ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ବିଭାଗରେ ଦୀର୍ଘ ୨୦ବର୍ଷ ଧରି ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ସ୍ଥାୟୀ ଚାକିରି କ୍ଷେତ୍ରରେ ୨ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା । ଏପରିକି ମୃତ ପରିବାରର ସଦସ୍ୟଙ୍କୁ କୌଣସି ନିଯୁକ୍ତି ପ୍ରଦାନ କରାଯାଉନଥିଲା । ଓଡ଼ିଶାର ସମସ୍ତ ବିଦ୍ୟୁତ କର୍ମଚାରୀମାନଙ୍କ ସହିତ ମନ୍ତ୍ରୀ ଓ ସଚିବଙ୍କ ସହିତ ବହୁବାର ଉଚ୍ଚସ୍ତରୀୟ ବୈଠକ ପରେ ଶେଷରେ ବିଦ୍ୟୁତ ବିଭାଗର ପ୍ରସ୍ତାବକ୍ରମେ ସ୍ଥାୟୀ କର୍ମଚାରୀ ଦୁର୍ଘଟଣାରେ ମୃତୁ୍ୟବରଣ କଲେ ୨ଲକ୍ଷ ୫୦ ହଜାର ଟଙ୍କା ପରିବର୍ତ୍ତେ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏଥିସହିତ ତାଙ୍କ ପରିବାରରୁ ଜଣକୁ ନିଯୁକ୍ତି ଦିଆଯାଇ ଥଇଥାନ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପ୍ରଦାନ କରିଥିଲେ । ଏହାସହିତ ବିଦୁ୍ୟତ ବିଭାଗରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ୩୦ ହଜାର ଠିକା କର୍ମଚାରୀଙ୍କ ପାଇଁ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ପ୍ରଦାନ କରୁଥିବା ଦୁର୍ଘଟଣାଜନିତ ସହାୟତା ୪ଲକ୍ଷ ଟଙ୍କା ଓ ସାଧାରଣ ମୃତୁ୍ୟ ପାଇଁ ୨ଲକ୍ଷ ଟଙ୍କା ଏବଂ ଅକ୍ଷମ ହୋଇଗଲେ ୧ଲକ୍ଷ ୫୦ ହଜାର ଟଙ୍କା ଯେଭଳି ପ୍ରଦାନ କରାଯାଉଛି, ଠିକ୍ ସେହିଭଳି ଠିକା ଶ୍ରମିକମାନଙ୍କ କ୍ଷେତ୍ରରେ ପ୍ରଦାନ କରାଯିବ । ଏଥିସହିତ ମେଡିକାଲ୍ ଚିକିତ୍ସା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ନୀତିଗତ ନିଷ୍ପତ୍ତି ଗ୍ରହଣ କରି ବିଦ୍ୟୁତ ବିଭାଗ ରାଜ୍ୟ ସରକାର ଓ ମନ୍ତ୍ରୀସ୍ତରୀୟ କମିଟି ନିକଟରେ ଉପସ୍ଥାପନ କରିଥିଲେ । ଏଥିସହିତ ସ୍ଥାୟୀ, ଅସ୍ଥାୟୀ ଓ ଠିକା ଶ୍ରମିକମାନେ ଯେପରି ରାଜ୍ୟ ଶ୍ରମ ବିଭାଗ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀରୁ ବଂଚିତ ନହୋଇପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା ।
ଏହି ପ୍ରସ୍ତାବ ଚିଠି ନଂ.ENG-RR-DISTCOM-0016-2017, Dated. 25.02.2019 ପ୍ରସ୍ତାବକୁ ମନ୍ତ୍ରୀସ୍ତରୀୟ କମିଟି ଅନୁମୋଦନ କରିବା ପରେ ରାଜ୍ୟ ସରକାର ଏହାକୁ ନୀତିଗତ ଭାବରେ ଗ୍ରହଣ କରିଛନ୍ତି ଏବଂ ଖୁବ୍ଶୀଘ୍ର ଏ କ୍ଷେତ୍ରରେ ବିହିତ ପଦକ୍ଷେପ ନେବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଓଡ଼ିଶା ବିଦୁ୍ୟତ କର୍ମଚାରୀ ମହାସଂଘର ଉପଦେଷ୍ଟା ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ସଭାପତି ଶ୍ରୀ ସୁବାସ ସିଂହ, କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜୀବ ମହାନ୍ତି, ସାଧାରଣ ସଂପାଦକ ଶ୍ରୀ ଅମରଜୁମର ପ୍ରତାପ ସିଂହ ପ୍ରମୁଖ ପ୍ରକାଶ କରିଛନ୍ତି ।
ଏହି ସମସ୍ୟା ସହିତ ବିଭିନ୍ନ ସ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଦରମାରେ ତାରତମ୍ୟ ଯଥା, କୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀ ଶ୍ରମିକଙ୍କର କାର୍ଯ୍ୟକୁ ନିର୍ଦ୍ଧାରଣ କରି ସ୍ଥିର କରିବାକୁ ଶକ୍ତି ସଚିବ ସହମତି ପ୍ରକାଶ କରିଛନ୍ତି । ବିଦ୍ୟୁତ ବିଭାଗରେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଥିବା ଠିକା ଶ୍ରମିକମାନଙ୍କ ସଂପର୍କରେ ଚଳିତ ନିର୍ବାଚନ ପରେ ସବୁ ପ୍ରକାର ନୀତି ନିୟମକୁ ସମୀକ୍ଷା କରାଯାଇ ସେମାନଙ୍କୁ ପର୍ଯ୍ୟାୟକ୍ରମେ ସ୍ଥାୟୀ ନିଯୁକ୍ତି ପରିସରଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯିବାକୁ ସ୍ଥିର କରାଯାଇଛି ।