ଅନ୍ତର୍ଭୁକ୍ତ କରିବା ସହ ୭ଦଫା ଦାବୀ ନେଇ ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ଶତାଧିକ ଚାଷୀଙ୍କୁ ସରକାର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଚାଷୀ ମାନଙ୍କ ଅନ୍ୟାନ୍ୟ ମୌଳିକ ୭ଦଫା ଦାବୀ ନେଇ ଜିଲ୍ଲା କୃଷକ ସଂଘ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରି ଗଣ ଧାରଣାରେ ବସିଥିଲେ । ପରେ ଚାଷୀ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଶତାଧିକ ଚାଷୀ ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ପି.ଡବ୍ଲୁ.ଡି ଛକ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଚାଷୀ ମାରଣନୀତି ବିରୁଦ୍ଧରେ ସ୍ଲୋଗାନ ମାନ ଦେଇ ତୁରନ୍ତ ସେମାନଙ୍କ ନ୍ୟାୟ ଦାବୀ ସବୁ ପୁରଣ କରାଯିବା ଦିଗରେ କହିଥିଲେ । ଜିଲ୍ଲା ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ ସାମ୍ୱାଦିକଙ୍କୁ ସୂଚନା ଦେଇ କହିଥିଲେଯେ ପାରଳାଖେମୁଣ୍ଡି ସହରର ଚତୁର୍ପାର୍ଶ୍ୱ ଉପକଣ୍ଠରେ ଏଠାକାର ଶତାଧିକ ଚାଷୀଙ୍କ ପ୍ରାୟ ୧୫୦୦ ଏକର ଚାଷ ଜମି ରହିଥିବା ଏବଂ ତିତିଲି ବାତ୍ୟାରେ ତାହା ପ୍ରଭାବିତ ହୋଇଥିବା ବେଳେ କ୍ଷତିପୂର୍ଣ୍ଣ ସହାୟତା ଦେବାରେ ସେମାନଙ୍କୁ ବଞ୍ଚିତ କରାଯାଇଛି । ତେଣୁ ଆମର ଦାବୀ ହୋଇଛି ସହରାଞ୍ଚଳର ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଉ, ତିତିଲି ବାତ୍ୟାରେ ଚାଷୀଙ୍କ ଧାନର ରଙ୍ଗ ବଦଳୀ ବେରଙ୍ଗୀ ହୋଇଯାଇଛି । ତେଣୁ ତାହା କିଣାଯାଉ, କୌଣସି ସର୍ତ୍ତ ନରଖି , ଧାନ କିଣା ବେଳେ କିଟନି,ଛଟନି ନାମରେ ୧୦କେଜି ଧାନ କାଟିବା ବନ୍ଦ କରାଯାଉ, ତିତଲି କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ରାଶି ଏବଂ ମୁଗ, ବିରି , ରାଶି ପ୍ରଭୃତି ବିହନ ଯୋଗାଇଦିଆଯାଉ । ପାଣି ପଞ୍ଚାୟତ ଗୁଡିକୁ ସଶକ୍ତି କରିବା ସହ ଜଳ ସମ୍ପଦ ବିଭାଗର ଦୁର୍ନିତୀ ଓ ପାଣିପଞ୍ଚାୟତକୁ ଅଣଦେଖା ବନ୍ଦ କରାଯାଉ ପ୍ରଭୃତି ଦାବୀ ଗୁଡିକ ଅନ୍ତର୍ଭୁକ୍ତ କହିଥିଲେ ।