ହେଡଲାଇନସ୍:

‘ଇଧର ଗଧେ ଉଧର ଗଧେ ସବ ତରଫ ଗଧେ ହିଁ ଗଧେ; ଅଛେ ଘୋଡେକୁ ନେହିଁ ଘାସ, ଗଧେ ଖାଏ ଚବନପ୍ରାସ’ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରି

ବାରିପଦା(ଦିଲ୍ଲୀପ ମହାନ୍ତି): ଗୁରୁବାର ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ କେନ୍ଦ୍ର ସଡ଼କ ଓ ପରିବନ ମନ୍ତ୍ରୀ ନୀତିନ ଗଡକରି ଯୋଗଦେଇ ରାଜ୍ୟରେ ବିଜେଡି ଓ ବିଗତ ୫୦ବର୍ଷ ଧରି କେନ୍ଦ୍ରରେ ଶାସନ କରିଥିବା କଂଗ୍ରେସ ସହ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି କହିଥିଲେ ଯେ, ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ର୍ରତି ପରିବାରକୁ ପ୍ରତ୍ୟେକ ବର୍ଷ ୭୨ହଜାର ଟଙ୍କା ପ୍ରଦାନ କରିବା ଏକ ପ୍ରହସନ । କଂଗ୍ରେସ ଉକ୍ତ ଟଙ୍କା କେଉଁଠୁ ଆଣିବ,  କିପରି ଦେବ, ଏହାକୁ ନେଇ ସେ କିପରି ଭାବେ ବିଜେଟ କରିବ ସେ ବିଷୟ କଂଗ୍ରେସକୁ ଜଣାନାହିଁ । କେବଳ କଂଗ୍ରେସ ନାରା ବାଜି ହିଁ କରୁଛି । କଂଗ୍ରେସ ଦଳ କେବଳ ବିଶ୍ୱାସଘାତକ କରି ଶିଖିଛି । ସ୍ୱାଧିନତା ପରେ ପ୍ରଧାନମନ୍ତ୍ରୀ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ପ୍ରମୁଖ ଗରିବି ହଟାଓ ନାରା ଦେଇ ଦେଶ ବାସୀଙ୍କ ସହ ବିଶ୍ୱାସଘାତକତା କରିଥିଲେ । ହେଲେ ପ୍ରକୃତରେ ଦେଶରୁ ଗରିବ ହଟିନଥିଲା ବରଂ ବିଭିନ୍ନ ପ୍ରକାର ଦୁର୍ନିିତିରେ ଲିପ୍ତ ରହିଥିଲେ ବୋଲି ଗଡକରି କହିଛନ୍ତି । ସେହିପରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଜେଡି ସରକାରଙ୍କୁ ସମାଲୋଚନା କରି ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡ଼ିଛି । ଓଡ଼ିଶାରେ ସ୍କୁଲ ଅଛି ତ ଘର ନାହିଁ ଘର ଅଛି ତ ବିଦ୍ୟାର୍ଥି ନାହାନ୍ତି । ତେବେ ଏହି ତିନୋଟି ଜିଷ ଥିଲେ ସେଠାରେ ପାଠ ପଢ଼ା ନାହିଁ ବୋଲି କହିଛନ୍ତି । ଏହି ସହିତ କେଉଁ ଠାରେ ଡାକ୍ତର ଅଛନ୍ତି ତୋ ଡାକ୍ତରଖାନା ନାହିଁ , ପୁଣି କେଉଁଠି ଡାକ୍ତର ଅଛି  ଔଷଧ ନାହିଁ । ଓଡ଼ିଶାରେ ଲୋକମାନଙ୍କୁ ପିଇବା ପାଇଁ ଭଲ ପାଣି ନାହିଁ, ରହିବା ପାଇଁ ଘର ନାହିଁ, ଯୁବକକମାନଙ୍କୁ ରୋଜଗାର ମଧ୍ୟ ନାହିଁ ବୋଲି କହିଛନ୍ତି । ତେବେ ରାଜ୍ୟରେ ବିକାଶ ଏଠାରେ ବାଟ ହୁଡିଛି । ଓଡ଼ିଶାକୁ ଏକ ବିକାଶଶୀଳ ରାଜ୍ୟ ଭାବେ ଗଢ଼ିବାକୁ ହେଲେ ଦୁଇଟି ପ୍ରମୁଖ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି କହିଛନ୍ତି । ପ୍ରଥତଃ ଉଦ୍ୟୋଗ ଏବଂ ଦ୍ୱିତୀୟତଃ କୃଷି । ପୁଣି ଉଦ୍ୟୋଗ ପାଇଁ ପାଣି,ବିଜୁଳି,ଗମନାଗମନ ଓ ଯୋଗାଯାଗର ଏକାନ୍ତ ଅପରିହାର୍ଯ୍ୟ । ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୁର ରହିଥିବା ବେଳେ ଏଠାକାର ଲୋକମାନେ ହେଉଛନ୍ତି ଗରିବ । ଲୋକମାନଙ୍କୁ ପିଇବା ପାଇଁ ପାଣି ନଥିବା ବେଳେ,ବିଜୁଳି, ଗମନାଗମନ ପାଇଁ ରାସ୍ତା,କୃଷି ପାଇଁ ଉପକରଣ,କୃଷି ସାମଗ୍ରୀ,ଜମିକୁ ଜଳ ସେଚନ,କୃଷକମାନଙ୍କୁ ଉପଯୁକ୍ତ ତାଲିମ,ଆଧୁନିକ ଯନ୍ତ୍ରପାତି ଆଦି ଯୋଗାଇଦେବା ପାଇଁ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଫଳରେ ସବୁ କ୍ଷେତ୍ରରେ ଓଡ଼ିଶା ପଛରେ ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଚୁର ପରିମାଣରେ ଲୁହାପଥର ରହିଛି । ହେଲେ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ହେଲେ ବି ଶିଳ୍ପ ପ୍ରତିଷ୍ଠା  ହୋଇପାରିଲା ନାହିଁ । ବହୁ ପୂର୍ବରୁ ଟାଟା ମୟୂରଭଞ୍ଜରେ ଶିଳ୍ପ ପ୍ରତିଷ୍ଠା  କରିବା ଆସିଥିଲେ । ହେଲେ ଏଠାରେ ସେ ଶିଳ୍ପ ନକରି ଜାମସେଦପୁର ପଳାଇ ଯାଇଥିଲେ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟ,ଶିକ୍ଷା,ଗମନା ଗମନ,ଜଳସେଚନ,କୃଷି ଆଦି ସବୁ କ୍ଷେତ୍ରରେ ବହୁ ପଛରେ ପଡିଯାଇଥିବା ବେଳେ ଏଠାରେ ବେକାରୀ ମୁଖ୍ୟ ସମସ୍ୟା ପାଲଟିଯାଇଛି । ଫଳରେ ଓଡ଼ିଶାରେ ନବୀନ ସରକାର ଏହାର ସମାଧାନ କରିବା ପାଇର୍ କୌଣସି ପ୍ରକାର ଆନ୍ତରିକତା ଦେଖାଇନାହିଁ ଫଳରେ କେନ୍ଦ୍ରକୁ ଦୋଷ ଦେଇ କେନ୍ଦ୍ର ଅବହେଳା କହି ଚୁପ ରହିଯାଇଛନ୍ତି ବୋଲି କହିଛନ୍ତି । ‘ଇଧର ଗଧେ ଉଧର ଗଧେ ସବ ତରଫ ଗଧେ ହିଁ ଗଧେ; ଅଛେ ଘୋଡେକୁ ନେହିଁ ଘାସ ଗଧେ ଖାଏ ଚବନପ୍ରାସ’ ବୋଲି ଉକ୍ତି ଆବୃତ୍ତି କରି ଏଠାରେ ଗଧ କିଏ , ଘୋଡା କିଏ ଏବଂ ଚେବନପ୍ରାସ କିଏ ଖାଉଛି ଜନତା ନିର୍ବାଚନରେ ଏହା ନିର୍ଣ୍ଣୟ କରିବେ । ଆମର ଭବିଷ୍ୟତ କିଏ ତିଆରି କରିବ ସେଥି ପାଇଁ କାହାକୁ ପ୍ରତିନିଧି ଭାବେ ବାଛିବେ ଏହା ଜନତା ହିଁ ବିଚାର କରିବେ ବୋଲି ନୀତିନ ଗଡକରି କହିଛନ୍ତି । ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ପ୍ରତ୍ୟେକ ଦିନ ୨କିମି ରାସ୍ତା ନିର୍ମାଣ ହେଉଥିବା ବେଳେ ବର୍ତମାନ ଏହା ୧୭ଗୁଣ ବୃଦ୍ଧି ପାଇଁ  ପ୍ରତ୍ୟେକ ଦିନ ୩୪କିମି ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁମାନେ ଘର ପାଇ ନାହାନ୍ତି ସେମାନଙ୍କୁ ୨୦୨୨ସୁଦ୍ଧା  ସମସ୍ତ ପକ୍କା ଘର ଯୋଗଇଦିଆ ଯିବ ବୋଲି କହିଛନ୍ତି । ସେହିପରି କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ୭କୋଟି ଲୋକଙ୍କୁ ଗ୍ୟାସ ଯୋଗାଇ ଦେଇଥିବା ବେଳେ ୩କୋଟି ଲୋକଙ୍କୁ ମୁଦ୍ରା ଯୋଜନାରେ ଋଣ ଯୋଗାଇ ଦେଇଥିବା ବେଳେଜନଧନ ଯୋଜନାରେ ଲୋକଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି ବୋଲି କହିଛନ୍ତି । ସେହିପରି କେନ୍ଦ୍ରର ଆୟୂଷମାନ ଯୋଜନାକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁନଥିବା ଫଳରେ ଏହି ଯୋଜନା ମାଧ୍ୟମରେ ଜନସାଧାରଣ ରାଜ୍ୟ ବାହର ଚିକିତ୍ସାଳୟର ସୁବିଧା ପାଇ ପାରୁ ନାହାନ୍ତି ବୋଲି ମଧ୍ୟ କହିଛନ୍ତି । ଓଡ଼ିଶାରେ ଜାତୀୟ ରାଜପଥ ଓ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ ବହୁ ଅର୍ଥ ପ୍ରଦାନ କରିଥିଲେ ମଧ୍ୟ ଏହାର ସୁବିନିଯୋଗ ଓ ରକ୍ଷଣାବେକ୍ଷଣା କରିବାରେ ଓଡ଼ିଶା ସରକାର ଫେଲ ମାରିଛନ୍ତି ବୋଲି କହିଛନ୍ତି । ଓଡ଼ିଶାରେ ପାରାଦ୍ୱୀପ ପୋର୍ଟ ପାଇଁ ୧ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବା ପାଇଁ କେନ୍ଦ୍ର ପ୍ରସ୍ତାବ ଦେଇଥିବା ବେଳେ ରାଜ୍ୟ ସରକାର ଏନେଇ କୌଣସି ଆନ୍ତରିକତା ଦେଖାଇ ନାହାନ୍ତି । ସେହିପରି ରେଳପଥ ନିର୍ମାଣ ଓ ସଂଯୋଗୀକରଣ କ୍ଷେତ୍ରରେ ୬ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପ୍ରସ୍ତାବ ଦେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ହେତୁ ରେଳସେବା େକ୍ଷେତ୍ରରେ ଓଡ଼ିଶା ବହୁ ପଛରେ ପଡ଼ିଯାଇଛି ବୋଲି କହିଛନ୍ତି । ବଣଜଙ୍ଗଲ ଘେରା ମୟୂରଭଞ୍ଜ ଜିଲ୍ଲାରେ ୬୦ପ୍ରତିଶତରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ଲୋକେ ଜଙ୍ଗଲ ଉପରେ ନିର୍ଭର କରି ଏମାନେ ନିଜର ଜୀବନ ଜିବିକା ନିର୍ବାହ କରୁଛନ୍ତି । ତେବେ ଏମାନଙ୍କୁ ନେଇ ରାଜ୍ୟ ସରକାର କୁମ୍ଭୀରକାନ୍ଦଣା କାନ୍ଦୁଥିବା ବେଳେ ସେମାନଙ୍କର ଆର୍ଥିକ ବିକାଶ ଦିଗରେ କୌଣସି ଚିନ୍ତା କରୁନାହାନ୍ତି । କିନ୍ତୁ ଅନ୍ୟ ରାଜ୍ୟରେ ଆଦିବାସୀମାନଙ୍କ ଦ୍ୱାରା ଜଙ୍ଗଲରୁ ଜାଫ୍ରଟା,ଟୁଲକ ଆଦି ଜଙ୍ଗଲଜାତ ଦ୍ରବ୍ୟର ସଦବିନିଯୋଗ କରାଯାଇ ପ୍ରାକୃତିକ ଗ୍ୟାସ ମାଧ୍ୟମରେ ଜେଟ ଓ ହେଲିକେପ୍ଟର ଉଡାଯାଇ ପାରୁଛି । ହେଲେ ନୀବନଙ୍କ ଅପାରଗତା କାରଣରୁ ମୟୂରଭଞ୍ଜ ଜିଲ୍ଲାରେ ଏହା କରାଯାଇ ପାରୁ ନାହିଁ ବୋଲି ସମାବେଶରେ କହିଛନ୍ତି । ଏଣୁ ୨୦୧୯ ନିର୍ବାଚନରେ ଓଡ଼ିଶାରେ ବିଜେଡି ସରକାରକୁ କ୍ଷମତାଚୂତ କରିବ ବିଜେପିକୁ କ୍ଷମତାକୁ ଆଣିଲେ ଯାଇ ଓଡ଼ିଶାରେ ପ୍ରକୃତ ବିକାଶ ହୋଇପାରିବ ଏବଂ ମୟୂରଭଞ୍ଜ ସହ ନବ ଓଡ଼ିଶା ଗଠନ ହୋଇପାରିବ ବୋଲି କହିଛନ୍ତି । ୫ ବର୍ଷରେ ଯାହା ଦେଖୁଛନ୍ତି କେବଳ ଟ୍ରେଲର , ଅସଲ ଚିତ୍ର ୨୦୧୯ରୁ ଆରମ୍ଭ ହେବ । ଏଥି ନିମନ୍ତେ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ ଆହ୍ୱାନ ଦେଇ ସାଂସଦ ପ୍ରାର୍ଥି ବିଶେଶ୍ୱର ଟୁଡୁ,ମୋରଡା ପ୍ରାର୍ଥି କୃଷ୍ଣଚନ୍ଦ୍ର ମହାପାତ୍ର,ଉଦଳା ପ୍ରାର୍ଥି ଭାସ୍କର ମଢେ଼ଇ,ବାରିପଦା ପ୍ରାର୍ଥି ପ୍ରକାଶ ସୋରେନ,ବାଙ୍ଗିରିପୋଷି ପ୍ରାର୍ଥି ସୁଗୁଦା ମୁର୍ମୁ,ସାରସକଣା ପ୍ରାର୍ଥି ବୁଢ଼ାନ ମୁର୍ମୁ,ରାଇରଙ୍ଗପୁର ପ୍ରାର୍ଥି ନବଚରଣ ମାଝୀଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ । ବିଜେପି ପୂର୍ବତନ ଜିଲ୍ଲା ସଭାପତି ନିହାର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜୟ ସଙ୍କଳ୍ପ ସମାବେଶରେ ରାଜ୍ୟ ଉପସଭାପତି ଜୀବନ ସାହୁ,ଲକ୍ଷ୍ମଣ ଟୁଡୁ,ଲକ୍ଷ୍ମୀଧର ହାବଡା,କବି ବିଷ୍ଣୁ ଶତପଥି,ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ,ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ବିଜେପି ଜିଲ୍ଲା ପ୍ରଚାର କମିଟି ଅଧ୍ୟକ୍ଷ ତଥା ମୋରଡା ବିଧାୟକ ପ୍ରବୀଣଚନ୍ଦ୍ର ଭଞ୍ଜଦେଓ,ମହାରାଣୀ ରଶ୍ମୀରାଜଲକ୍ଷ୍ମୀ ଭଞ୍ଜଦେଓ,ସାରଦା ପ୍ରସାଦ ଶତପଥି,ଓଡ଼ିଶା ପ୍ରଦେଶ ପ୍ରଭାରୀ ପ୍ରମିଳା ପଣ୍ଡା,ପରେଶ ମହାନ୍ତ,ପ୍ରଦୀପ ମହାନ୍ତି,ଲକ୍ଷ୍ମଣ ତ୍ରୀପାଠୀ ଓ କୁମାର ମଙ୍ଗଳମଙ୍କ ସହ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ । ତେବେ ବିଜେପିର ଏହି ସଙ୍କଳ୍ପ ସମାବେଶ ଦିନ ୧୧ଟା ସମୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରାୟ ଦିନ ୨ଟା ସମୟରେ କେନ୍ଦ୍ରମନ୍ତ୍ରୀ ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ପହଁଚି ଥିଲେ ।  

 

0
0
0
s2sdefault