ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଲେ ମନମୋହନ ସାମଲ
"କାର୍ଯ୍ୟକର୍ତାଙ୍କ ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିପାରିଛି"
ମନମୋହନ ଚତୁର୍ଥ ଥର ସଭାପତି, ମୋହନ ମାଝୀ ଚତୁର୍ଥ ଥର ବିଧାୟକ,ଏହି ଯୋଡ଼ାକୁ ଘୋଡ଼ା ସରି ନୁହେଁ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ତା.୦୮/୦୭: ରାଜ୍ୟ ସଭାପତି ଭାବେ ଆଜି ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ମନମୋହନ ସାମଲଙ୍କର ନୁହଁ, ତାହା ହେଉଛି କାର୍ଯ୍ୟକତାମାନଙ୍କ। କାଯ୍ୟକର୍ତା ପରିଶ୍ରମ କରି ନ ଥିଲେ, ଆମେ ସାଇନବୋର୍ଡ ପାର୍ଟିରୁ ଆଜି ସରକାରୀ ଦଳରେ ପହଁଚି ନ ଥାନ୍ତେ। ୧୯୮୮ରେ ଆମକୁ ସାଇନ୍ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା। ଆମକୁ ଅପମାନିତ କରାଯାଉଥିଲା। ମାତ୍ର ଆଜି ଆମେ ସରକାରୀ ଦଳ। ଏହା ହେଉଛି ଏକମାତ୍ର ଦଳ, ଯେଉଁ ଦଳରେ ଜଣେ ଚାହା ବିକାଳି ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ। ଦଳର କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଓ ଧୈର୍ଯ୍ୟ ଯୋଗୁ ବାରମ୍ବାର ଅପମାନକୁ ପ୍ରତିହତ କରି ଆଜି ଆମେ କ୍ଷମତା ହାସଲ କରିପାରିଛୁ। କାର୍ଯ୍ୟକର୍ତା ପରିଶ୍ରମ କରି ନ ଥିଲେ ଆଜି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ହୋଇ ନ ଥାନ୍ତା। ଓଡ଼ିଶା ସମ୍ଭାବନାର ରାଜ୍ୟ। ଏଠାରେ ଖଣି, ପାଣି, ଜଙ୍ଗଲ ଜମି ଓ ଲୋକ ଅଛନ୍ତି। ଆମେ ସରକାରକୁ ଆସିଲେ ବୋଲି ଆମୂଳଚୂଳ ଆଇନ୍ରେ ପରିବର୍ତନ କରି ଲୋକଙ୍କୁ ସେବା ଯୋଗାଇଦେଇ ପାରୁଛୁ। ଆମ ସରକାରଙ୍କ ପାଇଁ ଓଡ଼ିଶାରେ ଆଜି ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି। ବିଜେପି ସରକାର ପାଇଁ ଆଜି ଓଡ଼ିଶାର ଚିତ୍ର ବଦଳୁଛି। ଓଡ଼ିଶାବାସୀଙ୍କ ସେବା ପାଇଁ ସରକାରଙ୍କ ସହ ଦଳ ଖୁଂଟଭାବେ ଛିଡ଼ା ହୋଇ ରହିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଭାବେ ୪ର୍ଥ ଥର ପାଇଁ ଦାୟିତ୍ୱ ଗ୍ରହଣ ଅବସରରେ ମନମୋହନ ସାମଲ କହିଛନ୍ତି।
