ବାଲେଶ୍ୱର/ଉଜ୍ଜ୍ୱଳ କର : ପ୍ରତିପକ୍ଷଙ୍କ ଅଭିଯୋଗରେ ରୁଜୁ ହୋଇଥିବା ମାମଲାରେ ଗିରଫ ନ କରିବା ଓ ସୁରୁଖୁରୁରେ ଜାମିନ୍ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ଟାଉନଥାନା ଏଏସଆଇ ନରହରି ମହାଳିକଙ୍କୁ ଆଜି ଭିଜିଲାନ୍ସ ଟିମ୍ ଗିରଫ କରିଛି । ଟାଉନଥାନା ଅନ୍ତର୍ଗତ ବାଲୁବଜାର ଅଞ୍ଚଳର ଶେଖ୍ ସକିଲ୍ ଅହମ୍ମଦଙ୍କର ଏକ ଜମି ଦଖଲକୁ ନେଇ ସମ୍ପର୍କୀୟଙ୍କ ସହ ସିଭିଲ କୋର୍ଟରେ ଦୀର୍ଘଦିନ ଧରି ମାମଲା ବିଚାରଧୀନ ରହିଛି । ମାତ୍ର ଗତ ୧ମାସ ପୂର୍ବରୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ସହ ପ୍ରତିପକ୍ଷ ଟାଉନଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ରୁଜୁ ହୋଇଥିବା ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଏଏସଆଇ ନରହରି ମହାଳିକ ନିଯୁକ୍ତ ହୋଇଥିଲେ ।ଏହି ମାମଲାରେ ହାଇକୋର୍ଟରୁ ଜାମିନ୍ ନ ମିଳିବା ପର୍ଯ୍ୟନ୍ତ ଅଭିଯୁକ୍ତ ପରିବାର ଲୋକଙ୍କୁ ଗିରଫ ନ କରିବା ପାଇଁ ସକିଲ ଏଏସଆଇ ଶ୍ରୀ ମହାଳିକଙ୍କ ସହ କଥାବାର୍ତ୍ତା କରିଥିଲା । ଏନେଇ ସେ ଲକ୍ଷାଧିକ ଟଙ୍କା ଦାବି ମଧ୍ୟ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସକିଲ ତାଙ୍କୁ ୭୦ ହଜାର ଟଙ୍କାର ଏକ ବ୍ୟାଙ୍କ ଚେକ୍ ଦେଇଥିଲେ ଯାହାର ଉଠାଣ ଦିନ ୨୨ ତାରିଖକୁ ଥିଲା । ଏହା ବ୍ୟତୀତ ୧୫ ହଜାର ଟଙ୍କା ମଧ୍ୟ ଦେଇଥିଲେ । ମାତ୍ର ଏଏସଆଇ ଏଥିରେ ସନ୍ତୁଷ୍ଟ ନହୋଇ ଆହୁରି ଅଧିକ ଅର୍ଥ ଦାବି କରିଥିଲେ । ଚୁକ୍ତି ଅନୁସାରେ ସକିଲ ବାଧ୍ୟ ହୋଇ ଆଜି ୧୦ ହଜାର ଟଙ୍କା ଦେଇଥିଲେ । ତେବେ ଏନେଇ ପୂର୍ବରୁ ସେ ଭିଜିଲାନ୍ସ ଅଧିକାରୀଙ୍କ ସହ ଯୋଗଯୋଗ କରିଥିଲେ । ଭିଜିଲାନ୍ସ ବିଭାଗରୁ ଆଣିଥିବା ରଙ୍ଗବୋଳା ୨୦ଟି ୫ଶହ ଟଙ୍କିଆ ନୋଟକୁ ସେ ଆଜି ଏଏସଆଇଙ୍କୁ ଦେଇଥିଲା । ସକିଲ ଟାଉନଥାନା ନିକଟ କ୍ରିଷ୍ଣା ସୁଇଟ୍ସ (ମିଠା ଦୋକାନ)ରେ ଏସଏସଆଇ ଶ୍ରୀ ମହାଳିକଙ୍କୁ ଟଙ୍କା ଦେବା ପରେ ସେଠାରେ ପୂର୍ବରୁ ସାଦା ପୋଷାକରେ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ । ଏଏସଆଇଙ୍କଠାରୁ ରଙ୍ଗବୋଳା ନୋଟ ସହ ଫକୀରମୋହନ ନଗରସ୍ଥିତ ତାଙ୍କ ବାସଗୃହରୁ ୭୦ ହଜାର ଟଙ୍କା ବ୍ୟାଙ୍କ ଚେକ୍ ମଧ୍ୟ ଭିଜିଲାନ୍ସ ଟିମ୍ ଜବତ୍ କରିଛି । ୮/୨୦୧୯ ନଂର ମାମଲାରେ ଏଏସଆଇ ଶ୍ରୀ ମହାଳିକଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଭିଜିଲାନ୍ସ ଏସପି ସୁନୀଲ ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ସଂଜୟ କୁମାର ଦାସମହାପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ ଇନ୍ସପେକ୍ଟର ଅନିରୁଦ୍ଧ ନାୟକଙ୍କ ସମେତ ରାକେଶ ହାଁସଦା, ପ୍ରଶାନ୍ତ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।
ରାଜ୍ୟ
ମିଠା ଦୋକାନରେ ନେଉଥିଲେ, ଧରାପଡ଼ି ବନ୍ଧାହେଲେ ପୁଲିସବାବୁ
- Hits: 577
