ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ : ଭଦ୍ରକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଶ୍ରୀଶ୍ରୀ ବାବା ଆଖଣ୍ଡଳମଣିଙ୍କ ଶିବବିବାହ ମହୋତ୍ସବ ପାଳନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଭଦ୍ରକର ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ଧାମନଗର ଏସଡ଼ିପିଓ ମନୋରଞ୍ଜନ ସାମଲ, ଆରଡ଼ିର ସେବାୟତଙ୍କ ପକ୍ଷରୁ ଇଂ ସରୋଜ ପାଢୀ, ବାବାଜି ପାଢୀ, ବିଜୟ ଦାଶ, ଆଶିଷ ପାଢୀ, ଅରବିନ୍ଦ ପାଢୀ, ଚନ୍ଦ୍ରକାନ୍ତ ପାଢୀ,ସଞ୍ଜୟ ପାଢୀ,ସୁଶାନ୍ତ ପାଢୀ, ବଙ୍କିମ୍ ପାଢୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ ଆରଡ଼ିର ଶ୍ରୀଶ୍ରୀ ଆଖଣ୍ଡଳମଣୀଙ୍କର ଶିବବିବାହ ଉତ୍ସବ ଜୁନ୍ ୭ ତାରିଖରେ ପାଳନ କରାଯିବ । ଏହିଶିବ ବିବାହ ମହୋତ୍ସବ କିପରି ଶାନ୍ତିଶୃଙ୍ଖଳ ସହ ମହାସମାରୋହରେ ପାଳନ କରାଯିବ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ । ଏ ବର୍ଷ ଶିବବିବାହ ଉତ୍ସବ ନିମନ୍ତେ କନ୍ୟାକର୍ତ୍ତା ରୂପେ ଗଞ୍ଜାମ ବ୍ରହ୍ମପୁରର ଚନ୍ଦ୍ରଶେଖର ଦାଶ ଓ ବରକର୍ତ୍ତା ଭାବେ ବାଲେଶ୍ୱରର କାର୍ତ୍ତିକ ବେହେରାଙ୍କୁ ଚୟନ କରାଯାଇଛି । ଏହି ଉସôବ ପାଳନ ପାଇଁ ଆରଡ଼ି ମ୍ୟାନେଜିଙ୍ଗ ଟ୍ରଷ୍ଟି ପକ୍ଷରୁ ନୀତିକାନ୍ତି ନିର୍ଘଟ କରାଯାଇଛି । ଜୁନ୍ ୬ରିଖ ଗୁରୁବାର ମଙ୍ଗଳକୃତ୍ୟ ପାଳନ କରାଯିବା ସହ ଜୁନ୍ ୭ରିଖ ଶୁକ୍ରବାର ବିବାହ ଉତ୍ସବ କାର୍ଯ୍ୟ ନିର୍ଦ୍ଧାରୀତ କାର୍ଯ୍ୟସୂଚୀ ଅନୁଯାୟୀ ସମାପନ ହେବ । ଉକ୍ତ ଦିନ ପ୍ରାତଃ ୪ଘଟିକାରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି, ପହିଲି ଘର୍ଷଣ ଭୋଗ , ଦିଗମ୍ବର ବେଶ ଓ ବାଲ୍ୟଭୋଗ ଅନୁଷ୍ଠିତ ହେବ । ସକାଳ ୯ ଘଟିକାରୁ ୧୦ ଘଟିକା ମଧ୍ୟରେ ପହଡ଼ଖିଆ ଅନ୍ନନୀତି ଭୋଗ , ଦିବା ୧୧ ଘଟିକାରେ ବରଧରା ଗମନ ଶୋଭାଯାତ୍ରା ଓ ବରଣ ନୀତିକାନ୍ତି , ଦିବା ୧ ଘଟିକାରେ ଶ୍ରୀ ଜୀଉଙ୍କର ମହାସ୍ନାନ, ଗମ୍ଭୀରା ସଫେଇ, ପଞ୍ଚାନନ ବେଶ, ବଡ଼ନୀତି ଅନୁଷ୍ଠିତ ହେବ । ସେହିପରି ଦିବା ୧.୩୦ରୁ ୨.