ହେଡଲାଇନସ୍:

ଧନ୍ୟ ଏଇ ୧୪୪ ଧାରା, ଧନ୍ୟ ଏଇ ଜିଲ୍ଲା ପ୍ରଶାସନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାହାଡପୁର ପାହାଡରେ ୧୪୪ ଧାରା ଜାରି: ଲୋକହସା ହେଉଛି ସରକାର

ଯାଜପୁର,(ଜୟଶଙ୍କର ଦାସ) ଯାଜପୁର ଜିଲ୍ଲାର ଧର୍ମଶାଳାର ପାହାଡ ପର୍ବତରୁ ମାଫିଆ ଚୋରୀ କଲେ ହେଲେ ତଣ୍ଡ ଗଣିବେ ସରକାର ୨୫ କୋଟି । କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଏଭଳି ଅଭାବନୀୟ ପରିସ୍ଥିତି ସରକାର କେବେ ବି ସମ୍ମୁଖୀନ ହୋଇନାହାନ୍ତି । ଯାଜପୁର ଜିଲ୍ଲା ପ୍ରଶାସନକୁ ଏଥିନେଇ ମୁଖ୍ୟ ଶାସନ ସଚିବ ଭର୍ତ୍ସନା କରି ପତ୍ର ଦେବା ପରେ କଳାପଥରର କଳାଟଙ୍କା ମୋହ ଏବଂ କ୍ଷମତାସୀନଙ୍କ ଚାପରୁ ମୁକ୍ତି ହୋଇପାରୁ ନାହିଁ ଜିଲ୍ଲା ପ୍ରଶାସନ । ହେଲେ ପରିସ୍ଥିତିର ବାଧ୍ୟବାଧକତାରେ ଥରକୁ ଥର ଆଇନକୁ ଆଖିଠାର ମାରିବାକୁ କେବଳ ୧୪୪ ଧାରା ଜାରି କରାଯାଉଛି । ଡଙ୍କାରୀରେ ୧୪୪ ଧାରା ଜାରି ପରେ ବେଧଡକ ସାରାରତି କଳାପଥର ଲୁଟ ହେଉଥିବା ବେଳେ ମଙ୍ଗଳବାର ପୁନଶ୍ଚ ପ୍ରଶାସନ ତରଫରୁ ରାହାଡପୁର ପାହାଡର ତିନୋଟି ଖାଦାନରେ ୧୪୪ ଧାରା ଜାରି ହୋଇଛି । ସରକାରୀ କଳର ଏଭଳି କାର୍ଯ୍ୟଧାରା ପାଇଁ ସରକାର ଲୋକହସା ହେଉଥିବା ବେଳେ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି । 

ଖବରରୁ ପ୍ରକାଶ, ରାହାଡପୁର ପାହାଡର ୬,୮ ଓ ୧୦ ନଂବର ଖାଦାନକୁ ୧୪୪ ଧାରା ଜାରି କରାଯାଇଛି । କେବଳ ୧୦ ନଂବର ଖାଦାନକୁ ଯାଇଥିବା ରାସ୍ତା ତାଡି ଥିବା ବେଳେ ୬ ନଂବର ଖାଦାନଟି ପାହାଡ ଉପରେ ଥିବାରୁ ସେଠାକୁ ମାଟିଖୋଳା ମ୍ୟାସିନ ନେବାପାଇଁ ଉଦ୍ୟମ କରି ନଥିଲେ । ତେବେ ଉଭୟ ଖାଦାନରେ ନାଲି ପତାକା ମରାଯାଇ ଥିବା ବେଳେ ୮ ନଂବର ଖାଦାନରେ ନାଲି ପତାକା ବି ମରାଯାଇ ନାହିଁ । ଧର୍ମଶାଳା ତହସିଲଦାର ସରୋଜକାନ୍ତ ପଣ୍ଡା ଏହି କାର୍ଯ୍ୟରେ ଉପସ୍ଥିତ ଥିଲେ । ଏଥିନେଇ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ତଥା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଅଭିଯୋଗ ପରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଠାରୁ ଆସିଥିବା ନିର୍ଦ୍ଦେଶ ମୁତାବକ ଏହି ୧୪୪ ଧାରା ଜାରି କରାଯାଇଛି । ତେବେ ଦୀର୍ଘବର୍ଷ ଧରି ଏହି ଖାଦାନ ଗୁଡିକ ଚାଲିବା, ଏହିସବୁ ଖାଦାନରୁ ହଜାର ହଜାର ଟ୍ରିପ କଳାପଥର ଲୁଟ ହେବା, ବେଆଇନ ୱାଗନହୋଲ ବ୍ଲାଷ୍ଟିଂ ଫଳରେ ବ୍ୟାପକ ଶବ୍ଦ, ବାୟୁ ପ୍ରଦୂଷଣ, ଭୂତଳ ଜଳ ପ୍ରଦୂଷିତ ହେବା, ପାହାଡ ଓ ପରିବେଶ ଧ୍ୱଂସାଭିମୁଖୀ ହେବା ନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି ।  ତେବେ ଏହି ପାହାଡର ୮ ନଂବର ଖାଦାନ ରାସ୍ତା ତଡା ନଯିବା କିମ୍ବା ଏଠାରେ ନାଲି ପତାକା ମରାନଯିବା ଅନ୍ତରାଳରେ ଥିବା ରହସ୍ୟ ଓ ରାଜନୈତିକ ଚାପ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ସେହିପରି ଏଠାରେ ଥିବା ଅନ୍ୟ ୯ ଟି ଖାଦାନରେ ମଧ୍ୟ ଓଡିଶା ଖଣି ସୁରକ୍ଷା ଆଇନ ଓ ପରିବେଶ ଆଇନର ଉଲଂଘନ କରାଯାଇ ଦୈନିକ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ  ଟ୍ରିପ କଳାପଥର ହରିଲୁଟ ଚାଲିଥିଲେ ମଧ୍ୟ କୌଣସି କାର୍ଯାନୁଷ୍ଠାନ  ଗ୍ରହଣ କରାଯାଉ ନାହିଁ । ଏପରିକି ବ୍ୟାପକ ଚଂଚକତା କରାଯାଇ ଏହି ଖାଦାନ ଗୁଡିକ ଚାଲିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ଅନୁମତି ମିଳିଥିଲେ ମଧ୍ୟ ବୋର୍ଡର ସମସ୍ତ ପ୍ରକାର ନିୟମ କାନୁନକୁ ଉଲଂଘନ କରାଯିବା ନେଇ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । 

