ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ଶ୍ରୀରାମ ନବମୀ ଯାତ୍ରାର ୫ମ ସନ୍ଧ୍ୟା ପବିତ୍ର ଚୈତ୍ର ଶୁକ୍ଲ ତ୍ରୟୋଦଶୀ ତିଥିରେ ପ୍ରଭୁ ଶ୍ରୀରଘୁନାଥ, ଅନୁଜ ଲକ୍ଷ୍ମଣ, ଗୁରୁ ବିଶ୍ୱାମିତ୍ର, ରାଜା ଜନକ, ଦେବୀ ସୀତା, ବିଭିନ୍ନ ରାଜା ଓ ଦାସଦାସୀ ମାନଙ୍କ ସହିତ ଶିବଧନୁ ଭଗ୍ନ ବା ସୀତାବିବାହ ବେଶରେ ସଜ୍ନିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ମିଥିଳା ରାଜା ଜନକଙ୍କ ସର୍ତ ଅନୁସାରେ ଆୟୋଜିତ ସ୍ୱୟମ୍ବରରେ ବହୁ ଶକ୍ତିଶାଳୀ ରାଜାଧି ରାଜାମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଶିବଧନୁକୁ ଭାଙ୍ଗିବା ତ ଦୁରର କଥା ତାକୁ ଉଠାଇବାରେ ମଧ୍ୟ ବିଫଳ ହୋଇ ଲଜିତ ହୋଇଥିଲେ । ରଘୁକୁଳ ତିଳକ ପ୍ରଭୁ ଶ୍ରୀରାମ ଅନାୟସରେ ଶିବଧନୁକୁ ଉଠାଇ ଥିବା ବେଳେ ତାହା ଦୁଇଖଣ୍ଡ ହୋଇଯାଇଥିଲା । ସବୁ ଆଶା ଆସଙ୍କାର ପରିସମାପ୍ତି ଘଟିଥିଲା । ପ୍ରଭୁ ରାମଚନ୍ଦ୍ର ସର୍ବ ସମୁଖରେ ତାଙ୍କ ବିରତ୍ୱର ପରିଚୟ ଦେଇ ସାରିବା ପରେମସ୍ତକ ଅବନତ କରିଥିଲେ । ମା ସୀତା ପ୍ରଭୁଙ୍କ ଗଳାରେ ବରଣ ମାଳାଟିକୁ ପନ୍ଧାଇ ଦେଇଥିଲେ । ଏହା ଥିଲା ସମଗ୍ର ନାରୀ ଜାତି ପାଇଁ ସମ୍ମାନର ନିଦର୍ଶନ ।
ରାତି ୮ଟା ବେଳେ ପ୍ରଭୁଙ୍କ ବିଜେ ପ୍ରତିମାକୁ ବରବେଶରେ ସଞ୍ଜିତ କରାଯାଇ ଏକ ବିମାନରେ,ଅନୁଜ ଲକ୍ଷ୍ମଣ,ପାଶ୍ୱର୍ ଦେବତା ରାମେଶ୍ୱର ଓ ରାଧାକାନ୍ତ ମଠର ଶ୍ରୀରାଧାକାନ୍ତଙ୍କ ବିଜେ ପ୍ରତିମାକୁ ସ୍ୱତନ୍ତ୍ର ବିମାନ ଦ୍ୱାରା ବରଯାତ୍ରୀ ଭାବେ ଶୋଭାଯାତ୍ରାରେ ବାହାରି ନଗରଭ୍ରମଣ କରି ଝୁଲଣ ମଣ୍ଡପ ବେଦୀକୁ ଅଣାଯାଇଥିଲା । ବରଯାତ୍ରୀ ପଟୁଆରରେ ପୁରୀ ଚନ୍ଦନପୁରର ନାଗାନୃତ୍ୟ, ଦଶପଲ୍ଲାର ସମ୍ବଲପୁରୀ ବାଜା, ଗଞ୍ଜାମର ଯୋଡିଶଙ୍ଖ, ଯୋଡାସାହିର ସିଂହ ବାଜା , ସ୍ଥାନୀୟ ଅଞ୍ଚଳର ଲୋକନୃତ୍ୟ ସହ ଆତସବାଜି ମନମୋହି ନେଇଥିଲା । ଜୟ ରଘୁନାଥ ଜୟ ଶ୍ରୀରାମ ଧ୍ୱନିରେ ଓଡଗାଁ ପ୍ରକମ୍ପିତ ହୋଇ ଉଠିଥିଲା । ପରେ ଦେବୀ ସୀତାଙ୍କ ବିଜେ ପ୍ରତିମାକୁ ଝୁଲଣ ମଣ୍ଡପ ବେଦୀକୁ ଅଣାଯାଇ ପାରମ୍ପିରକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସଂପର୍ଣ୍ଣ ହୋଇଥିଲା । ମନ୍ଦିର ପରିଚ୍ଛା ତଥା ପୁରୋହିତ ହରିବନ୍ଧୁ ଷଡଙ୍ଗୀ ମନ୍ତ୍ରପାଠ ଉଚ୍ଚାରଣ କରି ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ । ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ସାହୁୁଙ୍କ ତତ୍ୱାବଧାନରେ ଦେବତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଓ ମୋହରି ବିଜୟ କୁମାର ଆଚାର୍ଯ୍ୟ ସମସ୍ତ କାର୍ଯ୍ୟ ପରି·ଳନା କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଆଜି ଗୁରବାର ହୋଇଥିବାରୁ ଶୁକ୍ରବାର ଦିନ ବନବାସ ସନ୍ଧ୍ୟା ବେଶରେ ଶଦ୍ଧାଳୁଙ୍କୁ ଦର୍ଶନଦେବେ ପ୍ରଭୁ ଶ୍ରୀରଘୁନାଥ ।