ହେଡଲାଇନସ୍:

କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନରଙ୍କ ଦିନିକିଆ ଭଦ୍ରକ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଦିବ୍ୟାଙ୍ଗମାନଙ୍କ ଶତପ୍ରତିଶତ ଅବାଧ ମତଦାନ ଉପରେ ଦେଲେ ଗୁରୁତ୍ୱ 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଅନିଲ କୁମାର ସାମଲ ଦିନିକିଆ ଭଦ୍ରକ ଗସ୍ତରେ ଆସି ନିର୍ବାଚନୀ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ଜ୍ଞାନ ଦାସଙ୍କ ସମେତ ନିର୍ବାଚନ ନୋଡାଲ ଅଫିସର ତଥା ପ୍ରକଳ୍ପ ନିର୍ଦ୍ଦେଶ ମଧୁସୂଦନ ମିଶ୍ର, ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଉପଜିଳ୍ଲାପାଳ ହେମନ୍ତ କୁମାର ବେହାରୀ, ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତିଙ୍କ ସମେତ ଜିଲ୍ଳାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଆରଡିସି  ଶ୍ରୀ ସାମଲ ନିର୍ବାଚନ ପରିଚାଳନାର ବିଭିନ୍ନ ପ୍ରସ୍ତୁତି ସଂକ୍ରାନ୍ତରେ ପଚାରି ବୁଝିବା ସହିତ ଜିଲ୍ଲାର ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରତି ନିର୍ବାଚନରେ ଦିବ୍ୟାଙ୍ଗମାନେ ଭୋଟଦାନରୁ ବିରତ ରହିଛନ୍ତି । ମାତ୍ର ଚଳିତ ନିର୍ବାଚନରେ ଯେପରି ସେଭଳି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ବୁଥ ୱାରୀ ଦିବ୍ୟାଙ୍ଗ ଭୋଟର ତାଲିକା ପ୍ରସ୍ତୁତ କରି ପ୍ରିଜାଇଡିଂ ଅଫିସରଙ୍କୁ ଦେବାକୁ ଶ୍ରୀ ସାମଲ ଜିଲ୍ଲା  ନିର୍ବାଚନ ଅଧିକାରୀଙ୍କୁ କହିଥିଲେ । ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ଘରୁ ସହାୟତା ଗାଡିରେ ଆଣି ଭୋଟଦାନ କେନ୍ଦ୍ରର ୧୦୦ ମିଟର ଦୂରରେ ରଖାଯିବ । ସେଠାରୁ ହୁଇଲ ଚେୟାର ଯୋଗେ ବୁଥକୁ  ଆଣି ଭୋଟ ଦିଆଇ ପୁଣି ସସମ୍ମାନେ ଗାଡିରେ ନେଇ ଘରେ ଛାଡିବାରେ ଯେପରି କୌଣସି ପ୍ରକାରର ତୃଟି ନହୁଏ ସେ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ କହିଥିଲେ । ରାମପି  ଓ ହୁଇଲ ଚେୟାର ଯିବା ଆସିବା କରିବା ନିମନ୍ତେ ରାସ୍ତାଘାଟକୁ ସୁଗମ କରିବାକୁ କହିଥିଲେ । ପ୍ରତି ବୁଥରେ  ପର୍ଯ୍ୟାପ୍ତ ପରିମାଣରେ ପାନୀୟଜଳ ଓ ଫାଷ୍ଟଏଡ୍ର ବନେ୍ଦାବସ୍ତ ପାଇଁ କହିଥିଲେ । ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇ ଦିବ୍ୟାଙ୍ଗ ଭୋଟର ଥିବା ବୁଥ ମାନଙ୍କରେ ଜିଲ୍ଳା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏ ସବୁର ବନ୍ଦୋବସ୍ତ  କରାଯାଇଛି ଏବଂ ଏ ଦିଗରେ ଅଧିକ ତତ୍ପର  ହେବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ସୂଚନା ଅନୁଯାୟୀ ଜିଲ୍ଲାରେ ମୋଟ ୪୩ ହଜାର୭୧୨ ଦିବ୍ୟାଙ୍ଗ ଭୋଟର ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୃଷ୍ଟିବାଧିତ ଭୋଟର ୩,୫୮୨ଜଣ, ମୁକ ଓ ବଧିର ଦିବ୍ୟାଙ୍ଗ ୨୦୫୧ଜଣ, ଅସ୍ଥିଶଲ୍ୟ ଦିବ୍ୟାଙ୍ଗ ୧୭,୦୬୪ ଏବଂ ଅନ୍ୟାନ୍ୟ ଦିବ୍ୟାଙ୍ଗ ୨୧,୦୧୫ଜଣ ରହିଛନ୍ତି । ଦିବ୍ୟାଙ୍ଗ ଭୋଟର ଭୋଟ ଦାନ କ୍ଷେତ୍ରରେ ଆଗ୍ରହୀ ହେବା ପାଇଁ ଜିଲ୍ୟାବ୍ୟାପୀ ସଚେତନତା ରଥ ବୁଲୁଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ପରେ କମିସନର ଶ୍ରୀଯୁକ୍ତ ସାମଲ କେତେକ ବୁଥ ପରିଦର୍ଶନ କରି ଯାଜପୁର ଜିଲ୍ଲାକୁ ଗସ୍ତ କରିଥିଲେ । 

0
0
0
s2sdefault