ଜରାବାଡି ବାସିନ୍ଦା ପାଣି ପାଇଁ ଡହଳ ବିକଳ, ପ୍ରଶାସନର ଉଦାସୀନତା ସାଜିଅଛି କାଳ
ଗୁଣୁପୁର/ସିଦ୍ଧାର୍ଥ ଦାଶ : ଚଳିତ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଅନ୍ୟ ଜିଲ୍ଳାଗୁଡିକରେ ଗ୍ରାମାଂଚଳରୁ ଆରମ୍ଭ କରି ସହାରାଂଚଳ ପର୍ଯ୍ୟନ୍ତ ରହିଥିବା ପାନୀୟ ଜଳର ସମସ୍ୟାକୁ ସମାଧାନ ଦିଗରେ ଜିଲ୍ଳାସ୍ତରରେ ପ୍ରସ୍ତୁତି ବୈଠକ ହୋଇଯାଇଥିବା ବେଳେ ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ଏଥିପ୍ରତି କୈାଣସି ପ୍ରକାର ଧ୍ୟାନ ଦିଆଯାଉନାହିଁ । ଫଳରେ ଗ୍ରୀଷ୍ମ ଆରମ୍ଭରୁ ହିଁ ଜଳ ସଙ୍କଟରେ ଉବୁଟୁବୁ ହେଉଛନ୍ତି ଗ୍ରାମବାସୀ । ନଳକୂପ ଅଛି ହେଲେ ବାହାରୁନି ସେଥିରୁ ପାଣି । ଫଳରେ ବାଧ୍ୟ ହୋଇ ନିକଟସ୍ଥ ପାହାଡିଆ ଝରଣାର ଉତ୍ସରୁ ବାହାରୁଥିବା ପାଣିକୁ ସଂରକ୍ଷିତ କରି ପଥର ସଜାଇ କୁଣ୍ଡ କରି ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ଗ୍ରାମବାସୀ ।
ରାୟଗଡ ଜିଲ୍ଳା ସଦର ବ୍ଳକର ବାଇସିଂ ପଂଚାୟତ ଅନ୍ତର୍ଗତ ଜରାବାଡି ଗ୍ରାମ । ଏହି ଗ୍ରାମରେ ୩୫ଟି ପରିବାର ବସବାସ କରୁଛନ୍ତି । ଦୀର୍ଘ ବର୍ଷରୁ ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ନଳକୂପ ଖୋଲାଯାଇଥିଲା । ତେବେ ନଳକୂପ ଖୋଲାଯିବା ପରେ ତାହା ଅଚଳ ହୋଇପଡିବାରୁ ପୁଣି ଗୋଟିଏ ପରେ ଗୋଟିଏ କରି ସମୁଦାୟ ୪ଟି ନଳକୂପ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଖୋଳାଯାଇଛି । ତଥାପି ସେଗୁଡିକ ମଧ୍ୟରୁ ୩ଟି କାର୍ଯ୍ୟରେ ଆସୁନି ।
ଜରାବାଡି ଗ୍ରାମକୁ ପ୍ରବେଶ କରୁଥିବା ପୂର୍ବରୁ ଦେଢକିଲୋମିଟର ଦୂରରେ ରହିଛି ଆଉ ଗୋଟିଏ ନଳକୂପ । ତାହାପୁଣି ଏକ କୂଅ ଉପରେ ପ୍ଳାଟଫର୍ମ ଦେଇ ତିଆରି କରାଯାଇଛି । ଗାଁ ଠାରୁ ଦେଢକିଲୋମିଟର ଦୂରରେ ଥିବାରୁ ଏଠାକୁ କାଁ ଭାଁ କିଛି ଗ୍ରାମବାସୀ ଏହାକୁ ବ୍ୟବହାର କରିଥାନ୍ତି । କିନ୍ତୁ ଗାଁ ଉପର ମୁଣ୍ଡରେ ଥିବା ପ୍ରାୟ ୧କିଲୋମିଟର ଦୂରରେ ପାହାଡିଆ ଝରଣା ଉତ୍ସରୁ ବାହାରୁଥିବା ପାଣିକୁ ପଥର ଧାଡିକି ଧାଡି ସଜାଇ ସେଠାର ଦୂଷିତ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ ।
