ରେଳମନ୍ତ୍ରୀଙ୍କୁ ଭେଟିଲା ନୂଆପଡା ଜିଲ୍ଲା ଓକିଲ ସଂଘ
ନୂଆପଡ଼ା/ଅମିତ କୁମାର ପୁରୋହିତ
ନୂଆପଡା ରେଳ ଷ୍ଟେସନରେ ସୁପରଫାଷ୍ଟ ଏବଂ ଏସ୍କପ୍ରେସ୍ ରହଣି ଦାବି ଜୋର ଧରିଛି । ଏହା ଜିଲ୍ଲା ମୁଖ୍ୟାଳୟ ହୋଇଥିଲେ ମଧ୍ୟ ଅନେକ ଏକ୍ସପ୍ରେସ୍ ଓ ସୁପରଫାଷ୍ଟ୍ ଟ୍ରେନର ଷ୍ଟପେଜ୍ ନାହିଁ । ଏହାର ପ୍ରତିବାଦରେ ଆଜି ସନ୍ଧ୍ୟାରେ ଜିଲ୍ଲା ଓକିଲ ସଂଘ ର ସଭାପତି ପ୍ରସନ୍ନ ପାଢୀଙ୍କ ନେତୃତ୍ୱରେ ନୂଆପଡା ମିଳିତ ମଂଚ, ଜିଲ୍ଲା ଓକିଲ ସଂଘ ଓ ସିଭିଲ ବାର ଆସୋସିଏସନ ଏକ ଟିମ୍ ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି । ୧୯୧୮ ମସିହାରୁ ଦକ୍ଷିଣ-ପୂର୍ବ ରେଳୱେ ରାୟପୁର ବିଶାଖାପାଟଣା ସଂଯୋଗ ନୂଆପଡା ରେଳୱେ ଲାଇନ୍ ନିର୍ମାଣ ହୋଇଥିଲା । ଶହେ ବର୍ଷ ପୁରୁଣା ରେଳୱେ ଷ୍ଟେସନକୁ ଦକ୍ଷିଣ-ପୂର୍ବ ରେଳୱେ ବିଭାଗ ସର୍ବଦା ଅଣଦେଖା କରୁଛି । ଏହି ଲାଇନରେ ୪ ଟି ପାସେଞର ଓ ୧୫ ଟି ଦ୍ରୁତଗାମୀ ଟ୍ରେନ ସମେତ ୧୯ ଟି ଟ୍ରେନ ଚଳାଚଳ ହୁଏ । ସେଥିରୁ ୪ଟି ପାସେଞର ଓ ୪ଟି ଏକ୍ସପ୍ରେସ୍ ରହଣି ସୁବିଧା ଥିବା ବେଳେ ୧୧ ଟି ଟ୍ରେନ ରହଣି ସୁବିଧା ନାହିଁ । ୨୦୧୩ ମସିହାରେ ଏହା "ବି" କ୍ଲାସ ମାନ୍ୟତା ପାଇଥିବା ବେଳେ ଏବେ ଏହା "ଇ" କ୍ଲାସକୁ ଅବନତି ହୋଇଛି । ଏନେଇ ଅନେକ ଥର ରେଳ ରୋକ ହୋଇଥିଲେ ବି କିଛି ସୁଫଳ ମିଳିପାରି ନାହିଁ | ତେଣୁ ଆଜି ଓକିଲ ସଂଘ ସଭାପତିଙ୍କ ନେତୃତ୍ୱରେ ଏକ ଟିମ୍ ରେଳମନ୍ତ୍ରୀଙ୍କୁ ଭେଟିଥିଲେ । ଷ୍ଟେସନର ବିକାଶ ଓ ସମସ୍ତ ଟ୍ରେନ ର ରହଣି ପାଇଁ ମନ୍ତ୍ରୀ ଶ୍ରୀ ଗୋୟଲ ପ୍ରତିଶୃତି ଦେଇଥିବା ଶ୍ରୀ ପାଢୀ ସୂଚନା ଦେଇଛନ୍ତି । ସ୍ଥାନୀୟ ବିଧାୟକ ବସନ୍ତ ପଣ୍ଡା, ବଣିକ ସଂଘ ସଭାପତି ସରୋଜ ସାହୁ, ସିଭିଲ ବାର ଆସୋସିଏସନ ସମ୍ପାଦକ ବିଶ୍ୱମଣି ପାଣିଗ୍ରାହୀ, ଜିଲ୍ଲା ଓକିଲ ସଂଘ ସମ୍ପାଦକ ଧର୍ମବୀର ଯୋଶୀ, କୁମୁଦ ହୋତା,ପପ୍ପୁ ସ୍ୱଇଁ, ଅଶ୍ୱିନୀ ବାଗ,ସୁରେଶ ଅଗ୍ରୱାଲ, ଭରତଲାଲ ରାଉତ, ଅବନୀ ଯୋଶୀ,ଭରତ ବେହେରା , ଗୋପାଲ ସାହୁ, ଶଙ୍କର ସୁନା ପ୍ରମୁଖ ଉପସ୍ଥିତ ଥିଲେ ।