ହେଡଲାଇନସ୍:

ବେଲଗୁଣ୍ଠାରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,୨୩/୦୬-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ପଡ଼ିଆରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଦ୍ଵାରା ନିଆଯାଇଥିବା ବହୁ ଜନ ହିତକର କାର୍ଯ୍ୟକୁ ପ୍ରଶଂସା କରିବା ସହ ବର୍ତ୍ତମାନ ମୋହନ ସରକାର ରାଜ୍ୟରେ ବହୁ ଜନହିତକର କାର୍ଯ୍ୟ ଜାରି ରଖିଥିବା ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ବିପିସି ଦେବାଶିଷ ସାହୁ ପରିଚାଳନା କରିଥିବା ବେଳେ ବିଡ଼ିଓ ସିଙ୍ଗାପୁର ହରି ସ୍ବାଗତ ଭାଷଣ ଦେଇଥିଲେ। ଏଥିରେ ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ , ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ଏବିଡିଓ ସନ୍ତୋଷ ମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଡ଼ିପିଓ ନଳିନୀ ମହାରଣା, ବିଭିଓ କାର୍ତ୍ତିକେଶ୍ୱର୍ ସାହୁ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ସମେତ ବ୍ଳକ୍ ର ବିଭିନ୍ନ କର୍ମଚାରୀମାନେ ସହଯୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପଚିଶି ଜଣ ହିତାଧିକାରୀଙ୍କୁ ମୁଖ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାସନ୍ କାର୍ଡ ଯୋଗାଇ ଦିଆଯାଇଥିବା ବେଳେ ୨୨ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ,୨୭ ଜଣଙ୍କୁ ମଧୁବାବୁ ପେନସନ ପ୍ରଦାନ କରାଯାଇଥିଲା। ସେହିପରି ଏସଆଇଆର୍ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିବା ୧୨ ଜଣ ବିଏଲ୍ଓ ସୁପରଭାଇଜର୍ ଙ୍କୁ ସମ୍ମାନିତ କରାଯିବା ସହ ୧୪ ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରଙ୍କ ତରଫରୁ ମୋବାଇଲ୍ ଫୋନ୍ ପ୍ରଦାନ କରାଯାଇଥିଲା। ସେହିପରି ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ପ୍ରସ୍ତୁତ ହୋଇ ରହିଥିବା ୩୭ ବିଦ୍ୟାଳୟର ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସରକାରଙ୍କ ଉଦ୍ୟାନ ଓ କୃଷି,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ , ପଞ୍ଚାୟତିରାଜ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ,କର୍ମ ନିୟୋଜନ ବିଭାଗ ତରଫରୁ ବିଭିନ୍ନ ଷ୍ଟଲ୍ ମାଧ୍ୟମରେ ଜନ ସଚେତନତା କରାଯାଇଥିଲା। ସେହିପରି ଅଙ୍ଗନୱାଡ଼ି କେନ୍ଦ୍ରରେ ଆସନ୍ତା ଜୁଲାଇ ମାସରୁ ଜଳଖିଆ ପରିବର୍ତ୍ତନ ହେବାର ଥିବାରୁ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ବାରା ବିଭିନ୍ନ ସ୍କିମ୍ ମାଧ୍ୟମରେ ଗର୍ଭବତୀ ମାଆ ଏବଂ ଶିଶୁଙ୍କ ପାଇଁ ବିଭିନ୍ନ ପୁଷ୍ଟିକର ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ, ସମିତିସଭ୍ୟ, ଜନ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

0
0
0
s2sdefault