ହେଡଲାଇନସ୍:

ମୋଦି ସରକାର ଯାହା କୁହନ୍ତି, ତାହା କରନ୍ତି-ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶା ସରକାର ଲମ୍ବା ସମୟ ଧରି ଚାଷୀଙ୍କୁ ଧୋକା ଦେଇପାରିବେ ନାହିଁ-ରାଧାମୋହନ ସିଂହ

"ବିଗତ ୧୦ରୁ ୧୫ ବର୍ଷ ମଧ୍ୟରେ ଦୁଇ ଥର ବିଧାନସଭାରେ ଭାଗଚାଷୀ ମାନଙ୍କୁ ଅଧିକାର ଦେବା ପାଇଁ ରାଜ୍ୟ ସରକାର ବିଲ୍ ଆଣିବାର ପ୍ରସ୍ତାବ କରିଥିଲେ । ବିଲ୍ କୂଆଡେ ଗଲା । ଅଧିକାର କାହିଁ, କିଏ ଭାଗଚାଷୀ, କେଉଁ ଆଧାରରେ ସେ ପଇସା ପାଇବ । ଏହା ପ୍ରତାରଣା, ପ୍ରତିଶ୍ରୁତିର ପ୍ରହେଳିକା । ୧୯ ବର୍ଷ ଶାସନରେ ରହିବା ପରେ ଭୂମିହୀନ ତାଲିକା କାହିଁ । ରାଜ୍ୟ ସରକାରଙ୍କ ମନ ଭିତରେ ଗୋଟେ କଥା ଅଛି, ଭୂମିହୀନ ଓ ଭାଗଚୀଷୀ ନାଁରେ ବଡ ବଡ କଥା କହିବୁ ଏବଂ ମନ ପସନ୍ଦର ଲୋକଙ୍କୁ ନାଁ ଚଢେଇ ଭୋଟ ପାଇଁ ପଇସା ଦେଇଦବୁ | ମୁଖ୍ୟମନ୍ତ୍ରୀ ଯଦି ଭାବୁଥିବେ ଓଡିଆ ଲୋକଙ୍କ କର ଖଜଣାରେ ଜମା ହୋଇଥିବା ପଇସାକୁ ଚଳୁ କରିଦେଇ ବସିବେ, ଓଡିଆ ଲୋକଙ୍କୁ ତଳିତଳାନ୍ତ କରିବେ, ମୋଦିଙ୍କ ପଇସା ନେବାକୁ ବିରୋଧ କରିବେ ତେବେ ଓଡିଶାର ଚାଷୀ କୂଳ ଏ ସ୍ୱପ୍ନ ଦେଖେଇଦେବ ନାହିଁ|  ଓଡିଶାର ଚାଷୀ କୂଳ ମୋଦିଙ୍କ କଥାକୁ ବିଶ୍ୱାସ କରିବା ସହ ମୋଦିଙ୍କ ସାଙ୍ଗରେ ଅଛନ୍ତି : ଧର୍ମେନ୍ଦ୍ର"

କଟକ – ମୋଦି ସରକାର ଯାହା କୁହନ୍ତି ତାହା କରନ୍ତି । ଆମେ ଯାହା କହିଥିଲୁ ତାହା କରି ଦେଖାଇଲୁ ବୋଲି କଟକର ଧାନ ଗବେଷଣା କେନ୍ଦ୍ର (ଆଇସିଏଆର୍) ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ଓ ଲୋକାର୍ପଣ ଦିବସରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି ଯେ, ମୋଦି ସରକାରଙ୍କ ୫ ବର୍ଷ ପୂରା ହେବାକୁ ଯାଉଛି । ୫ ବର୍ଷ ମଧ୍ୟରେ କୃଷକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ହୋଇଛି । ସରକାର ହେବାର ପ୍ରଥମରୁ ପ୍ରଧାନମନ୍ତ୍ରୀ ଗାଁର ଗରିବ ଚାଷୀଙ୍କ ପ୍ରତି ସମର୍ପିତ ବୋଲି କହିଥିଲେ । କୃଷକଙ୍କ ଭବିଷ୍ୟତ ଉଜ୍ଜଳ କରିବା ପାଇଁ ସେ କାମ କରିବେ ବୋଲି କହିଥିଲେ ।

