ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲ୍ଲାର ସୋହେଲା ଏକ ସମ୍ବେଦନଶୀଳ ଅଂଚଳ । ଛତିଶଗଡ଼ ରାଜ୍ୟ ସୀମାରେ ଅବସ୍ଥିତ ।ଆସନ୍ତା ଗୁରୁବାର ଏଠାରେ ଦ୍ଵିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଘୋଷଣା ହେଲା ଦିନ ଠୁଁ ଏଠାରେ ରାଜନୈତିକ ଉଷ୍ଣତା ନାହିଁ ।ଏପରି ସ୍ଥିତି କେବେ ଦେଖା ଯାଇ ନ ଥିଲା । କେବଳ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଗାଡି ବୁଲୁ ଥିବାର ଦେଖା ଯାଉଛି । ନିର୍ବାଚନ ପାଇଁ ଲୋକଙ୍କ ମନରେ ଉତ୍ସାହ ନାହିଁ କି ରାଜନୈତିକ ଉତ୍ତେଜନା ନାହିଁ । ତଥାପି ଗତ ବିଜେପୁର ବିଧାନସଭା ଉପନିର୍ବାଚନ ବେଳେ ସୋହେଲା ଥାନା ଅନ୍ତର୍ଗତ ବନାବିରା ନିକଟ ଏକ ଆଶ୍ରମ ସମ୍ମୁଖରେ ଗୁଳିକାଣ୍ଡ ଘଟି ଜଣେ ବିଜେଡି କର୍ମୀଙ୍କ ମୃତ୍ୟୁ ଘଟିଥିଲା । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂହ ଓ ତାଙ୍କ ସାଥି ଆହତ ହୋଇଥିଲେ । ଏହି ମାମଲାରେ ବିଜେପିର ନେତାମାନେ ଗିରଫ ହୋଇ ଜେଲ ଯାଇଥିଲେ । ଯାହାକି ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ସୋହେଲା ଅଂଚଳରେ ରାଜନୈତିକ ଉତ୍ତେଜନା ନ ଥିଲେ ମଧ୍ୟ ପୋଲିସ ପକ୍ଷରୁ ପ୍ରତିଷେଧକ ସ୍ୱରୂପ ଆଜି ଗୋଟିଏ କମ୍ପାନୀ ସିଆରପିଏଫ ଯବାନମାନଙ୍କ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା । ଏହାର ନେତୃତ୍ୱ ନେଇଥିଲେ ଥାନା ଆଇଆଇସି ନିର୍ମଲ ମହାପାତ୍ର । ଥାନାରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ଡାକ୍ତର ଖାନା ରୋଡ଼,ବରଗଡ଼ ରୋଡ,ରାୟପୁର ରୋଡ଼ ଓ ପଦ୍ମପୁର ରୋଡ଼ରେ ପହଞ୍ଚିଥିଲା । ସେ ଯାହା ବି ହେଉ ରାଜନୀତିରେ କେତେବେଳେ କଣ ଘଟିବ କିଏ କହି ପାରିବ ? ବେଳ ଥାଉ ଥାଉ ପ୍ରଶାସନର ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି ଚର୍ଚ୍ଚା ହେଉଛି ।