ଶ୍ରୀ ସାମଲ କହିଛନ୍ତି ଯେ, ୨୦୩୬ରେ ସମୃଦ୍ଧ ଓଡିଶା, ୨୦୪୭ରେ ବିକଶିତ ଭାରତ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଏଥିରେ ଓଡ଼ିଶାର ସବୁଠାରୁ ଅଧିକ ଅବଦାନ ରହିବ। ବିଜେପି ନିର୍ବାଚନବେଳେ ଯାହା ପ୍ରତିଶ୍ରୁତି ଦେଇଥିଲା, ସରକାର ଗଠନ ପରେ ତାହା ପୂରଣ କରିବାରେ ଲାଗିଛି। ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାଠାରୁ ଆରମ୍ଭ କରି, ଧାନରେ ସହାୟକ ମୂଲ୍ୟ ୩୧୦୦ ଟଙ୍କା, ଜଗନ୍ନାଥ ସେବା ପାଇଁ ୫୦୦ କୋଟି ଟଙ୍କା ଓ ଜଗନ୍ନାଥ ମନ୍ଦିରର ଚାରିଦ୍ୱାରା ଖୋଲିବା, ଆୟୁଷ୍ମାନ ଯୋଜନା ଲାଗୁ କରିବା, ୭୮ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବା ଭଳି ଅନେକ କାର୍ଯ୍ୟକ୍ରମ ହୋଇପାରିଛି। ଏହା ବିଜେପି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆଜି ଆମ ଦାୟିତ୍ୱ ବଢ଼ିଛି, ସରକାର ଆଣିବା ଯେତିକି କଷ୍ଟ ଥିଲା,ଏବେ ଲୋକଙ୍କ ଆଶା ମଧ୍ୟ ସେଭଳି ପୂରଣ କରିବାକୁ ହେବ। ସ୍ୱାଧୀନତାର ୭୮ ବର୍ଷ ମଧ୍ୟରେ ଅନେକ ସମସ୍ୟାର ଓଡ଼ିଶାରେ ରହିଛି। ଏସବୁ ସମସ୍ୟାର ସମାଧାନ କରିବାକୁ ହେବ। ଏଥିପାଇଁ ସରକାର ଆସିବା ପରେ ବି ଆମେ ଶୋଇବା ନାହିଁ କହି ସରକାରଙ୍କୁ ଆହ୍ୱାନ ଦେଇଥିଲେ। ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟଗୁଡ଼ିକ ଲୋକଙ୍କ ପାଖରେ ପହଂଚାଇବା ପାଇଁ ମିଳିମିଶି କାମ କରିବାକୁ ହେବ। ଏହି ଦାୟିତ୍ୱ ହେଉଛି ଆମ କାର୍ଯ୍ୟକର୍ତାଙ୍କର। ରାଜ୍ୟରେ ବିଜେପି ସରକାର ଗଠନ ହେବାର ମାତ୍ର ୧ବର୍ଷ ମଧ୍ୟରେ ୨୧ରୁ ୧୧ ପ୍ରତିଶ୍ରୁତିକୁ ସଫଳତାର ସହ ପୂରଣ କରିଛୁ। ଭାରତୀୟ ଜନତା ପାର୍ଟି ହେଉଛି ଏକ ରାଷ୍ଟ୍ରୀୟ ଦଳ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଗଠନ କରିବା ପାଇଁ ଆମଠାରୁ ଯେଉଁ ଆଶା ରଖିଛନ୍ତି, ତାହାକୁ ପୂରଣ କରିବା। ଓଡ଼ିଶାରେ ବିଜେପି ସରକାର ଏକ ଲମ୍ବା ଇନିଂସ ଖେଳିବ। ଏ ସରକାର ୨୦୩୬ ମସିହା ବି ଦେଖିବ ଓ ୨୦୪୭ ମସିହା ମଧ୍ୟ ଦେଖିବ। ଏଥିପାଇଁ ଆମକୁ ଟିମ୍ ସ୍ପିରିଟ୍ରେ କାମ କରିବାକୁ ପଡ଼ିବ। ଆମ ପାଖରେ ଯୋଗ୍ୟ ମୁଖ୍ୟମନ୍ତ୍ରୀଠାରୁ ଆରମ୍ଭ କରି, ଯୋଗ୍ୟ ମନ୍ତ୍ରୀ, ଯୋଗ୍ୟ ସାଂସଦ, ଯୋଗ୍ୟ ବିଧାୟକ ଓ ଯୋଗ୍ୟ କାର୍ଯ୍ୟକର୍ତା ଅଛନ୍ତି। ଆଗାମୀ ଦିନରେ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ। ଅସମ୍ଭବ ଆମ ଶବ୍ଦକୋଷରେ ନାହିଁ। ସବୁକାମ ସମ୍ଭବ। ଏଥିପାଇଁ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ। ଦଳ ପାଇଁ କେତେ କାର୍ଯ୍ୟକର୍ତା ବଳିଦାନ ଦେଇଥିବାବେଳେ ବହୁ ଜଣ ମିଥ୍ୟା