ବାରିପଦା-/ ଦିଲ୍ଲୀପ ମହାନ୍ତି : ମୟୁରଭଞ ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମତଦାନପାଇଁ ପୂର୍ବରୁ ସମସ୍ତ ମତଦାନ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସମାପ୍ତ କରାଯାଇଥିଲା । ଜିଲାର ଆଜି ଆଟଗୋଟି ନିର୍ବାଚନ ମଣ୍ଡଳୀରେ ମୋଟ ୨୧୨୩ ଗୋଟି ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ମତଦାନ । ଏଥି ମଧ୍ୟରୁ ବାରିପଦାରେ ୨୫୪ ଗୋଟି ବୁଥ ରେ ମତଦାତାମାନେ ମତଦାନ କରିଥିଲେ । ବାରିପଦା ସହରର କିଛି ମତଦାନ କେନ୍ଦ୍ର କୁ ମୋଡେଲ ମତଦାନ କେନ୍ଦ୍ର ଭାବେ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଅଛି । ଏଥି ମଧ୍ୟରୁ ପୂନ୍ନଚନ୍ଦ୍ରପୁର ଉଛ ପ୍ରାଥମିକ ବିଦ୍ୟାଳୟରେ ଅନ୍ୟତମ । ଏହି କେନ୍ଦ୍ରରେ ଦୁୁଇଗୋଟି ବୁଥ ରେ ଭୋଟ ଗ୍ରହଣ କରାଯାଇଥିଲା । ଉକ୍ତ ମତଦାନ କେନ୍ଦ୍ରରେ ଆଜି ନିଆରା ଢଙ୍ଗରେ କୁନି କୁନି ପିଲାମାନଙ୍କ ଦ୍ୱାରା ମତଦାତା ମାନଙ୍କୁ ସ୍ୱାଗତ କରାଯାଉଥିବାର ଦେଖାଯାଇଥିଲା । ପୂନ୍ନଚନ୍ଦ୍ରପୁର ଉଛ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଭିନ୍ନ କାରଣରୁ ପାଠପଢାରୁ ବଞ୍ଚିତ ହୋଇଆସୁଥିବା ବିଦ୍ୟାଳୟ ବାହାରେ ରହୁଥିବା ପିଲାମାନଙ୍କ ପାଇଁ ହଷ୍ଟେଲ ର ବ୍ୟବସ୍ଥା ଅଛି । ଏମାନଙ୍କୁ ଏଠାରେ ରଖାଯାଇ ପାଠପଢା ସାଙ୍ଗକୁ ଅନ୍ୟାନ୍ୟ ବିଭିନ୍ନ ଖେଲକୁଦ , ସାଂସ୍କୃତିକ କାର୍ଯ୍ୟକ୍ରମ ର ଶିକ୍ଷା ଦିଆଯାଇଥାଏ । ଏହି ପିଲାମାନେ ଅନେକ ସମୟରେ ଜିଲା , ରାଜ୍ୟ ତଥା ରାଜ୍ୟବାହାରେ ସେମାନଙ୍କର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛନ୍ତି । ଆଜି ମଧ୍ୟ ସେହି କୁନି କୁନି ପିଲାମାନେ ସେମାନଙ୍କର ରାଷ୍ଟ୍ରପ୍ରତି ଥିବା ଦାୟିତ୍ୱ କୁ ଲୋକମାନଙ୍କ ଆଗରେ ଦେଖାଇଛନ୍ତି । ଆଜି ଭୋଟଗ୍ରହଣ ଆରମ୍ଭ ହେବାମାତ୍ରେ ପିଲାମାନେ ବିଦ୍ୟାଳୟ ସମୁଖରେ ମତଦାତା ମାନଙ୍କୁ ସ୍ୱାଗତ କରିବାପାଇଁ ହାତରେ ଫୁଲଥାଳି ଧରି ଛିଡାହୋଇଯାଇଥିଲେ । ଭିତରକୁ ପ୍ରବାଶ କରୁଥିବା ସମସ୍ତ ଭୋଟର ମାନଙ୍କୁ ମତଦାନ ର ସ୍ଲୋଗାନ ଦେବାସହିତ ଫୁଲ ଫିଙ୍ଗି ସ୍ୱାଗତ କରୁଥିବାର ଦୃଶ୍ୟ ବେଶ ଆକର୍ଷଣୀୟ ଥିଲା । ଖାଲି ସେତିକି ନୁହେଁ ଦିବ୍ୟାଙ୍ଗ ଏବଂ ବାର୍ଦ୍ଧକ୍ୟ ଲୋକମାନଙ୍କୁ ଟ୍ରାଇସାଇକେଲରେ ବସାଇ ଭୋଟ ଗ୍ରହଣ କେନ୍ଦ୍ର ପାଖକୁ ନେଇଯାଇଥିଲେ । ଯାହାକି ଆଜି ଏଠାରେ ଅତ୍ୟଧିକ ତାପମାତ୍ରାରେ ମଧ୍ୟ କୁନି କୁନି ପିଲାମାନଙ୍କ ଦ୍ୱାରା ଏହି ପ୍ରକାର କାର୍ଯ୍ୟକ୍ରମ ସମସ୍ତଙ୍କ ହୃଦୟକୁ ଜିଣି ନେଇଥିଲା ।