ଡଙ୍କାରୀ ପାହାଡରେ କିଛିଦିନ ପୂର୍ବରୁ ୧୪୪ ଧାରା ଜାରି କରାଯିବା ସହ ପାହାଡ ଖାଦାନକୁ ଯାଇଥିବା ରାସ୍ତାକୁ ତାଡି ଦିଆଯାଇ ଥିଲା । ହେଲେ ରାତିରେ ତଡା ଯାଇଥିବା ରାସ୍ତାରେ ମାଟି ପକାଯାଇ ରାସ୍ତା କରି ସାରାରାତି ଦୈନିକ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ  ଟ୍ରିପ କଳାପଥର ଲୁଟ କରାଯାଉଛି । ପୁଣି ରାତି ପାହିବା ପୂର୍ବରୁ ଉକ୍ତ ରାସ୍ତାକୁ ତାଡି ଦିଆଯାଉଛି । ସ୍ଥାନୀୟ ଜେନାପୁର ଥାନା ପୋଲିସ ଏବଂ ପ୍ରଶାସନର ସଲାସୁତରାରେ ଏହି ହରିଲୁଟ ଚାଲିଛି । ନିକଟ ଅତୀତରେ ରାଜସ୍ୱ ବିଭାଗର ଜଏଣ୍ଟ ସେକ୍ରେଟାରୀ ଧର୍ମଶାଳା ତହସିଲଦାରଙ୍କ ସହ ଡଙ୍କାରୀ ପାହାଡକୁ ଦିନରେ ଅନୁଧ୍ୟାନ କରି ପାହାଡକୁ ଯାଇଥିବା ରାସ୍ତା ଖୋଳା ହୋଇଥିବା ଏବଂ ପାହାଡରେ ପଥର ବ୍ଲାଷ୍ଟିଂ ହେଉନଥିବା ଦୃଶ୍ୟ ଦେଖି ଫେରିଥିଲେ । ତେବେ ଦିନରେ ପାହାଡ ବନ୍ଦ ଥିବାରୁ ଦିନରେ ଏଭଳି ତଦନ୍ତ ମୂଲ୍ୟହୀନ ବୋଲି ମତ ପ୍ରକାଶ ପାଉଛି । ଏହାପରେ ରାହାଡପୁର ପାହାଡରେ ୧୪୪ ଧାରା ଜାରି ହୋଇଥିବା ଖାଦାନରେ ଏହିପରି ଚାରୀ ଚାଲିବା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ବ ହୋଇଗଲାଣି । ଏହାଦ୍ୱାରା ସାଧାରଣରେ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାରୁ ସରକାରୀ କଳ ଏଥିନେଇ ଯତ୍ନବାନ ହେବାକୁ ସତୀଶ ବିଶ୍ୱାଳ ଦାବି କରିଛନ୍ତି । ସେହିପରି ବାଜବାଟି ଏବଂ ବିଛାଖଣ୍ଡୀ ଆଦି ପାହାଡରେ ଚାଲିଥିବା ହରିଲୁଟ ନେଇ ସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।  

 

0
0
0
s2sdefault