ଓଡିଶା ସରକାର ଲମ୍ବା ସମୟ ଧରି ଚାଷୀଙ୍କୁ ଧୋକା ଦେଇପାରିବେ ନାହିଁ । ଓଡିଶାକୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମିଶନରେ ଆସୁଥିବା ପଇସାକୁ ଏଠକାର ସରକାର ଖର୍ଚ୍ଚ କରିପାରୁନାହାନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୬ ମେ ମାସରେ ବିଶ୍ୱସ୍ତରର ଗୋଟିଏ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କ ନେତୃତ୍ୱରେ ଏଠାରେ କରାଯାଇଥିଲା । ଅଢେଇ ବର୍ଷ ପରେ ଆଜି ଏହି ନୂଆ ଭବନକୁ ଲୋକାର୍ପଣର ଶୁଭ ଅବସର ସୃଷ୍ଟି ହୋଇପାରିଛି । ଆଜି କଟକ ରେଳ ରେଷ୍ଟସନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ, ଓଡିଶାରେ କଟକ-ବ୍ରହ୍ମପୁର ଟ୍ରେନ୍ ଆନ୍ଧ୍ରର ଇଚ୍ଛାପୁରମ ପର୍ଯ୍ୟନ୍ତ ସଂପ୍ରାସାରଣ, ଦୁଇଟି ରେଳ ନରାଜ ଷ୍ଟେସନରେ ରହଣୀ ବ୍ୟବସ୍ଥା , ଅରୁଣଦୋୟ ନଗରରେ ନୂଆ ପୋଷ୍ଟ ଅଫିସ ଭବନ, ଇଆଇଏଲ ତରଫରୁ ଏ ଅଂଚଳର ଦିବ୍ୟାଙ୍ଗ ଭାଇ ମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ବିଭିନ୍ନ ଉପକରଣ ବଂଟନ କରାଯିବା ସହ ମଧୁବାବୁଙ୍କ ଜନ୍ମସ୍ଥାନରେ କନ୍ୟା ମାନଙ୍କ ପାଇଁ ଗୋଟେ ସ୍କୁଲର ନିର୍ମାଣ କାମ ମଧ୍ୟ ଓଏନଜିସି ସହାୟତାରେ ନିଆଗଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୩୦ ରୁ ୩୫ ଲକ୍ଷ ଟଙ୍କାର ଦାୟିତ୍ୱ ପାରମ୍ଭିକ ଅବସ୍ଥାରେ ଭାରତ ସରକାରଙ୍କ ତରଫରୁ ନିଆଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବ।