୩୦ରେ ଶ୍ରୀ ଜୀଉଙ୍କର ଅବକାଶ ନୀତି, ଅପରାହ୍ନ ୪ରୁ ୫ଘଟିକା ମଧ୍ୟରେ ଶ୍ରୀ ଜୀଉଙ୍କୁ ରାଜରାଜେଶ୍ୱର ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯିବ । ଅପରାହ୍ନ ୫ଘଟିକାରେ ଦିଅଁ ମଙ୍ଗୁଳା ନୀତି, ଶ୍ରୀ ଜୀଉଙ୍କର ଷୋଡ଼ଶ ଉପଚାର ପୂଜା, ସନ୍ଧ୍ୟା ୭ଟା ୩୦ରୁ ୮ଘଟିକା ମଧ୍ୟରେ ବରାନୁଗମନ ଶୋଭାଯାତ୍ରାରେ ବିଭିନ୍ନ ସାଂସ୍କୃତିକ ଦଳ, ବାଦ୍ୟଯନ୍ତ୍ର ସହ ସେବାୟତଙ୍କ ଗ୍ରହଣରେ ବିଜେ କରିବେ ଦେବ ଦେବ ମହାଦେବ ।ଏହି ଶୋଭାଯାତ୍ରାରେ ରାତ୍ର ୧.୩୦ ମିନିଟ୍ ସମୟରେ ବିବାହ ବେଦୀରେ ଦେବଦମ୍ପତ୍ତିଙ୍କର ପାଣିଗ୍ରହଣ ବୈଦିକ ରୀତିନୀତି ଅନୁଯାୟୀ ପାଳନ କରାଯିବ । ଚଳିତବର୍ଷ ଏହି ବିବାହ ଉସôବରେ ପୁରୀର ସାହିମେଢ, ଗୋଟିପୁଅ ନୃତ୍ୟ, ଘଣ୍ଟବାଦ୍ୟ, ବାଘ ନୃତ୍ୟ, ବ୍ରହ୍ମପୁରର ଯୋଡିଶଙ୍ଖ, କେନ୍ଦୁଝରର କଳସ ନୃତ୍ୟ, ପଶ୍ଚିମବଙ୍ଗ ମେଦିନିପୁରର ମୟୂରଚୁଳିଆ ନୃତ୍ୟ, ଢେଙ୍କାନାଳର ଦୁଲ୍ଦୁଲି ବାଦ୍ୟ, ବାଲେଶ୍ୱରର ପାଇକ ଆଖଡା ଓ କଙ୍କାଳ ନୃତ୍ୟ, ଯାଜପୁରର ତେଲିଙ୍ଗି ବାଦ୍ୟ, ଭଦ୍ରକର ଡ୍ରମ ବାଜା, କଟକରୁ ଆଲୋକସଜ୍ଜାର ଆୟୋଜନ ହୋଇଛି । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ୪ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ପ୍ରଶାସନ ପକ୍ଷରୁ କରାଯାଇଛି । ଏହି ଉସôବ ପାଳନ ଉପଲକ୍ଷେ ଶାନ୍ତିଶୃଙ୍ଖଳା ରକ୍ଷା, ଜଳଯୋଗାଣ ପରିମଳ ବ୍ୟବସ୍ଥା, ଅନବରତ ବିଦୁ୍ୟତଯୋଗାଣ, ସ୍ୱାସ୍ଥ୍ୟ ସେବା, ରାସ୍ତାଘାଟ ମରାମତି, ଯାତ୍ରୀଙ୍କ ପରିବହନ ପାଇଁ ଅଧିକ ବସ୍ ଚଳାଚଳର ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା ଓ ଅସ୍ଥାୟୀ ସୂଚନା କେନ୍ଦ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସ୍ୱେଚ୍ଛାସେବୀମାନଙ୍କର ସହଯୋଗ ଆଦି ଉପରେ ବିସ୍ତୃତ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶେଷରେ ଆରଡ଼ି ଟ୍ରଷ୍ଟିବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ, ପୁଲିସ ପ୍ରଶାସନ, ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ ।