ତୁରନ୍ତ ନଳକୂପ ଦେବା ପାଇଁ ଦାବୀ
ନୂଆପଡ଼ା(ଅମିତ ପୁରୋହିତ) ; ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ନୂଆପଡା ଜିଲ୍ଲାର ଗ୍ରାମାଂଚଳ ଗୁଡିକରେ ପାନୀୟ ଜଳ ସଂକଟ ଦେଖାଦେଇଛି । ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗ କରୁଥିବା ବେଳେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସରଧାପୁର ପଂଚାୟତର ଚଚରାପଡା ଗ୍ରାମବାସୀ ନାଳ ପାଣି ଭରସାରେ ଜୀବନ ଅତିବାହିତ କରୁଛନ୍ତି । ସୂଚନାମତେ ଚଚରାପଡା ଗ୍ରାମରେ ୨୦ ଗୋଟି ପରିବାର ବସବାସ କରୁଥିବା ବେଳେ ଏହି ଗ୍ରାମରେ ନଳକୂପ ଟିଏ ମଧ୍ୟ ନାହିଁ । ନଳକୂପ ପାଇଁ ଗ୍ରାମବାସୀ ଅନେକ ଅଭିଯୋଗ କଲେ ମଧ୍ୟ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଉ ନାହିଁ । ଫଳରେ ଗ୍ରାମବାସୀ ନିକଟସ୍ଥ ନାଳର ପାଣି କୁ ଭରସା କରି ବ୍ୟବହାର କରୁଛନ୍ତି । ବର୍ଷ ସାରା ଉକ୍ତ ନାଳର ପାଣି ବ୍ୟବହାର କରୁଥିବାରୁ ଲୋକେ ଝାଡାବାନ୍ତି ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ପୁଣି ଗ୍ରାମରେ କୈାଣସି ପୋଖରୀ କିମ୍ବା ଗାଡିଆ ନଥିବାରୁ ଲୋକଙ୍କୁ ଗାଧୋଇବାରେ ମଧ୍ୟ ଅନେକ ସମସ୍ୟା ଦେଖାଦେଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଗ୍ରାମରେ ନଳକୂପର ବ୍ୟବସ୍ଥା କରିବାକୁ ଦାବୀ ହେଉଛି ।