ଶ୍ରୀ ପ୍ରଧାନ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଧାମୋହନ ସିଂହ କୃଷି ମନ୍ତ୍ରୀ ଦାୟିତ୍ୱ ନେବା ପରେ କୃଷକଙ୍କ ଆୟକୁ ଦୁଇ ଗୁଣ କରିବାର ଯୋଜନା ତିଆରି ହେଲା । ଜୟ କିଷାନ କେବଳ ସ୍ଲୋଗାନ ହୋଇରହିନାହିଁ, ଚାଷୀମାନଙ୍କୁ ନିଜ ଗୋଡରେ ଠିଆ କରିବାର ସୁଦୀର୍ଘ ମିଆଦି ଯୋଜନାମାନ ଆରମ୍ଭ ହୋଇଛି । ଚାଷୀମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଚାଷୀମାନଙ୍କ ଉତ୍ପାଦନ ଯୋଗୁଁ ଆଜି ଦେଶରେ ଖାଦ୍ୟ ପୂର୍ଣ୍ଣମାତ୍ରାରେ ଅଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଭାରତବର୍ଷରେ ଡାଲି ବାହାରୁ ଆମଦାନୀ ହେଉଥିବାରୁ ଡାଲିର ମୂଲ୍ୟ ଅଧିକ ରହୁଥିଲା । ମାତ୍ର ମୋଦି ସରକାର ଆସିବା ପରେ ଗତ ୩ ବର୍ଷରେ ଡାଲିର ଉତ୍ପାଦନ  ବହୁ ପରିମାଣରେ ବୃଦ୍ଧି ପାଇଲା । ଏତେ ଡାଲି ଉତ୍ପାଦନ  ହେଲା ଯେ ନିନ୍ଦୁକମାନେ ସମାଲୋଚନା କରିବାକୁ ମଧ୍ୟ ବାଟ ପାଇଲେ ନାହିଁ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଭାରତ ସରକାର ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କଲେ , ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା,ଚାଷୀ ମାନଙ୍କର ଜିନିଷକୁ ଅନଲାଇନ୍ ମାଧ୍ୟମରେ ବିକ୍ରି କରିବା, ରାଷ୍ଟ୍ରୀୟ ଗୋକୁଲ ମିଶନ,ରାଷ୍ଟ୍ରୀୟ କାମଧେନୁ ଯୋଜନା କଲେ । ଏହାବ୍ୟତିତ ଓଡିଶା ତଥା ଭାରତରେ ମାଛ ଚାଷରେ ସଂଶ୍କିଷ୍ଟ ଥିବା ଲୋକ ମାନଙ୍କ ପାଇଁ ମୋଦି ସରକାର ମତ୍ସ୍ୟ ବିଭାଗ କଲେ । କିଷାନ କ୍ରେଡିଟ କାର୍ଡର ବ୍ୟବସ୍ଥା କରି ଚାଷୀଙ୍କୁ ଋଣ ଦେବାର ବ୍ୟବସ୍ଥା କରାଇଲେ । ଶ୍ରୀ ପ୍ରଧାନ କହିଛନ୍ତି ଚାଷୀ ମାନଙ୍କର ଆୟ ଦୁଇ ଗୁଣ ହେବାର ଲକ୍ଷ୍ୟ ନେଇ ପେଟ୍ରୋଲିୟମ ବିଭାଗ ତରଫରୁ ଅନେକ କାମ ମଧ୍ୟ ହୋଇଛି । ଭାରତ ବର୍ଷରେ ୪୦୦ ଜିଲ୍ଲାରେ ପାଇପ ଯୋଗେ ଘର ଘରକୁ ଗ୍ୟାସ ଯିବାର ଯୋଜନା ଆରମ୍ଭ ହୋଇଛି । କଟକ ଜିଲ୍ଲାର ସବୁ ଘରକୁ ପାଣି ଭଳି ପାଇପରେ ରନ୍ଧନ ଗ୍ୟାସ ଆସିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଗୋବର ଗ୍ୟାସକୁ ବିଶୋଧିତ କରି କମ୍ପେ୍ରସଡ୍ ଗ୍ୟାସ ତିଆରି କଲେ ଘରକୁ ପାଇପ ଗ୍ୟାସ ଯିବା ସେଥିରେ ଗାଡି ମଧ୍ୟ ଚାଲିବ । କେବଳ ଗୋବର ଗ୍ୟାସ ନୁହେଁ, ଧାନ ନଡାରୁ ବି ଗ୍ୟାସ ବାହାରିବ । ଆଗାମୀ ଦିନରେ ଓଡିଶାରେ ସେଭଳି ଗ୍ୟାସ ତିଆରି କରିବାର ଉପକ୍ରମ ଭାରତ ସରକାରଙ୍କ ସହଯୋଗରେ ବସିବ । ନୂଆ ଅର୍ଥନୀତି ତିଆରି ହେବା ସହ ଚାଷୀର ବ୍ୟବସାୟ ଦୁଇ ଗୁଣା ହେବ । ଶ୍ରୀ ପ୍ରଧାନ କହିଛନ୍ତି ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ଯୋଜନାରେ ୧୨ କୋଟି ଚାଷୀମାନଙ୍କୁ ବର୍ଷକୁ ୭୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କଲେ । ସ୍ୱାଧୀନ ଭାରତରେ ଅସମ୍ଭକୁ ସମ୍ଭବ କରିପାରିଥିବା ଲୋକ ହୋଇଛନ୍ତି ନରେନ୍ଦ୍ର ମୋଦି ଓ ତାଙ୍କ ସାଙ୍ଗରେ ଛିଡା ହୋଇଥିବା ରାଧାମୋହନ ସିଂହ । ମାତ୍ର ସୁନା ଚାମଚ ନେଇ ଜନ୍ମ ହୋଇଥିବା ଯୁବରାଜ ଏବଂ ତାଙ୍କ ୪ ପୀଢି ଦେଶର ଶାସନ ଦାୟିତ୍ୱରେ ରହିଲେ । ୨୦୦୪ ରୁ ୨୦୧୪ ଦଶ ବର୍ଷର ଶାସନ ମଧ୍ୟରେ ଭାରତବର୍ଷରେ ମାତ୍ର କୋଟିଏ ଲୋକଙ୍କର ଋଣ ଛାଡ କରିବାର ଦାୟିତ୍ୱ ନେଲେ । ମାତ୍ର ନରେନ୍ଦ୍ର ମୋଦି ଏବେ ବର୍ଷକୁ ୧୨ କୋଟି ଚାଷୀଙ୍କୁ ୭୫ ହଜାର କୋଟି ଟଙ୍କା

ଦେବାର ବ୍ୟବସ୍ଥା କଲେ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ମୋଦିଙ୍କ ପଇସା ଅଣାଯିବା ଦରକାର । କିନ୍ତୁ ମାନ୍ୟବର ,ଏଠାରେ ମୋଦି କମ ପଇସା ଦେବା କହି ପ୍ରତିଦିନ ଚିଠି ଲେଖୁଛନ୍ତି । ରାଜ୍ୟ ସରକାର ବଜେଟରେ ଟଙ୍କାର ବ୍ୟବସ୍ଥା କରିନାହାନ୍ତି । ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ପଇସା ଆଣିଦେଉଛନ୍ତି । ବନ୍ୟା ବାତ୍ୟା ପାଇଁ ଉଦ୍ଧିଷ୍ଟ ପଇସାକୁ ଆଣି ଏଥିରେ ଖର୍ଚ୍ଚ କଲେ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ବଡ ବଡ ବିଜ୍ଞାପନରେ ୫୦ ଲକ୍ଷ ଚାଷୀଙ୍କୁ ଲାଭ ଦେବା କଥା କହିଲେ । ଯଦି ୩୨ ଲକ୍ଷ ଜମି ଥିଲା ବାଲା ହେଲେ, ୧୮ ଲକ୍ଷ ଲୋକ ଭୂମିହୀନ, ଏବଂ କୃଷି ଶ୍ରମିକ ଓ ଭାଗଚାଷୀ ହେଲେ ତା ହେଲେ ତାଲିକା କାହିଁ । ପ୍ରଥମ ୧୨ ଲକ୍ଷ ତାଲିକା ବାହାର କରିବା ପରେ ସେଥିରେ ମନ୍ତ୍ରୀ, ବିଧାୟକଙ୍କ ନାଁ ଆସିଲା । ଏବେ ସରକାରଙ୍କ ୧୨ ଲକ୍ଷ ଲୋକଙ୍କ ତାଲିକା କମ୍ପ୍ୟୁଟରରେ ନାହିଁ । ଦିଲ୍ଲୀ ସରକାରଙ୍କୁ ରାଜ୍ୟ ସରକାର ୯ ଲକ୍ଷ ଚାଷୀ ତାଲିକା ପଠାଇଛନ୍ତି । ୧୨ ଲକ୍ଷ ଚାଷୀଙ୍କୁ ପଇସା ଦେଇଥିବା ବେଳେ ୯ ଲକ୍ଷ ଚାଷୀଙ୍କ ତାଲିକା କାହିଁକି ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଡାଲ ମେ କୁଛ କାଲା ହେ । ଚାଷୀ ତାଲିକା ନଦେଇ ଭଣ୍ଡାଉଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୧୦ରୁ ୧୫ ବର୍ଷ ମଧ୍ୟରେ ଦୁଇ ଥର ବିଧାନସଭାରେ ଭାଗଚାଷୀ ମାନଙ୍କୁ ଅଧିକାର ଦେବା ପାଇଁ ରାଜ୍ୟ ସରକାର ବିଲ୍ ଆଣିବାର ପ୍ରସ୍ତାବ କରିଥିଲେ । ବିଲ୍ କୂଆଡେ ଗଲା । ଅଧିକାର କାହିଁ, କିଏ ଭାଗଚାଷୀ, କେଉଁ ଆଧାରରେ ସେ ପଇସା ପାଇବ । ଏହା ପ୍ରତାରଣା, ପ୍ରତିଶ୍ରୁତିର ପ୍ରହେଳିକା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ୧୯ ବର୍ଷ ଶାସନରେ ରହିବା ପରେ ଭୂମିହୀନ ତାଲିକା କାହିଁ । ରାଜ୍ୟ ସରକାରଙ୍କ ମନ ଭିତରେ ଗୋଟେ କଥା ଅଛି, ଭୂମିହୀନ ଓ ଭାଗଚୀଷୀ ନାଁରେ ବଡ ବଡ କଥା କହିବୁ ଏବଂ ମନ ପସନ୍ଦର ଲୋକଙ୍କୁ ନାଁ ଚଢେଇ ଭୋଟ ପାଇଁ ପଇସା ଦେଇଦବୁ ବୋଲୁି ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି । ଓଡିଆ ଲୋକଙ୍କ ମୁଣ୍ଡ ଉପରେ ଲକ୍ଷେ କୋଟି ଟଙ୍କାର ଋଣ ଭାର ହେଲାଣି । ମୁଖ୍ୟମନ୍ତ୍ରୀ ଯଦି ଭାବୁଥିବେ ଓଡିଆ ଲୋକଙ୍କ କର ଖଜଣାରେ ଜମା ହୋଇଥିବା ପଇସାକୁ ଚଳୁ କରିଦେଇ ବସିବେ, ଓଡିଆ ଲୋକଙ୍କୁ ତଳିତଳାନ୍ତ କରିବେ, ମୋଦିଙ୍କ ପଇସା ନେବାକୁ ବିରୋଧ କରିବେ ତେବେ ଓଡିଶାର ଚାଷୀ କୂଳ ଏ ସ୍ୱପ୍ନ ଦେଖେଇଦେବ ନାହିଁ । ଓଡିଶାର ଚାଷୀ କୂଳ ମୋଦିଙ୍କ କଥାକୁ ବିଶ୍ୱାସ କରିବା ସହ ମୋଦିଙ୍କ ସାଙ୍ଗରେ ଅଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

 

 

 

 

 

0
0
0
s2sdefault