ହେଡଲାଇନସ୍:

କୋଲାବିରାରୁ ରବି ଧାନ କ୍ରୟ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଚାଷୀଙ୍କ ଉତ୍ପାଦିତ ଫସଲକୁ ଉଚିତ୍ ମୂଲ୍ୟ ଦେବାରେ ସରକାର ପ୍ରତିବଦ୍ଧ : ବିଧାୟକ ଟଙ୍କଧର ତ୍ରିପାଠୀ


ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ରବି ଋତୁ ୨୦୨୫-୨୬ ପାଇଁ ଚାଷୀଙ୍କ ନିକଟରୁ ଧାନ କ୍ରୟ କାର୍ଯ୍ୟ ରବିବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ କୋଲାବିରା ସମବାୟ ସମିତିର ନୂତନ କ୍ରୟ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଧାନକ୍ରୟ ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଉତ୍ସବରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରି ଧାନ କ୍ରୟ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ, ରାଜ୍ୟର ବିଜେପି ସରକାର ଚାଷୀଙ୍କ ଧାନ ସହ ଅନ୍ୟାନ୍ୟ ଫସଲକୁ ମଧ୍ୟ ଉଚିତ୍ ମୂଲ୍ୟ ଦେବା ପାଇଁ ସଂକଳ୍ପବଦ୍ଧ। ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାରେ କେବଳ ଖରିଫ ଋତୁରେ ଧାନ କ୍ରୟ ହେଉଥିବାବେଳେ, ବର୍ତ୍ତମାନ ରବି ଋତୁରେ ମଧ୍ୟ ଚାଷୀମାନେ ଧାନ ବିକ୍ରୟ କରିପାରୁଛନ୍ତି।

ସେ ଆହୁରି କହିଥିଲେ ଯେ, ଧାନ ବ୍ୟତୀତ ଅନ୍ୟାନ୍ୟ ଫସଲ ପାଇଁ ମଧ୍ୟ ସରକାର ବଜାର ବ୍ୟବସ୍ଥା କରିଥିବାରୁ ଚାଷୀମାନେ ବିଭିନ୍ନ ପ୍ରକାର ଚାଷ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ଆବଶ୍ୟକ। ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର କଥାରେ ନୁହେଁ, କାର୍ଯ୍ୟରେ ବିଶ୍ୱାସ କରୁଥିବା ସେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଡିଆରସିଏସ ମମତାରାଣୀ କୁଜୁର, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ପିତାମ୍ବର ସେଠୀ, ଏଆରସିଏସ ରମେଶଚନ୍ଦ୍ର ଟପ୍ପୋ, କୋଲାବିରା ସମବାୟ ସମିତି ସଭାପତି କୀର୍ତ୍ତିଚନ୍ଦ୍ର ବହିଦାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତିକାନ୍ତି ବଳିୟାରସିଂ ଏବଂ ଝିର୍ଲାପାଲି ସରପଞ୍ଚ ତିଳୋତ୍ତମା ଛଛାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସମବାୟ ନିରୀକ୍ଷକ ବନମାଳୀ ନାଏକ ସଭା ପରିଚାଳନା କରିଥିଲେ।

ଏହି ଅବସରରେ ଆରଏମସି ସମ୍ପାଦକ କିଶୋର ନାଏକ, ସୁପରଭାଇଜର ଶେଷଦେବ ରଥ, ବ୍ଲକ ଯୋଗାଣ ଅଧିକାରୀ ମମିତା ବାଗ, ସମିତି ସମ୍ପାଦକ ଦେବରାଜ କୁମୁରା, ହରେଶ ପଟେଲ, ସୁବାଷ ପଟେଲ ଓ ଓମପ୍ରକାଶ ମହାପାତ୍ରଙ୍କ ସହ ସମବାୟ, ଯୋଗାଣ ଏବଂ ଆରଏମସି ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ।

ପ୍ରଥମ ଦିନରେ କୋଲାବିରା ସମିତିର ଦୁଇ ଜଣ ଚାଷୀ କୁବେର ପ୍ରଧାନ ଓ ରଜତ ପ୍ରଧାନ ମୋଟ ୭୨.୫୧ କ୍ୱିଣ୍ଟାଲ ଧାନ ବିକ୍ରୟ କରିଥିଲେ। ଏହି ଧାନକୁ ବାଗଡିହି ସମଲେଶ୍ୱରୀ ରାଇସ ମିଲକୁ ପଠାଯାଇଥିବା ସମିତି ସମ୍ପାଦକ ଦେବରାଜ କୁମୁରା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ରବି ଋତୁରେ କୋଲାବିରା ବ୍ଲକର କୋଲାବିରା ସମବାୟ ସମିତିରେ ୪୫ ଜଣ, ଝିର୍ଲାପାଲି ସମିତିରେ ୧୨ ଜଣ ଓ ସମାସିଂହା ସମବାୟ ସମିତିରେ ୮୯ ଜଣ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିଛନ୍ତି।

0
0
0
s2sdefault