ସୋହେଲା(ଶାସକପ୍ରଶାସକ)
ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ସକାଳ ୧୦ଟାରୁ ସୋହେଲା ବ୍ଳକ ଆଶା ସଂଘ ତରଫରୁ ସୋହେଲା ଡାକ୍ତରଖାନାକୁ ଘେରାଉ କରାଯାଇଥିଲା । ରୋଗୀସେବା ଚାଲୁ ରହିଥିବାବେଳେ ପ୍ରଶାସନିକ ବିଭାଗ ସଂପୂର୍ଣ୍ଣ ଅଚଳ ହୋଇଯାଇଥିଲା । ଆଶା କର୍ମୀମାନେ କାର୍ଯ୍ୟାଳୟରେ ମଧ୍ୟ କିଛି କର୍ମଚାରୀଙ୍କୁ ବନ୍ଦ କରି ରଖି ପରେ ଛାଡିଦେଇଥିଲେ । ବିଗତ ୩ମାସ ହେଲା ଆଶାକର୍ମୀଙ୍କ ଭତା ଏବଂ ଅନ୍ୟାନ୍ୟ ପାଉଣା ଦିଆଯାଉ ନଥିବାରୁ ସୋହେଲା ବ୍ଲକ ଆଶାକର୍ମୀ ସଂଘ ଏହି ଘେରାଉ କରିଥିଲେ । ଗତ ଡିସେମ୍ବର ୨୦ ତାରିଖ ଓ ଜାନୁୟାରୀ ୧୦ ତାରିଖରେ ଆଶାକର୍ମୀମାନେ ବରଗଡ ଯାଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧୁଚରଣ ଦାସଙ୍କୁ ପାଉଣା ସଂପର୍କରେ ଅବଗତ କରାଇଥିଲେ । ଜିଲାପାଳଙ୍କଠାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ଏଥିରେ କିଛି ସୁଫଳ ନ ମିଳିବାରୁ ଜାନୁୟାରୀ ୨୪ ତାରିଖ ଡାକ୍ତରଖାନାକୁ ଘେରାଉ କରିଥିଲେ । ସେଦିନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧୁ ଚରଣ ଦାସ ଓ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଚୂଳବତୀ ସାହୁ ସୋହେଲା ଆସି ସମସ୍ୟାର ସମାଧାନ ୪ ଦିନ ମଧ୍ୟରେ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଶାକର୍ମୀମାନେ ତାଙ୍କ କଥା ମାନିଥିଲେ ମଧ୍ୟ ସମସ୍ୟାର ସମାଧାନ ନ ହେଲେ ପୁଣି ଘେରାଉ କରିବାକୁ ତାଗିଦ କରିଥିଲେ । ପ୍ରକାଶ ଥାଉ କି,ନଭେମ୍ବର ମାସରେ ତତ୍କାଳୀନ ଗୋଷ୍ଠୀ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଂଜନ କୁମାର ମହାପାତ୍ର ବରଗଡକୁ ବଦଳି ହେବା ପରେ ଏହି ପଦବୀରେ ଡାକ୍ତର ସମୀର କୁମାର ପଣ୍ଡାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ମାତ୍ର ଡାକ୍ତର ପଣ୍ଡା ଆର୍ଥିକ କ୍ଷମତା ନେବାକୁ ମନା କରିଥିଲେ । ସେ ସମୟରୁ ଡାକ୍ତରଖାନାର ସମସ୍ତ ଡାକ୍ତର,କର୍ମଚାରୀ,ସେବିକାମାନେ ଦରମା ପାଉ ନଥିବାବେଳେ ଆଶାକର୍ମୀମାନଙ୍କ ୩ ମାସ ହେଲା ଭତା ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଅଟକି ରହିଛି । ଅର୍ଥାଭାବରୁ ପରିବାର ପୋଷଣରେ ଅସୁବିଧା ହେଉଥିବା ଆଶାକର୍ମୀମାନେ ଅଭିଯୋଗ କରିଛନ୍ତି । ସ୍ଥାୟୀ ମେଡିକାଲ ଅଫିସର ନିଯୁକ୍ତି ସହ ସମସ୍ୟାାର ସମାଧାନ ନ କଲେ ଆସନ୍ତାକାଲିଠାରୁ ସଂଘ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବ୍ଲକ ସଭାନେତ୍ରୀ ଅଭାଗିନି ଛତର ଜଣାଇଛନ୍ତି । ଖବର ପାଇ ସନ୍ଧ୍ୟାରେ ସିଡିଏମଓ ଡାକ୍ତର ନନ୍ଦୀ କିଶୋର ପାଢ଼ୀ ଏଠିକୁ ଆସି ଆନେ୍ଦାଳନରତ ଆଶାକର୍ମୀଙ୍କ ସହିତ ଆଲୋଚନା କରିଥିଲେ । ବରଗଡ ଜିଲା ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧୁ ଚରଣ ଦାସଙ୍କୁ ସୋହେଲା ଡାକ୍ତରଖାନାର ଡିଡିଓ ଦାୟିତ୍ୱ ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦେବା ସହିତ ଲିଖିତ ଆଦେଶ ଦେବା ପରେ ଆନେ୍ଦାଳନ ସନ୍ଧ୍ୟା ସାଢେ଼ ୭ଟାରେ ପ୍ରତ୍ୟାହାର ହୋଇଥିଲା ।