ନୂଆପଡ଼ା/Amit Purohit : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ କୁଲିଙ୍ଗାମାଲ ଗାଁରେ ଆଜକୁ ୩/୪ ବର୍ଷ ହେବ ମା ମାନେ ଭିନ୍ନକ୍ଷମ ଶିଶୁଙ୍କୁ ଜନ୍ମ ଦେଉଥିବା ନେଇ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇପଡିଛି । ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକକାରୀଙ୍କ ନିଦେ୍ର୍ଧଶ କ୍ରମେ ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗାଁକୁ ଯାଇ ସରଜମିନ ତଦନ୍ତ କରିଛନ୍ତି । ଏହା ଉପରେ ବିଶେଷ ପଦକ୍ଷେପ ନିଆଯିବ ବୋଲି ବିଭାଗ ତରଫରୁ କୁହାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଭାସିନୀ ବ୍ରହ୍ମାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଏପିଡେମୋଲଜିଷ୍ଟ ଡା. ବଜରଙ୍ଗବଲି ଜଗତଙ୍କ ନେତୃତ୍ୱରେ ଏକ ୬ ଜଣିଆ ବିଶେଷଜ୍ଞ ଟିମ୍ କୁଲିଙ୍ଗାମାଲଗାଁରେ ପହଂଚିଥିଲେ । ସେଠିକାର ମାଲପଡାକୁ ଯାଇ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିଥିଲେ । ଯେଉଁ ମା ମାନେ ଭିନ୍ନକ୍ଷମ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ଏବଂ ଯେଉଁମାନେ ବର୍ତ୍ତମାନ ଗର୍ଭବତୀ ରହିଛନ୍ତି, ସେମାନଙ୍କୁ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରକୁ ଡକାଯାଇଥିଲା । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଜନ୍ମ ପୂର୍ବରୁ କ ଣ ସେବା ଦିଆଯାଇଛି ଏବଂ ଜନ୍ମ ପରେ କ ଣ ସବୁ ଲକ୍ଷଣ ପ୍ରକାଶ ପାଇଛି ତାର ତର୍ଜମା କରାଯାଇଥିଲା । ବିଭିନ୍ନ ପ୍ରସଙ୍ଗ ଉପରେ ଡାକ୍ତରମାନେ ପଚାରି ବୁଝିଥିଲେ । ଏହାର କାରଣ ସମ୍ପର୍କରେ ଡାକ୍ତର ଟିମକୁ ପଚାରିବାରୁ ଏହାର ବିଭିନ୍ନ କାରଣ ରହିଛି ବୋଲି କହିଥିଲେ । ସେଥି ମଧ୍ୟରୁ କମ୍ ବୟସରେ ବିବାହ କରିବା, କମ୍ ସମୟ ବ୍ୟବଧାନରେ ଶିଶୁ ଜନ୍ମ ଦେବା, ପାନୀୟ ଜଳରେ କୌଣସି ଆବଶ୍ୟକ ଉପାଦାନ କମ୍ ରହିବା, ନିଶାଦ୍ରବ୍ୟ ସେବନ ଆଦି କାରଣ ହୋଇଥାଇ ପାରେ ବୋଲି ଡାକ୍ତରମାନେ କହିଥିଲେ । ଏହା ଉପରେ ବିଶେଷ ନିରୀକ୍ଷଣ କରାଯାଉଛି ବୋଲି ଟିମ୍ ମୁଖ୍ୟ ଡା. ଜଗତଙ୍କୁ ପଚାରିବାରୁ ଏହା ଉପରେ ତର୍ଜମା ଚାଲିଛି । ସିଡିଏମଓ ଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ସେ ପଦକ୍ଷେପ ନେବେ ବୋଲି ଡା. ଜଗତ କହିଛନ୍ତି । ଡାକ୍ତରୀ ଟିମ୍ ଦୀର୍ଘ ୪ ଘଣ୍ଟା ଧରି ଗାଁରେ ରହିବା ପରେ ଫେରି ଯାଇଛନ୍ତି । ଏହି ଟିମରେ ଚକ୍ଷୁ ରୋଗ ବିଶେଷଜ୍ଞ ରମାକାନ୍ତ ସାହୁ, ଇଏନଟି ବିଶେଷଜ୍ଞ ଡା. ଧନଞୟ ଭୁଏ, ଅଡିଓଲଜିଷ୍ଟ ଡା. ଘନଶ୍ୟାମ ସାହୁ, ଡିଏମ୍ ଆରସିଏସକେ ମ୍ୟାନେଜର ମୁକେଶ କୁମାର ଭୋଇ, ଡକ୍ଟର ମନୋଜ ସାହୁ ପ୍ରମୁଖ ସାମିଲ ଥିଲେ । କେବଳ କୁଲିଙ୍ଗାମାଲ ନୁହେଁ ବୋଡେନ ବ୍ଲକର ବହୁ ଗାଁରେ ଏଭଳି ସ୍ଥିତି ରହିଛି । ଏହାକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ବିଚାର କରି ପରୀକ୍ଷା ନିରୀକ୍ଷା କରିବା ଜରୁରୀ ହୋଇପଡିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।