ଡ଼ାକ୍ତର ଓ ଇଞ୍ଜିନିୟର ମଧ୍ୟରେ ଲଢେ଼ଇରେ ବାଜି ମାରିନେଲେ ବିଶ୍ୱେଶର
ବାରିପଦା (ଦିଲ୍ଲୀପ ମହାନ୍ତି) ୨୦୧୯ ନିର୍ବାଚନରେ ଓଡ଼ିଶାରେ ପୁଣି ଥରେ ନବୀନ ସୁନାମୀ ଦେଖା ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ କିନ୍ତୁ ନମୋ ଲହରୀ ଉଠିଛି । ଫଳରେ ୨୦୧୪ରେ ବିଜେଡ଼ି ଦଖଲରେ ରହିଥିବା ମୟୂରଭଞ୍ଜ ଲୋକସଭା ଆସନ ସହ ୯ଟି ବିଧାନସଭା ଆସନ ମଧ୍ୟରୁ ୬ଟି ଆସନକୁ ବିଜେଡ଼ି ହାତରୁ ଛଡ଼ାଇ ନେବାରେ ସଫଳ ହୋଇଛି ।
ଗତ ଏପ୍ରିଲ ୨୯ରେ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ୯ ବିଧାନସଭା ଓ ଲୋକସଭା ଅସନର ନିର୍ବାଚନର ଆଜି ଘୋଷଣା ହୋଇଛି । ଜିଲ୍ଲାର କରଞ୍ଜିଆ, ରାଇରଙ୍ଗପୁର, ଉଦଳା ଓ ବାରିପଦାରେ ହୋଇଥିବା ମତଗଣନାର ଫଳାଫଳ ଅନୁସାରେ ଜିଲ୍ଲାର ସଦର ମହକୁମା ୩୩ନଂ ବାରିପଦା(ସଂ) ଆସନକୁ ଚଳିତ ଥର ବିଜେଡ଼ି ହାତରୁ ବିଜେଡ଼ି ଛଡ଼ାଇ ନେଇଛି । ବିଜେପି ପ୍ରାର୍ଥୀ ପ୍ରକାଶ ସୋରେନ ୧୮,୯୪୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀସୋରେନଙ୍କୁ ୭୧,୪୩୮ ଖଣ୍ଡ ଭୋଟ ମନିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ୫୨,୫୯୫ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ସେହିପରି ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ଆସନ ମୋରଡ଼ା ନିର୍ବାଚନ ମଣ୍ଡଳୀକୁ ବିଜେଡ଼ି ନିଜ ଦଖଲରେ ରଖି ହେଟ୍ରିକ କରିଛି । ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରାଜ କିଶୋର ଦାସ ୬,୯୪୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ତଥା ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ବିଜେଡ଼ି ପ୍ରାର୍ଥୀ ଶ୍ରୀଦାସ ୬୮,୩୬୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀମହାପାତ୍ର ୬୧,୪୧୯ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ସନାତନ ବିଜୁଳି ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ସନାତନ ବିଜୁଳି ୬୮,୬୪୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ବୃନ୍ଦାବନ ଦାସ ୫୭,୮୪୫ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ୨୦୧୪ରେ ଏହି ଆସନ ବିଜେଡ଼ି ଦଖଲରେ ରହିଥିଲା । କରଞ୍ଜିଆ ନିର୍ବାଚନ ମଣ୍ଡଳୀକୁ ବିଜେଡ଼ି ନିଜ ଦଖଲରେ ରଖିବାରେ ସଫଳ ହୋଇଛି । ବିଜେଡ଼ି ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ ୫୯,୬୯୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପୂର୍ବତନ ବିଧାୟକ ପଦ୍ମ ଚରଣ ହାଇବୁରୁ ୫୦,୭୪୧ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ଯଶୀପୁର ଆସନକୁ ବିଜେପି ବିଜେଡ଼ି ହାତରୁ ଛଡ଼ାଇ ନେଇଛି । ବିଜେପି ପ୍ରାର୍ଥୀ ଗଣେଶ ରାମ ସିଂ ଖୁଣ୍ଟିଆ ୪୫,୩୮୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଗୋଲକ ନାଏକ ୪୦, ୦୬୭ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଡ଼ା. ବୁ ଢ଼ାନ ମୁର୍ମୁ ୫୨,୮୮୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଅମରେନ୍ଦ୍ର ସିଂ ଟୁଡ଼ୁ ୪୩,୩୧୩ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ୨୦୧୪ ନିର୍ବାଚନରେ ଏହି ଆସନ ବିଜେଡ଼ି ଦଖଲରେ ରହିଥିଲା । ରାଇରଙ୍ଗପୁର ଆସନକୁ ବିଜେପି ବିଜେଡ଼ି ହାତରୁ ଛଡ଼ାଇ ନେବାରେ ସଫଳ ହୋଇଛି । ବିଜେପି ପ୍ରାର୍ଥୀ ନବ ଚରଣ ମାଝି ୬୦,୯୦୧ ଖଣ୍ଡ ଭୋଟ ପାଇ ଏଠାରୁ ବିଜୟୀ ହୋଇଥିବା ସମୟରେ ବିଜେଡ଼ି ପ୍ରାର୍ଥୀ ବାସନ୍ତୀ ମାର୍ଣ୍ଡି ୫୮,୦୫୪ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ଉଦଳା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ନିଜର ଦୁର୍ଗକୁ ରକ୍ଷା କରିବାରେ ବିଫଳ ହୋଇଛି । ଏଠାରେ ବିଜେଡ଼ି ପ୍ରାର୍ଥୀ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ୬୭,୩୭୭ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ପୂର୍ବତନ ବିଧାୟକ ଭାସ୍କର ମଢେ଼ଇ ୬୮,୧୬୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଭୋଟ ଗଣନା ସମୟରୁ ଉକ୍ତ ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ସାପ ସିଡ଼ିର ଖେଳ ଚାଲି ଆସିଥିବାର ଦେଖିବାକୁ ମିଳିଥିଲା । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀକୁ ବିଜେଡ଼ି ବିଧାୟକ ସୁଦାମ ମାର୍ଣ୍ଡି କୌଣସି ପ୍ରକାରରେ ଦଖଲରେ ରଖିବାରେ ସଫଳ ହୋଇଛନ୍ତି । ଏଠାରେ କାକା ପୁତୁରା ମଧ୍ୟରେ ଲଢେ଼ଇ ହୋଇଥିଲା । କାକା ବିଜଡ଼ି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମାର୍ଣ୍ଡି ୭୧,୩୦୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପୁତୁରା ବିଜେପି ପ୍ରାର୍ଥୀ ସୁଗଦା ମୁର୍ମୁ ୫୯,୪୧୨ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ସେହିପରି ମୟୂରଭଞ୍ଜ ଲୋକସଭା ଆସନକୁ ମଧ୍ୟ ବିଜେପି ବିଜେଡ଼ି ନିକଟରୁ ଛଡ଼ାଇ ନେବାରେ ସଫଳ ହୋଇଛନ୍ତି । ଏଠାରେ ଡ଼ାକ୍ତର ଓ ଇଞ୍ଜିନିୟର ମଧ୍ୟରେ ଲଢେ଼ଇ ହୋଇଥିଲା । ବିଜେଡ଼ି ପ୍ରାର୍ଥୀ ଡ଼ା. ଦେବାଶିଷ ମାର୍ଣ୍ଡି 4,58,556 ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଇଞ୍ଜିନିୟର ବିଶ୍ୱେଶର ଟୁଡ଼ୁ 4, 83, 812 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ି ବିରୋଧୀ ଏକ ହାୱା ଦେଖିବାକୁ ମିଳିଥିଲା । ତେବେ ଏହି ହାୱା ବିଜେଡ଼ିର ପର୍ଯ୍ୟବେକ୍ଷକକୁ ନେଇ ସୃଷ୍ଟି ହୋଇଥିବାର କୁହାଯାଉଛି ଏବଂ ବିଜେଡ଼ି ଦୁର୍ଗର ଏହି ପତନ ନିମନ୍ତେ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।