ମାମଲାରେ ଜେଲ ଯାଇଛନ୍ତି। ତାଙ୍କୁ ଆମେ ସମ୍ମାନ ଦେବା। ଆର୍ଏସ୍ଏସ୍ର ବିଚାରଧାରାକୁ ଆଗକୁ ନେବା। ଯେଉଁମାନେ ଆମକୁ ବିରୋଧ କରୁଛନ୍ତି ସେମାନଙ୍କ ହ୍ୟାଙ୍ଗଓଭର ଯାଉନାହିଁ। ସେମାନେ ଏବେ ବିିଚଳିତ। ମାତ୍ର ଆମ ଦାୟିତ୍ୱ ଏବେ ବଢ଼ିଛି। ଆମେ ସମସ୍ତେ ଗାଁକୁ ଯିବା ଲୋକଙ୍କ ସହ ମିଶିବା ଓ ଭଲ ବ୍ୟବହାର କରିବା ସଂକଳ୍ପ ନେବାକୁ ପଡ଼ିବ ବୋଲି ଶ୍ରୀ ସାମଲ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ନୀଳାଦ୍ରି ବିଜେ ଅବସରରେ ବିଜେପି ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ଚତୁର୍ଥଥର ପାଇଁ ଦାୟିତ୍ୱ ନେଉଛନ୍ତି। ଏନେଇ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ପାଇଁ ଯେବେଠୁ ସେ କାମ କରିଛନ୍ତି ସବୁବେଳେ ଶୁଭ ସଂକେତ ଆସିଛି। ତାଙ୍କ ସଭାପତିତ୍ୱରେ ଦଳ ସରକାରକୁ ଆସିଛି। ମେଂଟ ସରକାରରେ ହୋଇଥିଲା। ଏବେ ପୁଣି ୨୦୨୪ରେ ବିଜେପି ଓଡ଼ିଶାବାସୀଙ୍କ ଭରସା ଜିତିଛି। ଯେଉଁମାନେ ପଚାରୁଥିଲେ କୁଆଡେ ଗଲା ଡବଲ ଇଞ୍ଜିନ, ସେମାନଙ୍କୁ କଡ଼ା ଜବାବ ମିଳିଛି। ମନମୋହନଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ଝଣ୍ଡା ଉଡ଼ିଲା। ୨୧ ରୁ ୨୦ ଆସନ ଜିତି ଅସମ୍ଭବକୁ ସମ୍ଭବ କରିବା ମନମୋହନଙ୍କ ନେତୃତ୍ୱ ଯୋଗୁ ହିଁ ସମ୍ଭବ ହୋଇଛି। ସେ ଏବିଭିପିରୁ କାମ କରି ବିଧାୟକ, ମନ୍ତ୍ରୀ, ସାଂସଦ ହେବ ସହ ଚତୁର୍ଥ ଥର ସଭାପତି ହୋଇ ଇତିହାସ ରଚିଛନ୍ତି। ମନମୋହନଙ୍କ ଦୃଢ଼ ନେତୃତ୍ୱ, ବିଚକ୍ଷଣ ସାଙ୍ଗଠନିକ ଦକ୍ଷତା ଏବଂ କାର୍ଯ୍ୟକର୍ତାଙ୍କ ପ୍ରତି ଅପାର ସମର୍ପଣ ହିଁ ଓଡ଼ିଶାରେ ବିଜେପିକୁ ଏକ ନୂତନ ପରିଚୟ ଦେଇଛି। ବିଜେପି ଆଜି ଏକାକୀ ସରକାର ଗଠନ କରିବା ପରେ ନିର୍ବାଚନ ପ୍ରତିଶ୍ରୁତିକୁ ଅକ୍ଷର ଅକ୍ଷରେ ପାଳନ କରିଛି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଆମ ନେତୃତ୍ୱର ସଫଳତାକୁ ମୋହର ମାରିଛନ୍ତି। ବିଦେଶ ପୁଞ୍ଜି ନିବେଶରେ ଓଡ଼ିଶା ରେକର୍ଡ କରିଛି। ବିଜେପି ପରିବାର ବାଦ ଦଳ ନୁହେଁ। ତୃଣମୂଳସ୍ତରର ନେତା କିପରି ଶୀର୍ଷ ନେତୃତ୍ୱକୁ ଯାଇଛନ୍ତି ତାହା ଓଡ଼ିଶା ଦେଖିଛି। କାର୍ଯ୍ୟକର୍ତାଙ୍କ ଦଳର ପୋଷ୍ଟର ମାରୁଥିବା କାର୍ଯ୍ୟକର୍ତା ଦଳର ଶୀର୍ଷ ନେତୃତ୍ୱକୁ ଯାଇପାରେ। କେନ୍ଦୁଝର ରାଇକେଲାରୁ ଆସିଥିବା ଜଣେ ଆଦିବାସୀ ଗରିବ ଘରର ମୋହନ ମାଝୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ବନେଇଛି। ଏଥିରୁ ଦଳର ନୀତି ଓ ଆଦର୍ଶ ସ୍ପଷ୍ଟ ହୋଇଛି। ମନମୋହନ ଚତୁର୍ଥ ଥର ସଭାପତି, ମୋହନ ମାଝୀ ଚତୁର୍ଥ ଥର ବିଧାୟକ, ଏହି ଯୋଡ଼ାକୁ ଘୋଡ଼ା ସରି ନୁହେଁ। କେନ୍ଦ୍ରର ୧୧ ବର୍ଷ ରାଜ୍ୟର ୧ ବର୍ଷ ମିଶି ୧୨ ହେଉଛି। କିନ୍ତୁ ଏହା ଆଗକୁ ୧୧୨ରେ ପହଂଚିବ। ବିଜେପି ଗୋଟିଏ ମୁଦ୍ରାର ୨ ପାଶ୍ୱର୍ ଭଳି। ଗୋଟିଏ ପଟେ ମନମୋହନଙ୍କ ନେତୃତ୍ୱରେ ସଙ୍ଗଠନ ଦାୟିତ୍ୱ ଅନ୍ୟପଟେ ମୋହନ ମାଝୀଙ୍କ ନେତୃତ୍ୱରେ ସରକାର। କାର୍ଯ୍ୟକର୍ତାଙ୍କ ତ୍ୟାଗ ତପସ୍ୟା ଓ ବଳିଦାନ ପାଇଁ ଲୋକ ସେବା ଭବନରେ ପଦ୍ମ ଫୁଟିଛି। ଆଗାମୀ ଦିନରେ ମନମୋହନଙ୍କ ନେତୃତ୍ୱରେ ବିଜେପିର ସଙ୍ଗଠନ ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ବିଶ୍ୱାସ ପ୍ରକଟ କରିଛନ୍ତି।
ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, ମନମୋହନଙ୍କ ନେତୃତ୍ୱରେ ସରକାର ଏବଂ ସଂଗଠନ ଆଗକୁ ବଢିବ। ସରକାର ସହ ସଙ୍ଗଠନର ସମନ୍ୱୟ ବଢିବ। ସେ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଯେଉଁ ବେଗରେ ଡବଲ ଇଂଜିନ ସରକାର ବିକାଶ କାମ ଆରମ୍ଭ କରିଛି ତାହା ସାଧାରଣ କାର୍ଯ୍ୟକର୍ତାଙ୍କ ଭିତରେ ଉତ୍ସାହ ଭରିଛି ବୋଲି କହିଛନ୍ତି।
ସାଂସଦ ସମ୍ବିତ ପାତ୍ର କହିଛନ୍ତି, ରାଜ୍ୟରେ ଏବେ ତ୍ରିପଲ ଏମ୍ ସରକାର ଚାଲିଛି। ମୋଦି, ମୋହନ ଓ ମନମୋହନ ସରକାର। ଦଳ ପାଇଁ ବଡ ବଳିଦାନ ପାଇଁ ଦେଇଛନ୍ତି ମନମୋହନ ଭାଇ। ନିଜ ଚାନ୍ଦବାଲି ଆସନକୁ ବାଜିରେ ଲଗାଇ ହାରିଲେ। କେନ୍ଦ୍ରୀୟ ନେତୃତ୍ୱ ଯେତେବେଳେ କହିଲେ ତୁମେ ବି ତୁମ ଆସନ ଦେଖ, ସେତେବେଳେ ସେ କହିଥିଲେ, ମୋ ପାଇଁ ମୋ ଦଳ ବଡ। ରାଜ୍ୟରେ ସରକାର ଆସିବା ଦରକାର ଓଡ଼ିଶାବାସୀଙ୍କ ସେବା କରିବା। ତାଙ୍କ ତ୍ୟାଗ ପାଇଁ ରାଜ୍ୟରେ ଆଜି ବିଜେପି ସରକାର ଗଠନ କରିପାରିଛି।
ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ନାଁ ଘୋଷଣା ହେବା ପରେ ଶ୍ରୀ ସାମଲଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହାପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତିଙ୍କ ସମେତ ସମସ୍ତ ସାଂସଦ, ବିଧାୟକ, ମନ୍ତ୍ରୀମଣ୍ଡଳ, ରାଜ୍ୟ ଓ ଜିଲ୍ଲାର ସମସ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ନୂତନ ରାଜ୍ୟ ସଭାପତିଙ୍କୁ ଅଭିନନ୍ଦନ ଜଣାଇଥିଲେ ।