ବିକଶିତ ଓଡ଼ିଶା ପାଇଁ ନିରାପଦ ଯାତ୍ରା ଓ ସଡ଼କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ : ମନ୍ତ୍ରୀ ଶ୍ରୀ ଜେନା
ଭୁବନେଶ୍ୱର: ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହା୍ରସ ଦିଗରେ ସରକାର ପ୍ରତିବଦ୍ଧ ଥିବାବେଳେ ସବୁପ୍ରକାର ପ୍ରତିରୋଧୀ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତିଭୂଷଣ ଜେନା ଉଲ୍ଲେଖ କରିଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟ ପରିବହନ ପ୍ରାଧିକରଣ ଓ ଆଇଆଇଟି-ମାଡ୍ରାସ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏହି ମର୍ମରେ ସଡ଼କ ସୁରକ୍ଷାକୁ ଦୃଢ଼ କରିବା ସହିତ ଯାନଚାଳନା ସତର୍କତା ଏବଂ ସଚେତନତା ଅଭିଯାନକୁ ଏପରି ପ୍ରୟାସ ସାହାଯ୍ୟ କରିବ ବୋଲି କହିଛନ୍ତି ।
ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଏହି ବୁଝାମଣାପତ୍ର ବଳରେ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ସଂଚାର ଅଭିଯାନକୁ ପ୍ରଭାବୀ କରାଯିବ । ବିକଶିତ ଓଡ଼ିଶା ନିମନ୍ତେ ସଡ଼କ ସୁରକ୍ଷାର ଚାରୋଟି ମଡେଲ ଯଥା- ଇଂଜିନିୟରିଂ, ତଦାରଖ ଓ କାର୍ଯ୍ୟାନୁଷ୍ଠାନ, ଜରୁରୀକାଳୀନ ପ୍ରଯନି ଓ ମାନବିକ ଦିଗକୁ ପ୍ରାଧାନ୍ୟ ଦିଆଯିବ । ସଡ଼କ ସୁରକ୍ଷା କ୍ଷେତ୍ରରେ ଗାଡ଼ିଚାଳନାର ନିୟନ୍ତ୍ରଣ ଓ ତଦାରଖ, ଚାଳକମାନଙ୍କ ବ୍ୟବହାର ପରିବର୍ତ୍ତନ ସାଙ୍ଗକୁ ଦୁର୍ଘଟଣା ହ୍ରାସ ଦିଗରେ ଏହି ପ୍ରୟାସ ଫଳପ୍ରଦ
ହେବ । ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ଏକ ପରିସଂଖ୍ୟାନ ଦେଇ ମନ୍ତ୍ରୀ ଶ୍ରୀ ଜେନା ସେ ଦିଗରେ ସବୁମହଲର ସହଯୋଗ ଲୋଡ଼ିଛନ୍ତି । ତୃଣମୂଳ ସ୍ତରରୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଆରୋପ କରିଛନ୍ତି ।
କାର୍ଯ୍ୟକ୍ରମ ଆରମ୍ଭରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ପ୍ରାରମ୍ଭିକ ସୂଚନା ଦେବା ସହିତ ବୁଝାମଣାପତ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବୁଝାମଣାପତ୍ର ସ୍ୱାକ୍ଷର ବଳରେ ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସଶକ୍ତ କରାଯାଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ । ଆଇଆଇଟି ମାଡ୍ରାସର ପ୍ରଫେସର ଭେଙ୍କଟେଶ ବାଳସୁବ୍ରମଣ୍ୟମ୍ ୩ ବର୍ଷ ନିମନ୍ତେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ଏଥିରେ ରାଜ୍ୟବ୍ୟାପୀ ଶିକ୍ଷଣ ବ୍ୟବସ୍ଥା, କର୍ମଶାଳା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଅଭିଯାନ ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ତଥା ରାଜ୍ୟ ପରିବହନ ପ୍ରାଧିିକରଣର ବରିଷ୍ଠ ଅଧିକାରୀମାନଙ୍କ ସମେତ ଆଇଆଇଟି ମାଡ୍ରାସର ଅନ୍ୟତମ ପ୍ରତିନିଧି ଅତୁଲ ସିଂହ ମଧ୍ୟ ଉପସ୍ଥିତ ଥିଲେ ।