ହେଡଲାଇନସ୍:

 ଆବାଧ ଓ ନିରପେକ୍ଷ ଭାବେ ପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ଗୁରୁତ୍ୱ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୨ ଏପ୍ରିଲରୁ  ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୯ରେ ସରିବ

ବାରିପଦା(ଦିଲ୍ଲୀପ ମହାନ୍ତି )- ମାର୍ଚ୍ଚ ୧୦ ରବିବାର ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ଭାରତରେ ଏପ୍ରିଲ ୧୧,୧୯,୨୩,୨୯ ଏବଂ ମେ ୬,୧୨ ଓ ୧୯ ଏହିପରି ମୋଟ ୭ଟି ପର୍ଯ୍ୟାୟରେ ମତଦାନ ହେଉଥିବା ସମୟରେ ଓଡ଼ିଶାରେ ଏପ୍ରିଲ ୧୧, ୧୮, ୨୩ ଓ ୨୯ ଏହିପରି ୪ ପର୍ଯ୍ୟାୟରେ ନିର୍ବାଚନ ହେବ । କେନ୍ଦୁଝର ଲୋକସଭା ଆସନ ସହିତ ଜିଲ୍ଲାର କରଞ୍ଜିଆ ବିଧାନସଭା କ୍ଷେତ୍ର ସାମିଲ ହୋଇଥିବାରୁ ଏଠାରେ ଏପ୍ରିଲ ୨୩ରେ ମତଦାନ ହେବ ଏବଂ ବାଲେଶ୍ୱର ଲୋକସଭା ଓ ମୟୂରଭଞ୍ଜ ଲୋକସଭା ନିମନ୍ତେ ଏପ୍ରିଲ ୨୯ରେ ଭୋଟ ଗ୍ରହଣ ହେବ । ତେଣୁ ବାଲେଶ୍ୱର ଲୋକସଭା ସହିତ ସାମିଲ ଥିବା ବଡ଼ସାହି ବିଧାନସଭା ଆସନ ସହ ମୟୂରଭଞ୍ଜ ଲୋକସଭା କ୍ଷେତ୍ରରେ ରହିଥିବା ବାରିପଦା, ମୋରଡ଼ା, ଉଦଳା, ବାଙ୍ଗିରିପୋଷି, ସାରସକଣା, ଯଶୀପୁର ଓ ରାଇରଙ୍ଗପୁର ଏହିପରି ଜିଲ୍ଲାର ଅବଶିଷ୍ଟ ୮ଟି ବିଧାନସଭା କ୍ଷେତ୍ରରେ ଏପ୍ରିଲ ୨୯ରେ ନିର୍ବାଚନ ହେବ । କରଞ୍ଜିଆ ସେଗମେଣ୍ଟ ପାଇଁ ସ୍ୱତନ୍ତ୍ର ସିଡୋଲ ଓ ଅବଶିଷ୍ଟ ୮ଟି ଆସନ ନିମନ୍ତେ ଗୋଟାଏ ସିଡୋଲଡ଼ କାର୍ଯ୍ୟକାରୀ ହେବ । କରଞ୍ଜିଆ ବିଧାନସଭା ନିମନ୍ତେ ସ୍ଥାନୀୟ ରିଟର୍ଣ୍ଣିଂ ଅଫିସର ନୋଟସ ୨୮ ମାର୍ଚ୍ଚରେ ଜାରି କରିବା ପରେ ପ୍ରର୍ଥୀମାନେ ସେମାନଙ୍କ ପ୍ରାର୍ଥୀପତ୍ର ସ୍ଥାନୀୟ ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ ଏପ୍ରିଲ ୪ ପର୍ଯ୍ୟନ୍ତ ଦାଖଲ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ସେହିପରି ଅବଶିଷ୍ଟ ୮ଟି ବିଧାନ ସଭା ଆସନ ନିମନ୍ତେ ପବ୍ଲିକ ନୋଟିସ ସ୍ଥାନୀୟ ରିଟର୍ଣ୍ଣିଂ ଅଫିସର ୨ ଏପ୍ରିଲରୁ ଜାରି କରିବା ପରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଉକ୍ତ ଦିନ ଆରମ୍ଭ ହୋଇ ଏପ୍ରିଲ ୯ରେ ଶେଷ ହେବ । ଏପ୍ରିଲ ୧୦ରେ ଯାଞ୍ଚ ପରେ ସେହି ଦିନ ରାତିରେ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏପ୍ରିଲ ୧୨ରେ  ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ବଡ଼ସାହିି ଓ ବାରିପଦା ସେଗମଣ୍ଟେ ନିମନ୍ତେ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମୋରଡ଼ା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ(ରେଭିନୁ୍ୟ) ବ୍ରଜବନ୍ଧୁ ଭୋଳ, ବାଙ୍ଗିରିପୋଷି ପାଇଁ ଅତିରିକ୍ତ ଜିଲ୍ଲାପାଳ ଆବୁଲୀ ସୁନାଲୀ ନରୱାନେ, ଉଦଳା ପାଇଁ ଉଦଳା ଉପଜିଲ୍ଲାପାଳ, ସାରସକଣା ଓ ରାଇରଙ୍ଗପୁର ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳ ଏବଂ ଯଶୀପୁର ନିମନ୍ତେ କରଞ୍ଜିଆ ଉପଜିଲ୍ଲାପାଳ ରିଟର୍ଣ୍ଣି ଅଫିସର ଭାବେ କାର୍ଯ୍ୟକରିବେ । ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଲୋକସଭା ନିମନ୍ତେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ରିଟର୍ଣ୍ଣି ଅଫିସର ଦାୟିତ୍ୱରେ ରହିବେ । ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥୀପତ୍ର ସ୍ଥାନୀୟ ରିଟର୍ଣ୍ଣିଂ ଅଫସରଙ୍କ ନିକଟରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିପାରିବେ । ପୁଣି ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସୁଥିବା ବେଳେ ସାଥୀରେ ସର୍ବାଧିକ ୩ଟି ଯାନ ବ୍ୟବହାର କରିପାରିବେ ନିମନ୍ତେ ଅନୁମତି ରହିଛି ।

ସେହିପରି ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ସହିତ ରବିବାର ସନ୍ଧ୍ୟା ସମୟରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଥିବାରୁ ସରକାର କୌଣସି ପ୍ରକାରର ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ । ସମସ୍ତ ରାଜନୈତିକ ଦଳ ସହ ସ୍ୱାଧୀନ ପ୍ରାର୍ଥୀମାନେ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ଆୟୋଗଙ୍କ ନିୟନ୍ତ୍ରଣ ପରିସର ମଧ୍ୟକୁ ଆସିଯାଇଛନ୍ତି । ଏହିପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନକୁ ସ୍ୱଚ୍ଛ , ନିରପେକ୍ଷ ଓ ଅବାଧ ଭାବେ ପରିଚାଳନା କରିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ  ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଇଥିଲେ । ଏଥିରେ ଜାରି କରାଯାଇଥିବା ମାର୍ଗଦର୍ଶିକା ମୁଖ୍ୟତଃ ଆଚାର ସଂହିତା, ସଭାସମିତି, ଶୋଭାଯାତ୍ର, ନିର୍ବାଚନ ଦିବସ, ମତଦାନ କେନ୍ଦ୍ର, ପର୍ଯ୍ୟବେକ୍ଷକ, ଶାସକ ଦଳ ଓ ନିର୍ବାଚନ ଘୋଷଣାପତ୍ର ଆଦି ନିମନ୍ତେ ସ୍ୱତନ୍ତ୍ର ବିଧି ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ସେହିପରି କୌଣସି ରାଜନୈତିକ ଦଳ ଅଥବା ଯେକୌଣସି ପ୍ରାର୍ଥ୍ରୀ କାହାକୁ ଜାତି, ଧର୍ମ, ସମ୍ପ୍ରଦାୟଗତ ଆକ୍ଷେପ, ଉତ୍କୋଚ  ଅଥବା ପ୍ରଲୋଭିତ କରାଇପାରିବେ ନାହିଁ । ସଭାସମିତି ଆଦିର ଆୟୋଜନ ସମୟରେ ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସର ଅନୁମତି ନେବାକୁ ପଡ଼ିବ । ଗଣମାଧ୍ୟମରେ ବିଜ୍ଞାପନ ସହ ମନ୍ତ୍ରୀ, ସାଂସଦ, ବିଧାୟକ ସରକାରୀ କାର୍ଯ୍ୟକ୍ରମରେ ଯାଇ ଦଳୀୟ ପ୍ରଚାର, କୌଣସି ପ୍ରତିଶ୍ରୁତି, ଆର୍ଥିକ ଅନୁଦାନର ଘୋଷଣା କରିବା ଆଦି ବିଭିନ୍ନ ଦିଗ ଉପରେ ଅଙ୍କୁଶ ଲଗାଯାଇଛି । ଏହାକୁ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଓ ଆୟକର ଆଇନ ବଳରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ । ନିର୍ବାଚନ ଆଚରଣ ବିଧି ଅନୁସାରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରର୍ଥୀମାନେ ସର୍ବାଧିକ ୨୮ ଲକ୍ଷ ଓ ଲୋକସଭା ପ୍ରାର୍ଥୀମାନେ ସର୍ବାଧିକ ୭୦ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ । ଉକ୍ତ ଖର୍ଚ୍ଚ ନିମନ୍ତେ ପ୍ରର୍ଥୀମାନେ ବ୍ୟାଙ୍କର ନିଜ ନାମରେ ସ୍ୱତନ୍ତ୍ର ଭାବେ ଜମାଖାତା ଖୋଲି ଟଙ୍କା ଜମା କରିବା ପରେ ସେଥିରୁ ଉଠାଇ ଖର୍ଚ୍ଚ କରିବେ । ଖର୍ଚ୍ଚ ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ଓ ତାଙ୍କ ସହାୟତା କରିବା ପାଇଁ ସହପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ । ଏଥି ସହିତ ଏକ ଟିମ ଦାୟିତ୍ୱରେ ରହି ପ୍ରାର୍ଥୀମାନଙ୍କ ସଭାସମିତି, ପ୍ରଚାର, ଯାନର ବ୍ୟବହାର, ପୋଷ୍ଟର, ମାଇକ ଆଦିର ଭିଡ଼ିଓ ରେକଡ଼ିଂ କରିବା ପରେ ସେମାନଙ୍କ ଖର୍ଚ୍ଚକୁ ଆକଳନ କରାଯାଇ ଖର୍ଚ୍ଚର ରେକଡର଼୍ ପ୍ରସ୍ତୁତ କରାଯିବ ।