ଏପରି ଜଳ ବ୍ୟବହାର କରୁଥିବାରୁ ଅନେକ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଗ୍ରାମରେ ଥିବା ନଳକୂପଗୁଡିକକୁ ମରାମତି କରିବା ପାଇଁ ସରପଂଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କେହି ହେଲେ କର୍ଣ୍ଣପାତ କରୁ ନ ଥିବା ଗ୍ରାମର ଲାକି ତାଣ୍ଡି, ରବି ତାଣ୍ଡି, ପ୍ରଲାଜ ତାଣ୍ଡି, ଆପେଲ ତାଣ୍ଡି, ମିତା ତାଣ୍ଡି, ଅଜି ଜିଲକାରା, ଜାକିବା ଜିଲାକାରା ପ୍ରମୁଖ ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ଜରାବାଡି ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ଆମେ ସ୍ଥାନୀୟ ବିଡିଓ ରାଜେନ୍ଦ୍ର ମାଝିଙ୍କୁ ପଚାରିବାରୁ ସେ ଅଚଳ ନଳକୂପଗୁଡିକର ମରାମତି କରାଇ ଦିଆଯିବ ଏବଂ ଗ୍ରାମବାସୀମାନେ ବ୍ୟବହାର କରୁଥିବା ଦୂଷିତ ଚୁଆ ପାଣି କୁଣ୍ଡରେ ବ୍ଳିଚିଂ ପାଉଡର ପକାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ପାହାଡିଆ ଖୋଲା ସ୍ଥାନରେ ଥିବା ଦୂଷିତ ଝରଣା ପାଣିର ଚୁଆ କୁଣ୍ଡରେ ବେଙ୍ଗ, ସାପ ଭଳି ଅନ୍ୟାନ୍ୟ ସରୀସୃପ ଓ କୀଟ ପତଙ୍ଗ ପଡି ରହୁଥିବା ବେଳେ ସେଠାରେ କେବଳ ବ୍ଳିଚିଂ ପାଉଡର ଛିଞ୍ଚନ କରାଯାଇ ତାକୁ ପୁଣି ଗ୍ରାମବାସୀମାନେ ବ୍ୟବହାର କରନ୍ତୁ ବୋଲି କହୁଛନ୍ତି । ଅପରପକ୍ଷେ ଜରାବାଡି ଗ୍ରାମରେ ମାଟିତଳେ ପାଣିର ଉତ୍ସ ବହୁତ କମ ଥିବାରୁ ଏଠାରେ କୈାଣସି ହେଲେ ନଳକୂପ କାର୍ଯ୍ୟକ୍ଷମ ହୋଇପାରୁନାହିଁ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରୁଛନ୍ତି । ଯଦି ମାଟିତଳ ଉତ୍ସରେ ପାଣି କମ ରହିଛି ତାହାହେଲେ ଗ୍ରାମର ବିଭିନ୍ନ ସ୍ଥାନରେ ଗବେଷଣା କରାଯାଇ କାହିଁକି ଲକ୍ଷ ଲକ୍ଷ ଟଙ୍କାରେ ବୋର ଖୋଲାଯାଇ ସରକାରଙ୍କ ଟଙ୍କାର ସଦବିନିଯୋଗ ହୋଇପାରୁନାିହଁ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।
ସେହିପରି ବାଇସିଂ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ରଙ୍କୁ ପଚାରିବାରୁ ସିଏଫସି ଅନୁଦାନରେ ସେ ଗାଁ ମୁଣ୍ଡରେ ଥିବା ନଳକୂପ ଠାରେ ୩୦ହଜାର ଟଙ୍କା ଓ ଝରଣାର ଉତ୍ସରୁ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିିତ ଚୁଆର ଉନ୍ନୟନମୂଳକ କାର୍ଯ୍ୟପାଇଁ ୭୦ହଜାର ଟଙ୍କା ବ୍ୟୟ ଅଟକଳ ପାଇଁ ରଖାଯାଇଥିବା ସୂଚନା ଦେଇଛନ୍ତି । ତେବେ ଏଠାରେ ଚୁଆ ପାଣିରେ ବ୍ଳିଚିଂ ପାଉଡର ପକାଇ ଦେବା ପାଇଁ ବିଡିଓ କହୁଥିବା ବେଳେ ଚୁଆ ଠାରେ କୁଣ୍ଡ ସାହାର୍ଯ୍ୟରେ ପାଇପ ଜରିଆରେ ପାଣି ଯୋଗାଇବାର ବ୍ୟବସ୍ଥା ସଂପର୍କରେ କହୁଛନ୍ତି । ଏଠାରେ ଦୁଇ ଅଧିକାରୀଙ୍କ ସୂଚନା ତାଳମେଳ ଖାଉ ନ ଥିବା ବେଳେ ଜରାବାଡି ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା ।