ହେଡଲାଇନସ୍:

ନିଟ ପରୀକ୍ଷାଫଳ:• ଓଡିଶାରୁ 19244 କୃତକାର୍ଯ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

• ରାଜ୍ୟର ପାସ ହାର 59.44 ପ୍ରତିଶତ
• ମହିଳା ଟପ-20ରେ ରାଜ୍ୟରୁ ସଙ୍ଗୀତା ଅଗ୍ରୱାଲ
• 5 ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 3 ଜଣ କୃତକାର୍ଯ୍ୟ

New Delhi (SPB): ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ)ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ସ୍ନାତକ)-2019ର ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡିଶାରୁ 59.44 ପ୍ରତିଶତ ହାରରେ 19244 ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଓଡିଶାର ସଙ୍ଗୀତା ଅଗ୍ରୱାଲ ଶ୍ରେଷ୍ଠ-20 ଛାତ୍ରୀଙ୍କ ତାଲିକାରେ ସ୍ଥାନ ପାଇ 17 ତମ ସ୍ଥାନରେ ରହିଛନ୍ତି । ସାଧାରଣ ବର୍ଗର ଏହି ପରୀକ୍ଷାର୍ଥୀ ମୋଟ 680 ନମ୍ବର ରଖିଥିବା ବେଳେ ତାଙ୍କ ନମ୍ବର ପ୍ରତିଶତ ରହିଛି 99. 9918483 । ତାଙ୍କର ସର୍ବଭାରତୀୟ ରାଙ୍କ ରହିଛି 91 । ରାଜସ୍ଥାନର ନଲୀନ ଖଣ୍ଡେଲୱାଲ ମୋଟ 701 ନମ୍ବର ସହ ଉଭୟ ବର୍ଗରେ ଟପର ହୋଇଛନ୍ତି  ।

ରାଜ୍ୟରୁ ମୋଟ 35093 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ପାଇଁ ପଞ୍ଜିକୃତ କରିଥିଲା ବେଳେ 32378 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ 2715 ଜଣ ଅନୁପସ୍ଥିତ ଥିଲେ । 2018ରେ ଓଡିଶାରେ ପାସ ହାର 60.68ପ୍ରତିଶତ ଥିଲାବେଳେ ଚଳିତ ବର୍ଷ ପାସ ହାର କମିଛି । ଓଡିଆ ଭାଷାରେ ମୋଟ 700 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ଦେଶରେ ମୋଟ 1519375 ପରୀକ୍ଷାର୍ଥୀ ପଂଜୀକୃତ କରିଥିଲାବେଳେ 1410755 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଓ 56.50 ପ୍ରତିଶତ ହାରରେ 797042 ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଗତବର୍ଷ (56.27 ପ୍ରତିଶତ) ତୁଳନାରେ ଚଳିତ ବର୍ଷର ପାସ ହାର ଉନ୍ନତ ରହିଛି । ଦିଲ୍ଲୀରେ ପାସ ହାର ସର୍ବାଧିକ 74.92 ପ୍ରତିଶତ ରହିଛି । ଦିଲ୍ଲୀରୁ ମୋଟ 30215 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ 22638 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ନାଗାଲାଣ୍ଡରେ  ପାସ ହାର ସର୍ବନିମ୍ନ 34.52 ରହିଛି  ।
ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଚଳିତ ଥର 5 ଜଣ ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ 3 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏନଟିଏ ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ସ୍ନାତକ)-2019 ଦେଶବ୍ୟାପୀ ମେ 5 ତାରିଖ ଦିନ ଆୟୋଜିତ କରାଯାଇଥିଲା । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଭାରତୀୟ ମେଡିକାଲ କାଉନସିଲ/ ଭାରତୀୟ ଡେଂଟାଲ କାଉନସିଲ ଅନୁମୋଦିତ ମେଡିକାଲ/ଡେଂଟାଲ କଲେଜରେ ଏମବିବିଏସ/ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପରୀକ୍ଷାର ଆୟୋଜନ କରାଯାଇଥାଏ ।
ଏହି ପରୀକ୍ଷା ମାଧ୍ୟମରେ ଯୋଗ୍ୟ ବିବେଚିତ ପରୀକ୍ଷାର୍ଥୀ ସର୍ବଭାରତୀୟ କୋଟା, ରାଜ୍ୟ ସରକାର କୋଟା, ରାଜ୍ୟ ମ୍ୟାନେଜମେଂଟ,  ଘରୋଇ ମେଡିକାଲ କଲେଜରେ ଏନଆରଆଇ କୋଟା, ଡେଂଟାଲ କଲେଜ, କୌଣସି ଘରୋଇ ଡିମ୍ଡ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ପୁଲ କୋଟାରେ ଥିବା ଆସନରେ ନାମ ଲେଖାଇ ପାରିବେ । ଭାରତୀୟ ନାଗରିକ, ପ୍ରବାସୀ ଭାରତୀୟ, ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିବା ଭାରତୀୟ, ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଏବଂ ବିଦେଶୀ ନାଗରିକ ନିଟ ପରୀକ୍ଷା ଦେଇ ପାରିବେ ।

0
0
0
s2sdefault