ସେହିପରି ପ୍ରାର୍ଥୀମାନଙ୍କୁ ମଧ୍ୟ ଏକ ରେଜିଷ୍ଟର ଦିଆ ଯିବ, ଯେଉଁଥିରେ ସେମାନେ ଦୈନିକ ଖର୍ଚ୍ଚକୁ ଦର୍ଶାଇବେ । ପୁଣି ଫ୍ଲାଇଙ୍ଗ ସ୍କ୍ୱାଡ ଗଠନ କରାଯାଇ ସମସ୍ତଙ୍କ ଗତିବିଧି ସହ ଯାତାୟତ କରୁଥିବା ଗାଡ଼ିମୋଟର ଉପରେ ନଜର ରଖିବେ ଏବଂ ଆବଶ୍ୟକ ସ୍ଥଳେ ଯାଞ୍ଚ କରିବେ । ପୁଣି କୌଣସି ବ୍ୟକ୍ତିଙ୍କ ନିକଟରୁ ଅଭିଯୋଗ ଆସିଲା ତତ୍କ୍ଷଣାତ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୋଗ ଉପରେ ତଦାରଖ କରି ନିର୍ବାଚନ ଅଧିକାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ । ଆବଶ୍ୟକ ସ୍ଥଳେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ମଧ୍ୟ ରିପୋର୍ଟ ଦେବେ । ନିର୍ବାଚନରେ ପେଡ଼ ନିଉଜ ଯାଞ୍ଚ ପାଇଁ ଏକ ମିଡ଼ିଆ କମିଟି ଗଠନ ସହ ମିଡ଼ିଆ ସେଲ କାର୍ଯ୍ୟକରିବ । ଏଥିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଥିବା ବେଳେ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ବିଶ୍ରାମସ୍ଥଳ, ପାନୀୟ ଜଳ, ବିଦ୍ୟୁତ  ସଂଯୋଗ , ମହିଳା ଓ ପୁରୁଷଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟ ଆଦିର ବ୍ୟବସ୍ଥା ଯୋଗାଇ ଦିଆଯିବା ସହ ଭିନ୍ନକ୍ଷମମାନଙ୍କ ସୁବିଧା ନିମନ୍ତେ ଅଗ୍ରାଧିକାରର ସମସ୍ତ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ଭୋଟ ଗ୍ରହଣ ସକାଳ ୭ରୁ ଆରମ୍ଭ ହୋଇ ଅପରାହ୍ନ ୫ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ନିର୍ବାଚନକୁ ଅବାଧ, ନିରପେକ୍ଷ ଭାବେ ପରିଚାଳନା କରିବା କ୍ଷେତ୍ରରେ ସମସ୍ତ ରାଜନୈତିକ ଦଳ ସହ ପ୍ରାର୍ଥୀ ଓ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏଥି ସହିତ ଭୋଟରମାନେ ମତଦାନ କେନ୍ଦ୍ରକୁ ଆସିବା ସମୟରେ ଭୋଟର ପରିଚୟପତ୍ରକୁ ସାଥୀରେ ଆଣିବା ନିମନ୍ତେ ପରାମର୍ଶ ଦେଇଛନ୍ତି । 

 

0
0
0
s2sdefault