ହେଡଲାଇନସ୍:

ଜିଲ୍ଲାର ଶୈକ୍ଷିକ ପରିବେଶରେ ବହୁମୁଖୀ ପରିବର୍ତ୍ତନ ଆଣିବା ଦିଗରେ ସହାୟକ ହୋଇପାରିବ "ଟିଚ୍ ମୟୂରଭଞ୍ଜ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ କୁମାର ମହାନ୍ତି )- ବାରିପଦା ପୌରପରିଷଦର ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରିସରରେ ‘ଟିଚ୍ ମୟୂରଭଞ୍ଜ(A Need Based Educational Drive)’ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭୂବନେଶ୍ୱର ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲା ଓ ସମ୍ମାନୀତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ସୁସ୍ମୀତା କର, ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ସମୀର କୁମାର ଲେଙ୍କା ଏବଂ ଉକ୍ତ କାର୍ଯ୍ୟକ୍ରମର ସଂଯୋଜକ ଡ଼କ୍ଟର ରମେଶ ମୁକାର ପରୁଆ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଚାନ୍ଦ ତାଙ୍କର ସ୍ୱାଗତ ଭାଷଣରେ ଏହି ଅଭିନବ ପ୍ରକଳ୍ପର ଆଭିମୁଖ୍ୟ ଓ ସୁଦୁର ପ୍ରସାରୀ ପ୍ରଭାବ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରକଳ୍ପଟି ଯୁଗାନ୍ତକାରୀ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ । ଏଥି ସହିତ ଜିଲ୍ଲାର ଶୈକ୍ଷିକ ପରିବେଶରେ ବହୁମୁଖୀ ପରିବର୍ତ୍ତନ ଆଣିବା ଦିଗରେ ସହାୟକ ହୋଇପାରିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ସେହିପରି ମୁଖ୍ୟ ଅତିଥି ଶ୍ରୀ ଅଗ୍ରୱାଲା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଭୂୟିଅଶୀ ପ୍ରଶଂସା କରିବା ସହ ଏହାକୁ ସର୍ଜନାତ୍ମକ କାର୍ଯ୍ୟକ୍ରମ ଭାବେ ଅଭିହିତ କରିଥିବା ସମୟରେ ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସରଶ୍ରୀଲେଙ୍କା କାର୍ଯ୍ୟକ୍ରମର ଲକ୍ଷ ଓ ଉଦେ୍ଧଶ୍ୟ ଉପରେ ବିଶଦ ଭାବେ ଆଲୋଚନା କରିବା ଅବସରରେ ଟିଚ ମୟୂରଭଞ୍ଜ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ପ୍ରଶିକ୍ଷଣ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଇବ ଏବଂ ସରକାରୀ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ନଥିବା ସମୟରେ  ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କ ଶୈକ୍ଷିକ ବିକାଶ କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକଗୁଡ଼ିକରୁ ବହୁ ଅଭିଜ୍ଞ ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମର ଉଚ୍ଛସିତ ପ୍ରଶଂସା କରିଥିଲେ । ଶେଷରେ ଶିକ୍ଷା ବିଭାଗର ଶିକ୍ଷକ ରାଜକିଶୋର ରାଉଳ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୋରଡ଼ା, ବଡ଼ସାହି, ଶାମାଖୁଣ୍ଟା, କୁଳିଅଣା , ଗୋପବନ୍ଧୁନଗର ଓ ବାରିପଦା ପୌରପରିଷଦ ମଧ୍ୟରେ ଥିବା ୬୯ଟି ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାମିଲ କରାଯାଇଥିଲା ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ଅନୁଷ୍ଠିତ  ହୋଇଥିଲା । 

 

0
0
0
s2sdefault