁଏନବି) ୨୦୧୮ ପୁରଷ୍କାରରେ ସମ୍ମାନିତ ହୋଇଥିଲେ ।
ଶାଲିନୀଙ୍କ ଉତ୍ତମ ସ୍ୱେଚ୍ଛାସେବୀ କାମ ପାଇଁ ସେଭ ଦି ଚିଲଡ୍ରେନ୍ସ ତରଫରୁ ‘ଓମେନସ୍ ଡେଲିଭର କନଫରେନ୍ସ ୨୦୧୯’ ରେ ଯୋଗ ଦେବାକୁ ଶାଲିନୀଙ୍କ ନାଁ ଅନୁମୋଦନ ପାଇଁ ପଠାଇ ଯାଇଥିଲା । ଏଥିରେ ଚୟନ ହୋଇ ଭାରତ ପାଇଁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିଥିଲା । ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଅର୍ନ୍ତ ଜାତୀୟ ମହିଳା ସମ୍ମିଳନୀରେ ଶାଲିନୀ ଯୌନ ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର, ବାଲ୍ୟ ବିବାହ, ଋତୁ ଶ୍ରାବ ସ୍ୱଚ୍ଛତା ଉପରେ ଚମକôାର ଭାବେ ଉପସ୍ଥାପନା କରିଥିଲେ । ମହିଳା ମାନଙ୍କ ଉପରେ ବିଭିନ୍ନ କାର୍ଯ୍ୟ କଳାପ ପ୍ରଦର୍ଶନ କରି ବିଶ୍ୱବାସୀଙ୍କୁ ସଚେତନତା ବର୍ତ୍ତା ଦେଇ ପ୍ରଂଶସାର ପାତ୍ର ହୋଇଥିଲେ । ଗତ ୬ ତାରିଖ ବିଲମ୍ବିତ ରାତିରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଏଠାରେ ଭାରତ ସମେତ ମାଲବି, ମାଲି, ନାଇଜର, ପାକିସ୍ତାନ ଭଳି ଅନେକ ଦେଶ ଯୋଗ ଦେଇଥିଲେ । ସେଥିରେ ଭାରତରୁ ଶାଲିନୀ ପ୍ରତିନିଧିତ୍ୱ କରି ସମଗ୍ର ଦେଶ, ରାଜ୍ୟ, ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ତାଙ୍କର ଉପସ୍ଥାପନାରେ କାନଡାର ପ୍ରଧାନ ମନ୍ତ୍ରୀଙ୍କ ଧର୍ମପତ୍ନୀ ଏକ ମ୍ୟୁଜିକାଲ ଇନଷ୍ଟୁମେଣ୍ଟ ପ୍ରଦାନ କରିଥିଲେ ।
ସୂଚନା ଥାଉକି, ଗତ କିଛି ମାସ ତଳେ ଶାଲିନୀ ହିନ୍ଦିରେ ମାଷ୍ଟର ଡିଗ୍ରୀ(ଏମ୍ଏ) ହାସଲ କରିଥିଲେ । ଏବେ ପରିବାର ପ୍ରତିପୋଷଣ ପାଇଁ ଗୁରୁକୁଲ ଆଶ୍ରମ ଆମସେନାର ଆରୟନ ପବ୍ଲିକ ସ୍କୁଲରେ ଶିକ୍ଷକତା କରୁଛନ୍ତି । ନିଜେ ପାଠ ପଢିବା ସହ କିଛି ରୋଜଗାର କରି ପରିବାର ଚଳାଉଛନ୍ତି । ସେଥିରୁ ସମୟ ବାହାର କରି ସମାଜସେବା ଓ ସଚେତନତା କାର୍ଯ୍ୟକ୍ରମ କରି ଉଦାହରଣ ସାଜିଛନ୍ତି । ଏବେ ନୂଆପଡ଼ା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆନିଥିବା ବେଳେ ସେଭ ଦି ଚିଲଡ୍ରେନ୍ସ, ଆଶା ଓଡିଶା, ପରିବାର ଲୋକେ ଓ ତାଙ୍କ ସହକର୍ମୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।